spot_img
Home Blog Page 4850

ଥାନା ବାବୁଙ୍କ କାରରୁ ୨ ଲକ୍ଷ ଟଙ୍କା ଜବତ, ଟୋଲ୍ ଗେଟରେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଥାନା ବାବୁ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କାରରୁ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ ଧରିଛି ଭିଜିଲାନ୍ସ । ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଛି । ଜବତ ଟଙ୍କା ବେଆଇନ୍ ଉପାୟରେ ଆୟ କରାଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଧରାପଡ଼ିବା ପରେ ଥାନାବାବୁ ଭିଜିଲାନ୍ସ ଆଗରେ ହାତ ଯୋଡ଼ି ବସିଥିବା ଦେଖା ଯାଉଛି ।

Vigilance Trapped Bangomunda IIC Binod Bihari Nayak

ବିନୋଦଙ୍କ ଠାରୁ ସମସ୍ତ ଟଙ୍କା ଜବତ କରାଯାଇଛି । ତେବେ ଜବତ ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି ବିନୋଦ ବିହାରୀ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା ଜାରି ରଖାଯାଇଛି । ଟଙ୍କା ସହ କାର ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନ ବଲାଙ୍ଗିର, ସମ୍ବଲପୁର ଓ ଦେବଗଡ଼ରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ କାରରୁ ଟଙ୍କା ଜବତ କରିଛି ।

୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୨୩୮୭ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିପ୍ଲବ । ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ୯୯୯ କୋଟି ୯୯ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨.୨୭କୋଟି ଟଙ୍କା ନିବେଶରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୭.୭୨ କୋଟି ଟଙ୍କା ବିନିଯୋଗରେ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ, ଉତ୍ପାଦନଭିତ୍ତିକ ଶିଳ୍ପ ଓ ସାର କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ୨ ହଜାର ୩୮୭ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ।

 CM Naveen Patnaik Inaugurates 17 Industrial Project

ଅର୍ଥନୈତିକ ଅଭିବୃଦ୍ଧିରେ ଶିଳ୍ପାନୁଷ୍ଠାନ ନେଉଛନ୍ତି ପ୍ରମୁଖ ଭୂମିକା । ଦେଶରେ ଅକ୍ସିଜେନ୍ ଅଭାବ ସମୟରେ ଓଡ଼ିଶା ଦେଇଥିଲା ଜୀବନ । ପୁଞ୍ଜି ନିବେଶକାରୀଙ୍କ ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଦେଉଛନ୍ତି । କୋଭିଡ୍ ବେଳେ ବି ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିଛି ଓଡ଼ିଶା । ବାଲେଶ୍ୱରରେ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ  ଗୋପାଳପୁରରେ ରିସୋର୍ଟ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ସ୍ପଷ୍ଟ ଶିଳ୍ପନୀତି ଓ 5T ସଂସ୍କାର ଯୋଗୁଁ ରାଜ୍ୟକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶର ସୁଅ ଛୁଟିଛି । କୋଭିଡ୍ ମହାମାରୀ ପ୍ରଭାବ ସତ୍ତ୍ୱେ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବିନିଯୋଗ ହୋଇଛି ।

