spot_img
Home Blog Page 5499

ଓଡ଼ିଆ ଜାତିର ଉଜ୍ଜଳମୟ ପରମ୍ପରା ଓ ଇତିହାସର ପ୍ରତୀକକୁ ବିଶ୍ୱବ୍ୟାପୀ ପ୍ରସାର ନେଇ ମନ୍ତ୍ରୀ ଜ୍ୟାେତି ପ୍ରକାଶଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ପରମ୍ପରା, ଇତିହାସ, ଓ ବୀରତ୍ୱର ପ୍ରତୀକକୁ ସଂରକ୍ଷିତ ଓ ପ୍ରଦର୍ଶିତ କରୁଛି । ଓଡ଼ିଆ ଜାତିର ଉଜ୍ଜଳମୟ ପରମ୍ପରା ଓ ଇତିହାସର ପ୍ରତୀକକୁ ବିଶ୍ୱବ୍ୟାପୀ ପ୍ରସାର ଦିଗରେ ଯତ୍ନଶୀଳ ଉଦ୍ୟମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏଥିଲାଗି ସମସ୍ତ ସହଯୋଗ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ଅନ୍ତର୍ଜାତୀୟ  ଆଲୋଚନାଚକ୍ରରେ ପ୍ରତିଶ୍ରୁତି ଦେଇଛନ୍ତି ।

