spot_img
Home Blog Page 4971

୧୦ ହଜାର ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର: ଧରାଶାୟୀ ବିରୋଧୀ, ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ପୂର୍ବତନ କଂଗ୍ରେସ ସାଂସଦ ଆଦି ବିଜେଡିରେ ଯୋଗ ଦେଇଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ ।

EX Congress MP Pradeep Majhi Joins BJD With His Supporters

୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ । ଦଳରେ ଲୋକ ସେବାର ସୁଯୋଗ ନଥିବାରୁ ଦୁଃଖରେ ଦଳ ଛାଡ଼ୁଥିବା ଲେଖିଥିଲେ ପ୍ରଦୀପ ।

ଏଥିସହ ପଢ଼ନ୍ତୁ: ‘ପୀଡ଼ିତାଙ୍କ ପାଇଁ ନାହିଁ ଦୟା କି ସହାନୁଭୂତି, ନିର୍ବାଚନ ଆସିଲେ ବିଜେପିକୁ ମନେ ପଡ଼ନ୍ତି’: ବିଜେଡି

ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ପାଇଁ CBSEର ଗାଇଡଲାଇନ୍

ନୂଆଦିଲ୍ଲୀ: ଦ୍ୱାଦଶ ଓ ଦଶମ ଶ୍ରେଣୀ ପିଲାଙ୍କ ଅଫ୍ ଲାଇନ୍ ଟର୍ମ-୧ ପରୀକ୍ଷା ପାଇଁ CBSE ଜାରି କଲା ଗାଇଡଲାଇନ୍ । ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହେଉଥିବା ବେଳେ ଦଶମ ପିଲାଙ୍କ ପରୀକ୍ଷା ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବ ।

ଦ୍ୱାଦଶ ଶ୍ରେଣୀ ପିଲା ୧୯ଟି ବିଷୟରେ ପରୀକ୍ଷା ଦେବାକୁ ଥିବା ବେଳେ ଦଶମ ପିଲା ୯ଟି ବିଷୟରେ ପରୀକ୍ଷା ଦେବେ । ବାକି ପରୀକ୍ଷା ଗ୍ରୁପରେ କରାଯିବ ।

ପରୀକ୍ଷା ଦେବାକୁ ଅନୁମତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ OMR ଆନସାର ସିଟ୍ସ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ସ୍କୁଲ ତରଫରୁ OMR ସିଟ୍ ଡାଉନଲୋଡ଼ ପରେ A4 ସାଇଜର ପ୍ରିଣ୍ଟ ବାହାର କରି ପିଲାଙ୍କ ମଧ୍ୟରେ ବଣ୍ଟିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।

ଶୀତ ଆରମ୍ଭ ହୋଇ ଯାଇଥିବାରୁ ସକାଳ ୧୦ଟା ୩୦ ବଦଳରେ ୧୧ଟା ୩୦ରେ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସମୟ ୯୦ ମିନିଟ ରହିବ । ଏହାସହ ପିଲାମାନଙ୍କୁ ଅଧିକ ୩୦ ମିନିଟ ସମୟ ଦିଆଯିବ ।

କିଛିଦିନ ପୂର୍ବରୁ ଦିଲ୍ଲୀ ସରକାରୀ ସ୍କୁଲ ପ୍ରିନ୍ସପାଲ ଆସୋସିଏସନ ତରଫରୁ ସିବିଏସଇ ପାଖରେ  ଏତେ ପରିମାଣରେ OMR ସିଟ୍ସର ପ୍ରିଣ୍ଟ କରିବାକୁ ଅକ୍ଷମତା ପ୍ରକାଶ କରାଯାଇଥିଲା । ପୂର୍ବ ଭଳି ବିଦ୍ୟାଳୟଗୁଡ଼ିକୁ ପ୍ରଶ୍ନପତ୍ର ସହ ଆନସାର ସିଟ୍ସ ମଧ୍ୟ ପଠାଇବାକୁ ସିବିଏସଇକୁ ଅନୁରୋଧ କରାଯାଇଥିଲା ।

‘ପୀଡ଼ିତାଙ୍କ ପାଇଁ ନାହିଁ ଦୟା କି ସହାନୁଭୂତି, ନିର୍ବାଚନ ଆସିଲେ ବିଜେପିକୁ ମନେ ପଡ଼ନ୍ତି’: ବିଜେଡି

ଭୁବନେଶ୍ୱର: ପୀଡ଼ିତା ମହିଳାଙ୍କୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି । ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି ନକରୁ । ନିର୍ବାଚନ ଆସିଲେ ବିଜେପିକୁ ପୀଡ଼ିତାଙ୍କ କଥା ମନେ ପଡ଼େ । ବିଜେପି ସବୁକିଛି ଭୁଲି ଯାଏ । ପୀଡ଼ିତାଙ୍କ ପରିବାର ପ୍ରତି ଦୟା କି ସହାନୁଭୂତି ନଥିଲା । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ନେତା ଭାଗ ଭାଗ ହୋଇ ବିବାଦୀୟ ମନ୍ତବ୍ୟ ଦିଅନ୍ତି ବୋଲି ବିଜେଡି ପ୍ରେସମିଟରେ କହିଛି । ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ବିଜେପି ରାଜନୀତି କରିଥିଲା ବୋଲି କହିଛନ୍ତି ବିଜେଡି ନେତା ଏଲିନା ଦାସ । ବିଜେପିକୁ କାଉଣ୍ଟର କରିବା ସହ ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପ୍ରସଙ୍ଗକୁ ନେଇ ଭିଡିଓ ଜାରି କରିଛି ବିଜେଡି ।

 BJD Counters BJP On Victim Politics Ahead Of Election

୨୦୧୪ ନିର୍ବାଚନରେ ଇତିଶ୍ରୀ ଘଟଣାକୁ ବିଜେପି ଓ କଂଗ୍ରେସ ପ୍ରସଙ୍ଗ କରିଥିଲେ । ଓଡ଼ିଶାବାସୀ ଯାହାର ଜବାବ ନିର୍ବାଚନରେ ଦେଇଥିଲେ । ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ । ସିବିଆଇ ତଦନ୍ତ ହେଲା, ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ହିଁ ମୋହର ବାଜିଲା । ଇତିଶ୍ରୀ ଘଟଣାରେ ବିଜେପି ଜୟରାମ ପାଙ୍ଗୀଙ୍କୁ ନିଶାନା କରୁଥିବା ବେଳେ ନିର୍ବାଚନ ପୂର୍ବରୁ ଦଳରେ ମିଶାଇ ଦଳ ପାଇଁ ଆସେଟ୍ ବୋଲି କହିଥିଲା ।

୨୦୧୭ରେ କୁନ୍ଦୁଲି ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ଥିଲା । ଇତିଶ୍ରୀ ଭଳି କୁନ୍ଦୁଲି ପ୍ରସଙ୍ଗରେ ବିଜେପି, କଂଗ୍ରେସ ନାରାବାଜି କରି ହୀନ ରାଜନୀତି କରିଥିଲେ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । କୁନ୍ଦଲି ଘଟଣାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ବିଜେପି ଅତି ତଳକୁ ଖସି ପୀଡ଼ିତାଙ୍କ ନାଁ ମଧ୍ୟ ପ୍ରକାଶ କରିଥିଲା । ଓଡ଼ିଶାକୁ ଜାତୀୟସ୍ତରରେ ବଦନାମ କରି ବିଜେପି ବାଃ ବାଃ ନେବାକୁ ଚେଷ୍ଟା କରିଥିଲା ।

 BJD Counters BJP On Victim Politics Ahead Of Election

ବିଜେପୁର ଉପନିର୍ବାଚନ ପୂର୍ବରୁ ଗର୍ଜନ କରୁଥିବା ବିଜେପି ନିର୍ବାଚନ କମିଶନଙ୍କୁ ପ୍ରମାଣ ନେଇ କୌଣସି ରିପୋର୍ଟ ଦେଇ ନଥିଲା । କେବଳ ନିର୍ବାଚନ ଆସିଲେ ବିଜେପି ଡିଏଁ, ନିର୍ବାଚନ ସରିଲେ ଶୋଇଯାଏ । ନିର୍ବାଚନ ଆସିଲେ ବିଜେପି ନାରୀ ନିର୍ଯାତନା କଥା କୁହେ । ମିଥ୍ୟା ସହ ଭାରତୀୟ ଜନତା ପାର୍ଟି ଯାଉଛି । ବିଜେଡି ସତ୍ୟ ମେବ ଜୟତେରେ ବିଶ୍ୱାସ ରଖେ । ସତ୍ୟକୁ ଧରି ବିଜେଡି ଆଗକୁ ବଢ଼ିବ ।

ରାଜନୈତିକ ଫାଇଦା ପାଇଁ ବିଜେପି ପୀଡ଼ିତାଙ୍କ ପରିବାରକୁ ବ୍ୟବହାର କରୁଛି । ଯଦି ବିଜେପି ପାଖରେ କିଛି ପ୍ରମାଣ ଅଛି ତାହେଲେ ପୋଲିସକୁ ଦିଅନ୍ତୁ । ବହୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବିଜେପି ପକ୍ଷରୁ ଘଟଣାସ୍ଥଳକୁ ଯାଉଛି । ଖଣ୍ଡିଏ ବି ଫ୍ୟାକ୍ଟ ବାହାରୁନି । କେବଳ ପ୍ରହସନ ପାଇଁ ଘଟଣାସ୍ଥଳକୁ ଯାଉଛନ୍ତି । ଯଦି କିଛି ପ୍ରମାଣ ଅଛି ଆଣନ୍ତୁ ବୋଲି ବିଜେଡି, ବିଜେପିକୁ ଚ୍ୟାଲେଞ୍ଜ ଦେଇଛି ।

ଭାଟ୍ ହ୍ରାସ କରିବାକୁ ଅରାଜି ୧୨ଟି ରାଜ୍ୟ

ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘୋଷଣାର ଘୋର ବିରୋଧ କରିଥିଲେ ଦେଶବାସୀ  । କେନ୍ଦ୍ର ସରକାର ୧୬ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଟ୍ ହ୍ରାସ ନିମନ୍ତେ ନିଷ୍ପତ୍ତି ନେଇଥିବା ବେଳେ ଏଥିମଧ୍ୟରୁ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତିରେ ସହମ୍ମତ ନୁହଁନ୍ତି  । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗତକାଲିଠୁ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦ ଟଙ୍କା ତଳକୁ ପେଟ୍ରୋଲ ବିକ୍ରି କରାଯାଉଛି  ।  ଜୁଲାଇ ମାସ ପାଖାପାଖି ଦ୍ୱିତୀୟ ସପ୍ତାହ ଆରମ୍ଭରୁ ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ପହଁଞ୍ଚିସାରିଥିଲା  ।

ବର୍ତ୍ତମାନ ବିଜେପି ଏବଂ ଏହାର ସହଯୋଗୀ ରାଜନୈତିକ ଦଳ ସହଯୋଗରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରୁ ୧୦୦ ଟଙ୍କା ତଳକୁ ପେଟ୍ରୋଲ ଦାମ ହ୍ରାସ କରାଗଲା  । ଏଥିମଧ୍ୟରୁ ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏହି ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ସାମିଲ ନାହାଁନ୍ତି  ।

ଚଳିତ ଦୀପାବଳିରେ ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୧୦ ଟଙ୍କା ଲେଖାଏଁ ହ୍ରାସ କରିଥିବା ବେଳେ ୧୬ଟି ରାଜ୍ୟରେ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଟରେ ମଧ୍ୟ ହ୍ରାସ ଆଣିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା  । ମାତ୍ର ଏଥିମଧ୍ୟରୁ ୧୨ଟି ଦେଶ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିରେ ଅରାଜି ଅଛନ୍ତି । କାରଣ ଭାଟରେ ହ୍ରାସ ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ରାଜ୍ୟର ଅର୍ଥନୈତିକ ପରିସ୍ଥିତିରେ ପଡ଼ିପାରେ।

ଶିବସେନା-ଏନସିପି-କଂଗ୍ରେସ ଶାସିତ ଅଞ୍ଚଳ ମହାରାଷ୍ଟ୍ର, ଆପ୍ ଶାସିତ ଦିଲ୍ଲୀ, ଟିଏମସି ଶାସିତ ପଶ୍ଚିମବଙ୍ଗ, ଟିଏମକେ ଶାସିତ ତାମିଲନାଡ଼ୁ, ଟିଆରଏସ୍ ଶାସିତ ତେଲେଙ୍ଗାନା , YSRCP ଶାସିତ ଆନ୍ଧ୍ରପ୍ରଦେଶ, କେରଳ, ଏନପିପି ଶାସିତ ମେଘାଳୟ, ଝାମୁମୋ ଶାସିତ ଝାଡ଼ଖଣ୍ଡ, କଂଗ୍ରେସ ଶାସିତ ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ ଓ ଆଣ୍ଡାମାନ ନିକୋବର ଏହି ୧୩ଟି ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲରେ କୈାଣସି ଦର ହ୍ରାସ କରାଯାଇନାହିଁ ।

