ଅନିଲ କପୁର ଅସୁସ୍ଥ କି ? ଜର୍ମାନୀରେ କି ଚିକିତ୍ସା କରାଉଛନ୍ତି ?

ମୁମ୍ବାଇ: ସୋସିଆଲ ମିଡିଆରେ ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ଏକ ଭିଡିଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି । ଏଥିରେ ସେ ଜର୍ମାନୀରେ ଚିକିତ୍ସା ହେଉଥିବା କହିଛନ୍ତି । ତେବେ କ’ଣ ସତରେ ଅନିଲ ଅସୁସ୍ଥ ଅଛନ୍ତି ? ଯଦି ଅସୁସ୍ଥ ତାଙ୍କର କ’ଣ ହୋଇଛି ? ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି ।

ସୂଚନାଯୋଗ୍ୟ, ଅନିଲ କପୁରଙ୍କ ଜର୍ମାନୀ ଟୁରର ଆଜି ଶେଷ ଦିନ ଥିଲା । ଏହାର ଭିଡିଓ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିରେ ସେ କହୁଛନ୍ତି, ‘ଆଜି ଚିକିତ୍ସାର ଶେଷ ଦିନ । ଏଥିପାଇଁ ଡକ୍ତର ମୁଲରଙ୍କୁ ଦେଖା କରିବାକୁ ଯାଉଛି ।’

ଭିଡିଓରେ ଅନିଲ କଳା ରଙ୍ଗର କୋଟ ସହ ବ୍ଲାକ ଟ୍ରାଉଜର ଓ ଟୋପି ପିନ୍ଧିଛନ୍ତି । ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ସ୍ନୋରେ ଚାଲିବାର ମଜା । ଜର୍ମାନୀରେ ଶେଷ ଦିନ । ଡ. ମୁଲରଙ୍କ ପାଖକୁ ଯାଉଛି, ଶେଷ ଟ୍ରିଟମେଣ୍ଟ ପାଇଁ । ମ୍ୟାଜିକାଲ ସ୍ପର୍ଶ ପାଇଁ ତାଙ୍କୁ ଧନ୍ୟବାଦ ।’

ଅନିଲଙ୍କ ଏମିତି ଭିଡିଓ ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପ୍ରିୟ ଷ୍ଟାରଙ୍କର କ’ଣ ହୋଇଛି ଜାଣିବାକୁ ଚାହିଁଛନ୍ତି ପ୍ରଶଂସକ । ଜଣେ ପ୍ରଶଂସକ ଅନିଲଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ସାର୍ ଗତବର୍ଷ କହିଥିଲେ ଡ. ମୁଲର ଆପଣଙ୍କୁ ଠିକ୍ କରି ଦେଇଛନ୍ତି । ଆଶା କରୁଛି ଆପଣ ଠିକ ଥିବେ ।’

ଗତବର୍ଷ ଅନିଲ ସୋସିଆଲ ମିଡିଆରେ ତାଙ୍କ ସମସ୍ୟା ସମ୍ପର୍କରେ ସେୟାର କରିଥିଲେ । ଗୋଇଠି ଯନ୍ତ୍ରଣାରେ ୧୦ ବର୍ଷ ହେଲା ସେ ଘାଣ୍ଟି ହେଉଥିଲି । ବିନା କୌଣସି ସର୍ଜରୀରେ ମୁଁ ଏଥିରୁ ମୁକ୍ତି ପାଇ ପାରିଛି ବୋଲି କହିଥିଲେ ।

ଅପ୍ କମିଂ ଫିଲ୍ମ ‘ଯୁଗ ଯୁଗ ଜିଓ’ରେ ନଜରକୁ ଆସିବେ ଅନିଲ । ଏଥିରେ ତାଙ୍କ ସହ ନିତୁ କପୁର, ବରୁଣ ଧଓ୍ବନ ଓ କିୟାରା ଆଡଓ୍ବାନୀ ନଜରକୁ ଆସିବେ ।

Leave a Reply