କୋଭିଡ ମହାମାରୀ ଜନିତ ଭୟାବହ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ‘ଇନ୍ଦ୍ରଧନୁ- ଆଶାର କିରଣ’ ଶୀର୍ଷକ ଧାରାବାହିକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଛି। ସମଗ୍ର ବିଶ୍ୱରେ ଏହି ମହାମାରୀର ଭୟାବହ ରୂପ ପରିଲକ୍ଷିତ ହେଉଥିବା ବେଳେ ସଂଗ୍ରହାଳୟଗୁଡିକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ବିଶ୍ୱର ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସହିତ ସଂଗ୍ରହାଳୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି । ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ସଂଗ୍ରହାଳଗୁଡ଼ିକ ବନ୍ଦ ରହିଛି । ସମ୍ପ୍ରତି ଏହି ଆତଙ୍କିତ ପରିବେଶରେ ବିଶ୍ୱର ସମସ୍ତ ସଂଗ୍ରହାଳୟ ନିଜ ଅସ୍ତତ୍ୱର ଉପଲବ୍ଧି ସହିତ ସଂଗ୍ରହାଳୟରେ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କ ସୁରକ୍ଷା ଓ ନିୟୋଜନ ନିମନ୍ତେ ଅନେକ ଭର୍ଚୁଆଲ ପଦକ୍ଷେପ ଗ୍ରହଣ କରିଛନ୍ତି । ଡିଜିଟାଲ ମାଧ୍ୟମରେ ଦର୍ଶକ, ଗବେଷକ ଏବଂ ସାଧାରଣ ପରିବ୍ରାଜକଙ୍କୁ ପାଇଁ ସଂଗ୍ରହାଳୟ ପରିଦର୍ଶନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ରୂପାୟନ କରାଯାଇଛି। ଏହି କ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଧବାର ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠୀ ତାଙ୍କର ବକ୍ତବ୍ୟରେ ରାଜ୍ୟ ସଂଗ୍ରହଳୟକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ। ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା ସହିତ ସଂଗ୍ରହାଳୟକୁ ଡିଜିଟାଲରେ ରୂପାନ୍ତରିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହିକାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ  ରଞ୍ଜନ କୁମାର ଦାସ ତାଙ୍କର ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।। ଡ. ଭାଗ୍ୟଲିପି ମଲ୍ଲ, ଅଧୀକ୍ଷକ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମଗ୍ର ଆଲୋଚନାଚକ୍ରର ପରିକଳ୍ପନା କରିବା ସହିତ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସଂଗ୍ରହାଳୟର ଆଭିମୁଖ୍ୟ ଏବଂ କୋଭିଡ ମହାମାରୀ ସମୟରେ ନୂତନ ପ୍ରୟାସ ଯଥା ନୂତନ ଗ୍ୟାଲେରୀର ପରିକଳ୍ପନା, ସମ୍ପୂର୍ଣ୍ଣ ସଂଗ୍ରହାଳୟକୁ ଡିଜିଟାଲ ପଞ୍ଜିକରଣ, ଗ୍ୟାଲେରୀ ଗୁଡିକର ଭର୍ଚୁଆଲ ୱକ ଥ୍ରୁ ଏବଂ ଅନ୍ୟାନ୍ୟ ସମସ୍ତ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଏହି ଆନ୍ତର୍ଜାତୀୟ ଆଲୋଚନାଚକ୍ର ବିହାରରେ ଅବସ୍ଥିତ ‘ ଦି ହେରିଟେଜ କନ୍ସୋଟିୟମ ‘ ସଂସ୍ଥାର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଉକ୍ତ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଭାଷ କୁମାର ଆଲୋଚନାଚକ୍ରର ବିଷୟବସ୍ତୁ ଓ ଦୃଷ୍ଟିକୋଣ ସମ୍ବନ୍ଧିତ ମନ୍ତବ୍ୟ ପ୍ରଦାନ କରିଥିଲେ।। ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ମୁଖ୍ୟ ଆଲୋଚକ ଭାବରେ ଡ. ଅନାମିକା ବିଶ୍ୱାସ, ଉପ ନିର୍ଦେଶିକା ‘ ସାର୍କ ସାଂସ୍କୃତିକ କେନ୍ଦ୍ର, କଲୋମ୍ବୋ , ଜେ. ଏମ୍. ଗାନ୍ଧିମତୀ, ସଂଗ୍ରହାଧ୍ୟକ୍ଷା ଏବଂ ସଂରକ୍ଷିକା, ରାଜ୍ୟ ସଂଗ୍ରହାଳୟ, ଚେନ୍ନାଇ ଏବଂ ଡ. ଅରବିନ୍ଦ ମହାଜନ , ଆଞ୍ଚଳିକ ଉପ- ନିର୍ଦ୍ଦେଶକ, ସଂଗ୍ରହାଳୟ, ବିହାର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରି ସାମ୍ପ୍ରତିକ ପରିସ୍ଥିତିରେ ସଂଗ୍ରହାଳୟ ଗୁଡିକର ଭୂମିକା ଏବଂ ଗୁରୁତ୍ୱ ଉପରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ତଥ୍ୟଭିତିକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷା ଶୁଚିସ୍ମିତା ମନ୍ତ୍ରୀ ଏହି ଭର୍ଚୁଆଲ ଆଲୋଚନା ଚକ୍ରର ସଂଯୋଜନା ଓ ବୈଷୟିକ ଅଧିବେଶନ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଏବଂ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ୍।

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନକୁ ଓଡ଼ିଶା ହାଇକୋର୍ଟଙ୍କ ଅଗ୍ରାହ୍ୟ

ପୁରୀ: କେବଳ ପୁରୀରେ ହେବ ରଥଯାତ୍ରା । କେନ୍ଦ୍ରାପଡ଼ା ଓ ବରଗଡ଼ରେ ରଥଯାତ୍ରା ଅନୁଷ୍ଠିତ କରାଯିବା ଲାଗି ମଗାଯାଇଥିବା ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ଏ ନେଇ ହାଇକୋର୍ଟରେ ୫ ଟି ପିଟିସନ୍ ଦାଖଲ ହୋଇଥିଲା ।