ଓଡ଼ିଶା କେବଳ ଏଭଳି ରାଜ୍ୟ ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ ଦୁଇଟିରେ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ କରାଯାଇଛି  । ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ଉତ୍ତରାଖଣ୍ଡ, ଆସାମ, ଚଣ୍ଡିଗଡ଼, ଗୋଆ, ହିମାଚଳପ୍ରଦେଶ, ଜମ୍ମୁକାଶ୍ମୀର, ସିକିମ୍, ଅରୁଣାଚଳପ୍ରଦେଶ, ମିଜୋରାମ, ନାଗାଲ୍ୟାଣ୍ଡ, ତ୍ରିପୁରା ଏବଂ ପଣ୍ଡଚେରୀରେ ପେଟ୍ରୋଲ ୧୦୦ ଟଙ୍କା ତଳକୁ ହ୍ରାସ କରାଯାଇଛି  ।  କହିରଖୁ କି ୨୦୨୦ ଏପ୍ରିଲ ମାସ ଲିଟର ପିଛା ୬୯ ଟଙ୍କାରୁଅଧିକ ଥିବାବେଳେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହା ୯୦ ଟଙ୍କାରେ ପହଁଞ୍ଚିଥିଲା  ।

 

ପଞ୍ଚାୟତ ନିର୍ବାଚନରେ ବଢ଼ିପାରେ ଭୋଟ୍ ଗ୍ରହଣ ସମୟ, ସବୁ ଦଳ ଦେଇଛନ୍ତି ପ୍ରସ୍ତାବ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସ ସହିତ ଅନ୍ୟ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟତଃ ନିର୍ଭୁଲ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନୀ ଖର୍ଚ୍ଚ ଓ ଭୋଟ ଗ୍ରହଣ ଅବଧି ଉପରେ ବୈଠକରେ ଆଲୋଚନା ହୋଇଛି । ୨୦୧୭ ମସିହାରେ ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୮୦ ହଜାର ଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ଥିଲା । ଏଥର ମଧ୍ୟ ଏହି ଖର୍ଚ୍ଚ ସୀମା ବୃଦ୍ଧି ହୋଇନଥିବାରୁ ରାଜନୈତିକ ଦଳମାନେ ଏହାକୁ ବଢ଼ାଇବାକୁ ଦାବି କରିଛନ୍ତି ।

Political Parties Demands To Extend Voting Timing In Panchayat Poll

ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦେଢ଼ ଲକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସୀମା ବଢ଼ାଯାଉ ବୋଲି ରାଜନୈତିକ ଦଳମାନେ ନିର୍ବାଚନ କମିଶନରଙ୍କ ନିକଟରେ ଦାବି ରଖିଛନ୍ତି । ସେହିପରି ଭୋଟ୍ ଗ୍ରହଣ ଅବଧି ସକାଳ ୭ଟାରୁ ଦିନ ୧୨ଟା ବଦଳରେ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କରିବାକୁ ବୈଠକରେ ବିଭିନ୍ନ ଦଳ ଦାବି କରିଛନ୍ତି  । ଏସବୁ ଦାବି ନର୍ବାଚନ କମିଶନ ଶୁଣିବା ସହ ଖୁବଶୀଘ୍ର ଏହା ଉପରେ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଠିକ୍ ସମୟରେ ଚାଲୁଥିବାରୁ ନିର୍ଦ୍ଧାରିତ ଫେବ୍ରୁଆରି ୨୦୨୨ରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ୱାର୍ଡ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ହେବ । ନାଁ ସହିତ ଲୋକଙ୍କ ଏପିକି ଭୋଟର ଆଇଡି ନମ୍ବର ରହିବ । ୧ ନଭେମ୍ବର ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଭୋଟ୍ ଦେବା ପାଇଁ ଆମେ ପ୍ରସ୍ତାବ ରଖିଛୁ ।

ମାୟାନଗରୀକୁ ବ୍ୟାପିଛି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଗୁପ୍ତ ତଥ୍ୟ ଲିକର ଚେର