ଜେସିବିରେ ଏଣ୍ଟ୍ରି କଲେ ବର-କନ୍ୟା, ଆଉ ତା’ ପରେ…

ବାହାଘର ପାଇଁ ଲୋକେ କେତେ କ’ଣ ଟ୍ରେଣ୍ଡ ଫଲୋ କରନ୍ତି । ସବୁ କପଲ୍ ନିଜ ବାହାଘରକୁ ଅନ୍ୟଠୁ ଭିନ୍ନ ଢଙ୍ଗରେ କରିବାକୁ ଇଚ୍ଛା ରଖିଥାନ୍ତି । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ନିଜ ବିବାହ ଉତ୍ସବରେ ୟୁନିକ ଷ୍ଟାଇଲରେ ଏଣ୍ଟ୍ରି କଲେ ବର-କନ୍ୟା । ଦୁଇ ଚକିଆ କି ଚାରି ଚକିଆ ନୁହଁ ଜେସିବିରେ ହେଲା ବର-କନ୍ୟାଙ୍କ ଏଣ୍ଟ୍ରି ।  ନିଜ ବିବାହକୁ ଏକ ସ୍ମରଣୀୟ ଦିନ କରିବାକୁ ଏଭଳି ୟୁନିକ୍ ଷ୍ଟାଇଲରେ ଏଣ୍ଟ୍ରି କରିବାକୁ ଉଭୟେ ଇଚ୍ଛା ରଖିଥିଲେ । ଉଭୟଙ୍କ ଏହି ଆଶା ପୂରଣ ହୋଇଥିଲା ସତ ମାତ୍ର ଏହା ସେତେବେଳେ ଭାଇରାଲ ହେଲା ଯେତେବେଳେ ଉଭୟେ କପଲ୍ ଜେସିବିରେ ବସିଥିବା ବେଳେ ତଳକୁ ଖସିପଡ଼ିଥିଲେ ।

https://twitter.com/BULL9313/status/1465364507782381571?s=20

 

ବିବାହରେ ଆସିଥିବା ସମସ୍ତ ଅତିଥି ବର-କନ୍ୟାଙ୍କୁ ପ୍ରତିକ୍ଷା କରିଥିବା ବେଳେ ଉଭୟେ ଜେସିବିରେ ଆସିଥିଲେ । ବର କୋର୍ଟ, ପ୍ୟାଣ୍ଟ ପିନ୍ଧିଥିବା ବେଳେ କନ୍ୟା ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଉଛି । ଠିକ୍ ଏତିକିବେଳେ ଜେସିବିରୁ ଉଭୟ ଖସିପଡ଼ୁଥିବା ଦେଖାଯାଉଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଏଠାରେ ଉପସ୍ଥିତ ଥିବା ଅତିଥିଗଣ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଟ୍ୱିଟରରେ ଭିଡିଓଟିକୁ ଥଟ୍ଟା କରୁଥିବାର ଦେଖାଯାଇଛି । ଭିଡିଓଟି କେଉଁ ସ୍ଥାନର ତାହା ଏଯାଏ ଜଣାପଡ଼ିନାହିଁ, ମାତ୍ର ଏହା ବାହାର ଦେଶର ବୋଲି ଭିଡିଓରୁ ଜଣାପଡ଼ୁଛି ।

ଆସିଲା ଡିସେମ୍ବର କରୋନା ଗାଇଡଲାଇନ୍, ନୂଆବର୍ଷ ପାଳନ ଉପରେ କଟକଣା

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।

ସାଧାରଣତଃ ଲୋକେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି । ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ନୂଆବର୍ଷରେ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଲୋକଙ୍କୁ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି ।

ପୂର୍ବଭଳି ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ । ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦ ପ୍ରତିଶତ ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ । ବାହାଘର, ବ୍ରତଘର ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ୍ ହୋଇପାରିବେ ।

ଟେକ୍ କମ୍ପାନୀ ପରେ କ୍ରିକେଟରେ ଭାରତୀୟଙ୍କ ଦବଦବା

ଓ୍ବାଶିଂଟନ: ଆମେରିକାରେ ରାଜ୍ କରୁଛନ୍ତି ଭାରତୀୟ । ସେ ଟେକ୍ନୋଲୋଜୀ କମ୍ପାନୀ ହେଉ କି କ୍ରିକେଟ । ସବୁ କ୍ଷେତ୍ରରେ ନିଜର ଦବଦବା ଜାହିର କରିଛି ଭାରତ । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ନୂଆ ସିଇଓ ଭାବରେ ଯୋଗ ଦେଇଛନ୍ତି ଭାରତୀୟ ପରାଗ ଅଗ୍ରଓ୍ବାଲ । ଆମେରିକାରେ ଏମିତି ଅନେକ ଗ୍ଲୋବାଲ କମ୍ପାନୀ ରହିଛି ଯାହାର ମୁଖ୍ୟ ହେଉଛନ୍ତି ଭାରତୀୟ । ତେବେ ଏହା ଖାଲି ଟେକ୍ କମ୍ପାନୀ ପର୍ଯ୍ୟନ୍ତ ସୀମିତ ରହିନାହିଁ । ଆମେରିକା କ୍ରିକେଟ ଟିମର ଅଧିନାୟକ ମଧ୍ୟ ଜଣେ ଭାରତୀୟ ।

