spot_img
Home Blog Page 4936

ଭିଜାଉଛି ଲଘୁଚାପ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଗୋଟିଏ ଲଘୁଚାପ ଦୁର୍ବଳ ହେଲା ପରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଏଥିସହ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି ଏବଂ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ୱାୟନାଡ଼ରେ ନୋରୋଭାଇରସରେ ୧୧ ଛାତ୍ରଙ୍କ ସମେତ ୧୩ ଜଣ ସଂକ୍ରମିତ

ୱାୟନାଡ଼: ଟଳିନି କରୋନା ବିପଦ । କେରଳରେ ଚିନ୍ତା ବଢ଼ାଇଲାଣି ନୋରୋ ଭାଇରସ୍ । ବିଭିନ୍ନ ପ୍ରାଣୀଙ୍କ ଶରୀରରୁ ଜାତ ଏହି ଭୂତାଣୁ ବିଭିନ୍ନ ପ୍ରଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଜରିଆରେ ସଂକ୍ରମିତ କରିଥାଏ । କେରଳର ୱାୟନାଡ଼ ଜିଲ୍ଲାରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଛି । ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ନୋରୋଭାଇରସ ପ୍ରତି ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଭୂତାଣୁର ମୁକାବିଲା ଲାଗି ପଦକ୍ଷେପ ନିଆଯାଇଛି ।

Norovirus Confirmed In Kerala Wayanad 13 Infected

ଏହି ଭୂତାଣୁ ଯୋଗୁ ଲୋକମାନଙ୍କ ପେଟ ଯନ୍ତ୍ରଣା ହେବା ସହ ଜଳାପୋଡ଼ା ହୋଇଥାଏ । ଏପରି ପ୍ରବଳ ବାନ୍ତି ଓ ଡାଇରିଆ ହେବାର ଆଶଙ୍କା ଥାଏ । ଏହା ସହ ତଳିପେଟ ଯନ୍ତ୍ରଣା, ଜର, ମୁଣ୍ଡବ୍ୟଥା, ଶରୀର ପୀଡ଼ା ଅନୁଭୂତ ହୋଇଥାଏ । ତେବେ ସ୍ୱାସ୍ଥ୍ୟବାନ ଲୋକଙ୍କ ଲାଗି ଏହି ଭୂତାଣୁ ବିପଦ ସୃଷ୍ଟି କରି ନଥାଏ । ସଂକ୍ରମିତ ରୋଗୀଙ୍କ ସହ ସମ୍ପର୍କରେ ଆସିଲେ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥାଏ । ସଂକ୍ରମିତ ରୋଗୀମାନ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ବରଗଡ଼ରେ ଆରମ୍ଭ ହେବ ବିଏସକେୱାଇ କାର୍ଡ ବଣ୍ଟନ, କ୍ୟାନସର ହସ୍ପିଟାଲ ପାଇଁ ହେବ ଶିଳାନ୍ୟାସ

ବରଗଡ଼ରେ ଆରମ୍ଭ ହେବ ବିଏସକେୱାଇ କାର୍ଡ ବଣ୍ଟନ, କ୍ୟାନସର ହସ୍ପିଟାଲ ପାଇଁ ହେବ ଶିଳାନ୍ୟାସ

ବରଗଡ଼: ଆଜି ବିଜେପୁରରୁ ବରଗଡ଼ ପାଇଁ ଅଙ୍କା ହେବ ବିକାଶର ବ୍ଲୁପ୍ରିଣ୍ଟ । ଆହୁରି ସ୍ମାର୍ଟ ହେବ ବରଗଡ଼ । ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେବ ବରଗଡ଼ ଜିଲ୍ଲା । ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ବ୍ଲକ ଗଣ୍ଡପାଲି ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଏସକେୱାଇ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୩ ଲକ୍ଷ ୬୩ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ ।

CM Naveen Patnaik To Distribute BSKY Card In Bargarh Today
File PIC

ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ୨୯୫ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ବିଜେପୁରରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ନିଅଁ ପଡ଼ିବ । ଏହା ସହିତ ବିଦ୍ୟୁତ୍ ଗ୍ରୀଡର ଶୁଭ ଉଦଘାଟନ କରାଯିବ । ଏହାସହିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ସହିତ ପାନୀୟ ଜଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

 CM Naveen Patnaik To Distribute BSKY Card In Bargarh Today
File PIC

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ତଦାରଖ କରୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ପ୍ରଣବଙ୍କ ସହିତ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ବରିଷ୍ଠ ନେତାମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ଗୋଟିଏ ଦିନରେ ଶ୍ରୀମନ୍ଦିର ହୁଣ୍ଡିରେ ଶ୍ରଦ୍ଧାଳୁ ପକାଇଲେ ୨୮ ଲକ୍ଷ

