spot_img
Home Blog Page 4996

ଡିଭୋର୍ସ ପେପର୍, ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ SC ସାର୍ଟିଫିକେଟ୍ ନେଇ SC-ST ଆୟୋଗରେ ପହଞ୍ଚିଲେ ସମୀର ୱାଙ୍ଖେଡେ

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସେଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦାଖଲ କରିଛନ୍ତି । ପୂର୍ବରୁ ସମୀରଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗକୁ ନେଇ ତାଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସମସ୍ତ ଦସ୍ତାବିଜ୍ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ଏନ୍‌ସିବି ଅଧିକାରୀ । ସେଠାରେ ସମସ୍ତ କାଗଜପତ୍ର ଦାଖଲ କରିବ ପରେ ବାହାରକୁ ଆସି ସମୀର କହିଛନ୍ତି, ‘ଆବଶ୍ୟକୀୟ କାଗଜପତ୍ର କମିଶନଙ୍କୁ ଦେଇଛି । ସେଗୁଡିକର ଯାଞ୍ଚ କରିବା ପରେ ଅନୁସୂଚିତ ଜାତି-ଜନଜାତି ଆୟୋଗ ରିପୋର୍ଟ ଦେବେ ।’

ଅନୁସୂଚିତ ଜାତି-ଜନଜାତି ଆୟୋଗ ଅଧ୍ୟକ୍ଷ ବିଜୟ ସାଂପଲା କହିଛନ୍ତି, ‘ସମୀର ଓ୍ବାଙ୍ଖେଡେ କାଗଜପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କର ସମସ୍ତ ଦସ୍ତାବିଜର ଯାଞ୍ଚ ଜାରି ରହିଛି’ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ଏନ୍‌ସିପି ନେତା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ନଓ୍ବାବ ମଲିକ ଅଭିଯୋଗ କରିଥିଲେ ଯେ, ସମୀର ଓ୍ବାଙ୍ଖେଡେ ଜଣେ ମୁସଲମାନ । ଜାଲ ଜାତି ପ୍ରମାଣପତ୍ର ଦେଇ ସେ ଚାକିରି କରିଛନ୍ତି । ତେବେ ନଓ୍ବାବ ମଲିକଙ୍କ ଏହି ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଥିଲେ ସମୀର ଓ୍ବାଙ୍ଖେଡେ ।

ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ପହଞ୍ଚି ଜାତି ପ୍ରମାଣ ପତ୍ର, ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିବା ଛୁଆର ଜନ୍ମ ପ୍ରମାଣପତ୍ର ଏବଂ ଛାଡପତ୍ର ପ୍ରମାଣ ଦାଖଲ କରିଛନ୍ତି । ଏହା ସହିତ ଦ୍ବିତୀୟ ବିବାହର ପ୍ରମାଣପତ୍ର ମଧ୍ୟ ଦାଖଲ କରିଛନ୍ତି ସମୀର ଓ୍ବାଙ୍ଖେଡେ । କମିଶନ ଏବେ ଦସ୍ତାବିଜଗୁଡିକର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି ସମୀର ଓ୍ବାଙ୍ଖେଡେ । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଏବେ ଜାମିନରେ ବାହାରକୁ ଆସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଜେରା କରୁଥିଲେ ସମୀର । ତେବେ ଏହି ମାମଲାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ଜାତିକୁ ଆକ୍ଷେପ କରିବା ସହିତ ପ୍ରଥମ ପତ୍ନୀଙ୍କୁ ନେଇ ଆରମ୍ଭ କରିଥିଲେ ଘମାସନ । ଏଥିରେ ସଂପୃକ୍ତ ନଥିବା ଏବଂ କୌଣସି ଉପାୟ ନପାଇ ଫସାଇବାକୁ ଉଦ୍ୟମ କରାଯାଉଥିବା​‌ କହିଥିଲେ ଏନ୍‌ସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ ।