ଯଦିଓ ଆମେରିକା ବିଶ୍ବ କ୍ରିକେଟରେ ନିଜର ଜଲଓ୍ବା ଦେଖାଇ ନାହିଁ । କିନ୍ତୁ ବର୍ତ୍ତମାନ କ୍ରିକେଟକୁ ନେଇ ଆମେରିକାରେ କ୍ରେଜ୍ ବଢ଼ିବାରେ ଲାଗିଛି । ଆମେରିକା ନ୍ୟାସନାଲ କ୍ରିକେଟ ଟିମରେ ଅଧିନାୟକ ସୌରଭ ନେତ୍ରାଭାଲକର ମଧ୍ୟ ଜଣେ ଭାରତୀୟ । ସୌରଭ ଭାରତ ପକ୍ଷରୁ ଅଣ୍ଡର-୧୯ ଦଳରେ ସାମିଲ ମଧ୍ୟ ଥିଲେ । ଅନ୍ୟପକ୍ଷରେ ଭାରତରେ ହେଉଥିବା କୁଚ ବିହାର ଟ୍ରଫିରେ ମଧ୍ୟ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି ସୌରଭ ।

ପରାଗ ଅଗ୍ରଓ୍ବାଲ ଟ୍ବିଟର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଟେସଲା ସିଇଓ ଏଲନ ମସ୍କ ଟ୍ବିଟ କରି କହିଥିଲେ କି ଆମେରିକାକୁ ଭାରତୀୟ ଟ୍ୟାଲେଣ୍ଟମାନଙ୍କଠାରୁ ବହୁତ ଫଇଦା ମିଳୁଛି । ଏହି ଟ୍ବିଟର ଜବାବରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର ଟ୍ବିଟ କରି ଲେଖିଥିଲେ କି କେବଳ ଟେକ୍ କମ୍ପାନୀରେ ନୁହେଁ କ୍ରିକେଟରେ ବି ଆମେରିକା ଟିମରେ ଅଧିନାୟକତ୍ବ କରୁଛନ୍ତି ଜଣେ ଭାରତୀୟ ।

ଓ୍ବାସିମ ଜାଫରଙ୍କ ଏହି ଟ୍ବିଟକୁ ସୌରଭ ନେତ୍ରାଭାଲକର ରିଟ୍ବିଟ କରି କହିଛନ୍ତି ମୋର ଏବେ ବି ମନେ ଅଛି ଆପଣ ମୋତେ ରଣଜୀ ଟିମର କ୍ୟାପ ଦେଇଥିଲେ । ଟ୍ବିଟର ସିଇଓ ଭାବରେ ପରାଗ ଅଗ୍ରଓ୍ବାଲ ନାଁ ସାମ୍ନାକୁ ଆସିବା ପରେ ସୌରଭ ନେତ୍ରାଭାଲକର ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି ।

 

 

ମମିତା ମେହେର ହତ୍ୟା ମାମଲା, ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ତଦାରଖ କରିବେ ଅବସରପ୍ରାପ୍ତ ବିଚାରପତି

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା। ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଜିଲ୍ଲା ଦୌରାଜଜ୍ କିମ୍ବା ଅବସରପ୍ରାପ୍ତ ଜିଲ୍ଲା ଦୌରାଜଜ୍‌ଙ୍କୁ ତଦନ୍ତ ଦାୟିତ୍ୱ ଦେବାକୁ ଅନୁରୋଧ କରିଥିଲେ । ଆଜି ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ହାଇକୋର୍ଟ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ ତଦନ୍ତ ପ୍ରକ୍ରିୟାର ତଦାରଖ କରିବା ପାଇଁ ମନୋନୀତ କରିଛନ୍ତି ।

