spot_img
Home Blog Page 4760

ଗାଁ ଗାଁକୁ ଗଡ଼ିବ ବସ, ୫୫ଟି ବସ୍ ଷ୍ଟାଣ୍ଡ୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ । ଗାଁ ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା । ରାଜ୍ୟର 22ଟି ଜିଲ୍ଲାର 55ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ ।

ଗାଁ ଗାଁକୁ ଯୋଡ଼ିବା ଓ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଯାତାୟାତ ସେବା ଯୋଗଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଯାତାୟତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଆଉ ଏକ ମାଇଲ ଖୁଣ୍ଟ । OSRTC ସମଗ୍ର ରାଜ୍ୟରେ ଲୋକଙ୍କୁ ସଂଯୋଗ କରିବାରେ ଏକ ମାଧ୍ୟମ ସାଜିବ । ନୂଆ ବସ୍‌ ଷ୍ଟାଣ୍ଡ ଗୁଡ଼ିକର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ 5-ଟି ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଉପସ୍ଥିତ ଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଜାଣନ୍ତୁ କେବେ ଓ କେଉଁଠି ହେବ ଆଇପିଏଲର ମେଗା ଅକ୍ସନ?

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀରେ ହେବ IPL ମେଗା ଅକ୍ସନ । ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୧୧,୧୨ ଓ ୧୩ରେ ବାଙ୍ଗାଲୋରରେ ହେବ ଆଇପିଏଲର ମେଗା ଅକ୍ସନ । ଆଇପିଏଲ ସିଜିନ-୧୫ ପାଇଁ ସମସ୍ତ ୮ ଟିମ୍ ସେମାନଙ୍କ ରିଟେନ ଲିଷ୍ଟ ପୂର୍ବରୁ ଜାରି କରି ସାରିଛନ୍ତି । ଏହା ବ୍ୟତୀତ ନୂଆ କରି ହୋଇଥିବା ଦୁଇଟି ଟିମ୍ ଲକ୍ଷ୍ନୌ ଓ ଅହମଦାବାଦ ମଧ୍ୟ ଖୁବ୍ ଶୀଘ୍ର ସେମାନଙ୍କ ପ୍ରଥମ ୩ ଜଣ ଖେଳାଳିଙ୍କ ନାମ ଘୋଷଣା କରିବେ ।

ଚଳିତ ଥର ଆଇପିଏଲରେ ୮ଟି ଟିମ୍ ବଦଳରେ ଖେଳାଯିବ ୧୦ଟି ଟିମ୍ । ଆଇପିଏଲ ସିଜିନ-୧୫ ଭାରତରେ ହିଁ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିସାରିଛନ୍ତି । ଆଇପିଏଲ ମେଗା ଅକ୍ସନ ପାଇଁ ଜାନୁୟାରୀ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ଖେଳାଳିଙ୍କ ତାଲିକା ପ୍ରକାଶ ପାଇବ । ଏହି ମେଗା ଅକ୍ସନରେ ସୁରେଶ ରୈନା, ଡ୍ୱେନ ବ୍ରାଭୋ, ହାର୍ଦ୍ଦିକ ପାଣ୍ଡ୍ୟା, କଗିସୋ ରବାଡା, ବେନ ଷ୍ଟୋକ୍ସ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କ ଭଳି ଖେଳାଳି ଅଧିକ ଟଙ୍କାରେ କିଣାହେବେ ବୋଲି ଆଣା କରାଯାଉଛି ।

 

ମଲରେ ମହିଳାଙ୍କ ଡ୍ରେସ ଓହ୍ଲାଇଲେ, ମାଲିକଙ୍କ ନାଁରେ ମାମଲା

ଜୟପୁର: ସପିଙ୍ଗ ମଲରେ ମହିଳାଙ୍କୁ ଅପମାନ । ଡ୍ରେସ୍ ଚୋରି ଅଭିଯୋଗରେ ଖୋଲିଲେ ପୂରା କପଡ଼ା । ମଲ୍ ପୂରା ଖଚାଖଚ ଥିଲେ ବି କେହି କରିଲେନି ପ୍ରତିବାଦ । ଥାନାକୁ ଗଲା ମାମଲା । ମଲର ଯେଉଁ ଶୋ’ରୁମରେ ଘଟିଛି ଏହି ଲଜ୍ୟାଜନକ ଘଟଣା ସେହି ଶୋ’ରୁମ ମାଲିକ ଓ କମର୍ଚାରୀଙ୍କ ବିରୋଧରେ ରୁଜୁ ହେଲା ମାମଲା ।

