ୟୁପି ରାଜନୀତି ବିକିନି ଗାର୍ଲ, ନିର୍ବାଚନରେ ଲାଗିବ ଗ୍ଲାମର୍ ଝୁଙ୍କ

1 min read

ଲକ୍ଷ୍ନୌ: ଏଥର ଉତ୍ତର ପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିବ ଗ୍ଲାମର୍ । ମଡେଲିଂରେ ଗୋଡ଼ ଜମାଇବା ପରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ବିକିନି ଗାର୍ଲ । କଂଗ୍ରେସ କରିଛି ବିକିନି ଗାର୍ଲଙ୍କୁ ପ୍ରାର୍ଥୀ । ତେବେ କିଏ ଏହି ବିକିନି ଗାର୍ଲ ଜାଣି ପାରୁଛନ୍ତି ତ ? ଆମେ କହୁଛୁ ଅର୍ଚ୍ଚନା ଗୌତମଙ୍କ କଥା । ମେରଠର ହସ୍ତିନାପୁରରୁ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି କଂଗ୍ରେସ ।

 

ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରିୟଙ୍କା ଗାନ୍ଧି ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏଥିରେ ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅର୍ଚ୍ଚନାଙ୍କୁ ମଧ୍ୟ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ତେବେ କାଣିଛନ୍ତି କି କିଏ ଏହି ବିକିନି ଗାର୍ଲ ? ଯଦି ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ଗ୍ଲାମର ଦୁନିଆ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ବିକିନି ଗାର୍ଲ ଭାବେ ପରିଚିତ ଅର୍ଚ୍ଚନା ଗୌତମଙ୍କ ସମ୍ପର୍କରେ ।

ଅର୍ଚ୍ଚନା ଗୌତମ ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ ଓ ବ୍ୟୁଟି ପେଜେଣ୍ଟ ବିଜେତା । ୨୦୧୪ରେ ମିସ୍ ଉତ୍ତର ପ୍ରଦେଶ ହୋଇଥିଲେ ଅର୍ଚ୍ଚନା । ଏହାପରେ ମିସ୍ ବିକିନି ଇଣ୍ଡିଆ, ମିସ୍ ବିକିନି ୟୁନିଭର୍ସ ଇଣ୍ଡିଆ ଓ ମିସ୍ ବିକିନି ୟନିଭର୍ସ ବିଜେତା ହୋଇଥିଲେ । ଏହାସହ ୨୦୧୮ରେ ମିସ୍ କୋସମୋସ୍ ଓ୍ବାର୍ଲ୍ଡରେ ଭାରତ ତରଫରୁ ପ୍ରତିନିଧିତ୍ବ କରିଥିଲେ ।

ଅର୍ଚ୍ଚନା ମେରଠରେ IIMTରେ ବିଜେଏମସିରେ ଡିଗ୍ରୀ କରିଛନ୍ତି । ଏହାସହ ସେ ମୋଷ୍ଟ ଟ୍ୟାଲେଣ୍ଟ ୨୦୧୮ ମୁକୁଟ ଜିତିଛନ୍ତି । ଏହି ମୁକୁଟ ଜିତିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା । ବ୍ୟୁଟି ପିଜେଣ୍ଟ ଜିତିବା ପରଠାରୁ ଅର୍ଚ୍ଚନା ମଡେଲିଂ ଦୁନିଆରେ ରାଜ କରୁଛନ୍ତି । ଏହାସହ ବିଭିନ୍ନ ବିଜ୍ଞାପନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି ।

୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ ଅର୍ଚ୍ଚନା । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ଗ୍ରେଟ୍ ଗ୍ରାଣ୍ଡ ମସ୍ତି’ । ଏଥିରେ ସେ ବିବେକ ଓବେରାୟ ଏବଂ ଆଫତାବ ଶିବଦାସନୀଙ୍କ ଅପୋଜିଟରେ ଆସିଥିଲେ । ଯାହା ବକ୍ସ ଅଫିସରେ ବେଶ ଭଲ ବ୍ୟବସାୟ କରିଥିଲା । ଏହାପରେ ସେ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ହସିନା ପାର୍କର’ ଓ ‘ବାରତ କମ୍ପନୀ’ରେ ମଧ୍ୟ ନଜର ଆସିଥିଲେ । ୨୦୧୯ରେ ଆସିଥିବା ‘ଜଙ୍କଶନ ବାରାଣସୀ’ରେ ଅର୍ଚ୍ଚନା ଏକ ଆଇଟମ ନମ୍ବରରେ ନଜର ଆସିଥିଲେ । ଟି-ସିରିଜର ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି । ଏହାର ନିର୍ଦ୍ଦେଶନା ଅପୂର୍ବ ଲାଖିୟା କରିଥିଲେ । ଏହାବାଦ ପଞ୍ଜାବୀ ଓ ହରିୟାଣା ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି ।

ବଲିଉଡରେ ନିଜର ଜଲଓ୍ବା ଦେଖାଇବା ପରେ ଏବେ ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି । IPL It’s Pure Love ନାମକ ଏକ ତେଲଗୁ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହାସହ ତାମିଲ ଫିଲ୍ମ ‘ଗୁଣ୍ଡାସ୍’ ଓ ‘47A’ରେ ମଧ୍ୟ କାମ କରୁଛନ୍ତି ।

ଅର୍ଚ୍ଚନାଙ୍କୁ ୨୦୧୮ରେ ଡ. ଏସ. ରାଧାକ୍ରିଷ୍ଣନ୍ ମେମୋରିଆଲ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ସେହି ବର୍ଷ ଏଣ୍ଟରଟେନମେଣ୍ଟ ଦୁନିଆରେ ଯୋଗଦାନ ପାଇଁ Women Achiever Award by GRT ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗ୍ଲାମରୁ ଏବେ ରାଜନୀତିରେ ପାଦ ଥାପିଥିବା ଅର୍ଚ୍ଚନାଙ୍କୁ ମେରଠର ଲୋକ କେତେ ଗ୍ରହଣ କରୁଛନ୍ତି ? ତାଙ୍କ ରାଜନୀତି କ୍ୟାରିୟର କେତେ ଆଗକୁ ଯାଉଛି ? ରିଲ୍ ଲାଇଫରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା ଅର୍ଚ୍ଚନା ରିୟଲ ଲାଇଫରେ ଭୋଟରଙ୍କ ମନ କେତେ ଜିଣି ପାରୁଛନ୍ତି ତାହା ନିର୍ବାଚନ ପରେ ଜଣାପଡ଼ିବ ।

Leave a Reply