            ପିଟିସନ୍‌ଟି ସିଦ୍ଧ ବଳଭଦ୍ରଜୀଊ ମନ୍ଦିର ସେବକଙ୍କ ଦ୍ୱାରା ଦାଖଲ କରାଯାଇଥିବା ବେଳେ ଅନ୍ୟ ଜଣେ ବରଗଡ଼ ଭଟଲୀ ଅଞ୍ଚଳର ରଥଯାତ୍ରା ଆୟୋଜନ କରିବା ନେଇ ଅନୁମତି ମାଗିଥିଲେ । କେବଳ ସେବାୟତଙ୍କୁ ନେଇ କୋଭିଡ ନିୟମ ମାନି ରଥଯାତ୍ରା ଆୟୋଜନ କରାଯିବାକୁ ନେଇ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ  ପିଟିସନ୍‌ରେ ଉଲ୍ଲେଖ ରହିଥିଲା । ପୂର୍ବରୁ ଓଡ଼ିଶା ସରକାର ଜୁଲାଇ ୧୨ ତାରିଖରେ କେବଳ ପୁରୀରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ ରଥଯାତ୍ରା କରାଯିବାକୁ ଅନୁମତି ଦେଇଥିଲା । ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନକୁ ବାରଣା କରାଯାଇଛି । ଗତ ବର୍ଷ ମଧ୍ୟ ମାନ୍ୟବର କୋର୍ଟ ରଥଯାତ୍ରା ଅନୁଷ୍ଠିତ କରିବା ଲାଗି ସର୍ତ୍ତମୂଳକ ଅନୁମତି ଦେଇଥିଲେ । ସର୍ତ୍ତମୁତାବକ କୌଣସି ସାଧାରଣ ଜନସାଧାରଣଙ୍କ ରହିବାକୁ ବାରଣ କରାଯାଇଥିଲା ଏଥିସହିତ କେବଳ କୋଭିଡ -୧୯ ନେଗେଟିଭ୍ ଚିହ୍ନଟ ହୋଇଥିବା କେବଳ ୫ଶହ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥ ଟଣାଯିବ । ଏବଂ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରିବାକୁ ମଧ୍ୟ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ରାତି ପାହିଲେ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତୀ

ପଳାତକଙ୍କ ଉପରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ, ଭାରତକୁ ଫେରିଲା ୯୩୭୧ କୋଟି

ନୂଆଦିଲ୍ଲୀ: ଭାରତରୁ ଋଣ ନେଇ ପଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସିଙ୍କ ବିରୋଧରେ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ର  । ଏହାର ପରିଣାମ ସ୍ୱରୂପ ୯୩୭୧ କୋଟି ଟଙ୍କା ସରକାରୀ ବ୍ୟାଙ୍କକୁ ଫେରିଛି ବୋଲି ଇଡି ସୂଚନା ଦେଇଛି। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ଗୁଡ଼ିକୁ ଦିଆଯିବ ଯେଉଁ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଏହି ତିନି ପଳାତକ ପରିଶୋଧ କରିନଥିଲେ।

ଇଡି କହିଛି ଯେ ବିଜୟ ମାଲ୍ୟା ଏବଂ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପିଏମଏଲଏ ଅଧୀନରେ ଜବତ ହୋଇଥିବା ଅଂଶଧନ ବିକ୍ରି କରିବା ପରେ ବ୍ୟାଙ୍କଗୁଡିକ ତାଙ୍କର ୪୦ ପ୍ରତିଶତ ଅର୍ଥ ପାଇଛନ୍ତି। ଇଡି କେବଳ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ମାମଲାରେ PMLA ଅଧୀନରେ ୧୮,୧୭୦.୦୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିମଧ୍ୟରୁ ମୋଟ୍ ୯୩୭୧.୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି।