ଘଟଣା ଜୟପୁରର । ଏଠାରେ ଥିବା ଓ୍ବାଲର୍ଡ ଟ୍ରେଡ ପାର୍କ ମଲରେ ଡିସେମ୍ବର ୨୦ ତାରିଖରେ ଘଟିଛି ଏହି ଅପମାନଜନକ ଘଟଣା । ଚୋରି ଅଭିଯୋଗରେ ଜବରଦସ୍ତଙ୍କ ପୂରା କପଡ଼ା ଓହ୍ଲାଇ ଯାଞ୍ଚ କରିଛନ୍ତି ଶୋ’ରୁମ କର୍ମଚାରୀ ।

ଅଭିଯୋଗ ଅନୁସାରେ, ଘଟଣା ଦିନ ମହିଳା ଜଣଙ୍କ ଶୋ’ରୁମକୁ ଯାଇଥିଲେ । କିଛି ଡ୍ରେସ ନେଇ ଶୋ’ରୁମର ଯାଞ୍ଚ ରୁମକୁ ଟ୍ରାଏଲ କରିବାକୁ ଯାଇଥିଲେ । ସାଇଜ୍ ଠିକ୍ ନଥିବାରୁ ସେଲସ ମ୍ୟାନକୁ ଆଉ କିଛି ଡ୍ରେସ୍ ମଗାଇ ଥିଲେ । ଟ୍ରାଏଲ କରିବା ପରେ ନିଜ ପସନ୍ଦର ଡ୍ରେସ୍ ନେଇ ବାହାରକୁ ଆସି ବିଲ୍ କରିବାକୁ ଯାଇଥିଲେ । ଏହି ସମୟରେ ସେଲସ୍ ମ୍ୟାନ ଆସି ଗୋଟିଏ ଡ୍ରେସ୍ କମ ଥିବା ଅଭିଯୋଗ କରିଥିଲେ ।

ଏହାପରେ ମହିଳା ଶୋ’ରୁମ କର୍ମଚାରୀଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ ଦେଇଥିଲେ । ସେଥିରୁ କିଛି ବାହାରି ନଥିଲା । ଏହାପରେ ସେଲସ୍ ମ୍ୟାନ ଅନ୍ୟ କର୍ମଚାରୀଙ୍କୁ ଡକାଇ ଥିଲେ ।

ମହିଳା ଜଣଙ୍କ ଶୋ’ରୁମ୍ କର୍ମଚାରୀଙ୍କୁ ପୂରା ଘଟଣା କହିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ । ଏହାପରେ ଜଣେ ମହିଳା କର୍ମଚାରୀ ପୀଡ଼ିତାଙ୍କୁ ଟ୍ରାଏଲ ରୁମକୁ ନେଇ ଗୋଟି ଗୋଟି କରି ତାଙ୍କ ସବୁ କପଡ଼ା ଓହ୍ଲାଇ ଚେକ କରିଥିଲେ । ହେଲେ ତାଙ୍କ ପାଖରୁ କିଛି ମିଳି ନଥିଲା ।

ମହିଳା ଜଣଙ୍କ ଅପମାନ ସହି ପାରି ନଥିଲେ ଓ କାନ୍ଦି କାନ୍ଦି ଘରକୁ ଯାଇଥିଲେ । ଏହାପରେ ମହିଳା ଜଣଙ୍କ ଆଡିସନାଲ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହାପରେ ଘଟଣାର ତଦନ୍ତ କରିବାକୁ ଆଡିଶନାଲ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜବାହାର ସର୍କଲ ଥାନାରେ ଶୋ’ରୁ ମାଲିକ, ମ୍ୟାନେଜର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ରାଜ୍ୟରେ ନାହିଁ ଓମିକ୍ରନ୍, ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ଭୋପାଳ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଭାରତରେ ୩୦୦ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି ମଧ୍ୟ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ମଧ୍ୟ ପ୍ରଦେଶରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ କର୍ଫ୍ୟୁ । ଓମିକ୍ରନର ସମ୍ଭାବ୍ୟ ଲହରକୁ ଦେଖି ପ୍ରଥମ ରାଜ୍ୟ ଭାବରେ ମଧ୍ୟ ପ୍ରଦେଶ ଲାଗୁ କରିଛି ନାଇଟ କର୍ଫ୍ୟୁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଧ୍ୟ ପ୍ରଦେଶରେ ଓମିକ୍ରନର ଗୋଟିଏ ବି କେସ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଗୋଟିଏ କେସ୍ ସାମ୍ନାକୁ ନଆସିବା ପୂର୍ବରୁ ହିଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ମଧ୍ୟ ପ୍ରଦେଶ । ଓମିକ୍ରନକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କି ମଧ୍ୟ ପ୍ରଦେଶରେ ବହୁତ ଶୀଘ୍ର ଓମିକ୍ରନ୍ ମାମଲା ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ଆମେ ରାତି ୧୧ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିଛୁ, ଦରକାର ହେଲେ ଓମିକ୍ରନକୁ ରୋକିବାକୁ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଭୁବନେଶ୍ୱର ପରେ ପୁରୀରେ ‘ନିମନ୍ତ୍ରଣ’

