ଡାହାଣୀ ସନ୍ଦେହ: ୧୯ ବର୍ଷରେ ୧୭ ଶହ ମହିଳାଙ୍କୁ ହତ୍ୟା

ଭୁବନେଶ୍ବର: ମଣିଷ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ବାସକୁ ଛାଡ଼ି ପାରୁନାହିଁ । ଆମ ସାମାଜିକ ଚଳନି ସହ ଅନ୍ଧ ବିଶ୍ବାସ କେତେ ଜଡ଼ିତ ଓ ସମାଜ ଉପରେ ଏହାର କେତେ ପ୍ରଭାବ ରହିଛି ତାହା ଆକ୍ସନ ଏଡ୍‌ ଓ ରାଜ୍ୟ ମହିଳା ଆୟୋଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ଡାହାଣୀ ପ୍ରଥାର ସ୍ଥିତି ସମ୍ପର୍କିତ ରିପୋର୍ଟରୁ ଜଣାପଡିଛି । ରିପୋର୍ଟରୁ ଆସିଛି ଚାଚ୍ଛଲ୍ୟକର ତଥ୍ୟ । ୧୯୯୧ଠାରୁ ୨୦୧୦, ୧୯ବର୍ଷରେ ଦେଶରେ ଡାହାଣୀ ସନ୍ଦେହରେ ୧୭ ଶହ ମହିଳାଙ୍କୁ ହତ୍ୟା କରାଯାଇଛି । ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଘଟିଛି ଏମିତି ଘଟଣା ।

ଓଡ଼ିଶା କଥା ଯଦି ବିଚାର କରିବା କେନ୍ଦୁଝର ଜିଲ୍ଲା ତାଲିକାର ଶୀର୍ଷରେ ଥିବାବେଳେ ମୟୂରଭଞ୍ଜ ଦ୍ଵିତୀୟ, ଗଞ୍ଜମ ଜିଲ୍ଲା ତୃତୀୟ ଓ ଗଜପତି ଶେଷ ଜିଲ୍ଲା ଭାବେ ସ୍ଥାନ ପାଇଛି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ଏହା ଅଧିକ ପରିଲକ୍ଷିତ ହୋଇଛି ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ଼, ଗଜପତି, ରାୟଗଡା, ମାଲକାନଗିରି, ନୟାଗଡ଼, କନ୍ଧମାଳ, ବାଲେଶ୍ବର, ସୁନ୍ଦରଗଡ ଓ କୋରାପୁଟ ଭଳି ଜିଲ୍ଲାରେ ଡାହାଣୀ ସନ୍ଦେହରେ ହତ୍ୟା ଘଟୁଛି । ୭୦ ଭାଗ ମାମଲାରେ ଲୋକଙ୍କୁ ଭିଟାମାଟି ବା ଗାଁ ଛାଡିବାକୁ ପଡିଛି । ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ, ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ବ୍ୟାପକ ସଚେତନତା ଓ ୨୦୧୩ରେ ଆସିଥିବା ଆଇନରେ ସଂଶୋଧନ ଜରୁରୀ । ରାଜ୍ୟରେ ପ୍ରଥମ ଥର ପାଇଁ ଡାହାଣୀ ବା ଗୁଣିଗାରେଡିଜନିତ ହିଂସା ସମ୍ପର୍କିତ ଵିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି । ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା, ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଏକ୍ସନ ଏଡର ଓଡିଶା ଆଞ୍ଚଳିକ ପ୍ରବନ୍ଧକ ଦେବବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply