spot_img
Home Blog Page 5032

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ସିଡ଼ିପିଓ, ହାତ ବଢାଇଲା ବେଳକୁ ମାଡ଼ିବସିଲା ଭିଜିଲାନ୍ସ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ- ରାମପୁର ସିଡିପିଓ । ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ସିଡିପିଓ ପୁଷ୍ପାଞ୍ଜଳି ରଥ । ବିର୍ସିଂ ମାଝିଙ୍କୁ ଅଙ୍ଗନବାଡ଼ି କର୍ମୀ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ଡିଏସପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ପୁଷ୍ପାଞ୍ଜଳିଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍‌ସ । ଲାଞ୍ଚ ନେବା ସମୟରେ ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ- ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ ।

ଆଗରୁ ମଧ୍ୟ ସିଡିପିଓଙ୍କ ନାମରେ ଅଭିଯୋଗ ହସ୍ତଗତ ହୋଇଛି  । ଭିଜିଲାନ୍ସ ଟିମର ନଜରରେ ରହିଥିଲେ  । ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ସିଡିପିଓ ପୁଷ୍ପାଞ୍ଜଳି ରଥଙ୍କୁ ଧରିଥିଲା ଭିଜିଲାନ୍ସ ଟିମ  । ଏହା ପରେ ମଧ୍ୟ ତାଙ୍କ ବାସଘରେ ଚଢାଉ କରିଛି ଭିଜିଲାନ୍ସର ଏକ କମିଟି  ।

ମହାଲିଙ୍ଗ କଲେଜରେ ଆଜିଠୁ ପାଠପଢ଼ା ଆରମ୍ଭ, ବିରୋଧିଙ୍କ ଉପରେ ବର୍ଷିଲେ ଅଭିଭାବକ

କଳାହାଣ୍ଡି: ଆଜିଠାରୁ ପୁଣି  ମହାଲିଙ୍ଗ  କଲେଜରେ ପାଠପଢ଼ା ଆରମ୍ଭ ହୋଇଛି । କିନ୍ତୁ ଅଯଥାରେ କଲେଜକୁ ବଦନାମ କରାଯାଉଥିବାରୁ କଲେଜ କର୍ତ୍ତୃପକ୍ଷ, ଅଭିଭାବକ ଓ ଛାତ୍ରଛାତ୍ରୀ ରୈଜନାତିକ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସନସାଇନ୍ ପବ୍ଲିକ୍‌ ସ୍କୁଲ ଅଲଗା ଓ କଲେଜ ଅଲଗା । ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । କିନ୍ତୁ ଆଞ୍ଚଳିକ କଲେଜର ପରିଚାଳନା କମିଟି ଅଛି । ଗୋବିନ୍ଦ ସାହୁ କେବଳ ଏହି କମିଟିର ଜଣେ ସଦସ୍ୟ ମାତ୍ର । ହେଲେ ବିରୋଧୀ ରାଜନୈତିକ ଦଳ ଜାଣିଶୁଣି କଲେଜ ବନ୍ଦ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଛି ।

କଲେଜରେ ବିଜ୍ଞାନ ଓ କଳା ବିଭାଗରେ ପଢୁଥିବା 2 ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କ ଭବିଷ୍ୟତକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି । ସେପଟେ କଲେଜ ଚାଲୁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ଚାହୁଁଛନ୍ତି । ଅଭିଭାବକମାନେ ନିଜ ଝିଅମାନଙ୍କୁ ଏଠାରେ ସୁରକ୍ଷିତ ଭାବେ ପାଠ ପଢୁଥିବା ଦେଖିଛନ୍ତି । କିଛି ଲୋକଙ୍କ ନାଁ ନେଇ କଲେଜକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଭାବକ ଏପରି ରାଜନୈତିକ ପରିଭାଷାକୁ ତୀବ୍ର ନିନ୍ଦା କରିଛନ୍ତି  ।