ପୁରୀ:  ଗୋଟିଏ ଦିନରେ ଦିନକରେ ଶ୍ରୀମନ୍ଦିର ହୁଣ୍ଡିରୁ ରେକର୍ଡ ସଂଖ୍ୟକ ଦାନ ସଂଗ୍ରହ ହୋଇଛି । ୨୮ ଲକ୍ଷ ନଗଦ ଟଙ୍କା ସମେତ 550 ମିଲି ଗ୍ରାମ ସୁନା ଓ ୬୧ ଗ୍ରାମ ରୁପା ମଧ୍ୟ ମିଳିଛି । ସାଧାରଣ ଦିନମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ହାରାହାରି ୩ରୁ ୪ ଲକ୍ଷ ଟଙ୍କାର ଦାନ ମିଳୁଥିବାବେଳେ, ଆଜିର ଦାନ ପରିମାଣ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି ।

ପବିତ୍ର ଅଁଳା ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତମାନେ ଶ୍ରୀଜିଉଙ୍କୁ ମନଖୋଲି ଦାନ କରିଛନ୍ତି । ଗତ ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ପରିମାଣ ବୃଦ୍ଧି ପରିଲକ୍ଷିତ ହେଉଛି ।

ପ୍ରେମ କରି ଅନ୍ୟତ୍ର ରହୁଥିଲେ, ବର୍ଷେ ପରେ ବାପଘର ଜାଣିଲେ ଝିଅକୁ ହତ୍ୟା କରିଛି ଜ୍ୱାଇଁ

କେନ୍ଦୁଝର: ପ୍ରେମ ଜାଲରେ ଫସାଇ, ଯୁବତୀଙ୍କୁ ବିବାହ ଓ ପରେ ହତ୍ୟା । ଦୀର୍ଘ ୧ ବର୍ଷ ପରେ ଯୁବତୀଙ୍କ ହାଡ଼ ଓ ଚୁଡ଼ି ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିଥିଲେ ।

ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ରହିଥିଲେ । ତେବେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା ।

ଝିଅ କେଉଁଠି ବୋଲି ପ୍ରଶ୍ନ କରିବା ପରେ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାରେ ଏତଲା ଦେଇଥିଲେ ନବାତଙ୍କ ପରିବାର ଲୋକେ । ପୋଲିସ ଚକ୍ରଧରଙ୍କୁ ପଚରାଉଚରା କରିବା ପରେ ହତ୍ୟା କରିଥିବା ସ୍ବୀକାର କରିଥିଲା । ଚକ୍ରଧରଙ୍କ ସୂଚନା ଆଧାରରେ ଜୁଡ଼ିଆ ଘାଟିରୁ ଯୁବତୀଙ୍କ ହାଡ ଓ ଚୁଡ଼ୀ ଜବତ କରିଛି ପୋଲିସ୍ ।

ସବୁ ରୁଟରେ ଗଡ଼ିବ ଟ୍ରେନ, ସେବା ସ୍ୱଭାବିକ କରିବାକୁ ରେଳ ବିଭାଗର ବିଜ୍ଞପ୍ତି

ନୂଆଦିଲ୍ଲୀ: ସ୍ୱଭାବିକ ହୋଇଛି ରେଳସେବା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗଡ଼ିବ ସମସ୍ତ ରୁଟରେ ଟ୍ରେନ  ।  ସମୟ ଅନୁଯାୟୀ ସମସ୍ତ ନିୟମିତ ଟ୍ରେନ୍ ଯାହା ବର୍ତ୍ତମାନ MSPC (ମେଲ୍ / ଏକ୍ସପ୍ରେସ୍ ସ୍ପ୍ଲ୍) ଏବଂ HSP (ହଲିଡେ ସ୍ପ୍) ଟ୍ରେନ୍ ସେବା ଭାବରେ କାର୍ଯ୍ୟ କରୁଛି, ତାହା ୨୦୨୧ କାର୍ଯ୍ୟ ସୂଚୀ ଅନୁଯାୟୀ ଗଡ଼ିବ  ।

କୋଭିଡ କାରଣରୁ ରେଳ ବିଭାଗ ଚ୍ରେନ ଚଳାଚଳରେ ପରିବର୍ତ୍ତନ କରିଥିଲେ  । ଅର୍ଥାତ ବିଭିନ୍ନ ରୁଟରେ ପରିବର୍ତ୍ତନ ହୋଇଥିଲା  । ପୂର୍ବ ଧାର୍ଯ୍ୟ ଭଡ଼ାରେ ମଧ୍ୟ ବିଶେଷ ପରିବର୍ତ୍ତନ କରାଯାଇଥିଲା  । ବର୍ତ୍ତମାନ କୋଭିଡ ସ୍ଥିତିରେ ସୁଧାର ଆସିଛି  । ଏବଂ ପୂର୍ବ ପରି ପୁଣି ଥରେ ଭାରତୀୟ ରେଳ ସେବାକୁ ସ୍ୱଭାବିକ କରିବାକୁ ନିଷ୍ପତି ନେଇଛି ରେଳ ବିଭାଗ  ।

