ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ: ‘ଆବାସ’ ଯୋଜନା ନେଇ ରାଜ୍ୟର ଦାବି ଜଣାଇଲେ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସୋମବାର ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୧ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍‌ଏନ୍‌ଆରଇଜିଏମ୍ ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଥିଲେ ।

ପୂର୍ବରୁ ଗତ ୧୪ ତାରିଖରରେ ମଧ୍ୟ ବିଜେଡି ସଂସଦୀୟ ଦଳ ସମାନ ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍‌ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ବାସହରାଙ୍କୁ ଖୁବଶୀଘ୍ର ଘର ଦେବାକୁ ଦାବି କରିଥିଲେ । ଫୋନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଫୋନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଆରଏଚ ପୋର୍ଟାଲ ସର୍ଭେ ବେଳେ ଏହା ଜଣାପଡିଛି ।

ସେହିପରି ଅଣ ଫୋନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏମାନେ ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର । ତେଣୁ ଏବେ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି । ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ବାକି ପରିବାରକୁ ଘର ଶୀଘ୍ର ଯୋଗାଇ ଦେବାକୁ ଦାବିରେ କହିଛି ବିଜେଡି । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ପୁଣି ଥରେ ଆଲୋଚନା କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପୁଣି ବିଜେଡି ସଂସଦୀୟ ଦଳ ସହ ଆଲୋଚନା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: PMAYରେ ଓଡ଼ିଶାକୁ ଗୃହ ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡି ସାଂସଦ

Leave a Reply