ପୁରୀ: ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ । ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ  । ପାନ୍ଥନିବାସ ପରିସରରେ ଓଟିଡିସି ପକ୍ଷରୁ ଏହି ରେସ୍ତୋରାଁ ଖୋଲାଯାଇଛି । ସୁସ୍ୱାଦୁ, ସ୍ୱାସ୍ଥ୍ୟ ଅନୁକୂଳ ଓ ପରିଷ୍କାର ପରିବେଶରେ ଓଡିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ପରିବାର, ଯୁବବର୍ଗଙ୍କ ସମେତ ବିଭିନ୍ନ ବର୍ଗଙ୍କ ନିମନ୍ତେ ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ହେବା ସହ ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି ।

ଆଗନ୍ତୁକଙ୍କୁ ଆତିଥେୟତା ପ୍ରଦାନ ନିମନ୍ତେ ୩୨ ଜଣ ପେଶାଦାରଙ୍କୁ ନିଯୁକ୍ତ କରାଯାଇଛି । ବ୍ଲୁଫ୍ଲାଗ ବିଚ ନିକଟରେ ଥିବା ଏହି ରେସ୍ତୋରାଁ ବ୍ଲୁଫାଗ ବୁଲି ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବେଶ ଆକର୍ଷଣୀୟ ହେବ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପାନ୍ଥନିବାସ ପରିଚାଳକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରସ୍ଥିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଗତ ୩ମାସ ମଧ୍ୟରେ ୭୫ଲକ୍ଷ ଟଙ୍କାର ବ୍ୟବସାୟ କରିବା ସହ ଲୋକଙ୍କୁ ଘରୋଇ ଓଡ଼ିଆ ଖାଦ୍ୟ ଯୋଗାଇବାରେ ସକ୍ଷମ ହୋଇପାରିଛି । ପୁରୀରେ ଓଟିଡିସି ଦ୍ୱାରା ‘ହ୍ୱାଇଟ୍ କ୍ରାବ୍ ’ପରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ନିଶ୍ଚିତ ଦେଶବିଦେଶର ପର୍ଯ୍ୟଟକଙ୍କୁ ନିଆରା ସୁସ୍ୱାଦୁ ସତେଜ ଖାଦ୍ୟ ଯୋଗାଇ ଲୋକାଦୃତ ହେବ ।

ବିବାଦୀୟ ବର୍ଷ୨୧: ସରକାର ଆଣିଥିଲେ କୃଷି ଆଇନ୍, ଫେରାଇଦେଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ରାଜନୀତିରେ ବିବାଦ ଓ ବିତର୍କର ପ୍ରାସଙ୍ଗିକତା ସର୍ବଦା ରହିଛି  । ଜନତା ଏ ଦେଶର ମୂଳ ପିଣ୍ଢ  । ରାଜନୀତି ସାମ୍ବିଧାନିକ ବ୍ୟବସ୍ଥାର ଏକ ଢାଞ୍ଚା  । ଯେଉଁ ଢାଞ୍ଚାକୁ ସାଧାରଣ ଜନତା ଗଢନ୍ତି ଏବଂ ନେତୃତ୍ୱ ନିଜେ ଚୟନ କରିଥାନ୍ତି  । ପ୍ରଧାନମନ୍ତ୍ରୀ ବାଛିବା ପର୍ଯ୍ୟନ୍ତ ମଧ୍ୟ ସାଧାରଣ ଜନତା ହିଁ ନିର୍ଣ୍ଣୟ କରେ  । ଏହା ହିଁ ଭାରତୀୟ ବ୍ୟବସ୍ଥାର ସୁନ୍ଦରତା  । ସାଧାରଣ ଜନତାକୁ ଅଖଣ୍ଡ ଅଧିକାର ପ୍ରଦାନ କରାଯାଇଥାଏ  । ଶାସକ କିମ୍ବା ବିରୋଧି ସଭିଙ୍କୁ ପ୍ରଶ୍ନ ପଚାରିବାର ସ୍ୱୀକୃତି ସଭିଙ୍କ ପାଖେ ରହିଛି । ଉତ୍ତରଦାୟୀ ସରକାର ବିଭିନ୍ନ ସମୟରେ ପୁରାତନ ବ୍ୟବସ୍ଥାକୁ ପରିବର୍ତ୍ତନ କରିଥାଏ  । କିନ୍ତୁ ଯଦି ଏହା ଜନବିରୋଧି ହୋଇଥାଏ  । ଅର୍ଥାତ ଜନତା ଯଦି ଏଭଳି କିଛି ପ୍ରସ୍ତାବ କିମ୍ବା ଆଇନକୁ ଗ୍ରହଣ କରିନଥାଏ, ତେବେ ତାହାକୁ ପୁନର୍ବାର ପରଖିବାର ଦାୟିତ୍ୱ ସରକାର ଉପରେ ନ୍ୟସ୍ତ ଥାଏ  । ଏଭଳି ମଧ୍ୟ ସମୟ ଉପନୀତ ହୋଇଥାଏ ଯେ, ସରକାର ଆଇନକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥାଏ  ।