ରାତି ପାହିଲେ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତୀ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ସ୍ନାନ ନୀତି କରିବା ସହ ଗଜାନନ ବେଶରେ ଦେବେ ଦର୍ଶନ ଚତୁର୍ଦ୍ଦାମୂର୍ତ୍ତୀ | କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାବାହୁଙ୍କ ଏହି ସ୍ୱତନ୍ତ୍ର ଉତ୍ସବର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତବର୍ଷ ସ୍ନାନ ଯାତ୍ରାରେ ଗଜପତି ଛେରାପହଁରା କରିବେ ନାହିଁ, ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିବାକୁ ନିଷ୍ପତ୍ତି ହୋଇଛି  । ସେପଟେ ଗଜାନନ ବେଶ ଓ ପଟି ଦିଅଁଙ୍କ ନିର୍ମାଣରେ ଶେଷ ସ୍ପର୍ଶ କାରିଗରମାନଙ୍କ ଦ୍ୱାରା ଦିଆଯାଉଥିବା ବେଳେ ଆଜି ରଥ ଖଳାରେ ତିନି ରଥର ତୃତୀୟ ଭୂଇଁ ଉଠିଛି ।

ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ଆସିବେ ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଣିବେ ଦଇତାପତି ଓ ସେବାୟତ  । ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନମଣ୍ଡପ ବିଜେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯିବାକୁ ଲକ୍ଷ ରଖାଯାଇଥିବା ବେଳେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଲାଗୁ ହୋଇଛି ୧୪୪ଧାରା । ଶୃଙ୍ଖଳିତ ଯାତ୍ରା ସମାପନ ପାଇଁ ସାଧାରଣ ଭକ୍ତଙ୍କ ସହଯୋଗ ପ୍ରଶାସନ ଲୋଡ଼ିଥିବା ବେଳେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ରଥ ଖଳାରେ ଆଜି ତିନି ରଥର ତୃତୀୟ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି  । ଦେବସ୍ନାନ ପୁର୍ଣିମାରେ ଶ୍ରୀବିଗ୍ରହଙ୍କୁ ଜଳଲାଗି ନୀତି ପରେ ସ୍ନାନବେଦୀରେ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ ଗଜାନନ ବେଶ । ଏହି ବେଶ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏହାର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ଜରରେ ପୀଡ଼ିତ ହୋଇ ଅଣସର ଘରେ ଅବସ୍ଥାନ କରିବେ  ।  ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ । ଏହି ସମୟରେ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବାର ଵିଧି ଥିବା ବେଳେ, ପଟି ଦିଅଁ ନିର୍ମାଣରେ ଚିତ୍ରକାର ସେବାୟତ ମାନେ ଶେଷ ସ୍ପର୍ଶ ଦେଉଛନ୍ତି । କରୋନା ସଂକଟରେ ବିନା ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ  । ତେବେ ଶୃଙ୍ଖଳିତ ଭାବେ ଯାତ୍ରା ଶେଷ କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ  ।

ଥାନା ପରିସରରେ ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ଫେରାର ପ୍ରେମୀ ଯୁଗଳଙ୍କୁ ଥାନାରେ ବାହା କରେଇଲା ପୋଲିସ । ଖୋର୍ଦ୍ଧାର ଝିଅ ଭୁବନେଶ୍ୱରର ପୁଅ । ପ୍ରେମୀ ଯୁଗଳ ଫେରାର ହେବା ପରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଲୋକେ । ମୋବାଇଲ ନମ୍ବରରୁ ପୋଲିସ ଟ୍ରାକିଂ କରି ସେମାନଙ୍କ ପାଖରେ ପହଞ୍ଚିଥିଲା । ଉଭୟ ସାବାଳକ ହୋଇଥିବା ସତ୍ତ୍ୱେ ଉଭୟଙ୍କ ଘରେ କେହି ରାଜି ନହେବାରୁ ଘରୁ ଫେରାର ହୋଇଯାଇଥିଲେ । ଲକ ଡାଉନରେ କେଉଁଠି ବାହା ହୋଇପାରୁନଥିଲେ । ଯେଉଁ ମନ୍ଦିରକୁ ଯାଉଥିଲେ ସରକାରୀ ନିୟମ ପାଇଁ ସେଠାରୁ ମୁଁହ ଫେରାଉଥିଲେ । ପୋଲିସ ସେମାନଙ୍କ ପାଖରେ ପହଁଚିବା ପରେ ସମସ୍ୟା ବୁଝି ପରିବାର ଲୋକଙ୍କୁ ଥାନାକୁ ଡାକି ସେମାନଙ୍କର ବାହାଘର ଥାନାରେ କରିଛି । ନିଖୋଜ ପୁଅ ଝିଅଙ୍କୁ ପୋଲିସ ଉଦ୍ଧାର କରିବା ପରେ ସହିଦ ନଗର ଥାନାରେ ସେମାନଙ୍କର ବାହାଘର କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ସହ କାଶ୍ମୀର ନେତାଙ୍କ ଆଲୋଚନା ପୂର୍ବରୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ବନ୍ଦ, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ

 

ନନ୍ଦିଘୋଷ ଟିଭି ପ୍ରଭାବ: ଆକ୍ସନ ମୋଡରେ ଅବକାରୀ ଓ ପୋଲିସ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଓ ପୋଚ ଜବତ

ବାଲେଶ୍ୱର: ଆକ୍ସନ ମୋଡରେ ବାଲେଶ୍ୱର ଅବକାରୀ ଓ ପୋଲିସ୍ । ନନ୍ଦିଘୋଷ ଟିଭିରେ ଚୋରା ଦେଶୀମଦ କାରବାର ନେଇ ରିପୋର୍ଟ ପ୍ରକାଶ ପାଇବା ବିଭିନ୍ନ ସ୍ଥାନରେ ମିଳିତ ଚଢାଉ । ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ୩୦ଲକ୍ଷ ଟଙ୍କାର ପୋଚ ଓ ଦେଶୀମଦ ଜବତ କରାଯାଇଛି । ଏହି ଚଡ଼ାଉରେ ୫ପ୍ଲାଟୁନ ଫୋର୍ସ ସହିତ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ ।

ପୋଖରୀ ଭିତରୁ ବାହାରିଲା ଡ୍ରମ ଭରା ପୋଚ । ଗାତ ଭିତରୁ ଶହ ଶହ ଡ୍ରମ  ଉଦ୍ଧାର । ଘର ଭିତରେ ଅଣ୍ଡରଗ୍ରାଉଣ୍ଡ କରି ରଖାଯାଇଛି ରନ୍ଧା ମଦ । ଚଢାଉବେଳେ ମିଳିଛି ଏସବୁ ଚୋରା ମଦ । ମଦରନ୍ଧା ସାମଗ୍ରୀ ଜବତ ପରେ ମଦ ରନ୍ଧା ଘରକୁ ମଧ୍ୟ ଭାଙ୍ଗି ଦେଇଛି ପୋଲିସ । ବାଲେଶ୍ୱରରେ ଚୋରା ମଦ କାରବାର ନେଇ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ଅବକାରୀ ଓ ପୋଲିସ୍ ।  ପୁରୁଣା ବାଲେଶ୍ୱର ଗାଁରେ ଚଢାଉ କରିଛି ମିଳିତ ଟିମ୍ । ଟିମର ଏପରି ଆକ୍ସନ ପରେ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।

 

ସକାଳ ଠାରୁ ଆରମ୍ଭ ହୋଇଥିବା ଏହି ଚଡ଼ାଉ ୬ ଘଣ୍ଟା ଧରି ଚାଲିଥିଲା । ୩ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର, ୨ଜଣ ସବ୍‌-ଇନ୍ସପେକ୍ଟର, ୫ ପ୍ଲାଟୁନ ଫୋର୍ସ ଚଡ଼ାଉରେ ସାମିଲ ହୋଇଥିଲେ । ଚୋରା ମଦ ଜବତ କରାଯାଇ ନଷ୍ଟ କରାଯିବା ସହ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୩୦ ଲକ୍ଷରୁ ଅଧିକ ଟଙ୍କାର ମଦ ଓ ପୋଚ ଜବତ କରାଯାଇଛି । ନିୟମିତ ବ୍ୟବଧାନରେ ଏପରି ଚଢାଉ ଜାରି ରହିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଏହି ଗାଁର ପ୍ରାୟ ସମସ୍ତ ଲୋକେ ଦେଶୀମଦ ରାନ୍ଧି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରିଥାନ୍ତି । ଏହା ସମସ୍ତଙ୍କୁ ଜଣାଥିଲେ ସୁଦ୍ଧା ଆଗରୁ କାହିଁକି ରୋକା ଯାଇନାହିଁ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