High Court Engage A Retired Judge To Supervise Mamita Meher Case

ମମିତା ମେହେର ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମ୍‌ରେ ପୋତି ଦେଇଥିବା ଜେରା ବେଳେ ଗୋବିନ୍ଦ ସ୍ୱୀକାର କରିଥିଲା । କାର ଭିତରେ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲେ । ହତ୍ୟା ପରେ ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲେ ।

ବାତ୍ୟା ଆସୁଛି, ପାଚିଲା ଧାନ ଅମଳରେ ବ୍ୟସ୍ତ ଚାଷୀ

ଭୁବନେଶ୍ୱର: ଡରାଇଲାଣି ସମ୍ଭାବ୍ୟ ବାତ୍ୟା । ‘ଜୱାଦ’ ଚିତ୍ର ସ୍ପଷ୍ଟ ହେବା ପରେ କେମିତି ବର୍ଷକର ପାଚିଲା ଫସଲ ଘରକୁ ଆସିବ ସେ ନେଇ ଚାଷୀଙ୍କୁ ଘାରିଛି ଚିନ୍ତା । କ୍ଷେତରୁ ଖଳାବାରି ବାରି ହୋଇ ପଡ଼ୁଛି ଚାଷୀଙ୍କ ବ୍ୟସ୍ତତା । ଅମଳ ଧାନକୁ ସୁରକ୍ଷିତ ଗଚ୍ଛିତ ଲାଗି ଚାଷୀ କରୁଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ । ୩ ତାରିଖରୁ ବର୍ଷା ଆରମ୍ଭ ହେଉଥିବାରୁ ପାଚିଲା ଧାନ କାଟିବା ସହ ଗଦା ମାରି ସାଇତି ରଖୁଛନ୍ତି ।

ବିପର୍ଯ୍ୟୟ ପୂର୍ବରୁ ଅମଳରେ ବ୍ୟସ୍ତ ଚାଷୀକୁଳ । ଭାରତୀୟ ପାଣିପାଗ କେନ୍ଦ୍ର ବାତ୍ୟା ‘ଜୱାଦ’ର ରୂପରେଖ ସ୍ପଷ୍ଟ କରିବା ପରେ ସତର୍କ ହୋଇଛି ଚାଷୀ କୂଳ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ୩ରୁ ଆରମ୍ଭ ହେବ ବର୍ଷା । ଏହାକୁ ଦୃଷ୍ଟିରେ ରଖି ଧାନ କାଟିବା ସହ ଅମଳ ଫସଲକୁ ସାଇତି ରଖିବାରେ ଚାଷୀ ଲଗି ପଡ଼ିଛନ୍ତି । ଜଗତସିଂହପୁରରୁ  ଯାଜପୁର, ଗଞ୍ଜାମରୁ ଭଦ୍ରକ ସବୁଠି ପାଚିଲା ଧାନକୁ କାଟି ସାଇତିବାରେ ଲାଗିଛନ୍ତି ।

Farmer Busy With Harvesting Of Paddy Ahead Of Cyclone

ନଭେମ୍ବରରେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ବାତ୍ୟା ଚାଷୀଙ୍କ ନିଦ ହଜାଇ ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ୧୩୦ ବର୍ଷ ପରେ ଡିସେମ୍ବରର ଜାଡ଼ରେ ବାତ୍ୟା ମାଡ଼

ପ୍ରେମିକଙ୍କୁ ଦେଖାଉଥିଲେ ଝିଅର ଫୁଙ୍ଗୁଳା ଦେହ ; ସିସିଟିଭିରେ କଏଦ ହେଲା ଭିଡିଓ

ଗାଜିଆବାଦ : ପରକ୍ରିୟାପ୍ରୀତିର ମାମଲା ଦିନକୁ ଦିନକୁ ବଢ଼ୁଥିବା ଦେଖାଯାଉଥିବା ବେଳେ ଗାଜିଆବାଦରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଘରେ ସ୍ୱାମୀ ନଥିବା ବେଳେ ଜଣେ ମହିଳା ନିଜ ପ୍ରେମିକ ଆଗରେ ଫୁଙ୍ଗୁଳା ହେବା ସହ ୧୩ ବର୍ଷର ଝିଅକୁ ମଧ୍ୟ ଫୁଙ୍ଗୁଳା କରୁଥିଲା । ସିସିଟିଭି ଫୁଟେଜରେ ଘଟଣା କଏଦ୍ ହେବା ପରେ ସ୍ୱାମୀ ଉଭୟ ପତ୍ନୀ ଓ ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାଟି କବିନଗର ଥାନାର ଏକ କଲୋନୀର ବୋଲି ଜଣାପଡ଼ିଛି । ଏଠାରେ ମହିଳା ଜଣକ ନିଜ ସ୍ୱାମୀ, ଦୁଇ ଝିଅ ଓ ଗୋଟିଏ ପୁଅ ସହ ରହୁଥିବା ବେଳେ ସ୍ୱାମୀଙ୍କୁ ନିଜ ସ୍ତ୍ରୀ ଉପରେ ସନ୍ଦେହ ହୋଇଥିଲା । ତାଙ୍କ ଅନୁପସ୍ଥିତିରେ ଘରେ ଅନ୍ୟ ଜଣେ ଯୁବକ ଆସୁଥିବା ନିଜ ପୁଅ ଏବଂ ପଡ଼ୋଶୀଙ୍କଠୁ ସେ ଜାଣିବାକୁ ପାଇଥିଲେ । ପ୍ରକୃତ ସତ କଥା ଜାଣିବା ପାଇଁ ଘରେ ସିସିଟିଭି ଲଗାଇଥିଲେ । ଏହାପରେ ଘରେ ଘଟୁଥିବା ସମସ୍ତ ଲାଇଭ୍ ଫୁଟେଜ୍ ସିସିଟିଭିରେ ଦେଖି ସ୍ୱାମୀ ତାଜୁବ ହୋଇଯାଇଥିଲେ । ଏଥିରେ ମହିଳା ଜଣକ ପ୍ରେମିକକୁ ଡକାଇ ନିଜେ ଫୁଙ୍ଗୁଳା ହେବା ସହ ଘରେ ଥିବା ନିଜ ୧୩ ବର୍ଷର ଝିଅକୁ ମଧ୍ୟ ପ୍ରେମିକ ଆଗରେ ଫୁଙ୍ଗୁଳା କରୁଥିବାର ସେ ଦେଖିବାକୁ ପାଇଥିଲେ । ଘରେ ଏଭଳି ଘଟଣା ଘଟୁଥିବା ଦେଖି ଝିଅକୁ ଏ ବିଷୟରେ ପଚାରିବାରୁ ଝିଅଟି ସମସ୍ତ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା । ନିଜ ସ୍ତ୍ରୀ ଏବଂ ତା’ ପ୍ରେମିକକୁ ଏ ବିଷୟରେ ପଚାରିବାରୁ ଉଭୟ ସତ ମାନିବା ପରିବର୍ତ୍ତେ ଯୁବକଙ୍କୁ ଧମକ ଦେଇଥିଲେ ।

ଏ ସମସ୍ତ ଘଟଣା ପରେ ଯୁବକ ଜଣକ ଥାନାରେ ଉକ୍ତ ମହିଳା ଏବଂ ପ୍ରେମିକ ଅନୁଜଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲେ । ଥାନାରେ ମାମଲା ରୁଜ୍ଜୁ ହେବାପରେ ମହିଳା ଜଣକ ଭୟରେ କୁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି । କବିନଗର ଥାନାର ନିରୀକ୍ଷକଙ୍କ କହିବାନୁସାରେ ସିସିଟିଭିରେ କଏଦ୍ ହୋଇଥିବା ଭିଡିଓ ଆଧାରରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

