spot_img
Home Blog Page 5294

ଡାହାଣୀ ସନ୍ଦେହରେ ଷଡ଼ଯନ୍ତ୍ର, ହତ୍ୟା ପାଇଁ ହୋଇଥିଲା ଯୋଜନା

ବାଲେଶ୍ୱର: ଡାହାଣୀ ସନ୍ଦେହରେ ମହିଳା ଥିଲେ ନଜରବନ୍ଦୀ । ହତ୍ୟା ପାଇଁ କରାଯାଇଥିଲା ଯୋଜନା । ବାଲେଶ୍ବର ଜିଲା ନୀଳଗିରିସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଭିତରର ଏହି ଘଟଣା ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ୭ଦିନ ତଳେ ଅଭୟାରଣ୍ୟ ଭିତରେ ଥିବା ଗାଁର କାନ୍ଦ୍ରା ଭକ୍ତାଙ୍କ ୩ବର୍ଷର ଶିଶୁକନ୍ୟାଟି ଜ୍ବରରେ ପୀଡ଼ିତ ହୋଇଥିଲା । ଏହି ସମ୍ପ୍ରଦାୟର ଲୋକମାନେ ଡାକ୍ତରଙ୍କ ବଦଳରେ ଗୁଣିଆକୁ ବେଶି ବିଶ୍ୱାସ କରନ୍ତି ।

ଏଥିପାଇଁ କାନ୍ଦ୍ରା ଭକ୍ତା ନିଜ ଶିଶୁକନ୍ୟାକୁ ଜଣେ ଗୁଣିଆକୁ ଦେଖାଇ ଥିଲେ । ହେଲେ କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଶିଶୁଟିକୁ ଗୁଣି ହୋଇଥିବା ଗୁଣିଆ କହିଥିଲା । ଏନେଇ ଗ୍ରାମବାସୀ ସେହି ଗାଁର ମହିଳା ତୁଳସୀ ନାଇକଙ୍କୁ ଡାହାଣୀ ବୋଲି ସନ୍ଦେହ କରି ତାଙ୍କୁ ନଜରବନ୍ଦୀ କରି ରଖିଥିଲେ । ସମ୍ପୃକ୍ତ ଶିଶୁକନ୍ୟାର ଶୁଦ୍ଧିକ୍ରିୟା ଦିନ ମହିଳାଙ୍କୁ ହତ୍ୟା ଯୋଜନା କରାଯାଇଥିଲା । ମହିଳାଙ୍କ ଘର ଚାରିପଟେ ଗାଁ ଲୋକେ ଫେରି ମାରୁଥିଲେ । ମହିଳା ଜଣକ ଭୟଭୀତ ଅବସ୍ଥାରେ ନିଜ କୁଡ଼ିଆ ହିଁ ରହିଥିଲେ ।

ସାତ ଦିନ ହେବ ଘରୁ ବାହାରକୁ ବାହାରି ପାରୁନଥିଲେ । ନୀଳଗିରି ଉପଖଣ୍ଡ ପୁଲିସ ଅଧିକାରୀ ଘଟଣା ସମ୍ପର୍କରେ ଖବର ପାଇ ବରହମପୁର ଥାନା ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ । ବରହମପୁର ପୁଲିସ ଚେମଚଟା ଗାଁରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନାକୁ ହସ୍ତାନ୍ତର କରାଯିବା ପରେ ଉଦଳା ସ୍ବଧାର ଗୃହକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ସରପଞ୍ଚ ବାବୁ ଲୁଟୁଥିଲେ ସରକାରୀ ଅର୍ଥ, ଏବେ ବିଦା ହେଲେ

