ପେଟ୍ରୋଲ ପମ୍ପରେ ମହିଳା କର୍ମଚାରୀଙ୍କୁ ମାଡ଼ ମାରିଲେ, ୮ ଦିନ ପରେ ସିପାହୀ ଓ ସହଯୋଗୀ ଗିରଫ ହେଲେ

ବାରିପଦା: କାଳିଆଶୋଳ ପେଟ୍ରୋଲ ପମ୍ପରେ ମହିଳା କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା । ସିସିଟିଭି ଫୁଟେଜ ଆଧାରରେ ୮ ଦିନ ପରେ ଅଭିଯୁକ୍ତ ସିପାହୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦ୍ବୟ ହେଲେ ବାରିପଦା ପଞ୍ଚମ ବାଟାଲିଅନର ସିପାହୀ ଦ୍ଵାରିକା ନାଏକ ଓ ସହଯୋଗୀ ରାଜୀବ କୁମାର ମହାନାଏକ । ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଗତ ୨ ତାରିଖରେ ରାଜୀବ ଶୁଳିଆପଦାରୁ ବାରିପଦା ଆସୁଥିବା ବେଳେ କାଳିଆଶୋଳ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ ।

କିଛି ସମୟ ପରେ ପୁଣି ପେଟ୍ରୋଲ ପମ୍ପକୁ ଆସି ପାଟିତୁଣ୍ଡ କରିଥିଲେ । ଏଥିସହ ସହଯୋଗୀ ଦ୍ବାରିକାଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ଦ୍ବାରିକା ପହଞ୍ଚିବା ପରେ ଘଟଣା ବିଷୟରେ ନଜାଣି ମହିଳା କର୍ମଚାରୀଙ୍କୁ ହଠାତ ଆକ୍ରମଣ କରିଥିଲେ । ଏପରକି ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ଏନେଇ ପେଟ୍ରୋଲ ପମ୍ପ ମାଲିକ ଥାନାରେ ଅଭିଯୋଗ କରିଥିବା ବେଳେ, ପୋଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି ।

Leave a Reply