କାଟ୍ରିନା-ଭିକି ବାହାଘରକୁ ସୁରକ୍ଷା ଦେବେ ୧୦୦ ବାଉନ୍ସର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କାଟ୍ରିନା କୈଫଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଡିସେମ୍ବରରେ ଏହି ଦୁଇ ବଲିଉଡ ତାରକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ହୋଟେଲ ସିକ୍ସ୍ ସେନସ୍ ମଧ୍ୟ ପୂରା ପ୍ରସ୍ତୁତ ହୋଇସାରିଛି । ବିବାହ ଦାୟିତ୍ବ ପାଇଁ ୬ଟି ଭିନ୍ନ ଭିନ୍ନ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ଏହି ମ୍ୟାନେଜମେଣ୍ଟ ସଂସ୍ଥା ଫୁଲ ସଜ୍ଜା, ଡେକୋରେସନ, ଯୋଗାଯୋଗ, ସୁରକ୍ଷା, ଖାଦ୍ୟ ଏବଂ ଜଙ୍ଗଲ ସଫାରୀ ପରିଚାଳନା କରିବେ।

ଯଦି ଆମେ ସୁରକ୍ଷା କଥା କହିବା ତାହାଲେ ଡିସେମ୍ବର ୫ରେ ୧୦୦ ବାଉନ୍ସର ଜୟପୁରରୁ ମାଧେପୁର ଆସିବେ । ଏହି ୧୦୦ ବାଉନ୍ସରଙ୍କ ପାଇଁ ମୀନା ଧର୍ମଶାଳା ବୁକ୍ କରାଯାଇଛି । ଏହି ୧୦୦ ବାଉନ୍ସରଙ୍କ ବ୍ୟତୀତ ସୁରକ୍ଷା ପାଇଁ ରାଜସ୍ଥାନ ପୋଲିସ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଭିଆଇପି ଅତିଥିଙ୍କ ପାଇଁ ରାଜସ୍ଥାନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭିକି ଓ କାଟ୍ରିନାଙ୍କ ବିବାହରେ ପ୍ରଥମ କନଫର୍ମ ଅତିଥି ହେଉଛନ୍ତି ନିର୍ଦ୍ଦେଶକ ଶଶାଙ୍କ ଖଇତାନ । ଭିକିଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୋବିନ୍ଦା ମେରା ନାମ୍’ ର ନିର୍ଦ୍ଦେଶକ ହେଉଛନ୍ତି ଶଶାଙ୍କ । ସୂଚନା ଅନୁସାରେ ଏହି ବାହାଘରରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବାହାଘରରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ଗାଡିର ମଧ୍ୟ ଆଗୁଆ ବୁକିଂ ହୋଇସାରିଥିବା ସୂଚନା ମିଳିଛି ।

ବିବାହର ପୋଷାକ କଥା ଯଦି କହିବା ତାହାଲେ କାଟ୍ରିନା କୈଫ ମେହେନ୍ଦିରେ ଅବୁ ଜାନୀଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଆଉଟଫିଟ୍ ପିନ୍ଧିବେ । ସେହିପରି ସଙ୍ଗୀତରେ ମନୀଷ ମଲହୋତ୍ରାଙ୍କ ଦ୍ବାରା ଡିଜାଇନ ହୋଇଥିବା ପୋଷାକ ଏବଂ ରିସେପସନରେ ଗୁଚିଙ୍କ ଦ୍ବାରା ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିବେ । ସେହିପରି ଭାବରେ ଭିକି କୌଶଲ ମେହେନ୍ଦି ଓ ସଙ୍ଗୀତରେ କୁନାଲ ରାଓ୍ବଲ ଏବଂ ରାଘବେନ୍ଦ୍ର ରାଠେରଙ୍କ ଦ୍ବାରା ଡିଜାଇନ୍ ହୋଇଥିବା ପୋଷାକ ପିନ୍ଧିବେ ।

