spot_img
Home Blog Page 5373

ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ କର୍ମଚାରୀ ସଂଘର ଏକ ଜରୁରୀ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି  । ସତ୍ୟନଗର ସ୍ଥିତ ଯାନ୍ତ୍ରିକ ଭବନଠାରେ କୋଭିଡ୍ ନିୟମ ପାଳନ କରି ବୁଧବାର ସଂଘର ସଭାପତି ତପନ ବିହାରୀ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ବରିଷ୍ଠ ସଭ୍ୟ ଅଜିତ ପ୍ରଧାନଙ୍କ କରୋନାଜନିତ ବିୟୋଗ ଓ ଜି.ଭି.ରାମକ୍ରିଷ୍ଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ୨୬ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକରି ଆସୁଥିବା ଡିଏଲ୍‌ଆର କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ସଂପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟତଃ ସ୍ୱେରେଜ ବୋର୍ଡର ଅନେକ କାର୍ଯ୍ୟଉପରେ ଆଲୋଚନା ହୋଇଛି  ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ କିଛି କନିଷ୍ଠ ଡିଏଲ୍‌ଆରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା
ବେଳେ ଅନ୍ୟ ଡିଏଲଆର କର୍ମଚାରୀମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାରୁ ନ୍ୟାୟାଳୟ ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ଅଧିକାରୀମାନେ ଅଦାଲତଙ୍କ ନିର୍ଦ୍ଦେଶକୁ ଭୃକ୍ଷେପ କରିନଥିବା ବେଳେ କର୍ମଚାରୀମାନଙ୍କ ତରଫରୁ  ଉଚ୍ଚ ନ୍ୟାୟାଳୟ ଦୁଇ ଦୁଇ ଥର ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିଲେ । କିନ୍ତୁ କେତେଜଣ ସ୍ୱେରେଜ ବୋର୍ଡର ଅଧିକାରୀମାନଙ୍କ ଜିଦ୍‌ଖୋର ମନୋବୃତି ଯୋଗୁ ସେମାନେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ସ୍ୱେରେଜ ବୋର୍ଡ ପକ୍ଷରୁ ଏକ ରିଟ୍ ଅପିଲ୍ କରାଯାଇଥିଲା ।

ଏହି ଅପିଲକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାର କରି ବିଚାରଧାରାକୁ ବିଳମ୍ବିତ ପାଇଁ ପ୍ରତି କର୍ମଚାରୀମାନଙ୍କୁ ଏକ ହଜାର ଟଙ୍କା ଦେବା ପାଇଁ ସ୍ୱେରେଜ ବୋର୍ଡକୁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୋର୍ଡ ଦୁଇବର୍ଷ ତଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିଯୁକ୍ତି ନିର୍ଦ୍ଦେଶାନାମା କମର୍ଚ ।ରୀମାନଙ୍କ ସପକ୍ଷରେ ଯାଇଥିଲା । ବାରମ୍ବାର କର୍ମଚାରୀମାନଙ୍କୁ କୋର୍ଟର ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବାରୁ ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବୋର୍ଡର ସମସ୍ତ ଡିଏଲ୍‌ଆର କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ସଂଘର ସଭାପତି ତଥା ବିଶିଷ୍ଟ କର୍ମଚାରୀ ନେତା ତପନ ବିହାରୀ ଭଞ୍ଜ ଦାବି କରିଛନ୍ତି । ମୃତ୍ୟୁବରଣ କରିଥିବା ଦୁଇଜଣ ଡିଏଲ୍‌ଆର କର୍ମଚାରୀମାନଙ୍କ ପରିବାର ମଧ୍ୟରୁ ଜଣଙ୍କୁ ଚାକିରୀରେ ଅବସ୍ଥାପିତ କରିବା ପାଇଁ ସ୍ୱେରେଜ ବୋର୍ଡ କର୍ତୃପକ୍ଷଙ୍କ ଠାରେ ସଂଘ ପକ୍ଷରୁ ଦାବି କରାଯାଇଅଛି ।