ସୁନ୍ଦରଗଡ: ମହଙ୍ଗା ପଡିଲା ସରକାରୀ ଅର୍ଥ ହରିଲୁଟ । ନିଲମ୍ବିତ ହେଲେ ସରପଞ୍ଚ । ସୁନ୍ଦରଗଡ ଜିଲ୍ଲା ଲାଇଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ନରସିଂହ ମିଞ୍ଜଙ୍କୁ ନିଲମ୍ବିତ କରାଯାଇଛି । ୨୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ନସରିଂହ । ନିଲମ୍ବନ ନେଇ ପଞ୍ଚାୟତରାଜ ବିଭାଗର ସ୍ବତନ୍ତ୍ର ସଚିବ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ସରପଞ୍ଚଙ୍କ ବିରୋଧରେ । ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଯାହାଫଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୂର୍ବରୁ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଲାଇଙ୍ଗ ଗ୍ରାମପଞ୍ଚାୟତରେ ସେଣ୍ଟ୍ରାଲ ଫାଇନାନସ ଯୋଜନାରେ ୨୦୧୮- ୨୦୧୯ ମସିହାରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ବ୍ୟାଙ୍କରୁ ୯ ଲକ୍ଷ ୭୧ ହଜାର ୭୪୨ ଟଙ୍କା ଓ ଫାଇନାନସ ଯୋଜନାରେ ୨୦୧୮- ୨୦୧୯ ମସିହାରେ ୧୩ ଲକ୍ଷ ୧୯ ହଜାର ୭ ଶହ ଟଙ୍କା ଉଠାଇଥିଲେ ମଧ୍ୟ କୌଣସି କାମ କରିନଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ରାଉରକେଲା ଭିଜିଲାନସ ବିଭାଗ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋକ କୁମାର ନାୟକ ଓ ସରପଞ୍ଚ ନରସିଂହ ମିଞ୍ଜଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଭିଜିଲାନସ ରିପୋର୍ଟ ଆଧାରରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଆଲୋକ କୁମାର ନାୟକଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ପୁର୍ବରୁ ନିଲମ୍ବିତ କରିଥିଲେ । ସରପଞ୍ଚ ନରସିଂହ ମିଞ୍ଜ ଗତ ବିଧାନସଭା ନିର୍ବାଚନରେ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ନରସିଂହ ସୁନ୍ଦରଗଡ଼ ଜିଲ୍ଲାରେ ଵିଜେପିର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା । ଏଭଳିସ୍ଥଳେ ଜଣେ ବିଜେପି ନେତାଙ୍କ ଦୁର୍ନୀତିଖୋର ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୁଧୁରୁଛି ସଂକ୍ରମଣ, ଦିନରେ ଚିହ୍ନଟ ହେଲେ ୮୫୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୮୫୩ ପଜିଟିଭ୍ । କ୍ବାରେଣ୍ଟାଇନରୁ ୪୯୬ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୩୫୭ । ଏମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୦ ଜଣ ସଂକ୍ରମିତ ଅଛନ୍ତି । ସେହିପରି ଗୋଟିଏ ଦିନରେ ଭାଇରସ ନେଇଛି ଆଉ ୬୯ ଜୀବନ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୮୬ ଜଣ ରହିଛନ୍ତି  ।

କଟକରୁ ୧୪୦ ଓ ଷ୍ଟେଟ୍ ପୁଲରୁ ୫୯ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ବାଲେଶ୍ବରରୁ ୪୬, ପୁରୀରୁ ୩୫, ଯାଜପୁରରୁ ୩୩, ଜଗତସିଂହପୁରରୁ ୩୨, ଅନୁଗୁଳରୁ ୨୯, ନୟାଗଡ଼ରୁ ୨୨, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରୁ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୧୯, ଭଦ୍ରକରୁ ୧୮, କେନ୍ଦୁଝରରୁ ୧୬, ଦେବଗଡ଼ରୁ ୧୩, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୨, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ରାୟଗଡ଼ାରୁ ୪, କୋରାପୁଟରୁ ୩ ଜଣ ଚିହ୍ନଟ ହୋଇଛନ୍ତି  ।

କଳାହାଣ୍ଡିରୁ ୩, ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ, ଗଜପତି, କନ୍ଧମାଳ, ମାଲାକାନଗିରି ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ୯ ଲକ୍ଷ ୮୪ ହଜାରରୁ ଅଧିକ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି ୯ ହଜାର ୩୦୨ ।

ଉଡ଼ାଣ ଭରିଛନ୍ତି ଭାରତୀୟ, ଶନିବାର ଅଟକ ରଖିଥିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନକୁ ତାଲିବାନମାନେ କବଜା କରିବା ପରେ ସ୍ବଦେଶ ଫେରୁଛନ୍ତି ବିଭିନ୍ନ ଦେଶର ନାଗରିକ । ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଫେରିଛନ୍ତି ଭାରତୀୟ । କାବୁଲରୁ ଦିଲ୍ଲୀ ଫେରିଛନ୍ତି ୮୭ ଜଣ ଭାରତୀୟ । ଏୟାର ଇଣ୍ଡିଆ ବିମାନଯୋଗେ ଏମାନେ ତାଜିକସ୍ତାନ ଦେଇ ଦିଲ୍ଲୀ ଆସିଛନ୍ତି । ୮୭ ଜଣକ ମଧ୍ୟରେ ଦୁଇ ଜଣ ନେପାଳୀ ନାଗରିକ ମଧ୍ୟ ଅଛନ୍ତି ।

ବିମାନରେ ଫେରିବାବେଳେ ଭାରତ ମାତା କି ଜୟ ନାରା ଦେଇଥିଲେ ଯାତ୍ରୀମାନେ । ସେପଟେ ଅନ୍ୟ ଏକ ବିମାନରେ ଭାରତ ଫେରୁଛନ୍ତି ୧୩୫ ଜଣ ଭାରତୀୟ । କାବୁଲରୁ ପ୍ରତିଦନ ଭାରତ ଆସିବା ପାଇଁ ଦୁଇଟି ବିମାନ ଉଡାଣକୁ ଅନୁମତି ମିଳିଛି । ଗତକାଲି ପ୍ରବାସୀ ଭାରତୀୟଙ୍କୁ ଏୟାରପୋର୍ଟରୁ ନେଇଯାଇଥିଲା ତାଲିବାନ  । କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତେ ସୁରକ୍ଷିତ ଥିବା ନେଇ ସୂଚନା ଆସିଥିଲା  ।

ଆଫଗାନିସ୍ତାର ରାଜଧାନୀ କାବୁଲ ଏୟାରପୋର୍ଟ ନିକଟରୁ  ସମସ୍ତ ଭାରତୀୟ ଯାତ୍ରୀଙ୍କୁ ଅଟକ ରଖିଥିଲା ତାଲିବାନୀ । ତାଲିବାନୀ ସମସ୍ତ ଲୋକଙ୍କ ପାସପୋର୍ଟ ଯାଞ୍ଚ କରିବା ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣା ପଡ଼ିଛି । ଆଫଗାନ ମିଡିଆ ସୂଚନା ମୁତାବକ ତାଲିବାନୀ ପାଖାପାଖି ୧୫୦ ଭାରତୀୟଙ୍କୁ ଧରିନେଇଥିଲା । ତେବେ ଆବଶ୍ୟକ ଯାଞ୍ଚ ପରେ ପୁଣି ସେମାନଙ୍କୁ ଛାଡ଼ିଥିଲେ  ।

ରକ୍ଷା ବନ୍ଧନ: ସୁନ୍ଦର ସମ୍ପର୍କର ସୁମଧୁର ଦିନଟିଏ…

ବ୍ୟୁରୋ ରିପୋର୍ଟ: ରେଶମ ଡୋରିରେ ବନ୍ଧା ଦୁଇଟି ଜୀବନ, ଭାଇ ଭଉଣୀର ଏଇ ପବିତ୍ର ବନ୍ଧନ । ହଁ , ଏ ସମ୍ପର୍କର ସଂଜ୍ଞା କହେ ଗୋଟିଏ ସାମାନ୍ୟ ସୂତା । ଏ ସମ୍ପର୍କ ରକ୍ତର ତୂଳୀରେ ଆଙ୍କି ହୋଇଥିବା ଏକ ମୂର୍ମୟୀ ଚିତ୍ର । ଯେଉଁ ଚିତ୍ର ସାରା ଜୀବନ ଚିରନ୍ତନ ସାଜେ । ଏ ସମ୍ପର୍କ ଗୋଟିଏ ବୃକ୍ଷର ଦୁଇଟି ଶାଖା । ଗୋଟିଏ ଭାଇ ତ, ଆଉ ଗୋଟିଏ ଭଉଣୀ । ସବୁଦିନ ଥାଏ ଅଳି ଅଝଟ, ରାଗ ରୂଷା ଆଉ ଭାଗ ବଣ୍ଟା । କିନ୍ତୁ ସବୁ ଭାଗରେ ଥାଏ ଭାଇର ଅଧିକ ଭାଗ । ଆଉ ସେହି ଛୋଟ ଛୋଟ ଭାଗ ହିଁ ଜୀବନର ବଡ଼ ଭାଗକୁ ବି ସହିନିଏ । ଏ ସୁନ୍ଦର ସମ୍ପର୍କର ସୁମଧୁର ଦିନଟିଏ ହେଉଛି ଆଜିର ଦିନ ବା ରକ୍ଷା ବନ୍ଧନ  ।

ଭାଇ ଯେତେ ଦୂରେ ଥାଉ ପଛେ । ସେଦିନ ଭଉଣୀ ହାତରୁ ରାକ୍ଷୀଟିଏ ବାନ୍ଧିବା ପାଇଁ ଛୁଟି ଯାଇଥାଏ । ଆଉ ସେ ଫୁଲେଇ ଭଉଣୀ ବି ଭାଇର ଆସିବା ବାଟକୁ ଚାତକ ପରି ଚାହିଁ ରହିଥାଏ । ଥାଳିରେ ଧୂପ, ଦୀପ, ଫୁଲ ଚନ୍ଦନ ସାଇତି କରି ରଖିଥାଏ । ଆଉ ଭାଇ ପାଇଁ ଗୋଟିଏ ମିଠା ବି ଥୋଇଥାଏ । ଭାଇର ହାତରେ ସିନା ଗୋଟିଏ ରେଶମ ସୂତା ଟିଏ ବାନ୍ଧିଥାଏ । କିନ୍ତୁ ସେହି ସୂତା ସାରା ଜୀବନର ରକ୍ଷା କର୍ତ୍ତା ବୋଲି ସୂଚାଇ ଦିଏ । ଆଜି ବି ଫିକା ପଡିନି ଏହି ପବିତ୍ର ବନ୍ଧନ । ଉତ୍କଳୀୟ ପରମ୍ପରାର ଏହି ଅନ୍ୟନ ନିଦର୍ଶନକୁ ପୁର ପଲ୍ଲୀରେ ଆଜି ବି ସେହି ଢଙ୍ଗରେ ପାଳି ଆସୁଛନ୍ତି ଅଲିଅଳୀ ଭଉଣୀ  ।

ସେପଟେ ପ୍ରତିଟି ଓଡ଼ିଆର ଘରେ ମିଠା ପିଠାର ଆସର ଜମେ । ଚଷା ଭାଇର ଘରଣୀ ବିରି ଚାଉଳକୁ ଏକାଠି କରି ମାଟି ଚୁଲିରେ ପିଠା କରେ । ମାଟିହାଣ୍ଡି ବସାଇ ପିଠଉରେ ମିଠା ପୁର ଦେଇ ପିଠା ପ୍ରସ୍ତତୁ କରେ । ଅନ୍ୟପଟେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଜଡିତ ରହିଛି ଆଜିର ଦିନଟି । କୃଷି ଭିତିକ ରାଜ୍ୟ ଓଡ଼ିଶାର ପରମ୍ପରାକୁ ମଧ୍ୟ ସ୍ପଷ୍ଟ ସୂଚାଇଥାଏ ।

ଆଜିର ଦିନକୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ଗୋ ମାତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବାର ନିଦର୍ଶନ ରହିଛି ।ସବୁ ପରେ ବି ରାକ୍ଷୀ ବାନ୍ଧିଲା ପରେ ସେ ଗେହ୍ଲୀ ଭଉଣୀଟି କହେ, ରାକ୍ଷୀ ବାନ୍ଧିଲି ତୁ ମୋ ରଖିବୁ ମାନ….

ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ, ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ସୁଭଦ୍ରା

ପୁରୀ: ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ । ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ପାଟରା ବିଶୋୟୀଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ରାଖୀ ଓ ଗୁଆମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବାର ବିଧି ରହିଛି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ଦ୍ୱିପହର ଭୋଗ ଉଠିବା ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବ । ଚକ୍ରରାଜ ସୁଦର୍ଶନଙ୍କୁ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରାଯିବ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ। ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ ।

ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ବଳଭଦ୍ରଙ୍କ ଜନ୍ମଉତ୍ସବ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଗହ୍ମାମଣ୍ଡା ଭୋଗ ଲାଗି କରାଯିବ ।

ସଟର ତଳେ ଜୁଆ ଆଡ୍ଡା, ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ହୋଟେଲରୁ ଜୁଆ ଆଡ୍ଡା ଠାବ ହୋଇଛି । ସଟଡାଉନରେ ସଟର ତଳେ ଚାଲିଥିଲା ଜୁଆ ଆଡ୍ଡା । ହୋଟେଲରେ ଏକ ରୁମରେ ଜୁଆ ଆଡ୍ଡା ଚାଲିଥିବା ବେଳେ ରେଡ୍ ମାରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାରେ ତେର ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି  ।

ସେପଟେ ଏହି ଘଟଣାରେ  ୩ଜଣ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ଶନିବାର ହେତୁ ରାଜଧାନୀରେ ସଟଡାଉନ ଲାଗୁ ହୋଇଥିଲା  । ଏହାସ୍ୱତେ ପୋଲିସର କଡ଼ା ପ୍ରହରା ଫଳରେ ମଧ୍ୟ ରାଜଧାନୀରେ ଜୁଆ ଆଡ୍ଡା ଚାଲିଥିଲା  । ଏସମ୍ବନ୍ଧରେ ସୂଚନା ପାଇ ପୋଲିସ ରେଡ କରିଥିଲା  ।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ପାଇଁ ସ୍ୱାକ୍ଷର ହେଲା ଏମଓୟୁ

ଭୁବନେଶ୍ୱର: ଅହମ୍ମଦାବାଦର ୟୁଏମସି ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଗକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କର ବୃଦ୍ଧି କରାଯିବ ଦକ୍ଷତା । ଏଥିପାଇଁ ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର ସହ ବିଭାଗର ବୁଝାମଣା ହୋଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରହିଛି ।

ସହରାଞ୍ଚଳକୁ ସ୍ୱଚ୍ଛ ରଖିବାରେ ଜାତୀୟ ପୁରସ୍କାର ପାଇଛି ରାଜ୍ୟ । ଏହାଦ୍ୱାରା ନିରନ୍ତର ବିକାଶ ସମ୍ଭବ ହୋଇପାରିଛି । ମିଶନଶକ୍ତି ଏସଏଚଜି ଗରିବଙ୍କ ଆର୍ଥିକ ବିକାଶ କରିପାରିଛି । ରାଜ୍ୟରେ ୬ଲକ୍ଷ ଏସଏଚଜି ଗ୍ରୁପରେ ୭୦ଲକ୍ଷ ମହିଳା ସାମିଲ ହୋଇଛନ୍ତି । ଏଥିସହ ବର୍ଜ୍ୟବସ୍ତୁ ପରିଚାଳନାରେ ଏସଏଚଜି ମାନଙ୍କୁ ମିଳିବ ବୈଷୟିକ ପ୍ରଶିକ୍ଷଣ । ପ୍ରଶିକ୍ଷଣରେ ନିୟୋଜିତ ହେବେ ୨୫୦ମେଣ୍ଟର, ୫୦୦ମାଷ୍ଟର ଟ୍ରେନର ।

ତାଲିବାନର ବର୍ବରତା: ଖାଦ୍ୟ ପସନ୍ଦ ନଆସିବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ହତ୍ୟା

କାବୁଲ: ଆଫଗାନିସ୍ତାନ କବଜା ପରେ ରକ୍ତ ମୁଖା ହୋଇଛି ତାଲିବାନ୍ । ଯିଏ ବି ତାଲିବାନ ବିରୋଧରେ ସ୍ୱର ଉଠାଉଛି ତା ଉପରେ ହେଉଛି ଆକ୍ରମଣ । ଆତଙ୍କବାଦୀମାନେ ବିଶେଷ କରି ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ଏମିତିକି ତାଲିବାନ ଆତଙ୍କୀଙ୍କ ପାଇଁ ଜଣେ ମହିଳାଙ୍କ ଦ୍ୱାରା ରନ୍ଧା ଯାଇଥିବା ଖାଦ୍ୟ ସେମାନଙ୍କୁ ପସନ୍ଦ ନଆସିବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଛି । ଆମେରିକାର ସୈନ୍ୟବାହିନୀ ଏବଂ ଆଶରଫ୍ ଗନି ସରକାରଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ତାଲିବାନୀ ମାନେ ଘର ଘର ବୁଲି ଖୋଜୁଛନ୍ତି । ଏହି ସମୟରେ କିଛି ଆତଙ୍କବାଦୀ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ରୋଷେଇ କରିବାକୁ କହିଥିଲେ ।

ବ୍ରିଟିଶ ଖବର କାଗଜ ‘ଦ ସନ୍’ରେ ପ୍ରକାଶିତ ଖବର ଅନୁଯାୟୀ, ତାଲିବାନଙ୍କ ନିର୍ଦ୍ଦେଶରେ ମହିଳାମାନେ ଖାଦ୍ୟ ରାନ୍ଧିଥିଲେ, କିନ୍ତୁ ତାଲିବାନୀଙ୍କୁ ଏହାର ସ୍ୱାଦ ପସନ୍ଦ କରିନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତାଲିବାନୀମାନେ ଉକ୍ତ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିଥିଲେ । ଆଫଗାନିସ୍ତାନର ପୂର୍ବତନ ବିଚାରପତି ତଥା ମହିଳା ଅଧିକାର ଅଭିଯାନ ‘Every Woman Treaty’ ର ମୁଖ୍ୟ ନଜଲା ଆୟୁବୀ କହିଛନ୍ତି ଯେ, ତାଲିବାନ ଖାଦ୍ୟକୁ ପସନ୍ଦ କରୁ ନ ଥିବାରୁ ମହିଳାଙ୍କୁ ଜୀବନ୍ତ ଦଗ୍ଧ କରିଥିଲା ।

ନଜଲା ଆୟୁବୀ କହିଛନ୍ତି ଯେ ପ୍ରତିଦିନ ଆଫଗାନିସ୍ତାନରୁ କିଛି ଭୟଙ୍କର ଖବର ଆସୁଛି । ଆତଙ୍କବାଦୀମାନେ ମହିଳାଙ୍କୁ ହଇରାଣ କରୁଛନ୍ତି । ସେମାନେ ଘରକୁ ଘର ଯାଉଛନ୍ତି ଏବଂ ସେମାନଙ୍କୁ ନିଜ ପାଇଁ ଖାଦ୍ୟ ରାନ୍ଧିବାକୁ ବାଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ, ସେମାନେ ଆଫଗାନିସ୍ତାନରୁ ରାସନ ମଧ୍ୟ ଲୁଟ କରୁଛନ୍ତି । ଆୟୁବୀ କହିଛନ୍ତି ଯେ, କିଛିଦିନ ତଳେ କଫିନରେ ବହୁ ସଂଖ୍ୟକ ଯୁବତୀଙ୍କୁ ତାଲିବାନ ଚାଲାଣ କରିବା ଆରମ୍ଭ କରିଛି । ଅତି ଦୟନୀୟ ଅବସ୍ଥାରେ ସେମାନଙ୍କୁ ପଡୋଶୀ ଦେଶକୁ ଯୌନଦାସୀ ଭାବେ ଚାଲାଣ କରାଯାଉଛି । ଏହା ସହ ଆତଙ୍କବାଦୀଙ୍କ ସହ ଝିଅମାନଙ୍କୁ ବିବାହ ଦେବା ଲାଗି ପରିବାରଗୁଡିକୁ ତାଲିବାନ ବାଧ୍ୟ କରୁଥିବା ଜଣାଯାଇଛି । ତାଲିବାନ ଆତଙ୍କବାଦୀ ମାନେ କିଶୋରୀ ଏବଂ ଯୁବତୀଙ୍କୁ ଜୋର୍ ଜବରଦସ୍ତ ଉଠାଇ ନେଇ ସେମାନଙ୍କୁ ବିବାହ କରୁଛନ୍ତି ଏବଂ ଯୌନ ନିର୍ଯାତନା ଦେଉଛନ୍ତି ।

ସୂଚନା ଅନୁଯାୟୀ ତାଲିବାନ କାବୁଲକୁ ଦଖଲ କରିବା ପରଠାରୁ ବହୁ ସଂଖ୍ୟକ ଲୋକ ବିମାନବନ୍ଦରରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ସେମାନେ ଦେଶ ବାହାରକୁ ଯାଇପାରିବେ । ବିଶେଷକରି ମହିଳାମାନେ ଯଥାଶୀଘ୍ର ଆଫଗାନିସ୍ତାନରୁ ବାହାରି ଯିବାକୁ ଚାହୁଛନ୍ତି । ତାଲିବାନର ପୂର୍ବ ନିର୍ଦ୍ଦୟ ଶାସନକୁ ସେମାନେ ଭୁଲି ନାହାଁନ୍ତି । ତେଣୁ ନିଜ ଜୀବନ ବଞ୍ଚାଇବା ପାଇଁ ମହିଳାମାନେ ଅତିଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି ।

ଅଣାନବେ ବର୍ଷରେ ଆଖି ବୁଜିଲେ କଲ୍ୟାଣ ସିଂହ, ରାମ ମନ୍ଦିର ଆନ୍ଦୋଳନର ଥିଲେ ପୁରୋଧା

ଲକ୍ଷ୍ନୌ: ଆଉ ନାହାଁନ୍ତି ରାମ ମନ୍ଦିର ନିର୍ମାଣର ପୁରୋଧା  । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂହ  ଆଜି ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଏହି ଜନନେତାଙ୍କର ଆଜି ଏସଜିପିଜିଆଇ ହସ୍ପିଟାଲରେ ଦେହାନ୍ତ ଘଟିଛି  ।  ଜୁଲାଇ ୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ପରବର୍ତ୍ତୀ ସମୟରେ ସୁଧାର ଆସୁଥିବା ନେଇ ପ୍ରକାଶ କରିଥିଲେ ଚିକିତ୍ସା କରୁଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ  । କିନ୍ତୁ ଶେଷରେ ଅଣାନବେ ବର୍ଷ ବୟସରେ ଆଖି ବୁଜିଛନ୍ତି ପ୍ରଖର ହିନ୍ଦୁ ନେତା, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ  ।

କଲ୍ୟାଣ ସିଂହ ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ଯେଉଁ ସମୟରେ ବାବ୍ରୀ ମସଜିଦ ଭଙ୍ଗାକୁ ନେଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା  । ସେହି ସମୟର ଆନ୍ଦୋଳନର ଶୀର୍ଷ ନେତୃତ୍ୱ ତୁଲାଉଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ  । ୧୯୩୨ ମସିହା ଜାନୁୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଅତରୌଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ କଲ୍ୟାଣ ସିଂହ  । ପିତା ତେଜପାଲ ସିଂହ ଏବଂ ମାତା ସୀତା ଦେବୀଙ୍କ ଔରସରୁ ଜନ୍ମିତ କଲ୍ୟାଣ ପାଠପଢା ସହ ସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ  । ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ  ।

ପ୍ରଭୁ ଶ୍ରୀରାମଙ୍କୁ ଜୀବନର ଆଦର୍ଶ ଭାବେ ମାନିନେଇଥିବା କଲ୍ୟାଣ ସିଂହ ରାଜନୀତିରେ ମଧ୍ୟ ପ୍ରଚଣ୍ଡ ପ୍ରତିଭା ପ୍ରକାଶ କରିଥିଲେ  । ରାମମନ୍ଦିର ନିର୍ମାଣକୁ ନେଇ ସେସୟରେ ଆନ୍ଦୋଳ ଚଳାଇବା ସହ ବାବ୍ରୀ ମସଜିଦକୁ ଧ୍ୱସଂ କରିବାରେ ମଧ୍ୟ ତାଙ୍କର ଭୂମିକା ଥିବା ନେଇ ଅଭିଯୋଗ ହୋଇଥିଲା  । ପରବର୍ତ୍ତୀ ସମୟରେ ଏଥିପାଇଁ ୧୯୯୨ ମସିହାରେ କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦିଅନ୍ତି  । ପରେ ସମୟରେ ୧୯୯୭ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରନ୍ତି  । ଜୀବନକାଳରେ କଲ୍ୟାଣ ସିଂହ ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି  ।

କଲ୍ୟାଣ ସିଂହଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ରାଜନୈତିକ ପୃଷ୍ଠ ଭୂମିକୁ ଉଲ୍ଲେଖ କରିଛନ୍ତି  । ରାଜ ମନ୍ଦିର ଆନ୍ଦୋଳନ କଥା ଉଲ୍ଲେଖ କରିବା ସହ କଲ୍ୟାଣ ସିଂହ ଜଣେ ଉଚ୍ଚ ଆଦର୍ଶବାନ ବ୍ୟକ୍ତି ଏବଂ ଜଣେ ଜନନେତା ଥିଲେ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତା ମଧ୍ୟ ଶ୍ରଦ୍ଧା ସୁମନ କ୍ଷାପନ କରିଛନ୍ତି  । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲ ଯାଇ କଲ୍ୟାଣ ସିିଂହଙ୍କ ଶେଷ ଦର୍ଶନ କରିଛନ୍ତି  ।