 

ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’, ସିଲାବସରେ ସ୍ଥାନ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’  । ନବମ ଓ ଦଶମ ଶ୍ରେଣୀ ସିଲାବସରେ ସ୍ଥାନ ପାଇଛି ଏହି ବିଷୟ  । ସୂଚନା ମୁତାବକ ମାତୃଭାଷା ଓଡ଼ିଆ ବିଷୟରେ ରାଜ୍ୟ ସରକାର  ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନିତ କରିଛନ୍ତି  ।

ପ୍ରଧାନମନ୍ତ୍ରୀଙ୍କ ସହ କାଶ୍ମୀର ନେତାଙ୍କ ଆଲୋଚନା ପୂର୍ବରୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ବନ୍ଦ, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାଶ୍ମୀର ନେତାଙ୍କ ଆଲୋଚନା ପୂର୍ବରୁ ନିୟନ୍ତ୍ରଣରେଖାରେ ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ ଜାରି ହୋଇଛି । ଏହା ସହିତ ରାଜ୍ୟରେ ହାଇ ସ୍ପିଡ୍ ଇଣ୍ଟରନେଟକୁ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ଅର୍ଥାତ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ ବିଭିନ୍ନ ଦଳର ନେତାଙ୍କ ସହିତ ଆଲୋଚନା କରିବେ । ଏହି ବୈଠକରେ ଜମ୍ମୁକାଶ୍ମୀରର ବିଭିନ୍ନ ଦଳର ନେତା ମଧ୍ୟ ଯୋଗ ଦେଉଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ,ବୈଠକ ପୂର୍ବରୁ ମେହବୁବା କାଶ୍ମୀର ପ୍ରସଙ୍ଗରେ ଆଲୋଚନା ବେଳେ ପାକିସ୍ତାନକୁ ସାମିଲ କରିବାକୁ କହିଥିଲେ । ଜମ୍ମୁକାଶ୍ମୀରର ବିଜେପି ନେତା ମଧ୍ୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଆସୁଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବୈଠକରେ ଜମ୍ମୁ-କାଶ୍ମୀରର ରାଜ୍ୟ ପାହ୍ୟକୁ ନେଇ ବିଶେଷ ଆଲୋଚନା ହେବାର ସମ୍ଭାବନା ରହିଛି । ଜମ୍ମୁ କାଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ଦେବାକୁ ଦାବି ହେଉଥିବା ବେଳେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ବୈଠକ ଏଥିପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ଯେ, ମଙ୍ଗଳବାର ଦିନ ଗୁପକାର ଗ୍ରୁପର ସବୁଦଳର ନେତା କାଶ୍ମୀରରେ ଏକାଠି ହୋଇ ନିଜ ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଏସପିଙ୍କୁ ମାରିଲେ ଗୋଇଠା,ଏୟାରପୋର୍ଟରେ ହଙ୍ଗାମା

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଏସପିଙ୍କୁ ମାରିଲେ ଗୋଇଠା,ଏୟାରପୋର୍ଟରେ ହଙ୍ଗାମା