ପର୍ଯ୍ୟଟନ ଋତୁରେ ହୀରାକୁଦରେ ହେବ ବୋଟିଂ କ୍ଲବ ଓ ୱାଟର ସଫାରୀ ପ୍ରତିଷ୍ଠା

ସମ୍ବଲପୁର: ହୀରାକୁଦ ହେବ ପଶ୍ଚିମ ଓଡ଼ିଶାର ଗେଟଓ୍ବେ । ସମଲେଇ ଯୋଜନାରେ ଖୁବ ଶିଘ୍ର ଆରମ୍ଭ ହେବ ବିକାଶ କାମ । ପଯ୍ୟଟନ ଋତୁରେ ହୀରାକୁଦରେ ବୋଟିଂ କ୍ଲବ ଓ ୱାଟର ସଫାରୀ ପ୍ରତିଷ୍ଠା କରାଯିବ । ପଯ୍ୟଟକଙ୍କ ପାଇଁ ରହିବ ସମସ୍ତ ବ୍ୟବସ୍ଥା । ଇକୋଟୁରିଜମ ପଦ୍ଧତିରେ ୫ ବର୍ଷ ପାଇଁ କଟେଜ ତିଆରି ହବ ।

130 କୋଟି ଟଙ୍କାରେ ଡେବ୍ରିଗଡର ବିକାଶ କରାଯିଵ । ଗୋଟିଏ ମାସ ଭିତରେ ଶେଷହେବ ସହରର ଫ୍ଲାଏଓଭର କାମ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗୁରୁବାର ଦୌଡ଼ିବେ ଦୂତୀ, ଅଲମ୍ପିକ ଆଶାରେ ଓଡ଼ିଶା

ଭୁବନେଶ୍ୱର: ଦିନକ ପରେ ଟ୍ରାକରେ ଦୌଡ଼ିବେ ଓଡ଼ିଶାର ଦୂତୀ । ସେପଟେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଧାବିକା ଦୂତୀ ଚାନ୍ଦ  । ନିଜକୁ ଫିଟ୍ ରଖିବା ସହ ଭଲ ପ୍ରଦର୍ଶନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି  । ହାତରେ ମାତ୍ର ଆଉ କେଇ ଘଣ୍ଟା ଥିବାବେଳେ ଦୂତୀ ମଧ୍ୟ ଟୋକିଅରେ ଝଚକିବା ନେଇ ଆଶାବାଦୀ  ।

ସକାଳ ୮ଟା ୧୦ରେ ଆରମ୍ଭ ହେବ ପ୍ରତିଯୋଗିତା । ୧୦୦ ମିଟର ରାଉଣ୍ଡ ୧ ହିଟ୍ ପ୍ରତିଯୋଗିତାରେ ଭାଗ ନେବେ ଧାବିକା ଦୂତୀ  । ଗୋଟେପଟେ ଦୂତୀ ଟ୍ରାକରେ ଦୈଡିବା ପାଇଁ ତୟାର ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ସୁନା ଝିଅର ମେଡାଲ ନେଇ ଆଶାବାଦୀ ଓଡିଶା ବାସୀ  । ଏବେ ଦୂତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସେଥିରେ ଦୂତୀ ଜୋରଦାର ପ୍ରଚେଷ୍ଟା କସରତ କରୁଥିବା  ଦେଖିବାକୁ ମିଳିଛି