ଆପଣ ସଠିକ ଅନୁମାନ କରିଥିବେ ନିଶ୍ଚୟେ  । ଆମେ ସେହି ‘ନୂତନ କୃଷି ଆଇନ’କୁ ପରଖିବାକୁ ଚାହୁଁଛୁ  । ୨୦୧୪ ମେ ୨୬ ତାରିଖ  । ଦୀର୍ଘ ଦଶନ୍ଧିର ସଂଗ୍ରାମ ପରେ ଶାସନ ଗାଦିକୁ ଫେରିଥିଲା ଭାରତୀୟ ଜନତା ପାର୍ଟି (ବିଜେପି)  । ଦଳର ବରିଷ୍ଠ ନେତା ନରେନ୍ଦ୍ର ଦାମୋଦର ଦାସ ମୋଦି ହୋଇଥିଲେ ଦେଶର ୧୫ତମ ପ୍ରଧାନମନ୍ତ୍ରୀ । ନୂଆ ଭାରତ ନିର୍ମାଣ କରିବାର ଆହ୍ୱାନ ନେଇ ସତ୍ତାସୀନ ହୁଅନ୍ତି ମୋଦି  । ଅନେକ ରାଜନୈତିକ ମାଷ୍ଟରଷ୍ଟ୍ରୋକ ଖେଳି ପୁଣି ଥରେ ଦ୍ୱିତୀୟ ପାଳିରେ ସତ୍ତାକୁ ଆସେ ବିଜେପି  । ଅନେକ ବିବାଦୀୟ ଆଇନ ଏବଂ ରାଜନୈତିକ ରଣନୀତି ଭିତରେ ଗତି କରେ ବର୍ଷ ୨୦୨୦୨  । ଶେଷ ଆଡ଼କୁ କିନ୍ତୁ ବିବାଦୀୟ ହୋଇପଡ଼େ ଶାସନରେ ଥିବା ଏନଡ଼ିଏ । ସରକାର ସଂସଦରେ ଆଣେ ନୂତନ କୃଷି ଆଇନ୍   ।

ବିଲକୁ ପୂର୍ବରୁ ଯେତିକି ବିରୋଧ କରାଯାଇଥିଲା ଗୃହରେ ମଧ୍ୟ ସେତିକି  । କିନ୍ତୁ ସରକାରଙ୍କ ଏକ ଜିଦ ଏହା ଆଇନରେ ପରିଣତ ହେବ । ଶେଷରେ ହଟଗୋଳ ନାରାବାଜୀ, ଆନ୍ଦୋଳନ ଓ ହରତାଳ ପରେ ମଧ୍ୟ କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟ ସଭାରେ ପାରିତ କରାଇନେଇଥିଲେ  । ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଲୋକସଭାରେ ପାରିତ କରିଥିବାବେଳେ ୨୦ ସେପ୍ଟେମ୍ବରରେ ରାଜ୍ୟ ସଭାରେ ପାରିତ କରାଯାଏ  । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର ୨୭ ତାରିଖରେ ଏହି କୃଷି ବିଲକୁ ଆଇନରେ ପରିଣତ କରନ୍ତି

କଣ ଏହି କୃଷି ଆଇନ୍ ?