 

ଆଫଗାନର ଗର୍ଜିଲା ବାରୁଦ, ମସଜିଦରେ ଭୟଙ୍କର ବିସ୍ଫୋରଣ

କାବୁଲ: ବିସ୍ଫୋରଣରେ ପୁଣି ଥରିଲା ଆଫଗାନିସ୍ତାନ । ପୂର୍ବାଞ୍ଚଳ ଆଫଗାନିସ୍ତାନର ନଙ୍ଗରହାର ପ୍ରଜାତନ୍ତ୍ରର ଏକ ମସଜିଦରେ ଘଟିଛି ବଡ ଧରଣର ବିସ୍ଫୋରଣ । ସ୍ପିନଘର ଇଲାକାରେ ଘଟିଥିବା ବିସ୍ପୋରଣରେ ପ୍ରାଣ ହରାଇଛନ୍ତି ୩ ଜଣ । ଆହତ ହୋଇଛନ୍ତି ୧୫ରୁ ଅଧିକ ଲୋକ । ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି ।

ଆହତଙ୍କ ମଧ୍ୟରେ ଜଣେ ଇମାମ ଥିବାବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜନଗହଳିପୂର୍ଣ୍ଣ ମସଜିଦରେ ପ୍ରାର୍ଥନା ଚାଲିଥିବାବେଳେ ଆତଙ୍କବାଦୀ ଏହା ଉପରେ ହମଲା କରିଥିଲେ । ବିସ୍ଫୋରଣ ଲାଗି ସୁଚିନ୍ତିତ ଯୋଜନା କରାଯାଇଥିଲା ଏବଂ ମସଜିଦ ଭିତରେ ବୋମା ରଖାଯାଇଥିବା ସନ୍ଦେହ କରାଯାଉଛି । ଏକ ଲାଉଡସ୍ପିକରରେ ଶକ୍ତିଶାଳୀ ବୋମା ଖଞ୍ଜାଯାଇଥିଲା ବୋଲି ସୂଚନା ମିଳିଛି ।

ପ୍ରାର୍ଥନା ଆରମ୍ଭ ହେବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ । ଗତ ଅଗଷ୍ଟରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଆସୁଛି ଇସଲାମିକ ଷ୍ଟେଟ ଇନ ଖୋରାସନ ପ୍ରୋଭିନ୍ସ ବା ଆଇଏସକେପି । ଏହି ସଂଗଠନ ଆଇଏସଆଇଏସ- କେ ସଂଗଠନର ସହଭାଗୀ ।

ସତ୍ୟଭାମାପୁର SBI ଲୁଟ ଘଟଣାରେ ପୋଲିସକୁ ସଫଳତା, ୪ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ: ଜଗତପୁର ସତ୍ୟଭାମାପୁର ଠାରେ ଘଟିଥିବା SBIର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାରେ ପୋଲିସକୁ ସଫଳତା । 4 ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର ବନ୍ଧୁକ ଓ ଖଣ୍ଡା ଜବତ କରିଛି ଜଗତପୁର ପୋଲିସ୍ । ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ପୋଲିସ ଜବତ କରିଛି ।ଗାଙ୍ଗର ମାଷ୍ଟରମାଇଣ୍ଡ ଥିଲେ ଗୋବିନ୍ଦପୁରର ଦୁଇ ଭାଇ ଦିପୁ ଓ ଲିପୁ ।

ଗତ ମାସ 4 ତାରିଖରେ ଏହି ଡକାୟତି ହୋଇଥିଲା । ଅପରାହ୍ନ ପ୍ରାୟ 12 ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବାକେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖି ଏକ ଲକ୍ଷ 30 ହଜାର ଟଙ୍କା ଲୁଟ କରିଥିଲେ । ଏହି ଗାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ ଅଭିଯୋଗ । ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା । ପୋଲିସ ବିଭାଗର ମିଳିତ ପୋଲିସ ସେବା ବା ସିପିଏସିଇ ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ ପକାଇଥିଲେ ଜାଲ । ଫେକ୍ ଆଇଡ଼ି କାର୍ଡ ଦେଖାଇ ଜନ୍ମାଉଥିଲେ ଆଶାୟୀ ମନରେ ବିଶ୍ବାସ । ପିଅନ, ଡ୍ରାଇଭର ଓ ମାଳିଙ୍କ ମାଧ୍ୟମରେ କରୁଥିଲେ ଶିକାର ।