କୁଲୁ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷା ଅଧିକାରୀ କୁଲୁ ଏସପିଙ୍କୁ ଗୋଇଠା ମାରିବା ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା ଖୋଦ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହୋଇଥିଲା । ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ହିମାଚଳ ପ୍ରଶସାନ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କୁଲୁ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଏମ ସେଠାରେ ଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ କୁଲୁ ଏସପି ଗୌରବ ସିଂହଙ୍କୁ ଗୋଇଠା ମାରିଥିଲେ । ଯାହାକୁ ନେଇ କୁଲୁ ପୋଲିସ ଓ ସିଏମଙ୍କ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ ।

ଉଭୟ ପକ୍ଷ ଘଟଣା ପାଇଁ ଅପର ପକ୍ଷକୁ ଦାୟୀ କରୁଛନ୍ତି । ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ ଏସପି ବ୍ରୁଜେସ ସୁଦଙ୍କୁ କୁଲୁ ଏସପି କୌଣସି କାରଣରୁ ଚାପୁଡା ମାରିଥିଲେ । ଯାହାର ଉତ୍ତରରେ ସୁଦ୍ ଗୌରବଙ୍କୁ ଗୋଇଠା ମାରିଥିଲେ । ଗୌରବଙ୍କ ଅଭିଯୋଗ ଯେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ତାଙ୍କ ସହିତ ଅଭଦ୍ରାମୀ କରିଥିଲେ ।

ଟିକାକରଣରେ ସାମିଲ ହେଲେ ଡଙ୍ଗରିଆ କନ୍ଧ

ରାଜ୍ୟସରକାରଙ୍କ ଟିକାକରଣରେ ସାମିଲ ହେଲେ ଡଙ୍ଗରିଆ କନ୍ଧ । ପୂର୍ବରୁ କୋଭିଡ ଟେଷ୍ଟ ହେଉ କି ଟିକାକରଣ ସବୁଥିରେ ଅରାଜି ହେଉଥିଲେ । ସହଯୋଗ କରୁନଥିଲେ । ହେଲେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଟିକା ନେଇଛନ୍ତି ଡ଼ଙ୍ଗରିଆ । ୧୦୦ରୁ ଅଧିକ ଡ଼ଙ୍ଗରିଆ କନ୍ଧ ଟିକା ନେଇଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ରାୟଗଡା ଗସ୍ତ କରି ଖବେଂଶିଠାରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମସ୍ତ ଡ଼ଙ୍ଗରିଆଙ୍କୁ ଟିକା ନେବାକୁ ପରାମର୍ଶ ଦେବା ପରେ ଟିକା ନେଇଛନ୍ତି ଡ଼ଙ୍ଗରିଆ । ପୁଟାସିଂ ମଇକ୍ରୋ ପ୍ରଜେକ୍ଟ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀ ଲାଞ୍ଜିଆ ସଉରା ମାନଙ୍କ ମଧ୍ୟରେ କୋଭିଡ ଟୀକାକରଣ କିପରି ଶତ ପ୍ରତିଶତ ହୋଇ ପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ସଞ୍ଜୟଦାସବର୍ମା । ଟିକା ନେଇଥିବା ସମସ୍ତଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ କାରଯାଇଛି । ସେପଟେ ଡ଼ଙ୍ଗରିଆ ଜନଜାତିଙ୍କ ମଧ୍ୟରେ ବହୁ ଉଚ୍ଚଶିକ୍ଷିତ ଅଛନ୍ତି ତେଣୁ, ସେମାନଙ୍କ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହାସହ ସରକାରଙ୍କ କୋଭିଡ ପ୍ୟାକେଜ୍ ଯୋଗାଇ ଦିଆଯିବାକୁ ଡାଟାବେସ୍ ପ୍ରସ୍ତୁତ ହେଉଥିବା କହିଛନ୍ତି ସଞ୍ଜୟ ଦାସବର୍ମା। ଏହି ଗସ୍ତ ବେଳେ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ସେ ।

ଏଥିସହିତ ପଢ଼ନ୍ତୁ: ନକଲି କରୋନା ଔଷଧ ମାମଲାରେ ୩ ଗିରଫ