୧୩୦ ବର୍ଷ ପରେ ଡିସେମ୍ବରର ଜାଡ଼ରେ ବାତ୍ୟା ମାଡ଼

ଭୁବନେଶ୍ୱର: ପ୍ରତିବର୍ଷ ବାତ୍ୟା ଦେଖୁଛି ଓଡ଼ିଶା । କେବେ ମେ’ ମାସରେ ତ ଆଉ କେବେ ଅକ୍ଟୋବର ଓ ନଭେମ୍ବରରେ ସାମୁଦ୍ରିକ ଝଡ଼ ତାଣ୍ଡବ ରଚୁଛି । ଏଥର କିନ୍ତୁ ୧୩୦ ବର୍ଷ ପରେ ଡିସେମ୍ବରରେ ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ଯାଉଛି ବାତ୍ୟା । ତେବେ, ଶୀତ ଦିନେ କାହିଁକି ଆସୁଛି ବାତ୍ୟା ? ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ୧୮୭୭-୨୦୦୫ ମସିହା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ବଢ଼ିଛି । ମୁଖ୍ୟତଃ ଏସବୁ ବାତ୍ୟା ମେ ମାସରୁ ନେଇ ନଭେମ୍ବର ମାସ ମଧ୍ୟରେ ଆସିଥାଏ । ଆଉ ନଭେମ୍ବରରେ ଆସୁଥିବା ବାତ୍ୟାର ପ୍ରଭାବ ଅଧିକ ।

ଚଳିତଥର ନଭେମ୍ବର ନୁହେଁ ଡିସେମ୍ବର ସୃଷ୍ଟି ହୋଇଛି ବାତ୍ୟା । ପାଣିପାଗ ବିଭାଗ ଆକଳନ ଅନୁସାରେ, ଏହା ଡିସେମ୍ବର ୪ ତାରିଖରେ ଉତ୍ତର ଆନ୍ଧ୍ରଉପକୂଳ ଓ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଶୀତ ଦିନେ ଆସୁଥିବା ବାତ୍ୟା ହେବ କି ଅଧିକ ପ୍ରଳୟଙ୍କାରୀ ? ଏନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ତଥ୍ୟ କହୁଛି ବଙ୍ଗୋପସାଗରରେ ବର୍ଷକୁ ୫ରୁ ୬ଟି ବାତ୍ୟା ଆସିଥାଏ । ଅଧିକାଂଶ ବାତ୍ୟା ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଓ ନଭେମ୍ବରରେ ହୋଇଥାଏ ।

Odisha To Face Cyclone In December Month Of Winter After 130 Years

ତେବେ ୧୮୯୧ରୁ ୨୦୨୦ ମସିହା ମଧ୍ୟରେ ଡିସେମ୍ବର ମାସରେ ଗୋଟିଏ ମଧ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନି । ୧୩୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ । ପୂର୍ବରୁ ୧୯୯୯ ମହାବାତ୍ୟା ସହ ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡହୁଡ୍, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ ପରେ ଓଡ଼ିଶା ସାମ୍ନା କରିବାକୁ ଯାଉଛି ବାତ୍ୟା ‘ଜୱାଦ’ ।

୧୩୦ ବର୍ଷ ମଧ୍ୟରେ ଡିସେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ଆସିନଥିବା ବେଳେ ଭାରତ ମହାସାଗର ଡିସେମ୍ବରରେ ଅନେକ ବାତ୍ୟା ଦେଖିଛି । ୧୯୬୪ ମସିହା ଡିସେମ୍ବରରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସିଥିବା ବାତ୍ୟା ରଚିଥିଲା ତାଣ୍ଡବ । ଘଣ୍ଟାପ୍ରତି ୨୮୦ କିଲୋମିଟର ବେଗରେ ପବନ ବହିବା ସହ ହୋଇଥିଲା ତୁହାକୁ ତୁହା ବର୍ଷା । ସମୁଦ୍ରରେ ଆସିଥିଲା ଉଚ୍ଚ ଜଆର । ଡିସେମ୍ବର ୨୩ ବାତ୍ୟା ରାତିରେ ପାମ୍ବନରୁ-ଧନୁଷଖୋଡି ଯାଉଥିବା ଟ୍ରେନ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ଭାସି ଯାଇଥିଲା । ଟ୍ରେନରେ ଥିବା ୧୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଡିସେମ୍ବରରେ ଆସୁଛି ବାତ୍ୟା, ଯାହା ସମସ୍ତଙ୍କ ମନରେ ସୃଷ୍ଟି କରିଛି ଭୟ ।