ଠକଙ୍କ ଟାର୍ଗେଟରେ ଥିଲେ ଭାୟାବସ ଟେଷ୍ଟ ଦେଇଥିବା ଆଶାୟୀ । ୬ ଲକ୍ଷ ଟଙ୍କା ଦେଲେ ଏସଆଇ, ସର୍ଜେଣ୍ଟ ଓ ସୁବେଦାର ଚାକିରୀ ପାଇଁ ମିଳୁଥିଲା ପ୍ରତିଶ୍ରୁତି । ଦୁଇଜଣ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ୩୮ ଜଣ ଚାକିରୀ ଆଶାୟୀଙ୍କ ଠାରୁ ପାଖାପାଖି ଦେଢ କୋଟି ଟଙ୍କା ଠକିଥିଲେ । ଆଉ ଦୁଇ ଫେରାର ଥିବାବେଳେ ୨ ଜଣ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ଇଓଡବ୍ଳୁ । କ୍ରାଇମବ୍ରାଞ୍ଚ ଇଓଡବ୍ଳୁରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ଟିମ ।

ସୂଚନା ମୁତାବକ ଆଶାୟୀ ମାନେ ଦୁଇ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୟାସ୍ ଡିପୋଜିଟ୍ କରିଥିଲେ । ଫେରାର ଦୁଇଜଣ ଡ୍ରାଇଭର ବୋଲି ଜଣା ପଡିଛି । ପ୍ରକୃତରେ ଗୃହ ବିଭାଗରେ ବୈକଣ୍ଠନାଥ ନାମକ ଜଣେ ଲୋକ ଚାକିରୀ କରୁଛି। ଠକ ବୈକୁଣ୍ଠ କୌଶଳ କ୍ରେମ କାର୍ଡ ହାତେଇ ନିଜର ଫଟୋ ଲଗାଇ ଆଶାୟୀ ମାନଙ୍କୁ ଦେଖାଉଥିବା ତଦନ୍ତରୁ ଇଓଡବ୍ଳୁ ଜାଣିବାକୁ ପାଇଛି । ଠକ ବୈକୁଣ୍ଠନାଥ ନାୟକଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ଇଓଡବ୍ଳୁ । ଫେରାର ଦୁଇ ଅଭିଯୁକ୍ତକୁ ଖୋଜୁଛି ଟିମ୍ ।

ଟପ୍ ମାଓ ନେତା ପ୍ରଶାନ୍ତ ବୋଷ ଗିରଫ, ଘୋଷଣା ହୋଇଥିଲା କୋଟିଏ ଟଙ୍କା

ରାଞ୍ଚି: ଟପ୍ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଦା ଗିରଫ । କିଷାନଙ୍କୁ ଗିରଫ କଲା ଝାଡଖଣ୍ଡ ରାଞ୍ଚି ଏସଟିଏଫ । କିଷନଙ୍କ ମୁଣ୍ଡ ଲାଗି ଘୋଷିତ ହୋଇଥିଲା ୧ କୋଟି ଟଙ୍କାର ପୁରସ୍କାର । ଏହା ସହ ତାଙ୍କ ସ୍ତ୍ରୀ ଶୀଲା ମାରଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଶୀଲା ସ୍ଥାନୀୟ ସିପିଆଇ ମାଓବାଦୀ ସଂଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟରେ ବିଭିନ୍ନ ଅପରାଧ ଘଟଣାରେ କିଷାନ ଦାଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିଲା ପୋଲିସ ।

କିଷନ ଦା ସିପିଆଇ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ସଦସ୍ୟ ଥାଇ ସଂଗଠନର ପରିଚାଳନା କରୁଥିଲେ । ସେ ମଧ୍ୟ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟୁରୋର ସମ୍ପାଦକ ଥିଲେ । ଗୁଇନ୍ଦା ତଥ୍ୟକୁ ଆଧାର କରି ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ପଶ୍ଚିମବଙ୍ଗରେ ଜନ୍ମିତ କିଷନ ଦା ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଅନାନ୍ୟ ରାଜ୍ୟରେ ସଂଗଠନର ଭୂମିକା ନିର୍ବାହ କରୁଥିଲେ । ସେ ସରଣ୍ଡା ଜଙ୍ଗଲରେ ରହି ମାଓବାଦୀ ସଂଗଠନର ନେତୃତ୍ବ ନେଉଥିଲେ ।  ଗିରଫ ପରେ ତାଙ୍କୁ ଏସଟିଏଫ ଜେରା କରିବା ଜାରି ରଖିଛି  ।