ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଉଦଘାଟନ କରିବା ପରେ ମାଲକାନଗିରି ଗଲେ ଡାକ୍ତରୀ ଟିମ୍

1 min read

ଭୁବନେଶ୍ବର: ଏୟାର ଆମ୍ବୁଲାନ୍ସ ସେବା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏସବୁ ଜିଲ୍ଲାର ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡ୍‌ନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ। ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନଵ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର 5T ସଚିବ ଭି.କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଉଦଘାଟନ ପରେ କୋରାପୁଟ ଜିଲ୍ଲା ଜୟପୁର ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ୬ ଜଣିଆ ଡାକ୍ତରୀ ଦଳ । ସ୍ବାସ୍ଥ୍ୟ  ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ ସେମାନଙ୍କ ସହ ଅଛନ୍ତି । ଟିମ୍‌ରେ ଅଛନ୍ତି ଏସ୍‌ସବି ମେଡିକାଲ ଡିନ୍ ଦତ୍ତେଶ୍ବର ହୋତା, ଡାକ୍ତର ଚିତ୍ତରଞ୍ଜନ ପଣ୍ଡା, ଦେବୀପ୍ରସନ୍ନ ମିଶ୍ର ଓ ଏସ.ଏନ ରାଉତରାୟ  । ଜୟପୁରରେ ପହଞ୍ଚିବା ପରେ ୨ଟି ଦଳରେ ବିଭକ୍ତ ହୋଇ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍‌ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ଗୁରୁତର ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର କରିବେ ।

Leave a Reply