ଶୀର୍ଷ ଛୁଇଁବ ସଂକ୍ରମଣ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: କୋଭିଡ  ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଦେଶରେ ବେକାବୁ ହେଉଛି କରୋନା  । ଦୈନିକ ସଂକ୍ରମଣ ୨ଲକ୍ଷ ପାର୍ କରିଛି । ସଂକ୍ରମଣ ମାଡୁଥିବା ବେଳେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ  । କରୋନା ସଂକ୍ରମଣ ଓ ଏହାକୁ ପ୍ରତିହତ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ସମୀକ୍ଷା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସତର୍କ ରହି ସଙ୍କଟ ଦୂର କରିବାକୁ ପିଏମ୍ ପରାମର୍ଶ ଦେଇଛନ୍ତି । ଏହାସହ ସବୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ରଖିବା ସହ ଟିକାକରଣ ତ୍ବାରାନ୍ବିତ କରିବାକୁ ପିଏମ୍‌ ଅପିଲ କରିଛନ୍ତି।

ମହାରାଷ୍ଟ୍ର, ଦିଲ୍ଲୀ ସମେତ ୮ରାଜ୍ୟରେ କରୋନା ବିସ୍ଫୋଟ ଯୋଗୁ ଦେଶରେ ପଜିଟିଭିଟି ରେଟ୍ ୧୩ ଦଶମିକ ୧୧ ପ୍ରତିଶତରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷ ୪୭ହଜାର ୪୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଶୀର୍ଷରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଦିନକରେ ୪୬ହଜାର ୭୨୩ କେସ୍ ରିପୋର୍ଟ ହୋଇଛି । ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ୫ହଜାର ପାର କରିଛି । ଏବେ ଦେଶରେ ୫ହଜାର ୪୮୮ ଓମିକ୍ରନ କେସ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦେଇଛି ।

ଜାନୁୟାରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ ଓ କିଛି ମାସ ମଧ୍ୟରେ ସଂକ୍ରମଣ ଧିରେଧିରେ କମିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି । ଅନ୍ୟପଟେ ବିଦେଶରେ ବି ତାଣ୍ଡବ ରଚୁଛି କରୋନା । ଜାନୁୟାରୀ ପ୍ରଥମ ସପ୍ତାହରେ ୟୁରୋପରେ ୭ମିଲିୟନ କରୋନା କେସ୍ ଚିହ୍ନଟ ହୋଇଛି । ଆଗାମୀ ୬ରୁ ୮ସପ୍ତାହ ମଧ୍ୟରେ ପୁରା ୟୁରୋପର ୫୦ପ୍ରତିଶତରୁ ଅଧିକ ଲୋକ ଆକ୍ରାନ୍ତ ହୋଇପାରନ୍ତି ବୋଲି WHO ବିଶେଷଜ୍ଞ ସତର୍କ କରାଇଛନ୍ତି ।

Leave a Reply