ଜଗନ୍ନାଥଙ୍କ ଶ୍ଲୋକରୁ ପ୍ରେସମିଟ ଆରମ୍ଭ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନଆଦିଲ୍ଲୀ: ପ୍ରେସମିଟ ଆରମ୍ଭରୁ ଜଗନ୍ନାଥଙ୍କ ଶ୍ଲୋକ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ।  ପ୍ରଥମ ଥର ପାଇଁ ମମତାଙ୍କ ତୁଣ୍ଡରେ ଜଗନ୍ନାଥ ଶ୍ଲୋକ ପୁଣି ସାମ୍ବାଦିକ ସମ୍ମଳନୀରେ  । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀରେ  । କେନ୍ଦ୍ର ଉପରେ ଖୁବ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି, ଦେଶରେ ଏବେ ନୂଆ ପ୍ରକାରର ଏମର୍ଜେନ୍ସି ଚାଲିଛି । କେନ୍ଦ୍ର ସରକାର ମନଇଛା କାରବାର କରୁଛନ୍ତି । କେନ୍ଦ୍ର ଏବେ ନିଜକୁ ସୁହାଇଲା ପରି କାମ କରୁଛି । ତିନି କୃଷି ଆଇନ ହେଉ କି ପେଗାସସ ମାମଲା ସବୁଥିରେ ମନମୁଖୀ କାରବାର କରୁଛନ୍ତି ।

ଯାହାଦ୍ବାରା ସାମ୍ବାଧାନିକ, ଆଇନଗତ ଅଧିକାର ସହ ବ୍ୟକ୍ତିର ମୌଳିକ ଅଧିକାର ମଧ୍ୟ ହନନ ହେଉଛି । ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ ପଡିନି । ଏପରି ଅଭିଯୋଗ ଆଣି କେନ୍ଦ୍ର ଉପରେ ବର୍ଷିଲାବେଳେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଶ୍ଲୋକରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଏହାସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ନନ୍ଦିଘୋଷ ଟିଭିକୁ କିଛି ପ୍ରଶ୍ନର ଜବାବ ଦେଇଥିଲେ ମମତା । ତାଙ୍କୁ ସାକ୍ଷାତ କରିଥିଲେ ଦିଲ୍ଲୀ ବ୍ୟୁରୋ ଚିଫ ବିଭୂତି ପତି । ଦେଖିବା ସୁପର ଏକ୍ସକ୍ଲୁସିଭ ୱାନ ଟୁ ୱାନ ।

ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ଘରୋଇକରଣ, ରାଜ୍ୟ ସରକାର ଚାହିଁଲେ ନେଇପାରିବେ ଦାୟିତ୍ୱ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ଘରୋଇକରଣ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ, ପରିଚାଳନା ଏବଂ ମ୍ୟାନେଜମେଣ୍ଟ ଘରୋଇ କମ୍ପାନୀ ହାତରେ ରହିବ । ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ସିଂହଙ୍କ ପ୍ରଶ୍ନର ଉତ୍ତରରେ ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ. ସିଂହ ଏହି ତଥ୍ୟ ରଖିଛନ୍ତି । ୨୦୦୮ରେ ଗ୍ରୀନଫିଲ୍ଡ଼ ବିମାନବନ୍ଦର ନୀତି ଅନୁସାର ସରକାରୀ ବା ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦରର ସାମଗ୍ରୀକ ବିକାଶ ପାଇଁ ନିଷ୍ପତି ହୋଇଥିଲା ।

ରାଜ୍ୟ ସରକାର ମଧ୍ୟ ଚାହିଁଲେ ବିମାନବନ୍ଦରର ବିକାଶ ଦାୟିତ୍ବ ମଧ୍ୟ ସମ୍ଭାଳିପାରିବେ ବୋଲି ନୂଆ ନୀତିରେ ସ୍ପଷ୍ଟ ଅଛି । ୨୦୦୬ ମସିହାରେ ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦର ପିପିପି ମୋଡ଼ରେ ବିକାଶ କରାଯାଇଛି । ସେପ୍ଟେମ୍ବର ୫, ୨୦୧୯ରେ ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ୧୯୦ତମ ବୈଠକରେ ଭୁବନେଶ୍ବର, ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ବିମାନବନ୍ଦରର ପରିଚାଳନା ଦାୟିତ୍ବ ପିପିପି ମୋଡ଼ରେ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିମାନବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସହ ଅନ୍ତର୍ଜାତୀୟସ୍ତରର ଯାତ୍ରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେବାକୁ ବିଜେଡି ଦାବି କରିଛି ।