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବଡ଼ ଟ୍ୱିଷ୍ଟ । ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍ । ଗୁପ୍ତ ତଥ୍ୟ ଲିକରେ ରହିଛି ଆଉ ଜଣେ ମହିଳାଙ୍କ ସମ୍ପର୍କ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ରହସ୍ୟମୟୀ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଆବଶ୍ୟକତା ଥିବା କହିଥିଲେ । ୨୦୨୧ ଏପ୍ରିଲ୍ ୧୮ ତାରିଖରେ ସନ୍ଦିଗ୍ଧ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଅଭିଯୁକ୍ତ ।

DRDO Espionage Case Crime Branch Reveals Another Woman's Involvement

ପରେ ଟଙ୍କା ନେବାର ଦିନକ ପରେ ସନ୍ଦିଗ୍ଧ ମହିଳା ଜଣଙ୍କ ଅଭିଯୁକ୍ତକୁ ୧୯ ତାରିଖରେ ଟଙ୍କା ଫେରାଇ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି ଏହି ଟଙ୍କା ଚାନ୍ଦିପୁରର ଜଣେ ଯୁବକଙ୍କ ଆକାଉଣ୍ଟରେ ଜମା ହୋଇଛି । ଅଭିଯୁକ୍ତ ପଠାଇଥିବା ଟଙ୍କା ମୁମ୍ବାଇର ୨ ଜଣ ପୁରୁଷ ଆକାଉଣ୍ଟକୁ ଯାଇଥିଲା । ପରେ ରହସ୍ୟମୟୀ ମହିଳା କ୍ୟାସ୍ ଡିପୋଜିଟ୍ କରି ଅଭିଯୁକ୍ତକୁ ଟଙ୍କା ଫେରାଇ ଦେଇଥିଲେ ।

DRDO Espionage Case Crime Branch Reveals Another Woman's Involvement

ଟଙ୍କା ଡିପୋଜିଟ୍ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । ଅଭିଯୁକ୍ତକୁ ଟଙ୍କା ପଠାଇଥିବା ମୁମ୍ବାଇ ଆକାଉଣ୍ଟକୁ ଠାବ କରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚର ୨ଟି ଟିମ୍ । ତେବେ ୪୦ ହଜାର ଟଙ୍କା ନେଇ ଫେରାଇ ଦେଇଥିବା ରହସ୍ୟମୟୀ ଜଣଙ୍କ କିଏ ? ୟୁକେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ସନ୍ଦିଗ୍ଧ ଇଏ ନୁହଁନ୍ତି ତ ? ଏନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି ।

ବ୍ୟାଙ୍କ ଚାକିରି ପାଇଁ ବମ୍ଫର ଅଫର୍: ୧୮୨୮ ପଦବୀ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବ୍ୟାକ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଆପଣଙ୍କ ପାଇଁ ଏକ ଖୁସି ଖବର । ପବ୍ଲିକ୍ ବ୍ୟାଙ୍କର ବିଭିନ୍ନ ବିଭାଗ ପାଇଁ ୧୮୨୮ ଆବେଦନ ବାହାରିଛି । ଆବେଦନର ଶେଷ ତାରିଖ ନଭେମ୍ବର ୨୩ ରହିଛି । ଶୀଘ୍ର ଶୀଘ୍ର ଆବେଦନ କରିନିଅନ୍ତୁ ଓ ସ୍ବପ୍ନ ପୂରଣ ଦିଗରେ ଆଗକୁ ବଢ଼ନ୍ତୁ । IBPS, ସ୍ପେସିଆଲିଷ୍ଟ ଅଫିସର (SO) ପଦବୀ ପାଇଁ ଏହି ନୋଟିଫିକେସନ୍ ବାହାର କରିଛି ।

ପରୀକ୍ଷ କେବେ ?