ଆର୍ଥିକ ପ୍ରତିଶ୍ରୁତି,  କୃଷକ ସଶକ୍ତିକରଣ ଓ ନିରାତ୍ତା ଏବଂ କୃଷି ସେବା ଲାଗି କୃଷି ଆଇନ 2020  । ଚାଷ ଓ ଚାଷୀର ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା ଏହାର ପ୍ରମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ  ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ 2020 ଅଦ୍ୟାବଧି ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତାଥିବା କେନ୍ଦ୍ର ଦାବି ଦାବି କରିଥିଲା  ।  ଏହି ଆଇନ ଦ୍ୱାରା ଚାଷୀମାନଙ୍କୁ ବଜାରରେ ସ୍ୱାଧିନତା ପ୍ରାପ୍ତି ହେବ  । ସଂସ୍କାର ଯୋଗୁଁ  ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହନ ମିଳିବ  । ନିଜେ ଉତ୍ପାଦନ କରିଥିବା ସାମଗ୍ରୀକୁ ମୁକ୍ତ ବଜାରରେ ଚଢା ଦରରେ ବିକ୍ରୟ କରିପାରିବେ  । ଯଦ୍ୱାରା ଏଠି ଦଲାଲ ଲାଭାନ୍ୱିତ ହେବା ନାହିଁ ନାହିଁ  । ଚାଷୀ ନିଜ ପରିଶ୍ରମର ଉଚିତ ହକ୍ ପାଇଁ ଏହି ଆଇନ ଉଦ୍ଧିଷ୍ଟ ବୋଲି କୁହାଯାଇଥିଲା  । ଏହା ସହିତ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ସରକାର । ଦେଶ ପାଇଁ ଏହା ଏକ ବୈପ୍ଲବିକ ଆଇନ ବୋଲି ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ  । କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଥିବା କହିଥିଲେ ନେତା ।ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ । କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ । ଛଣ ବା ନଡା ଜଳାଇବା ପାଇଁ ଜରିମାନା ଓ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି । ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବା ନେଇ ପ୍ରତିଶ୍ରୁତି ଦେଇଥିଲେ  ।

କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ଓ ପିଉଷ ଗୋୟଲ ପ୍ରକାଶ କରିଥିଲେ । ସେମାନେକହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ । କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି । 2014 ରୁ 2020 ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ । ପିଏମ କିଷାନ ବାବଦକୁ 75 ହଜାର କୋଟି ଟଙ୍କାର ବ୍ୟୟ ବରାଦକରାଯାଇଛି, ଯାହାଫଳରେ କୃଷକମାନେ 6 ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି  । କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ 1 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ମୋଦି ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି । ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦି ସରକାର ଘୋଷଣା କରିଛନ୍ତି । ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ । ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି ।କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି 10 ହଜାର ସଂଗଠନ ସୃଷ୍ଟି କରାଯାଇଛି ।

ଜଳିଥିଲା ପ୍ରତିବାଦ ଅଗ୍ନି..

ସିଙ୍ଘୁରୁ ଟିକ୍ରି ସବୁଠି ଜଳିଥିଲା ପ୍ରତିବାଦର ନିଆଁ  । ୯ ଅଗଷ୍ଟ ୨୦୨୦ ମସିହା  ।  ଏହି ନିଆଁର ସୂତ୍ରପାତ ହୋଇଥିଲା ଦିଲ୍ଲୀରେ  । ପରେ ଏହା ଏତେ ଭୟଭହତା ହୋଇଥିଲା ଯେ, ଭାରତର ସମସ୍ତ କୃଷିଙ୍କ ଘରେ ଧୁଆଁ କୁହୁଳିଥିଲା  ।  ନୂତନ କୃଷି ଚାଷୀର ହିତରେ ନୁହେଁ ବଂର ବିରୋଧରେ ବୋଲି ସ୍ଲୋଗାନ ଦେଇଥିଲେ ଚାଷୀ ନେତା  । ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ଆରମ୍ଭ କରି ନବ ନିର୍ମାଣ କୃଷକ ସଂଗଠନ କେନ୍ଦ୍ର ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ  ।   ଏହାର ବିରୋଧରେ ଏକାଠି ହୋଇଥିଲେ ଦେଶର ହଜାର ହଜାର କୃଷକ  । ସର୍ବାଧିକ କୃଷି ପ୍ରଧାନ ରାଜ୍ୟ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଜୋରଦାର ବିରୋଧ ହୋଇଥିଲା  । ସିଙ୍ଘୁ ସୀମାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବାର ନିର୍ଣ୍ଣୟ ନେଲେ କୃଷକ ସଂଗଠନ  । ହାଡ଼ଭଙ୍ଗା ଶୀତ, ଟାଣ ଖରା ଓ ପ୍ରବଳ ବର୍ଷା ସ୍ୱତେ କୃଷି ଆଇନ ନହଟିବା ପର୍ଯ୍ୟନ୍ତ ଉଠିବାର ପ୍ରଶ୍ନ ଉଠୁନାହିଁ ବୋଲି ଆହ୍ୱାନ ଦେଲେ ଚାଷୀ ନେତା  । ଉତ୍ତରପ୍ରଦେଶର ଚାଷୀ ନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ଜାରି ରହିଲା ଏହି କୃଷକ ସଂଗ୍ରାମ  ।

