ଯେତେବେଳେ ବେସାହାରା ଥିଲା ହକି, ସେତେବେଳେ ‘ସାହାରା’ପାଲଟିଥିଲେ ନବୀନ

2 min read
Indian Hockey Team Won Bronze, Naveen Patnaik Trends In Tweeter

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମର ବିଜୟ । ଟ୍ୱିଟରର ଟ୍ରେଣ୍ଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ନବୀନଙ୍କ ନାଁ । ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଛି ଭାରତ । ଯାହାପରେ ନବୀନଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ ।

ଟୋକିଓରେ ଭାରତୀୟ ହକି ଟିମର ସଫଳତା ପରେ ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଉଛନ୍ତି । ୨୦୧୮ ମସିହାରେ ଓଡ଼ିଶା ସରକାର ହକି ଇଣ୍ଡିଆ ସହ ବୁଝାମଣା ସ୍ୱାକ୍ଷର କରିଥିଲେ । ହକିର ସମସ୍ତ ଜାତୀୟ ଦଳ ଯଥା ଜୁନିୟର, ସିନିୟର ସହ ପୁରୁଷ ଓ ମହିଳା ଦଳ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ବୁଝାମଣା ଅନୁସାରେ ୨୦୨୩ ମସିହା ଯାଏଁ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହିବେ ।

ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଆସିଛି । ନିର୍ବାଚନ ବେଳେ ନବୀନଙ୍କ ଡାଏଲଗ୍ ଆପଣ ମାନେ ଖୁସି ତ ? ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ଏବେ ଉକ୍ତ ଡାଏଲଗକୁ ମନେ ପକାଇଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ଟୋକିଓରେ ହକି ଇଣ୍ଡିଆର ବିଜୟ ପରେ ଆପଣମାନେ ଖୁସି ତ ଲେଖି ରୁବେନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଡିଟରଜୀର ସଂସ୍ଥାପକ ଟ୍ୱିଟ୍ କରି ଲେଖିଛନ୍ତି- ନବୀନ ଏମିତି ଜଣେ ରାଜନେତା ଯାହାଙ୍କୁ ନେଇ ଗର୍ବ କରି ହେବ । ହକିକୁ ଓଡ଼ିଶା ସରକାର କରିଥିବା ସହାୟତା ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଉଦାହରଣ । ଅନ୍ୟ ରାଜ୍ୟମାନେ ସହାୟତା ପାଇଁ ଆଗେଇ ଆସନ୍ତୁ ବୋଲି ଲେଖିଛନ୍ତି ବିକ୍ରମ ଚନ୍ଦ୍ର ।

ସେହିଭଳି ଜଣାଶୁଣା ସାମ୍ବାଦିକ ସାହିଲ ଯୋଶୀ ନବୀନଙ୍କୁ ପ୍ରଶଂସା କରି ଲେଖିଛନ୍ତି- ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ଖେଳରେ ବିଶ୍ୱାସ କରନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଦେଶର ଅନ୍ୟ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ସହାୟତା ଯୋଗାଇ ଅଲମ୍ପିକ ମେଡାଲ ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ସଂଘୀୟ ବ୍ୟବସ୍ଥାରେ ଖେଳ ପ୍ରତି ଏହା ଭଲ ଆଭିମୁଖ୍ୟ ବୋଲି ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ସୁଗାତା ଶ୍ରୀନିବାସରାଜୁ ।

ଇଣ୍ଡିଆ ଟୁଡେର ସାମ୍ବାଦିକ ଶିବ ଆରୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ହକି ଟିମକୁ ନିରନ୍ତର ପ୍ରୋତ୍ସାହନ ଯୋଗାଇ ନବୀନ ବଡ଼ ପଦକ୍ଷେପ ନେଇଛନ୍ତି ।

ସେହିଭଳି କିର୍ତ୍ତୀ ଆଜାଦ, ସ୍ମିତା ପ୍ରକାଶ, ରାଜଦୀପ ସରଦେଶାଇ, ଅଂଶୁଲ ସକ୍ସେନା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମ ନବଭାରତ ଟାଇମ୍ସ ଲେଖିଛି- ‘ଯେତେବେଳେ ହକିର କେହି ସାହାରା ନଥିଲେ । ସେତେବେଳେ ସେ ଚୁପଚାପ୍ ହାତ ଧରିଥିଲେ ।’

୨୦୧୩ ମସିହାରୁ ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ୨୦୧୩ରେ ହକି ଇଣ୍ଡିଆ ଲିଗ୍ (HIL) ଆୟୋଜନ ହୋଇଥିଲା । ରାଜ୍ୟର ୨ଟି ଶିଳ୍ପସଂସ୍ଥା ମିଶି କଳି୍ଗ ଲାନ୍ସର୍ସ ଫ୍ରାଞ୍ଚାଇଜ୍ ନେଇଥିଲେ । ୨୦୧୪ରେ ଓଡ଼ିଶା ହକି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିଥିଲା । ଏହା ପରେ ୨୦୧୭ରେ ଏବଂ ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍ ଆୟୋଜନ କରିଥିଲା । ୨୦୨୩ରେ ହକି ବିଶ୍ୱକପ୍ ଭୁବନେଶ୍ୱର ସହ ରାଉରକେଲାର ଆୟୋଜନ କରିବ ଓଡ଼ିଶା ।

Leave a Reply