ନୋଟିଫିକେସନ୍ ଅନୁସାରେ ଏସଓ ପଦବୀ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ନଭେମ୍ବର ୩ ତାରିଖରୁ ଆବେଦନ ତାରିଖ ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ନଭେମ୍ବର ୨୩ । ଇଚ୍ଛୁକ ଆଶାୟୀ ଆଇବିପିଏଚ ଓ୍ବେବସାଇଟ୍ www.ibps.in ରେ ଆାବେଦନ କରିପାରିବେ ।

ଆବେଦନ କରିବା ପରେ ୨୩ ନଭେମ୍ବର ମଧ୍ୟରେ ଫିସ୍ ଦାଖଲ କରିବାକୁ ପଡ଼ିବ । ଅନଲାଇନ୍ ପ୍ରିଲିମ୍ସ ପରୀକ୍ଷା ତାରିଖ ନଭେମ୍ବର ୨୬ ତାରିଖ ଥିବା ବେଳେ ମେନ୍ ପରୀକ୍ଷା ୩୦ ଜାନୁଆରୀ ୨୦୨୨ରେ ହେବ ।

କେଉଁ ବ୍ୟାଙ୍କ ପାଇଁ ଆବେଦନ ?

ବ୍ୟାଙ୍କ ଅଫ ବରେଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, ୟୋକୋ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏସଓ ପଦବୀ ପାଇଁ ଏହି ପଦବୀ ବାହାରିଛି । ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା ସଂସ୍ଥାରେ ଡିଗ୍ରୀ ପ୍ରାପ୍ତ କରିଥିବା ଆଶାୟୀ ଏଥିରେ ଆବେଦନ କରିପାରିବେ ।

କେଉଁ ପୋଷ୍ଟ ପାଇଁ କେତେ ପଦବୀ

୨୨୦ ଆଇଟି ଅଫିସର ପଦବୀ ପାଇଁ ଆବେଦନ ବାହାରିଛି । ୧୪ ହଜାର ୫ ଶହରୁ ୨୫ ହଜାର ୭ ଶହ ରହିଛି ଏହାର ପେ-ସ୍କେଲ । ସେହିପରି ୮୮୪ କୃଷୀ କ୍ଷେତ୍ର ଅଧିକାରୀ, ୮୪ ରାଜଭାଷା ଅଧିକାରୀ, ୪୪ ଲ’ ଅଫିସର, ୬୧ ଏଚଆର କିମ୍ବା ପର୍ସୋନାଲ ଅଫିସର, ୫୩୫ ମାର୍କେଟିଂ ଅଫିସର ପଦବୀ ପାଇଁ ଆବେଦନ ବାହାରିଛି । ସବୁ ପଦବୀ ପାଇଁ ପେ-ସ୍କେଲ୍ ୧୪ ହଜାର ୫ ଶହରୁ ୨୫ ହଜାର ୭ ଶହ ରହିଛି ।

ବୟସ କେତେ ହେବା ଦରକାର ?

୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୦ ବର୍ଷରୁ ଅଧିକ ଓ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ଜନ୍ମ ୧୯୯୧ ନଭେମ୍ବର ୨ ତାରିଖ ପୂର୍ବରୁ ଓ ୨୦୦୧ ନଭେମ୍ବର ୧ ତାରିଖ ପରେ ହୋଇନଥିବା ଆବଶ୍ୟକ ।

ଆବେଦନ ଫି’ କେତେ ?

ସାଧାରଣ ବର୍ଗ, ଅନ୍ୟ ପଛୁଆ ବର୍ଗ ଓ EWS ଆଶାୟୀଙ୍କୁ ଆବେଦନ ଫି’ ବାବଦକୁ ୮୫୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଏସସି, ଏସଟି ଓ PWD ବର୍ଗଙ୍କୁ ୧୭୫ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ ।

ଦେଶ ଛାଡ଼ି ଯିବେନି ଅମ୍ବାନୀ ପରିବାର, ହେଲେ କାହିଁକି ଲଣ୍ଡନରେ କିଣିଲେ ୩୦୦ ଏକର ସମ୍ପତ୍ତି ଜାଣନ୍ତୁ

0

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିସର ମାଲିକ ମୁକେଶ ଅମ୍ବାନୀ । ଦେଶରେ  ସବୁଠୁ ଧନୀ ବ୍ୟକ୍ତି । ଏ କଥା ତ ସମସ୍ତେ ଜାଣନ୍ତି ହେଲେ ବୋଧ ହୁଏ ଆପଣ ଜାଣି ନଥିବେ ଯେ ଅମ୍ବାନୀଙ୍କର ଦେଶ ବହାରେ ମଧ୍ୟ ବହୁତ ସମ୍ପତ୍ତି ରହିଛି । ନିକଟରେ ସେ ଲଣ୍ଡନର ଦାମୀ ଭିଲ୍ଲା ବା ଲଣ୍ଡନର ଆଇକନିକ କ୍ଲବ ଓ ରିଜୋର୍ଟ ‘ଷ୍ଟୋକ ପାର୍କ’କୁ କିଣିଛନ୍ତି।  ତେବେ ଯେବେଠୁ ସେ ଏହାକୁ କିଣିଲେଣି ସେବେଠୁ ଚର୍ଚ୍ଚା ହେଉଛି ଯେ ମୁକେଶ ଅମ୍ବାନୀ ତାଙ୍କ ପରିବାର ସହ ଦେଶ ଛାଡ଼ି ଲଣ୍ଡନ ସିଫ୍ଟ ହୋଇଯିବେ ।

କିନ୍ତୁ ବର୍ତ୍ତମାନ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରିଲାଏନ୍ସ ଗ୍ରୁପ ଏକ ବୟାନ ଜାରି କରିଛି । ଯେଉଁଥିରେ ଏଭଳି ଖବରକୁ ଭିତ୍ତିହୀନ ବୋଲି କୁହାଯାଇଛି । ବୟାନରେ କୁହାଯାଇଛି ଯେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା ଯେ ଆମ୍ବାନୀ ପରିବାର ଲଣ୍ଡନ ଷ୍ଟୋକ୍ ପାର୍କରେ ରହିବାକୁ ଯୋଜନା କରୁଛି, ଯାହା ସୋସିଆଲ ମିଡିଆରେ ଅନୁଚିତ ତଥା ଭିତ୍ତିହୀନ କଳ୍ପନା ଜଳ୍ପନାର କାରଣ ପାଲଟିଛି। ତେଣୁ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ମୁକେଶ ଅମ୍ବାନୀ କି ତାଙ୍କର ପରିବାର ଲଣ୍ଡନ କିମ୍ବା ଭାରତ ବ୍ୟତୀତ ଦୁନିଆର ଅନ୍ୟ କୌଣସି ବି କୋଣରେ ରହିବାକୁ କୌଣସି ଯୋଜନା ନାହିଁ ।  

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ତାଙ୍କ ପରିବାର ସହିତ ମୁମ୍ବାଇରେ ୪୦ ହଜାର ବର୍ଗଫୁଟର ନିବାସ ଆଣ୍ଟିଲିଆରେ ରୁହନ୍ତି। ତେବେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅମ୍ବାନୀ ପରିବାର ଷ୍ଟୋକ୍ ପାର୍କରେ ୩ ଶହ ଏକର କଣ୍ଟ୍ରି କ୍ଲବ୍କୁକୁ କିଣିଛନ୍ତି ଓ ତାକୁ ନିଜରକ ବାସସ୍ଥାନ କରିବାକୁ ଯୋଜନା କରିଛନ୍ତି। ତେବେ ଏକାକୁ ଖଣ୍ଡନ କରି ରିଲାଏନ୍ସ ଗ୍ରୁପ କହିଛି ଯେ  ଷ୍ଟୋକ ପାର୍କକୁ କିଣିବା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ଯେ ଏହାକୁ ଗଲଫ୍ ଓ ସ୍ପୋର୍ଟ ରିଜର୍ଟ୍ ରୂପେ ଛିଡ଼ା କରିବା । ଆଉ ଏଥିପାଇଁ ସେଠାକାର ସମସ୍ତ ନିୟମ ମଧ୍ୟ ପାଳନ କରାଯାଉଛି। ରିଲାଏନ୍ସ ଗ୍ରୁପର ବ୍ୟବସାୟକୁ ଆହୁରି ଉପରକୁ ନେବା ପାଇଁ ବା ବଢ଼ାଇବା ପାଇଁ ଏହି ସମ୍ପତ୍ତି କିଣାଯାଇଛି । ଏହା ବ୍ୟତୀତ ଲଣ୍ଡର ଏହି ଆଇକନିକ କଣ୍ଟ୍ରି କ୍ଲବ ବିଶ୍ୱବ୍ୟାପୀ ଭାରତର ପ୍ରସିଦ୍ଧ ଆତିଥ୍ୟ ଶିଳ୍ପର ପଦଚିହ୍ନକୁ ବିସ୍ତାର କରିବ।’

 