୩୧ ଜୁଲାଇରେ ପ୍ରକାଶ ପାଇବ +2 ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ଘୋଷଣା ହୋଇଛି ତାରିଖ  । ଏନେଇ ସ୍ପଷ୍ଟ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଅନୁଭବ – ବର୍ଷା ବିବାଦ, ଧାର୍ଯ୍ୟ ସମୟରେ ମାମଲା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ତେବେ ଆବେଦନର ନକଲ ପ୍ରଦାନ କରାଯାଇ ନଥିବା କାରଣରୁ ଶୁଣାଣିକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବିବାହ ବିଚ୍ଛେଦ ପାଇଁ ଅନୁଭବ ପ୍ରଥମେ ପାଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ।

ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହାକୁ କଟକ ପାରିବାରିକ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । କଟକ ପାରିବାରିକ କୋର୍ଟରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଅନୁଭବ ଗତ ଜୁଲାଇ 20 ତାରିଖରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରିବାରିକ କୋର୍ଟରେ ମାମଲାର ଚୁଡାନ୍ତ ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିବେଦନ କରିଥିଲେ  ।

କେନ୍ଦ୍ର କ୍ୟାବିନେଟର ନିଷ୍ପତି, ୯୦ ଦିନ ଭିତରେ ପାଇପାରିବେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି

ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟର ଆଉ ଏକ ବଡ଼ ନିଷ୍ପତ୍ତି  । ବୁଧବାର କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ବୀମା ଓ କ୍ରେଡ଼ିଟ ଗ୍ୟାରେଣ୍ଟି ନିଗମ ବିଧେୟକ ୨୦୨୧କୁ ମଞ୍ଜୁରୀ ଦେଇଛି  । ଯଦ୍ୱାରା ଜମାକାରୀ ୯୦ ଦିନ ଭିତରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶିକୁ ଉପଯୋଗ କରିପାରିବେ  । କ୍ୟାବିନଟେର ନିଷ୍ପତ୍ତି ପରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସାମ୍ବାଦିକ ସମ୍ମିଶଳନୀରେ ସ୍ପଷ୍ଟ ସୂଚନା ରଖିଛନ୍ତି  ।

ଭାରତ ସରକାରଙ୍କ ଅଧିନରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଏହି ନିୟମ ଦ୍ୱାରା କାର୍ଯ୍ୟ ଜାରି ରଖିବେ  । ଜମାକାରୀ ଏବଂ ଗ୍ରାହକଙ୍କ ପାଇଁ ଏହି ନିୟମ ଦ୍ୱାରା ଫାଇଦା ହେବ  । ଏବଂ ଯେଉଁବ୍ୟାଙ୍ଗ ଗୁଡ଼ିକ ବନ୍ଦ ହେବା ଉପରେ ତାଙ୍କ ଉପରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ  ।

