ରାସ୍ତା ସହ ହେମାମାଳିନୀଙ୍କ ଗାଲକୁ ତୁଳନା କଡି ଅଡୁଆରେ ଶିବସେନା ନେତା

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତା ହେମାମାଳିନୀଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ଅଡୁଆରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ । ଏକ ସଭାରେ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁର ରାସ୍ତାଗୁଡିକ ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ଦିଶୁଥିବା କହିଥିଲେ ପାଟିଲ । ରାଜ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ତେଜିବାରେ ଲାଗିଛି ରାଜନୀତି । କଥା ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । ଏନେଇ କ୍ଷମାପ୍ରାର୍ଥନା କରିବା ଲାଗି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ସ୍ଥାନୀୟ ବୋଧଓ୍ବାଡ ନଗର ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସେ ଏହା କହିଥିବାର ଭିଡିଓ ଭାଇରାଲ ହେବା ପରେ ତାତିଛି କମିଶନ । ଭାଷଣ ଦେବା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତାକୁ ଦେଖିବା ଲାଗି ବିରୋଧୀ ଦଳଗୁଡିକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ପାଟିଲ । ଏହାସହ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ବୋଲି କହିଥିଲେ । ପରୋକ୍ଷରେ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବହୁ ଥର ପ୍ରତିନିଧିତ୍ବ କରିଥିବା ବିଜେପିର ପୂର୍ବତନ ବିଧାୟକଙ୍କୁ ସେ ଟାର୍ଗେଟ କରିଥିଲେ । ଯଦି ଏହି ମନ୍ତବ୍ୟ ଲାଗି ମନ୍ତ୍ରୀ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା ରୂପାଲି ଚକାଙ୍କର । ତିନି ସପ୍ତାହ ତଳେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତାଗୁଡିକ ଏପରି ଭାବେ ତିଆରି କରିବେ ତାହା  କାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ  ହେବ । 2019ରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ପି.ସି. ଶର୍ମା ମଧ୍ୟ ସମଧରଣର ମନ୍ତବ୍ୟ ଦେଇଥିଲେ । ଗତ ଜାନୁଆରୀ 2019ରେ ବିହାରର ଜଣେ କ୍ୟାବିନେଟ ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଖିବାକୁ ସୁନ୍ଦର ବୋଲି ତାଙ୍କୁ କଂଗ୍ରେସରେ ସାମିଲ କରାଯାଇଛି । ତେବେ ଶିବସେନା ନେତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏମପି ତଥା ଅଭିନେତ୍ରୀ ହେମାମାଳିନୀ ।

Leave a Reply