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ କଲା ବିଜେଡି

ଭୁବନେଶ୍ୱର/ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

 BJD Protest Against Dishonour To Jagannath Culture

ସେପଟେ ପୁରୀରେ ମଧ୍ୟ ଦୃଢ଼ ପ୍ରତିବାଦ କରିଛି ବିଜେଡି । ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ତ୍ରୁଟିକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ ହୋଇଛି । ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପୁରୀ ଆସି ନିସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବି କରିଛି ବିଜେଡି ।

ବଦଳିବ ଶ୍ରମିକ ହାଟର ଚିତ୍ର, ମୁଣ୍ଡକୁ ମିଳିବ ଛାତ

ଭୁବନେଶ୍ୱର: ସକାଳର ସୂର୍ଯ୍ୟ ଉଏଁ । ସୂର୍ଯ୍ୟଙ୍କ କିରଣ ବଢ଼ିବା ସହ ଏମାନେ ବଢ଼ନ୍ତି ଆଗକୁ । ରାସ୍ତାକଡ଼ରେ ଛିଡ଼ା ହୋଇ କାମଧନ୍ଦା ଖୋଜନ୍ତି । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ, କଳ୍ପନା, ରସୁଲଗଡ଼, ଲିଙ୍ଗରାଜ ଷ୍ଟେସନ ଓ ଶିଖରପୁର ଅଞ୍ଚଳର ଏହା ନିତିଦିନିଆ ଚିତ୍ର । ହାତରେ କୋଡ଼ି କୋଦାଳ ଧରି ଏମିତି ଶ୍ରମିକ ହାଟରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥାନ୍ତ ମଣିଷ । କେଉଁଠି ଶୁଅନ୍ତି, କେଉଁଠି ଖାଆନ୍ତି କିଛି ଠିକ ଠିକଣା ନଥାଏ ।

BMC To Setup Shelter For Daily Labourers

ଏବେ ଏମାନଙ୍କ ପାଇଁ ଶ୍ରମ ବିଭାଗ ସହ ମିଶି ଅଣ୍ଟା ଭିଡ଼ିଛି ବିଏମସି । ଶ୍ରମିକ ଆବଶ୍ୟକୀୟ ସୁବିଧା ସହ ପାଇବେ ମୁଣ୍ଡ ଉପରେ ଛାତ । ନିର୍ମାଣ ହେବ ଶ୍ରମିକ ଆଶ୍ରୟ ସ୍ଥଳ । ରାଜଧାନୀରୁ ଆରମ୍ଭ ହୋଇ ରାଜ୍ୟର ସବୁ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ଏହି ବ୍ୟବସ୍ଥା । ଶ୍ରମିକଙ୍କୁ ସଂଗଠିତ କରିବା ଓ ସେମାନଙ୍କ ପାଇଁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଉ ପାଦେ ଆଗକୁ ଯାଇ ଶ୍ରମିକଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର ।

BMC To Setup Shelter For Daily Labourers

ଖରା, ବର୍ଷା ଓ ଶୀତ ସବୁ ସମୟରେ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିବାକୁ ଚେଷ୍ଟା କରନ୍ତି ଏମାନେ । ଏଭଳି ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଶ୍ରମ ବିଭାଗ ଓ ବିଏମସି ନେବାକୁ ଯାଉଛନ୍ତି ନୂଆ ପଦକ୍ଷେପ । ଖୁବଶୀଘ୍ର ରାଜଧାନୀର ପ୍ରମୁଖ ୫ରୁ ୬ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ଶ୍ରମିକ ବିଶ୍ରାମ ଗୃହ । ଯେଉଁଠି ବିଶ୍ରାମ ସହ ରହିବା, ପାନୀୟ ଜଳ ଓ ଫ୍ୟାନ ସହିତ ନିକଟରେ ଆହାର କେନ୍ଦ୍ର ଭଳି ସ୍ୱଳ୍ପ ଖର୍ଚ୍ଚରେ ଖାଦ୍ୟର ବ୍ୟବସ୍ଥା ହେବ । ଶ୍ରମ କମିଶନର ଓ ବିଏମସି ଅତିରିକ୍ତ କମିଶନର ରାଜଧାନୀର ୬ଟି ସ୍ଥାନ ବୁଲି ତଦାରଖ କରିଛନ୍ତି । ରାଜଧାନୀରେ ଖୁବଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।