ତେଲେଙ୍ଗାନା ସୀମାରେ ଏନକାଉଣ୍ଟର, ପୋଲିସ ଗୁଳିରେ ୩ ମାଓବାଦୀ ନିହତ

ହାଇଦ୍ରାବାଦ: ତେଲେଙ୍ଗାନା ସୀମାରେ ଏନକାଉଣ୍ଟର । ଏନକାଉଣ୍ଟରରେ ୩ ନକ୍ସଲ ପ୍ରାଣ ହରାଇଥିବା ସୂଚନା । ବିଜାପୁର ଅନ୍ତର୍ଗତ ସୀମାରେ ଗ୍ରେହାଉଣ୍ଡ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିୟ । ନକ୍ସଲଙ୍କ ନିକଟରୁ SLR ଓ AK-47 ରାଇଫଲ ଜବତ ହୋଇଛି । ସେଠାରେ ମାଓବାଦୀ ଥିବା ସୂଚନା ପାଇ ଯବାନ କରିଥିଲେ ସର୍ଚ୍ଚ ଅପରେସନ ।

ମିଳିଥିବା ସୂଚନା ମୁତବାକ ମୃତ 2 ମାଓବାଦୀ ହେଲେ ବଦୁର ଓରଫ କାଲୁ ଏବଂ କାମା । ବଦୁର ଦକ୍ଷିଣ ବସ୍ତର ଡିଭିଜନର ପାର୍ଟି କମାଣ୍ଡାଣ୍ଟ ଥିଲା । କାମା ଗଡ଼ଚୋରଲୀ ଡିଭିଜନର କମ୍ପାନୀ କମାଣ୍ଡାଣ୍ଟ ରହିଥିଲା ବୋଲି ସୂଚନା ମିଳିଛି ।

କରଓ୍ବାଚୌଥରେ ହତ୍ୟାକାରୀ ପତିକୁ ଧରାଇଲେ ପତ୍ନୀ, କହିଲେ- ‘ଗୁଳି ମାରିବନି’

ନୂଆଦିଲ୍ଲୀ: କରଓ୍ବାଚୌଥରେ ହତ୍ୟାକାରୀ ପତିଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ ନେଲେ ବଡ଼ ନିଷ୍ପତ୍ତି । ଫେରାର ପତିକୁ ପୋଲିସ ହାତରେ ଧରାଇଲେ ପତ୍ନୀ । ଅନୁରୋଧ କରି କହିଲେ- ତାଙ୍କ ପାଇଁ କରଓ୍ବାଚୌଥ କରିଛି, ଗୁଳି ମାରିବନି । ଏମିତି ଘଟଣା ଘଟିଛି ଦିଲ୍ଲୀରେ ।

ରବିବାର ଦ୍ବାରିକା ଡିସିପି ଶଙ୍କର ଚୌଧୁରୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଅନ୍ୟପଟରୁ ଜଣେ ମହିଳା କହିଥିଲେ ମୋ ସ୍ବାମୀ ଫେରି ଆସିଛନ୍ତି । ଏହା ଜାଣିବା ପରେ ଡିସିପି ସଦଳବଳେ ମହିଳାଙ୍କ ଘରେ ପହଞ୍ଚି ଅଭିଯୁକ୍ତ ରାଜୀବ ଗୁଲାଟିଙ୍କୁ ଗିରଫ କରିଥିଲେ ।

ଗତ ୧୯ ଅକ୍ଟୋବରରେ ନଜଫଗଡ଼ ରାମଗଡ଼ରେ ଏକ ଦୋକାନରେ ପଶି ରାଜୀବ ଜଣେ ବୟସ୍କ ମହିଳା ଏବଂ ତାଙ୍କ ଝିଅକୁ ଗୁଳି ମାରି ଦେଇଥିଲେ । ଘଟଣାରେ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ରାଜୀବ ଫେରାର ହୋଇଯାଇଥିଲେ ।

ରବିବାର କରଓ୍ବାଚୌଥ ଥିବାରୁ ପତ୍ନୀଙ୍କୁ ଭେଟିବାକୁ ରାଜୀବ ଘରକୁ ଆସିଥିଲେ । ଏପଟେ ପତ୍ନୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଡିସିପି ନିଜେ ରାଜୀବଙ୍କ ଘରେ ପହଞ୍ଚିବା ସହ ତାଙ୍କ କଲର ଧରି ଘୋଷଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ । ଏହାସହ ହତ୍ୟାରେ ବ୍ୟବହୃତ ପିସ୍ତଲ ବି ପୋଲିସ ଜବତ କରିଥିଲା । ପୀଡ଼ିତଙ୍କ ପରିବାର ଓ ରାଜୀବଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଥିଲା । ଯେଉଁଥି ପାଇଁ ରାଜୀବ ଏଭଳି ଜଘନ୍ୟ କାଣ୍ଡ କରି ବସିଲେ ।

ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି, ‘ସେ ହତ୍ୟା କରି ଫେରାର ହେବା ପରଠାରୁ ମନରେ ଭୟ ଥିଲା । କାଳେ ପୋଲିସ ଏନକାଉଣ୍ଟରରେ ତାଙ୍କୁ ମାରି ଦେବ ସେହି ଭୟରେ ଦିନ କଟୁଥିଲା । କରଓ୍ବାଚୌଥରେ ସେ ଯେତେବେଳେ ମୋତେ ଦେଖାକରିବାକୁ ଆସିଥିଲେ ତାଙ୍କ ଜୀବନ ବଞ୍ଚାଇବାକୁ ଫୋନ୍ କରି ପୋଲିସକୁ ଖବର ଦେଇଥିଲି ।’

ୱେବ୍ ସିରିଜ `ଆଶ୍ରମ’ ଝଡ଼, ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ମୁହଁରେ କଳା ବୋଳିଲେ ବଜରଙ୍ଗ ଦଳ କର୍ମୀ

ମୁମ୍ବାଇ:  ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଉପରେ ବଜରଙ୍ଗ ଦଳର ଆକ୍ରମଣ । ତାଙ୍କ ମୁହଁରେ କଳା ବୋଳିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଛନ୍ତି କର୍ମୀ । ମଧ୍ୟପ୍ରଦେଶର ଭୋପାଳରେ ଏକ ଓ୍ବେବ୍‌ସିରିଜର ସୁଟିଂ ସେଟ୍‌କୁ ଭାଙ୍ଗିଦେଇଛନ୍ତି ବଜରଙ୍ଗ ଦଳ । ଏହା ସହ ସୁଟିଂ ସେଟରେ ଥିବା କିଛି କର୍ମଚାରୀଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । ବଜରଙ୍ଗ ଦଳର କର୍ମୀଙ୍କ ଅଭିଯୋଗ ହେଲା- ପ୍ରକାଶ ଝାଙ୍କ ଦ୍ବାରା ନିର୍ମିତ ହେଉଥିବା ଓ୍ବେବ ସିରିଜ `ଆଶ୍ରମ’ ହିନ୍ଦୁ ଭାବନା ଉପରେ କୁଠାରାଘାତ କରୁଛି ।

ଏହି ସିରିଜର ନାଁ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ସିରିଜରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବବି ଦେଓଲ । ଭୋପାଳର ପୁରୁଣା ଜେଲ ପରିସରରେ ଏହି ଓ୍ବେବସିରିଜ ସୁଟିଂ ହେଉଥିବାବେଳେ କର୍ମୀମାନେ ଆକ୍ରମଣ କରିଥିଲେ । ଏହି ସିରିଜରେ ଜଣେ ଧାର୍ମିକ ଗୁରୁଙ୍କ ଦ୍ବାରା ମହିଳା କିପରି ଶୋଷଣର ଶିକାର ହେଉଛନ୍ତି ତାହା ଦର୍ଶାଯାଇଛି ।

ଏହାକୁ ବଜରଙ୍ଗ ଦଳର କର୍ମୀମାନେ ବିରୋଧ କରିଥିଲେ । ଜେଲ ପରିସରରେ ସୁଟିଂ ଲାଗି ନିର୍ମିତ ତିନିଟି ଆଶ୍ରମରେ କର୍ମୀମାନେ ଭଙ୍ଗାରୁଜା କରିବା ସହ ପ୍ରକାଶ ଝା ଓ ବବି ଦେଓଲଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ଘଟଣାରେ ପୋଲିସ କିଛି ବଜରଙ୍ଗୀ କର୍ମୀଙ୍କୁ ଗିରଫ କରିଛି । ଗତ 2017ରେ ମଧ୍ୟ କରଣୀ ସେନାର କର୍ମୀମାନେ ପଦ୍ମାବତ୍‌ ସିନେମାର ସୁଟିଂ ବେଳେ ଏହାର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲିଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।

ପାଣ୍ଡେଙ୍କ ପିଛା ଛାଡୁନି NCB, ଆଜି ପୁଣି ଅନନ୍ୟାଙ୍କୁ ଜେରା

ମୁମ୍ବାଇ: ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପିଛା ଛାଡୁନି ଏନସିବି । ଆଜି ପୁଣି ଅନନ୍ୟାଙ୍କୁ ଜେରା କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆର୍ଯ୍ୟନଙ୍କ ସହ ସମ୍ପର୍କର ଗଭୀରତାକୁ ଖୋଜୁଛି ଏନସିବି । ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ ରହିଥିଲା ସାମିଲ୍ । ଅନନ୍ୟାଙ୍କୁ ଗତ ୨୨ତାରିଖିରେ ଦୀର୍ଘ ୪ଘଣ୍ଟାର ଜେରା ପରେ ବି ସନ୍ତୁଷ୍ଟ ହୋଇନଥିଲା ଏନସିବି । ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ଯୋଗାଉଥିବା ଲୋକଙ୍କୁ ଅନନ୍ୟା ଚିହ୍ନିଥିବା ଏନସିବି ସୂଚନା ପାଇଛି । ଏହାର ସତ୍ୟତା ଜାଣିବାକୁ ଅନନ୍ୟାଙ୍କୁ ପୁଣି ଜେରା କରାଯିବ । ଆର୍ଯ୍ୟନ ଓ ଅନନ୍ୟାଙ୍କ ହ୍ବାଟ୍ସଆପ୍ ଚାଟ୍ରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ଏନସିବି ।

ହ୍ବାଟ୍ସଆପ୍ ଚାଟ୍ ଅନୁସାରେ ଅନନ୍ୟାଙ୍କ ଠାରୁ ଅନେକ ପ୍ରଶ୍ନ ଉତ୍ତର ଖୋଜୁଛି ଏନସିବି । ସେପଟେ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଆସିଛି ନୂଆ ଟ୍ବିଷ୍ଟ । ଡ୍ରଗ୍ସ ପାର୍ଟିରେ ଚଢ଼ାଉ ମାମଲାରେ ଜଣେ ସାକ୍ଷୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସାକ୍ଷୀ ପ୍ରଭାକର ସୈଲ୍ କହିଛନ୍ତି, ୨୫ କୋଟି ଟଙ୍କା ପାଇଁ ଡିଲ ହୋଇଥିଲା । ପରେ ୧୮ କୋଟିରେ ସେଟଲମେଣ୍ଟ ହୋଇଥିଲା । ପ୍ରଭାକର ନିଜକୁ କେ ପି ଗୋସାଭିଙ୍କ ବଡିଗାର୍ଡ ବୋଲି ପରିଚୟ ଦେଇଛନ୍ତି । ଗୋସାଭି ଆର୍ଯ୍ୟନ ଖାନ୍‌ଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ ।

ସତ୍ୟପାଠରେ ପ୍ରଭାକର ସୈଲ କହିଛନ୍ତି ଯେ କେ.ପି. ଗୋସାଭି ଓ ସାମ ଡି-ସୌଜା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ୧୮ କୋଟି ଟଙ୍କା ଦେବାନେବା କଥା ହୋଇଥିଲା । ଏହା ସହ ଏହି ଟଙ୍କାରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କୁ ଦିଆଯିବା ନେଇ କଥା ହୋଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଏଥିସହ ଆଇନ୍‌ଗତ ସୁରକ୍ଷା ଦେବାକୁ ମୁମ୍ବାଇ ପୋଲିସ୍‌ କମିଶନରଙ୍କୁ ଚିଠି ଲେଖିଛନ୍ତି ସମୀର ଓ୍ବାଙ୍ଖଡେ । ଅନ୍ୟପଟେ ଆସନ୍ତାକାଲି ହେବ ଆର୍ଯ୍ୟନଙ୍କ ଜାମିନ ଶୁଣାଣି । ଏହା ପୂର୍ବରୁ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିବାକୁ ଏନସିବି ପ୍ରମାଣ ଯୋଗାଡ କରିଥିବା ଚର୍ଚ୍ଚା ହେଉଛି ।

ରିମାଣ୍ଡ ପରେ ଜେଲ ଗଲା ମମିତା ହତ୍ୟାକାରୀ ଗୋବିନ୍ଦ

ବଲାଙ୍ଗୀର: ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା । ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ । କଣ୍ଟାବାଞ୍ଜି ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ରିମାଣ୍ଡ ଆବେଦନ କରିବ ନାହିଁ ପୋଲିସ । ଭୋରରୁ ବଲାଙ୍ଗୀର ଏସ୍‌ପି ଅଫିସରୁ ନେଇ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିଛି ବଲାଙ୍ଗୀର ପୋଲିସ ।
ମାମଲାରେ ବିଭିନ୍ନ ରାଜନୈତିକ ଦଳ ଲୋକଙ୍କୁ ଭ୍ରମିତ କରୁଥିବା ବେଳେ ମମିତାଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ମମିତାଙ୍କ ବଡ଼ବାପା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ପୋଲିସ ତଦନ୍ତରେ ସେ ଖୁସି ବୋଲି କହିଛନ୍ତି । ଜିଲ୍ଲାପାଳ ମମିତାଙ୍କ ମାଙ୍କ ସହ କଥା ହୋଇ ଆଶ୍ବାସନା ଦେଇଛନ୍ତି ।

ଗାଁ ପାଲଟିଲା ରଣକ୍ଷେତ୍ର, ୮ ଆହତ ମେଡିକାଲରେ ଭର୍ତ୍ତି

ବୌଦ୍ଧ:  ବଢିଗାଁ ପଂଚାୟତ ଯୋଗୀଭୋଗରା ଗାଁ ପାଲଟିଲା ରଣକ୍ଷେତ୍ର । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୮ ଆହତ । ସମସ୍ତ ଆହତଙ୍କୁ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି  । ଗତକାଲି ରାତିରେ ସ୍ଥାନୀୟ ସରପଞ୍ଚଙ୍କ ପରିବାର ଓ ବେହେରା ପରିବାର ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରସ୍ପରର ମଧ୍ୟରେ ଆକ୍ରମଣରେ ଉଭୟ ପରିବାରର ୮ ଜଣ ସଦସ୍ୟ ଆହତ ହୋଇଛନ୍ତି ।

ଆହତ ମାନେ ହେଲେ ସରପଞ୍ଚଙ୍କ ସ୍ବାମୀ ଅଜିତ ସେଠୀ, ଦେଢସୁର ପ୍ରଦୀପ ସେଠୀ, ଶ୍ୱଶୁର ଚହଟୀ ସେଠୀ । ସେହିପରି ବେହେରା ପରିବାରର ବାବୁଲା ବେହେରା, ଅନନ୍ତ ବେହେରା, ବୈକୁଣ୍ଠ ବେହେରା, ସ୍ବାଧୀନ ବେହେରା ଓ ଦିବସ ବେହେରା ମଧ୍ୟ ଆହତ ହୋଇଛନ୍ତି । ରାଜନୈତିକ କାରଣ ନା ଅନ୍ୟ କୌଣସି କାରଣରୁ ଗଣ୍ଡଗୋଳ ହୋଇଛି ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଅମାନିଆ ହେଲେ ଓଡ଼ିଶା ଭୋଗିବ ପଶ୍ଚିମବଙ୍ଗ ସ୍ଥିତି

