ଜାଣନ୍ତୁ, ରିଲିଜ୍ ହୋଇନଥିବା ମିହିରଙ୍କ ଏହି ଫିଲ୍ମ ବିଷୟରେ…

1 min read

ଭୁୁବନେଶ୍ୱର: ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ରିଲିଜ ହୋଇପାରିନଥିବା ଫିଲ୍ ବାବଦରେ ଜାଣନ୍ତୁ  । ମିହିର ଦାସ, କେବଳ ଏହି  ନାଁ ହିଁ ଦର୍ଶକଙ୍କ ପାଇଁ ଯଥେଷ୍ଟ । ନିଜ ଅଭିନୟର ପାର ଦର୍ଶିତା ଯୋଗୁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ ନିଜ ପରିବାର ଲୋକ ବୋଲି ଭାବି ନେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖଳନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ କରି ପାରୁଥିଲେ ଜୀବନ୍ତ ଅଭିନୟ । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ସେ ଥିଲେ ଜଣେ ମାଇଲଖୁଣ୍ଟ । ଖାଲି ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ନୁହେଁ ଅନେକ କଳାତ୍ମକ ସିନେମାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲା । ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ the trunk of Ganesha ର କାହାଣୀକୁ ନେଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ‘ମାଟିର ବନ୍ଧନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ନିଜର ସମସ୍ତ ଅଭିନୟ ଚାତୁରୀକୁ ପ୍ରଦର୍ଶନ କରିଥିଲେ ମିହିର ଦାସ ।

କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପ୍ରଦର୍ଶିତ କରାଯାଇଥିଲା ।କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନକୁ ନେଇ ଏହି ସିନେମାଟି ଖୁବ ସୁନ୍ଦର ଭାବେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରି ପାରିନାହିଁ । ଏହି ସିନେମାଟିକୁ ଲୋକଲୋଚନକୁ ଆଣିବା ପାଇଁ ମିହିର ଦାସ ସେହି ଚଳଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କ ଦସ୍ତଖତ ନେଇ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ ।

ଏହା ସହ ନିଜ ପ୍ରଚେଷ୍ଟାରେ ଏହାକୁ ଲୋକ ଲୋଚନ କୁ ଆଣିବା ପାଇଁ କୋର୍ଟରେ ମକଦୋମା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଏକଦା ମିହିର ଦାସ କହିଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅଭିନୀତ ସିନେମା ହେଉଛି ‘ମାଟିର ବନ୍ଧନ’। କିନ୍ତୁ ବିଡ଼ମ୍ବନା ଆଇନର ଜାଲରେ ଛନ୍ଦି ହୋଇଯାଇଥିବାରୁ ଏହି ସିନେମାଟି ଓଡ଼ିଶାରେ ମୁକ୍ତିଲାଭ କରିପାରିନଥିଲା । ଏହି ଚଳଚିତ୍ରଟି ସେନ୍ସର ହେବା ପୂର୍ବରୁ ମୁମ୍ବାଇ ଚଳଚିତ୍ର ଉତ୍ସବ ଓ ବାଂଲୋର ଚଳଚିତ୍ର ଉତ୍ସବ ରେ ପ୍ରଦର୍ଶିତ ହୋଇ ଅନେକ ଦର୍ଶକୀୟ ଆଦୃତି ଲାଭ କରିଥିଲା । ମିହିର ଦାସଙ୍କ ଇଚ୍ଛାକୁ ଉଜ୍ଜୀବିତ କରି ରଖିବା ପାଇଁ ସରକାର ‘ମାଟିର ବନ୍ଧନ’ ଚଳଚ୍ଚତ୍ରକୁ ଖୁବ ଶୀଘ୍ର ମୁକ୍ତିଲାଭ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି କରାଯାଉଛି ।

Leave a Reply