ଲାଲକିଲ୍ଲାରେ ରକ୍ତ ଛିଟା

ଜାନୁୟାରୀ ୨୬ ତାରିଖ  । ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତ୍ତାକା  ଉତ୍ତୋଳନ କରି ଫେରଯାଇଥାନ୍ତି  । ଦେଶ ଗଣତନ୍ତ୍ର ଦିବସର ଖୁସି ମନାଉଥାଏ  । ଚାରିଆଡ଼େ କଡ଼ା ସୁରକ୍ଷା ବଳୟ  । ବ୍ୟାରିକେଡ଼ରେ ଆଛାଦିତ ଲାଲକିଲ୍ଲା  । କାରଣ ଲାଲକିଲ୍ଲା ଚାଲ ଡକରା ଦେଇଥାଏ କୃଷକ ସଂଗଠନ  । ପ୍ରାୟ ୭ ହଜାର ଟ୍ରାକ୍ଟର ଓ ଲକ୍ଷାଧିକ ଚାଷୀ ସମାଗମରେ ସାମିଲ ହୋଇଥିଲେ  । ସେପଟେ ଟ୍ରାକ୍ଟର ଧରି ସିଙ୍ଘୁ ବର୍ଡର ପଟୁ ମାଡ଼ି ଆସୁଥାନ୍ତି ଚାଷୀ  । ବ୍ୟାରିକେଡ଼ ଉପରେ ଗାଡ଼ି ଚଢାଇ ଲାଲ୍ଲକିଲ୍ଲାରେ ପ୍ରବେଶ କରନ୍ତି  । ବ୍ୟାପକ ଭଙ୍ଗାରୁଜା ଓ ଠେଲାପେଲା ଭିତରେ ଆହତ ହୁଅନ୍ତି ନିୟୋଜିତ ସୁରକ୍ଷାକର୍ମୀ  । ବିଜୟ ଦୁର୍ଗ ଲାଲ କିଲ୍ଲାରେ ପଡ଼େ ରକ୍ତ ଛିଟା  । ଯାହା ଇତିହାସରେ ଲଗାଏ ଏକ ଦାଗ  । ତେବେ ଏଭଳି ବଡ଼ ଘଟଣା ଦେଶକୁ ସ୍ତମ୍ଭୀଭୁତ କରିଦେଇଥିଲା  । ମାମଲାରେ ସଂଶ୍ଲିଷ୍ଟ ଅନେକ ନେତା ଗିରଫ ହୋଇଥିଲେ  । କିନ୍ତୁ କେମିତି ପୂର୍ବ ସୂଚନା ସ୍ୱତେ ଚାଷୀ ସଂଗଠନ ଲାଲ କିଲ୍ଲା ଭିତରକୁ ପ୍ରବେଶ କଲେ ଓ ନିୟୋଜିତ ସୁରକ୍ଷାକର୍ମୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା  ।

୧୩ଥର ବିଫଳ ବୈଠକ

ନୂତନ କୃଷି ଆଇନୃ ପ୍ରସଙ୍ଗକୁ ନେଇ ବାରମ୍ବାର ବୁଝାଇବାକୁ ପ୍ରୟାସ କରିଥିଲେ କେନ୍ଦ୍ର ସରକାର  । ଆନ୍ଦୋଳନରତ ଚାଷୀଙ୍କୁ ବିଜ୍ଞାନ ଭବନ ଡ଼କାଇ ପ୍ରାୟ ୧୩ ଥର ଆଲୋଚନା କତରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଓ ସରକାର  । କିନ୍ତୁ ଚାଷୀ ଆଇନ ପ୍ରତ୍ୟାହୃତ ନେଇ ଅଡ଼ି ବସିଥିବା କୃଷକ ନେତା ବୈଠକକୁ ପ୍ରତ୍ୟାଖାନ କରିଥିଲେ । ସେପଟେ ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା  । ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ନ୍ୟାୟାଳୟ  ।

