କଂଗ୍ରେସକୁ ଲାଗିପାରେ ବଡ଼ ଝଟକା; ନୂଆ ଦଳ ଗଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ଜାମ୍ମୁ କାଶ୍ମୀର: ନୂଆ ଦଳ ଗଢ଼ିପାରନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଖୁବ୍ ଶୀଘ୍ର କଂଗ୍ରେସରୁ ୨୦ ଜଣ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ ଓ କାଶ୍ମୀରରେ ଆଜାଦ ବିଭିନ୍ନ ବୈଠକ ଜାରି ରଖିଥିବା ବେଳେ ସେ ଏକ ନୂଆ ଦଳ ଗଠନ କରିବେ ବୋଲି ଆଲୋଚନା ଚାଲିଛି । ସେପଟେ ନୂଆ ଦଳ ଗଠନ ଲାଗି ଯୋଜନା ନାହିଁ ବୋଲି ଆଜାଦ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ଉପରୁ ରାଜ୍ୟପାହ୍ୟା ମାନ୍ୟତା ପରଠାରୁ ନୀରବ ଥିବା ଆଜାଦ ଏବେ ବେଶ୍ ସକ୍ରିୟ ହୋଇଛନ୍ତି । ଗତ ଚାରି ଦଶନ୍ଧି ଧରି ଏପରିକି ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଅମଳରୁ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଆଜାଦ କହିଛନ୍ତି ବର୍ତ୍ତମାନ ସମାଲୋଚନାର କୌଣସି ସ୍ଥାନ ନାହିଁ । ଆଜିକାଲି ନେତୃତ୍ବକୁ କେହି ଚାଲେଞ୍ଜ ଦେଇପାରିବେ ନାହିଁ ।

ବିଭିନ୍ନ ବିଷୟରେ ପ୍ରଶ୍ନ କରିବା ଲାଗି ଇନ୍ଦିରା ଓ ରାଜୀବ ଗୁଲାବ ନବୀ ଆଜାଦଙ୍କୁ ପ୍ରଶୟ ଦେଇଥିଲେ । ମାତ୍ର ବର୍ତ୍ତମାନ ସେହି ଅବସ୍ଥା ନାହିଁ । ସେମାନେ ସମାଲୋଚନାକୁ ବିରୋଧ ନ କରି ଏହାକୁ ସକାରାତ୍ମକ ଦୃଷ୍ଟିରେ ବିବେଚନା କରୁଥିଲେ । ମାତ୍ର ଏବେ ତାହା ବଦଳିଯାଇଛି ବୋଲି କହିଛନ୍ତି ଆଜାଦ । ସେ କହିଛନ୍ତି ଅତୀତରେ ଯୁବ କଂଗ୍ରେସରେ ସାଧାରଣ ସମ୍ପାଦକ ଲାଗି ଇନ୍ଦିରା ଦୁଇ ଜଣଙ୍କ ନାଁ ସୁପାରିସ କରିଥିଲେ । ମାତ୍ର ସେ ତାହା ଅଗ୍ରାହ୍ୟ କରିଥିଲେ ମଧ୍ୟ ଇନ୍ଦିରା ଏହାକୁ ଅଲଗା ଅର୍ଥରେ ଧରି ନଥିଲେ । ଆଜାଦ କହିଛନ୍ତି ସେ ରାଜନୀତି ଛାଡିବେ ନାହିଁ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହ ସେ ରହିବେ ବୋଲି କହିଛନ୍ତି ଗୁଲାବ ନବୀ ଆଜାଦ।

Leave a Reply