ଗତବର୍ଷ ବ୍ୟକ୍ତିଗତ ଜମାକର୍ତ୍ତା ଅର୍ଥାତ ସିଙ୍ଗଲ ବ୍ୟାଙ୍କ ଆକାଉଣ୍ଟ ଧାରୀଙ୍କ  ଜମା ବୀମା ରାଶି ୧ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା  । ଏହାପରେ ମଧ୍ୟ ବନ୍ଦ ହେବାକୁ ଯାଉଥିବା ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ପାଇବାରେ ସମସ୍ୟା ସୃଷ୍ଟି ହେଉଥିଲା  । କିନ୍ତୁ ୨୦୨୧ ବଜେଟରେ କେନ୍ଦ୍ର ଅକର୍ଥମନ୍ତ୍ରୀ ଏନେଇ ନିଜ ଭାଷଣରେ ସ୍ପଷ୍ଟ କରିଥିଲେ  । ଏବଂ ଏକଥା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଡିପୋଜିଟ ଇନ୍ସୁରାନ୍ସ ଏବଂ କ୍ରେଡ଼ିଟ ଗ୍ୟାରେଣ୍ଟି କର୍ପୋରେସନ ଆକ୍ଟ ୧୯୬୧କୁ ସଂଶୋଧନ କରି କାର୍ଯ୍ୟ ଆରମ୍ଭ କରିଥିଲେ  । ଯାହା ଫଳରେ ଜମାକର୍ତ୍ତା ନିଜର ଟଙ୍କା ସୁରକ୍ଷିତ ଏବଂ ସୁବିଧାରେ ପାଇପାରିବେ  ।

ଚର୍ଚ୍ଚାରେ ନବୀନଙ୍କ ଡ୍ରିଙ୍କ୍ ଫ୍ରମ୍ ଟାପ୍ ଯୋଜନା, ଜାତୀୟ ସ୍ତରରେ ପୁରୀ ପ୍ରୋଜେକ୍ଟକୁ ନେଇ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ପୁରୀକୁ ସ୍ୱଛ ଓ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ସୁଜଳ ପ୍ରୋଜେକ୍ଟ । ଏହା ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟାପ୍ ପ୍ରକଳ୍ପ । ଦେଶର କୌଣସି ସହରରେ ଏଭଳି ସୁବିଧା ଉପଲବ୍ଧ ନଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପୁରୀରେ ଏହି ସୁବିଧା ଯୋଗାଇ ଦେଇଛି । ଏହି ଯୋଜନା ଯୋଗୁଁ ପୁରୀ ସହରର ପାଖାପାଖି ଅଢେଇ ଲକ୍ଷ ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ପାଇବେ । ସିଧାସଳଖ ପାଇପରୁ ପାଣି ନେଇ ପିଇ ପାରିବେ ଓ ରୋଷେଇ କରିପାରିବେ । ପାଣିକୁ ପୁଣିଥରେ ବିଶୋଧନ କରିବାକୁ ପଡିବ ନାହିଁ । ଆରଓ କିମ୍ବା ଫିଲ୍ମଟର ଆବଶ୍ୟକତା ନାହିଁ ।

ଦେଶର ବଡ଼ ବଡ଼ ମେଟ୍ରୋ ଏଭଳି ସୁବିଧା ନିଜ ନାଗରିକଙ୍କୁ ଏପର୍ଯ୍ୟନ୍ତ ଯୋଗାଇ ପାରିନଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମ ଏବେ ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମ ପ୍ରାଥମିକ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମାଇଲ ଖୁଣ୍ଟ ବୋଲି ଚର୍ଚ୍ଚା ହେଉଛି । ଟାଇମ୍ସ ନାଓର ବରିଷ୍ଠ ସାମ୍ବାଦିକ ରାହୁଲ ଶିବଶଙ୍କର ଟ୍ୱିଟ୍ କରି ଡ୍ରିଙ୍କ୍ ଫ୍ରମ୍ ଟାପ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡ଼ିଶାକୁ ଶୁଭେଛା । ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇ ଦେବାରେ ପୁରୀ ଦେଶର ପ୍ରଥମ ସହର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟୁୟର୍କ,ସିଙ୍ଗାପୁର ଓ ଲଣ୍ଡନ ସହିତ ତୁଳନୀୟ କରିପାରିଛନ୍ତି ।

ସେହିଭଳି ଇନ୍ ସମ୍ବାଦ ଗ୍ରୁପର ମ୍ୟାନେଜିଂ ଏଡିଟର ଦୀପକ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ବ୍ୟକ୍ତି ଜଣକ ନା ଖବରକାଗଜରେ ନିଜ ଫଟୋ ଛାପନ୍ତି ନା ବ୍ୟାନର ଟାଙ୍ଗନ୍ତି । ଗତ ୨୧ ବର୍ଷ ଧରି ସେ ଦେଶର ଗୋଟିଏ ପଛୁଆ ରାଜ୍ୟକୁ ନୂଆ ଶୀର୍ଷକୁ ନେଇ ଚାଲିଛନ୍ତି । ଆଜି ସେ ପୁଣି ଗୋଟିଏ ଟମତ୍କାର କରିଛନ୍ତି । ପୁରୀ ଦେଶ ପ୍ରଥମ ସହର ଯେଉଁଠି ROର ଆବଶ୍ୟକତା ପଡିବ ନାହିଁ । ସିଧା ପାଇପ୍ ଖୋଲନ୍ତୁ ପାଣି ପିଅନ୍ତୁ । କେବଳ ଜାତୀୟ ଗଣମାଧ୍ୟମ ନୁହେଁ ପୂର୍ବତନ ପ୍ରଶାସକ,ଘରୋଇ କମ୍ପାନୀର ଅଧିକାରୀ ଓ ଅନ୍ୟ ରାଜନୈତିକ ଦଳର ନେତା ମଧ୍ୟ ପୁରୀକୁ ବିଶୁଦ୍ଧ ଜଳ ଯୋଗାଇ ଦେବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ଅନିଲ ସ୍ୱରୁପ ।

ଅନିଲ ସ୍ୱରୁର ଟ୍ୱିଟ କରି କହିଛନ୍ତି ଯେ, ଏହି ବ୍ୟକ୍ତି ବିସ୍ମିତ କରିବା ଜାରି ରଖିଛନ୍ତି । ନିରବତାର ସହିତ କିନ୍ତୁ ପ୍ରଭାବି ଭାବେ ଉଦ୍ୟମକୁ ସଫଳ କରିଥିବାରୁ ନବୀନଙ୍କୁ ଶୁଭେଛା । ଅନ୍ୟ ରାଜ୍ୟଙ୍କ ପାଖରେ ତାଙ୍କଠାରୁ ଶିଖିବା ପାଇଁ ବହୁତ କିଛି ଅଛି । ବିକନ୍ ଲିମିଟେଡ୍ ଓ ବିକନ୍ ବାୟୋଲଜିକ୍ ଲିମିଟେଡର ପ୍ରତିଷ୍ଠାତା କିରନ ମଜୁମଦାର ସ’ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି ଏହା ପ୍ରାଥମିକ ଓ ଜନସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ବିରାଟ ପଦକ୍ଷେପ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ଅଲକା ଲାମ୍ବା ଏହି ମୌକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ମୌକା ଛାଡି ନାହାନ୍ତି । ଦୀପକ ଶର୍ମାଙ୍କ ଟ୍ୱିଟକୁ ସେୟାର କରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀକୁ ନିଜ ହାଲରେ ଛାଡି ରାଜନୈତିକ ମୌକା ତଲାସରେ ଅନ୍ୟ ରାଜ୍ୟକୁ ପଳାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନଙ୍କଠାରୁ କିଛି ଶିଖନ୍ତୁ ବୋଲି ସେ ଲେଖିଛନ୍ତି ।

୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ତେବେ ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ ।

ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ପ୍ରାକୃତିକ ପ୍ରତିବନ୍ଧକ ଥିବା ପଡ଼ା ଗାଁକୁ ବି ରାଜସ୍ୱ ଗାଁ ମାନ୍ୟତା ମିଳିବ । ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ନୂଆ ଗାଁ ଦାବି ହୋଇଆସୁଥିଲା । ଜିଲ୍ଲାସ୍ତରରେ ପ୍ରାୟ ୩ ହଜାର ୫ଶହରୁ ଅଧିକ ପ୍ରସ୍ତାବ ବିଚାର ଅପେକ୍ଷାରେ ପଡ଼ି ରହିଥିଲା ।