ଦୀପାବଳିରେ ଫୁଟିବ ସବୁଜ ବାଣ, ଅନୁମତି ଦେଲେ ହାଇକୋର୍ଟ

କଟକ: ଦୀପାବଳିରେ ଫୁଟିବ ବାଣ  ।  କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ  । ହାଇକୋର୍ଟଙ୍କ ମାର୍ଗଦର୍ଶିକା ଅନୁଯାୟୀ ବାଣ ଫୁଟାଇ ପାରିବେ  ।  ସରକାର ବାଣ ଫୁଟାଇବା ନେଇ ପ୍ରତିବନ୍ଧକ ଲାଗାଇଥିବାବେଳେ ହାଇକୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା  । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।

କିଛି ନିର୍ଦ୍ଦିଷ୍ଟ  ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ। ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ  । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି  । କୋଭିଡ ସମୟରେ କଟକଣାକୁ ଅନୁପାଳନ କରିବା ଏବଂ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ରାଜ୍ୟ ସରକାର  । ତେବେ ଯଦିବା ହାଇକୋର୍ଟ ବାଣ ଫୁଟାକୁ ଅନୁମତି ଦେଇଛନ୍ତି , କିନ୍ତୁ ଯେକୌଣସି ବାଣ ଫୁଟାଇପାରିବେ ନାହିଁ ଲୋକେ  । କେବଳ ସବୁଜ ବାଣକୁ ଅନୁମତି ଦେଇଛନ୍ତି ଅଦାଲତ  ।

 

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କଲେ ସବ୍ୟସାଚୀ

ନୂଆଦିଲ୍ଲୀଖ୍ୟାତନାମା ଫ୍ୟାଶନ ତଥା ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ରର ବିଜ୍ଞାପନ ସାରା ଦେଶରେ ତୀବ୍ର ସମାଲୋଚନା ହେଉଛି। ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚି ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ସେ ରବିବାର ଦିନ ନିଜର ବିଜ୍ଞାପନ ପ୍ରତ୍ୟାହାର କରି କହିଛନ୍ତି, ‘ବିଜ୍ଞାପନ ଦ୍ୱାରା ସମାଜର ଏକ ବର୍ଗକୁ ମିଳିଥିବା କଷ୍ଟ ପାଇଁ ମୁଁ ଦୁଃଖିତ।’

ସବ୍ୟସାଚୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଐତିହ୍ୟ ଏବଂ ସଂସ୍କୃତି ଉପରେ ଜାରି ଆଲୋଚନା ପୃଷ୍ଠଭୂମିରେ ମଙ୍ଗଳସୁତ୍ର ଅଭିଯାନର ଉଦ୍ଦେଶ୍ୟ ସମାବେଶିତା ଏବଂ ସଶକ୍ତିକରଣ ବିଷୟରେ କହିବାର ଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ‘

ଏହି ବିଜ୍ଞାପନ ବିରୁଦ୍ଧରେ ସୋସିଆଲ ମିଡିଆରେ ଲୋକଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ବ୍ୟତୀତ ଭାରତୀୟ ଜନତା ଦଳର କିଛି ନେତା ମଧ୍ୟ ଏହାକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସବ୍ୟସାଚୀଙ୍କୁ ମଙ୍ଗଳସୂତ୍ରର ‘ଆପତ୍ତିଜନକ ତଥା ଅଶ୍ଳୀଳ’ ବିଜ୍ଞାପନକୁ ହଟାଇବା ପାଇଁ ରବିବାର ଦିନ ୨୪ ଘଣ୍ଟା ‘ଅଲ୍ଟିମେଟମ୍’ ଦେଇ ଚେତାବନୀ ଦେଇଥିଲେ। ଯଦି ୨୪ ଘଣ୍ଟା ମଧ୍ୟରେ ଏହାକୁ ହଟାଇବେ ନାହିଁ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ବାରରେ ବାଉନ୍ସର ନିଯୁକ୍ତି ନେଇ କଟକଣା: ପଞ୍ଜୀକୃତ ସଂସ୍ଥାରୁ ଆଣିବେ, ପୋଲିସକୁ ଜଣାଇବେ