ଭୁବନେଶ୍ୱର: ଅମାନିଆ ହେଲେ ଓଡ଼ିଶା ଭୋଗିବ ପଶ୍ଚିମବଙ୍ଗ ସ୍ଥିତି । ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ବିପଦ ଟଳିନାହିଁ । ଏଭଳି ସମୟରେ କେତେକ ଅମାନିଆ କଟକଣା ମାନୁନଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ଅଧିକ ଲୋକ ଅମାନିଆ ହେଉଥିବା ଦେଖିବାକୁ ମିଳିଛି । ଫଳରେ ରାଜଧାନୀରେ କରୋନା ସଂକ୍ରମଣ କମିବାର ନାଁ ନେଉନାହିଁ । ଶତପ୍ରତିଶତ ଟିକାକରଣ ହୋଇଥିଲେ ମଧ୍ୟ କେତେକ ଲୋକଙ୍କ ବେପରୁଆ ନୀତି ପୁଣି ବିପଦକୁ ଆମନ୍ତ୍ରଣ କରୁଛି । କଟକଣା ଓ ସଚେତନତା ସତ୍ତ୍ବେ ରାଜଧାନୀରେ ଲକ୍ଷଣହୀନ କୋଭିଡ୍ ରୋଗୀ ବିନାମାସ୍କରେ ବୁଲୁଛନ୍ତି ।

କୋଭିଡ୍ ନିୟମ କଡ଼ାକଡ଼ି ନକଲେ ଦଶହରା ପରେ ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତି ଯେପରି ହୋଇଛି ଓଡ଼ିଶାରେ ମଧ୍ୟ ସେପରି ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି । ଏବେ ଓଡ଼ିଶାରେ ସ୍ଥିତି ଭଲ ଥିଲେ ମଧ୍ୟ ନିୟମ ମାନିବାକୁ ପଡିବ । ଆଗାମୀ ୨ରୁ୩ ମାସ ନିୟମ ଠିକ ଭାବେ ପାଳନ କଲେ ମହାମାରୀ ଆଉ ଫେରିବ ନାହିଁ ବୋଲି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ସେପଟେ ଖୁବଶୀଘ୍ର ଦୀପାବଳି ପାଇଁ ଗାଇଡଲାଇନ୍କୁ ଜାରି କରିବେ ରାଜ୍ୟ ସରକାର ।

ବାଜିବ ସ୍କୁଲ ଘଣ୍ଟା, ୧୮ ମାସ ପରେ ସ୍କୁଲ ଯିବେ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଆଜିଠୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଅଷ୍ଟମ ଛାତ୍ରଛାତ୍ରୀ । ଦୀର୍ଘ ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ହେବ କ୍ଲାସ୍ । ପୂର୍ବରୁ ସ୍କୁଲ ପରିସରକୁ ସଫେଇ କରାଯିବା ସହିତ କ୍ଲାସ ରୁମକୁ ସାନିଟାଇଜ୍ କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ । ସ୍କୁଲରେ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ । ଶିକ୍ଷକ କି ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟ ପ୍ରବେଶ ଅନୁମତି ନାହିଁ ।

ତେବେ ଆଜି ଓ ଆସନ୍ତାକାଲି ପିଲାଙ୍କୁ ପାଠ ପଢାଯିବନାହିଁ । ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କରାଯିବ । ସବୁ ପିଲାଙ୍କ ଶିକ୍ଷଣ ସ୍ତରରେ ଆଲୋଚନା ହେବ । ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ । ଏଥିପାଇଁ ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ଯୋଗାଇବ । ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ ହେବ ।

ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବ । ପଢା ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢାଯିବ । ସେପଟେ ସ୍କୁଲ୍ ଛାଡିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ସରିଛି । ସେମାନଙ୍କୁ ପୁଣି ବିଦ୍ୟାଳୟ ଫେରାଇ ଆଣିବାକୁ ଯୋଗାଯୋଗ କରାଯିବ । ଶିକ୍ଷକ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବା ସହିତ ପଢା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ । ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ ।