କଡ଼ା କଟକଣାରେ ଚାଲିଛି ମତଦାନ, ମତାଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପିପିଲି: ଆଜି ପିପିଲି ଉପନିର୍ବାଚନ। ଜନତା ବାଛୁଛନ୍ତି ତାଙ୍କ ପ୍ରିୟ ନେତାଙ୍କୁ। ଶାନ୍ତିଶୃଙ୍ଖଳାରେ ଚାଲିଛି ପିପିଲିରେ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ତେବେ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ସମସ୍ତ ବୁଥରେ ପୋଲିସ୍‌ ଫୋର୍ସ ମୁତୟନ ହୋଇଛି। କୌଣସି ବିଶୃଙ୍ଖଳା ଯେମିତି ନହୁଏ ସେଥିପାଇଁ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିଛି। ତେବେ କରୋନା କଟକଣାରେ ଭୋଟ ଗ୍ରହଣ ହେଉଥିବାରୁ ଲୋକେ ପୁରା କରୋନା ଗାଇଡଲାଇନ ପାଳନ କରି ବୁଥରେ ଆସି ଭୋଟ ଦେଉଛନ୍ତି। ଡିଷ୍ଟାନ୍ସରେ ଛିଡ଼ା ଦେବା ସହ ସମସ୍ତଙ୍କ ମୁହଁରେ ରହିଛି ମାସ୍କ। ସକାଳୁ ସକାଳୁ ସବୁ ଭୋଟ କାଉଣ୍ଟରେ ଭିଡ଼ ଦେଖିବାକୁ ମିଳିଛି। ଏଥିରୁ ଯାହା ଜଣା ପଡ଼ୁଛି ଉପନିର୍ବାଚନରେ ଭୋଟର ପରିମାଣ ବଢ଼ିବା ସହ ଲୋକଙ୍କ ମଧ୍ୟରେ ନିର୍ବାଚନ ନେଇ ଆଗ୍ରହ ବଢ଼ିଛି ବୋଲି ଦେଖିଯାଉଛି। କାରଣ ଦୁଇଘଣ୍ଟା ମଧ୍ୟରେ ପିପିଲିର ସମସ୍ତ ଭୋଟରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ଏହି ଭିତରେ ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ। ରୁଦ୍ର ତାଙ୍କ ବାପା ପୂଜା କରୁଥିବା ହନୁମାନ ମନ୍ଦିରରେ ସକାଳୁ ଯାଇ ପ୍ରଥମେ ପୂଜା କରି ଆଶୀର୍ବାଦ ନେଇଥିଲେ। ଏହା ପରେ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଆସିଥିଲେ। ସେଠାରେ ଆଗୁଆ ଭୋଟ ନଦେଇ ସାଧାରଣ ଲୋକଙ୍କ ସାଙ୍ଗରେ ଲାଇନରେ ଛିଡ଼ା ହୋଇ ଭୋଟ ଦେଇଥିଲେ ରୁଦ୍ର। ଅଧଘଣ୍ଟାରୁ ଅଧିକ ସମୟରେ ଲାଇନରେ ଛିଡ଼ାହୋଇ ଭୋଟ ଦେଇଥିଲେ ରୁଦ୍ର। ସେପଟେ ରୁଦ୍ରଙ୍କ ପୂର୍ବରୁ ତାଙ୍କ ଭଉଣୀ ଏବଂ ତାଙ୍କ ମାଆ ଆସି ମଧ୍ୟ ମତଦାନ ଦେଇଛନ୍ତି। ସେପଟେ ପିପିଲି ବ୍ଲକ କମାକନ୍ତିଆ ଆରକେଏସ୍ ଉଚ୍ଚ ବିଦ୍ୟାଳୟର ୨୩୪ ନମ୍ବର ବୁଥ୍‌ରେ ମତ ଦାନ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।

କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଡେଲାଙ୍ଗ ବ୍ଲକ ରେଙ୍ଗଳ ପଞ୍ଚାୟତ ଝାଡ଼ପଡ଼ା ଗାଁର ଝାଡ଼ପଡ଼ା ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି ବିଶ୍ବକେଶନ ହରିଚନ୍ଦ ମହାପାତ୍ର।

ଉପନିର୍ବାଚନରେ ମୋଟ୍ ୨ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ ହୋଇଛନ୍ତି । ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ରହିଛନ୍ତି । ମାସ୍କ ବାଧ୍ୟତାମୂଳକ କରାଯାଇଛି । ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି । ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୁର୍ତ୍ତରେ ଭୋଟ ଦେଇପାରିବେ । ପ୍ରତି ବୁଥରେ ହଜାରେ ଜଣ ମତଦାତା ଭୋଟ ଦେବାର ପ୍ରକ୍ରିୟା ରହିଛି । ଏହାସହ ଉପନିର୍ବାଚନରେ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି ।

Leave a Reply