ଭୁବନେଶ୍ୱର: ଦ୍ୱୈତ ନଗରୀରେ ଥିବା ବାରରେ ଏବେ ନିଯୁକ୍ତ ହୋଇପାରିବେ ନାହିଁ ବାଉନ୍ସର  । ବାଉନ୍ସର  ନିଯୁକ୍ତ ନେଇ କଟକଣା ଲଗାଇଛନ୍ତି ପୋଲିସ କମିଶନର  । ନିଯୁକ୍ତି ପ୍ରକ୍ରିୟାରେ ୨ ମାସ ପାଇଁ କଟକଣା ଲଗାଇଛନ୍ତି କମିଶନରେଟ ପୋଲିସ  ।ଯେଉଁ ବାରରେ ବାଉନ୍ସର ଆବଶ୍ୟକ ହେଉଛନ୍ତି, ସେମାନେ କେବଳ ପଞ୍ଜୀକୃତ ସଂସ୍ଥାରୁ ଆଣିପାରେବେ  ।

ସୁରକ୍ଷା ଦାୟିତ୍ୱରେ ରଖୁଥିବା କର୍ମାଚାରୀଙ୍କୁ ଯଦି କୌଣସି ସଂସ୍ଥା ନିଯୁକ୍ତି ଦେବେ, ତାହା ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର  । ସେହିପରି ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ପଞ୍ଜିକା ଦେଖିବା ବାଧ୍ୟତା ମୂଳକ  । କେବଳ ପଞ୍ଜୀକୃତ ସଂସ୍ଥାରୁ ନିରାପତ୍ତା କର୍ମାଚାରୀଙ୍କୁ ନିଯୁକ୍ତି ଦେଇପାରିବେ  । ଏନେଇ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଜଣାଇବେ ବାର ମାଲିକ  । କାଲିଠୁ ଏହି କଟକଣା ବଳବତ୍ତର ନେଇ ପୋଲିସ କମିଶନର ନିର୍ଦେଶ ନାମା ଜାରି କରିଛନ୍ତି  ।

ଲଗାତାର ପରାଜୟ ପରେ କୋହଲିଙ୍କ ପରିବାରକୁ ମିଳୁଛି ଧମକ

ଭାରତ ଲଗାତାର ଟି-ଟ୍ବଣ୍ଟି ୱାର୍ଲ୍ଡ କପ୍ ୨୦୨୧ର ଦୁଇଟି ମ୍ୟାଚ୍ ହାରିବା ପରେ ସେମିଫାଇନାଳକୁ ପହଁଚିବାକୁ ଭାରତ ପାଇଁ ହୋଇପାରେ କଷ୍ଟକର ବ୍ୟାପାର  । ସେମିଫାଇନାଲରେ ପହଁଚିବାକୁ ହେଲେ ଭାରତୀୟ ଖେଳାଳିମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ  । ପାକିସ୍ତାନ ସହ ପ୍ରଥମ ମ୍ୟାଚ୍ ୧୦ ୱିକେଟରେ ହାରିବା ପରେ ଗତକାଲି ଦ୍ବିତୀୟ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ସହ ୮ ୱିକେଟରେ ଭାରତ ପରାସ୍ତ ହୋଇଥିଲା  । ମ୍ୟାଚରେ ଭାରତ ଜିତିବାର ଆଶା ରଖିଥିଲେ ପ୍ରଶଂସକ  । ମାତ୍ର ଶେଷରେ ଏ ଆଶା ଆଶାରେ ହିଁ ରହିଗଲା  । ଗତକାଲି ଭାରତ ମ୍ୟାଚ୍ ହାରିବା ପରେ ଖେଳାଳିମାନେ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି  ।

 

ଭାରତ ଏହି ମ୍ୟାଚ୍ ହାରିବା ପରେ କୋହଲିଙ୍କ ପରିବାରକୁ ଧମକଭରା ଫୋନ କଲ ଆସୁଛି ବୋଲି ଖବର ପାଇଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇମାମ ଉଲ୍  । ଇମାମ ନିଜ ୟୁଟୁବ ଚ୍ୟାନେଲ ‘ଦ ମ୍ୟାଚ୍ ୱିନରରେ’ ସୂଚନା ଦେଇଛନ୍ତି  । ସେ ଆହୁରି କହିଛନ୍ତି ଗତକାଲି ଟିଭି ଦେଖୁଥିବା ସମୟରେ କୋହଲିଙ୍କ ଝିଅଙ୍କ ପାଇଁ ଧମକଭରା ଫୋନ ଆସୁଛି ବୋଲି ଶୁଣିଥିଲେ  ।  କୋହଲିଙ୍କ କ୍ୟାପଟେନସିପ୍ ହେଉ କି ତାଙ୍କ ଖେଳ ପ୍ରଦର୍ଶନୀ ଏହା ଉପରେ ନିଶ୍ଚିତ ସମସ୍ତେ ନିଜ ମତାମତ ଦେଇପାରିବେ  । ମାତ୍ର ତାଙ୍କ ପରିବାରକୁ ଏଥିରେ ଜଡ଼ିତ କରିବା ଉଚିତ୍ ନୁହେଁ ।

ଇମାମ ଏହା ମଧ୍ୟ କହିଛନ୍ତି କିଛି ଦିନ ପୂର୍ବରୁ ମହମ୍ମଦ ସାମ୍ମୀଙ୍କ ସହ ଠିକ୍ ଏହିପରି ଘଟଣା ଘଟିଥିଲା  । ଏହା କେବଳ ଏକ ମ୍ୟାଚ୍ ଆଉ ଖେଳରେ ହାରିବା ଜିତିବା ଲାଗି ରହିଥାଏ  । ଭାରତୀୟ ଟିମ୍, ଖେଳାଳୀଙ୍କ ବ୍ୟାଟିଂ, ବୋଲିଂ ଏ ସବୁକୁ ନେଇ ଆପଣ ଆଲୋଚନା କରିପାରିବେ  । ଖେଳାଳୀମାନେ କେବେ ଭଲ ତ କେବେ ଖରାପ ପ୍ରଦର୍ଶନୀ କରିଥାନ୍ତି  । କାରଣ ଏହା କାହା ହାତର କଥା ନୁହଁ   । ଏ ସବୁକୁ ଖେଳ ଭିତରେ ହିଁ ସୀମିତ ରଖିବା ଉଚିତ୍  ବୋଲି ସେ କହିଛନ୍ତି  ।

ଫିଲ୍ମ କରିବାକୁ ନପଡ଼ୁ ବୋଲି ମଡେଲିଂରେ ମନ ଦେଇଥିଲେ ଐଶ୍ୱର୍ଯ୍ୟା, ନବମ ଶ୍ରେଣୀରେ କରିଥିଲେ ପ୍ରଥମ ଆଡ୍

ନୂଆଦିଲ୍ଲୀବଲିଉଡର ନୀଳନୟନୀ ତଥା ବିଶ୍ୱସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧, ୧୯୭୩ ରେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କୃଷ୍ଣରାଜ ରାୟ ସେନାରେ ଜୀବବିଜ୍ଞାନୀ ଥିଲେ। ଐଶ୍ୱର୍ଯ୍ୟାଙ୍କ ଜନ୍ମ ପରେ ତାଙ୍କ ପରିବାର ମୁମ୍ବାଇ ଆସିଥିଲେ। ଏହା ପରେ ଅଭିନେତ୍ରୀ ମୁମ୍ବାଇରୁ ତାଙ୍କର ସମସ୍ତ ଶିକ୍ଷା ସମାପ୍ତ କରିଥିଲେ।

ଐଶ୍ୱର୍ଯ୍ୟା ତାଙ୍କ ସ୍କୁଲ୍ ସମୟରୁ ଡାକ୍ତରୀ ଅଧ୍ୟୟନ ପ୍ରତି ଅଧିକ ଆଗ୍ରହୀ ଥିଲେ ଏବଂ ତାଙ୍କର ପ୍ରିୟ ବିଷୟ ପ୍ରାଣୀ ବିଜ୍ଞାନ ଥିଲା। ସେ ନବମ ଶ୍ରେଣୀରେ ପଢୁଥିବା ସମୟରେ ଏକ ଟିଭି ବିଜ୍ଞାପନରେ ନଜର ଆସିଥିଲେ। ଏହା ପରେ ସେ ଜଣେ କଳାକାର ହେବାକୁ ମନସ୍ଥ କରିଥିଲେ ଏବଂ ସେ ଏଥିପାଇଁ ରଚନା ସଂସଦ ଏକାଡେମୀରେ ଆଡମିଶନ ନେଇଥିଲେ, କିନ୍ତୁ ଏହା ପରେ ତାଙ୍କ ମନ ମଡେଲିଂ କରିବାକୁ ଲାଗିଲା।

ଐଶ୍ୱର୍ଯ୍ୟା ତାଙ୍କ କଲେଜ ଶିକ୍ଷକଙ୍କ ଅନୁରୋଧ କ୍ରମେ ପ୍ରଥମ ଥର ପାଇଁ ମଡେଲିଂ କରିଥିଲେ। ପ୍ରକୃତରେ ଅଭିନେତ୍ରୀଙ୍କ ଜଣେ ଶିକ୍ଷକ ଫଟୋଗ୍ରାଫର ଥିଲେ। ତାଙ୍କର ଗୋଟିଏ ପ୍ରୋଜେକ୍ଟ ପାଇଁ ତାଙ୍କୁ କିଛି ଫଟୋସୁଟ୍ ଆବଶ୍ୟକ ଥିଲା। ତେଣୁ ସେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପତ୍ରିକା ପାଇଁ ଫଟୋସୁଟ କରିବାକୁ ଅନୁରୋଧ କରିଥିଲେ। ଏହି ଫଟୋସୁଟ ପରେ ତାଙ୍କ ମନ ଧୀରେ ଧୀରେ ମଡେଲିଂ ଆଡକୁ ଗଲା ଏବଂ ଦେଖୁ ଦେଖୁ ସେ କଳାକାର ଅଧ୍ୟୟନ ଛାଡି ମଡେଲିଂ ଆରମ୍ଭ କଲେ।

୧୯୯୪ ମସିହାରେ ଯେତେବେଳେ ସେ ‘ମିସ୍ ୱାର୍ଲ୍ଡ’ ଆଖ୍ୟା ଅର୍ଜନ କରିଥିଲେ ସେତେବେଳେ ଐଶ୍ୱର୍ଯ୍ୟା ସମଗ୍ର ବିଶ୍ୱରେ ଭାରତର ନାମ ଆଲୋକିତ କରିଥିଲେ। ଏହା ପରେ ସେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପାଇଲେ। ମଡେଲିଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୧୯୯୭ ମସିହାରେ ମଣି ରତ୍ନମଙ୍କ ଫିଲ୍ମ ଇରୁଭର୍ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ନିଜ କ୍ୟାରିୟରରେ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଥିଲେ।

୧୯୯୮ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ସହିତ ଐଶ୍ୱର୍ଯ୍ୟା ବଲିଉଡରେ ତାଙ୍କର ବିଶେଷ ସ୍ଥାନ ସ୍ଥାପନ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତା ସଲମାନ ଖାନ ଏବଂ ଅଜୟ ଦେବଗନ ଥିଲେ। ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲେ। ଏହା ପରେ ସେ ତାଲ, ଜୋଶ, ହମାରା ଦିଲ ଆପକେ ପାସ ହୈ, ମୋହବତେଁ, ଦେବଦାସ, ଧୁମ ୨, ଗୁରୁ, ଯୋଦ୍ଧା ଆକବର, ଏବଂ ଗୁଜାରିଶ ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ।

ରାସ୍ତାରେ ଚୁଲି ଫୁଙ୍କିଲେ ବିଜେଡ଼ି ନେତ୍ରୀ, ସବୁଠି କଲେ ଦରବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ରବିବାର ରାଜଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ, ସୋମବାର ରାଜରାସ୍ତାରେ ପ୍ରତିବାଦ  । ଗ୍ୟାସ ଏବଂ ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦକୁ ବ୍ୟାପକ କରିଛି ବିଜେଡ଼ି  । ରାଜ୍ୟର ଅନେକ ଅଞ୍ଚଳରେ ବିଜେଡ଼ିର ମହିଳା ନେତ୍ରୀମାନେ ପ୍ରତିବାଦ ଜାରି ରଖିଛନ୍ତି  । କେନ୍ଦ୍ର ସରକାରଙ୍କ ବେଲଗାମ୍ ଦର ବୃଦ୍ଧି ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି  । ନିମ୍ନ ମଧ୍ୟବିତ ପରିବାର ଦର ବୃଦ୍ଧି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି  । ଫଳରେ ଏହି ମୁଦ୍ଦାକୁ ଆଜି ରାଜ୍ୟବ୍ୟାପୀ ବିଜେଡ଼ି ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି  ।

ଆଜି ମହିଳା ବିଜେଡି ନେତା ଓ କର୍ମୀ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରୁଛନ୍ତି । ହୁ ହୁ ହୋଇ ବଢ଼ି ଚାଲିଥିବା ତୈଳ ଓ ଗ୍ୟାସ ଦରକୁ ବିରୋଧ କରାଯାଉଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ, ଧାରଣା ଓ ବିକ୍ଷୋଭ କରାଯାଇଛି । ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଶତାଧିକ ମହିଳା ଉପ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।

ସେହିପରି ବ୍ରହ୍ମପୁର, ବାଲେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ଯାଜପୁର ଆଦି ସହରରେ ମଧ୍ୟ ବିଜେଡ଼ିର ଛାମୁଆ ମହିଳା ନେତ୍ରୀ ପ୍ରତିବାଦ ଚଳାଇଛନ୍ତି  । କେନ୍ଦ୍ରର ବିରୋଧରେ ବିଜେଡ଼ି ଦେଇଥିବା ଏହି ରଣହୁଙ୍କାର ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରିବ ବୋଲି କହିଛି ଦଳ  ।  ଆଗାମୀ ଦିନରେ ମଧ୍ୟ ବିକ୍ଷୋଭ ଏବଂ ପ୍ରତିବାଦ ଜାରି ରହିବ  । ଆସନ୍ତା ୫ରୁ ୭ତାରିଖ ଯାଏଁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଯୁବ ଓ ଛାତ୍ର ବିଜେଡି ।

 

ଟ୍ରେନ୍ ଭିତରେ ଯାତ୍ରୀଙ୍କୁ ଆଖିବୁଜା ଛୁରାମାଡ଼ କଲା ଯୁବକ: ୧୭ ଆହତ, ଗିରଫ ପରେ ପୁଲିସକୁ କହିଲା ଅଜବ କାରଣ

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଅଘଟଣ । ମେଟ୍ରୋରେ ଜଣେ ଯୁବକ ବ୍ୟାଟ୍‌ମ୍ୟାନ୍ ଜୋକର ପୋଷାକ ପିନ୍ଧି ଯାତ୍ରୀଙ୍କୁ  ଆଖିବୁଜା ଛୁରା ମାଡ଼ କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ଛୁରା ମାଡ଼ ସହ ଟ୍ରେନ ବଗିରେ ନିଆଁ ମଧ୍ୟ ଲଗାଇ ଦେଇଛି ଦୁର୍ବୃତ୍ତ ଜଣଙ୍କ ।ଫଳରେ କିଛି ସମୟରେ ପାଇଁ ଟ୍ରେନ୍‌ ଭିତରେ ଭୟର ବାତାବରଣ ଖେଳିଯାଇଥିଲା। ଯାତ୍ରୀମାନେ ଟ୍ରେନ୍ ଯିଏ ଯୁଆଡ଼େ ପାରିଲେ ପ୍ରାଣ ବିକଳରେ ଦଉଡ଼ି ପଳାଇଲେ। କିଏ ଟ୍ରେନ୍‌ର ଝରକା ଦେଇ ବାହାରକୁ ବାହାରିଲା ତ କିଏ ଦୁଆର ଦେଇ ଠେଲାପେଲା ହୋଇ ନିଜ ଜୀବନ ବଞ୍ଚାଇବାକୁ ଦଉଡ଼ିଲା।

ଜାପାନ୍‌ର ରାଜଧାନୀ ଟୋକିଓରେ ରବିବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିଲା। ଏଥିରେ ୧୭ ଜଣ ଆହତ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଦୁର୍ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧ ଛୁରାମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା  ଅନୁସାରେ ଦୁର୍ବୃତ୍ତ ଜଣକ ଛୁରା ମାଡ଼ କରିବା ପରେ ଟ୍ରେନ୍‌ରେ ଡିଜେଲ୍ କିମ୍ବା ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲା।

ଦୁର୍ଘଟଣା ସମୟରେ ଅନେକ ଭିଡିଓ ଟ୍ୱିଟରରେ ପୋଷ୍ଟ ହୋଇଛି। ଏଥିରେ ଲୋକମାନେ ଭୟଭୀତ ହୋଇ ଟ୍ରେନ୍‌ରୁ ବାହାରିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି। ଏହାର କିଛି ସମୟ ପରେ ପୁଲିସ ଦୁର୍ବୃତ୍ତକୁ ଘେରିଯାଇ ଗିରଫ କରିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଲିସ ଅଭିଯୁକ୍ତଙ୍କୁ ଏପରି କରିବାର କାରଣ ପଚାରିବାରୁ ସେ ଅଜବ କଥା କହିଛି । ମଲା ଯାଏ ଜେଲ୍ ଦଣ୍ଡ ମିଳୁ ବୋଲି ସେ ଚାହୁଁଥିଲେ। ଏଥିପାଇଁ ସେ ଲୋକଙ୍କୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ପୁଲିସକୁ କହିଛି ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। କିଇଓ ଏକ୍ସପ୍ରେସ୍‌ ଶିଞ୍ଜୁକୁ ଫେରୁଥିବା ବେଳେ ରାତି ପ୍ରାୟ ୮ ଟା ବେଳେ ଏହି ଦୁର୍ଘଟଣା ହୋଇଥିଲା।

ଦୀପାବଳି ପରେ ବାଣ ଫୁଟିବ : ଦେବେନ୍ଦ୍ର ଫାଣ୍ଡନବିସ୍

ଡ୍ରଗ୍ କେସ୍ ବିବାଦକୁ ନେଇ ଆରମ୍ଭ ହେଲା ନୂଆ ଶତ୍ରୁତା  । ମହାରାଷ୍ଟ୍ର ଏନସିପି ମୁଖ୍ୟ ଓ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଲେ ମୁହାଁମୁହିଁ  । ଫାଣ୍ଡନବିସଙ୍କର ନୱାବଙ୍କୁ ପଲଟା ଜବାବ  । ମହାରାଷ୍ଟ୍ରର ଏନସିପି ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ଖୋଲାଖୋଲି ଧମକ ଦେଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାଣ୍ଡନବିସ୍  । କହିଲେ ଦୀପାବଳିରେ ନୁହେଁ ଦୀପାବଳି ପରେ ବାଣ ଫୁଟିବ  ।

ବଲିଉଡ ସୁପରଷ୍ଚାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ୍ ପରେ ଏହି ମାମଲାକୁ ନେଇ ମହାରାଷ୍ଟ୍ରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଶତ୍ରୁତା  । ଜଣେ ଅନ୍ୟ ଜଣକୁ ଆରୋପ ଲଗାଉଛି  । ମାତ୍ର କିଏ ସତ କହୁଛି ତାହାର ସତ୍ୟାସତ୍ୟ ଏ ଯାଏ ଜଣାପଡ଼ିନାହିଁ  । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାଣ୍ଡନବିସଙ୍କ ପତ୍ନୀ ଅମୃତାଙ୍କ ସହ ଜୟଦୀପ ରାଣାଙ୍କ ୪ ବର୍ଷ ତଳର ଏକ ଫଟୋ ସେୟାର କରି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ କହିଥିଲେଯେ ଏହି ଫଟୋରୁ ଜଣାପଡ଼ୁଛି କି ଡ୍ରଗ୍ସ ବେପାରୀ ଜୟଦୀପ ରାଣାଙ୍କର ଦେବେନ୍ଦ୍ର ଫାଣ୍ଡନବିସ ଓ ତାଙ୍କ ପରିବାର ସହ ନିଶ୍ଚୟ ସମ୍ବନ୍ଧ ରହିଛି  । ମାତ୍ର ପରେ ଫାଣ୍ଡନବିସ ପରେ ଏହି ଆରୋପକୁ ଖଣ୍ଡନ କରିଥିଲେ ଓ ଜୟଦୀପ ରାଣାଙ୍କ ସହ ତାଙ୍କର କିମ୍ବା ତାଙ୍କ ପରିବାରର କୈାଣସି ପ୍ରକାର ସମ୍ପର୍କ ନାହିଁ ବୋଲି ପ୍ରକାଶ କରିଥିଲେ  ।

ଏହାପରେ ଫାଣ୍ଡନବିସ୍ ଆଜି ମନ୍ତ୍ରୀ ନୱାବଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି  । ସେ କହିଛନ୍ତି ଯେ ନୱାବଙ୍କର ଅନଡରୱାଲ୍ଡ ସହ ସମ୍ବନ୍ଧ ରହିଛି  । ଯାହାର ସମସ୍ତ ସଠିକ୍ ପ୍ରମାଣ ଓ ତଥ୍ୟ ତାଙ୍କ ପାଖରେ ସୁରକ୍ଷିତ ଅଛି  । ମାତ୍ର ସେ ଏହାକୁ ଏବେ ନୁହେଁ ଦୀପୀବଳି ପରେ ଏ ସବୁର ପ୍ରମାଣ ତଥ୍ୟ ସହ ଗଣମାଧ୍ୟମ ଓ ଏନସିପି ଅଧ୍ୟକ୍ଷ ସରଦ ପରୱାରଙ୍କୁ ହସ୍ତାନ୍ତର କରିବେ  ।  ତେବେ ଦୀପାବଳି ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ ଆଉ ଏହି ସବୁ ପ୍ରମାଣ ଗଣମାଧ୍ୟମ ହାତରେ କେବେ ଲାଗୁଛି ତାହା ଦେଖିବାକୁ ବାକି ରହିଲା  ।

ଗହଣା ଦୋକାନୀଙ୍କୁ ଗୁଳି କଲେ, ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟିନେଲେ

ଭଦ୍ରକ: ଗୁଳି କରି ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍ । ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଦର୍ଶନପୁର ମାଛହାଟ ଛକରେ ହୋଇଛିଏହି ଲୁଟ୍‌  । ଚକାଡ଼ୋଳା ଗହଣା ଦୋକାନ ମାଲିକଙ୍କଠାରୁ ଦୁର୍ବୃତ୍ତ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ତାପସ ସାହୁ ଘରକୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାପସଙ୍କ ଗୋଡ଼କୁ  ଗୁଳି ଚଳାଇଥିଲେ ।

ଗୁଳିଟି ତାପସଙ୍କ ଗୋଡ଼ରେ ନବାଜି ତଳେ ବାଜିଥିଲା । ତା’ପରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଥିବା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ। ବ୍ୟାଗ୍‌ରେ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ପାଖରେ ଥିବା ନଗଦ ୨୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତାପସଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା । ପାଖରେ ଥିବା ଦୋକାନୀ ମାନେ ଭୟରେ ବାହରକୁ ବାହାରି ନଥିଲେ ।

ସେପଟେ ଲୁଟ ନେଇ ବାସୁଦେବପୁର ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଗୋଟିଏ ଗୁଳି ଓ ଖୋକା ଜବତ କରିଛି । ଲୁଟେରା ମାନେ କେଉଁ ଅଞ୍ଚଳର ଏବଂ ଏମାନଙ୍କର ଅନ୍ୟ କୈଣସି ଲୁଟ ଛିନତାଇ ସହ ଲିଙ୍କ ରହିଛି କି ନାହିଁ ତାହାର କାରଣ ଖୋଜୁଛି ପୋଲିସ ।