ନିଆଁ ଲଗାଇଲା ଲଖୀମପୁର ମୃତ୍ୟୁ

ପ୍ରାୟ ମାସାଧିକ ଏହି ଆନ୍ଦୋଳନକୁ ଆହୁରି ବଢାଇଦେଇଥିଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ  । ସ୍ୱରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଉତ୍ତରପ୍ରଦେଶ ଲଖିମପୁର ଖେରୀ ଠାରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢାଇଦେଇଥିଲେ  । ଫଳରେ ୪ ଜଣ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଥିଲା  । ଏହି ଘଟଣା ସମଗ୍ର ଦେଶରେ ବ୍ୟାପିଯାଇଥିଲା  । ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଦାବି କରିଥିଲେ ଚାଷୀ ସଂଗଠନ  । ବ୍ୟାକଫୁଟକୁ ଚାଲି ଆସିଥିଲା ବିଜେପି ସରକାର  । ଗୋଟେପଟେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଅନ୍ୟପଟେ ଆନ୍ଦୋଳନରୁ ଓହରିନଥିଲେ ଚାଷୀ  ।  ସେପଟେ ଏହାକୁ ନେଇ ପ୍ରତିବାଦ ଆହୁରି ତୀବ୍ର ହୋଇଥିଲା  । ପ୍ରାୟ ୬ଶହ ଚାଷୀ ଦେଶବ୍ୟାପୀ ମୃତ୍ୟୁ ବରଣ କରିଥିବା ନେଇ ଦାବି କରିଛନ୍ତି ଚାଷୀ ସଂଗଠନ  ।

 

ମୁଣ୍ଡ ନୁଆଁଇଲେ ସରକାର

ଆନ୍ଦୋଳନ, ପ୍ରତିବାଦ, ହରକତ ଓ ରକ୍ତପାତ ପରେ ପଛଘୁଞ୍ଚା ଦେଲେ ନାହିଁ ଚାଷୀ  । ଶେଷରେ ପଛକୁ ହଟିଲେ ସରକାର   । ନଭେମ୍ବର ୧୯ ଗୁରୁ ସାହେବ ପରବରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ସମ୍ବୋଧନ​ କରି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କଲେ  । ୫ଜଣିଆ କୃଷକ ପ୍ୟାନେଲ କେନ୍ଦ୍ର ସହ ଆଲୋଚନା କରିଥିଲେ । ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଉଭୟ ଗୃହରୁ ଚାଷୀ ଆଇନକୁ ପ୍ରତ୍ୟାହୃତ କରିନେଲେ  । ପରେ ଚାଷୀ ସଂଗଠନ ଡିସେମ୍ବର ୧୧ରେ ଘରକୁ ଫେରିଥିଲେ  ।

 

 

 

 

 

 

ଡୁଆଲ୍ ମୋଡ୍ ବସ୍: ରାସ୍ତା ସହ ଟ୍ରେନ୍ ଲାଇନରେ ବି ଚାଲିବ

ଟୋକିଓ: ବିଶ୍ବର ପ୍ରଥମ ଡୁଆଲ ମୋଡ୍ ବସ୍ ଓ ଟ୍ରେନ ସେବା ବଡ଼ଦିନରୁ ଜାପାନରେ ଆରମ୍ଭ ହେବାକୁ ଯାଉଛି । ଡୁଆଲ ମୋଡ୍ ବିଶିଷ୍ଟ ଏହି ବାହାନ ପିଚୁ ରାସ୍ତା ସହ ଟ୍ରେନ୍ ଲାଇନରେ ମଧ୍ୟ ଗଡି ପାରିବ । ଜାପାନା ସିକୋକୁରେ ଏହା ଆରମ୍ଭ ହେବାକୁ ଯାଉଛି ।

ଟୋକୁସିମା ପ୍ରାନ୍ତ ପକ୍ଷରୁ କୁହାଯାଇଛି, ଡିସେମ୍ବର ୨୫ ବଡଦିନଠାରୁ ଏହି ଡୁଆଲ ସେବା ଆରମ୍ଭ ହୋଇଯିବ । ପରିବହନ, ଭିତ୍ତିଭୂମି ଓ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସୁରକ୍ଷା କ୍ଲିୟରାନ୍ସ ମିଳି ସାରିଛି । ୫୦ କିମିର ଏହି ଡୁଆଲ ବସ୍ ଓ ଟ୍ରେନ୍ ସେବା ଟୋକୁସୀମା ପାନ୍ତର କାୟାରୁ କୋଚି ପ୍ରାନ୍ତର ମୁରୋଟୋକୁ ଚାଲିବ ।

ଏହି ଡୁଆଲ ସେବାରେ ୧୦ କିମି ଟ୍ରେନ୍ ଲାଇନ୍ ରହିଥିବା ବେଳେ ୪୦ କିମି ସଡ଼କ ପଥ ରହିଛି । ଅର୍ଥାତ ବସଟି ୧୦ କିମି ଟ୍ରେନ୍ ଲାଇନରେ ଚାଲିବ । ୩ଟି ବସକୁ ନେଇ ଆରମ୍ଭ ହେଉଛି ଏହି ନୂଆ ଡୁଆଲ ବସ୍ ଓ ଟ୍ରେନ ସେବା । ପ୍ରତି ବସରେ ୨୩ ଜଣ ଯାତ୍ରୀ ଯିବାର ବ୍ୟବସ୍ଥା ରହିଛି ।

ଡିଜେଲ ଚାଳିତ ଏହି ବସରେ ଉଭୟ ସଡ଼କ ପଥ ଓ ଟ୍ରେନ୍ ଲାଇନ ପାଇଁ ଚକା ଫିଟ କରାଯାଇଛି । ସଡ଼କ ପଥରୁ ଏହା ଟ୍ରେନ୍ ଲାଇନକୁ ଯିବା ପରେ ଚକ ବଦଳାଇବାକୁ ମାତ୍ର ୧୫ ସେକେଣ୍ଡ ସମୟ ଲାଗିଥାଏ ।

ଜାପାନର ଆସା ସି-ସାଇଡ ରେଲଓ୍ବେ ସହ ୩୫ ପ୍ରତିଶତ ଭାଗିଦାରୀ ଥିବା ଟୋକୁସୀମା ପ୍ରାନ୍ତ ସରକାରଙ୍କ ତରଫରୁ କୁହାଯାଇଛି, ‘ଏହି ଡୁଆଲ ବସ୍ ଓ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କ ଅର୍ଥିକ ସ୍ଥିତିକୁ ସୁଧାରିବ । କରୋନା ମହାମାରୀ କାରଣରୁ ବିଗିଡ଼ି ଯାଇଥିବା ଅର୍ଥନୀତିକଚ ଏହା ବଳ ଦେବ ।’

ଟ୍ରେନଠାରୁ ବହୁତ ହାଲକା ଏହି ଡୁଆଲ ବସ୍ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇପାରିବ । ଏଥିରେ କମ ଡିଜେଲ ବ୍ୟବହାର ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣା ସହଜ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

ଆଇପିଏଲ ସିଜିନ-୧୫ ପାଇଁ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା, ଷ୍ଟେନ ଓ କାଟିଚ୍

ହାଇଦ୍ରାବାଦ: ଆଇପିଏଲ ସିଜିନ୍-୧୫ ପାଇଁ ସବୁ ଫ୍ରାଞ୍ଚାଇଜ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିସାରିଲେଣି । ବିଭିନ୍ନ ଫ୍ରାଞ୍ଚାଇଜ୍ ସେମାନଙ୍କ ଦଳରେ ପ୍ରଶିକ୍ଷକ, ସହ ପ୍ରଶିକ୍ଷକ ନିଯୁକ୍ତି କରିବାରେ ଲାଗିଛନ୍ତି । ଏହି ପ୍ରକ୍ରିୟାରେ ଆଜି ସନ ରାଇଜର୍ସ ହାଇଦ୍ରାବାଦ ନୂଆ ସର୍ପୋଟ ଷ୍ଟାଫ ନିଯୁକ୍ତି କରିଛି । ବ୍ୟାଟିଂ କୋଚ ଭାବରେ ହାଇଦ୍ରାବାଦ ଦଳରେ ଯୋଗ ଦେଇଛନ୍ତି କିମ୍ବଦନ୍ତି କ୍ରିକେଟର ବ୍ରାଏନ ଲାରା । ଲାରାଙ୍କୁ ହାଇଦ୍ରାବାଦ ଦଳରେ ରଣନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ ଦେଇଛି । ସେହିପରି ଭାବରେ ବୋଲିଂ କୋଚ ଭାବରେ ଡେଲ ଷ୍ଟେନଙ୍କୁ ହାଇଦ୍ରାବାଦ ନିଯୁକ୍ତି ଦେଇଛି । ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଷ୍ଟେନ ପୂର୍ବରୁ ମଧ୍ୟ ହାଇଦ୍ରାବାଦ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିସାରିଛନ୍ତି ।

ସେହିପରି ଭାବରେ ଅଷ୍ଟ୍ରେଲିଆ କ୍ରିକେଟର ସାଇମନ କାଟିଚଙ୍କୁ ହାଇଦ୍ରାବାଦ ଦଳରେ ସହକାରୀ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ କାଟିଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ମୁଖ୍ୟ କୋଚ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏମାନଙ୍କ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହେମଙ୍ଗ ବଦାନୀଙ୍କୁ ହାଇଦ୍ରାବାଦ ଦଳର ଫିଲ୍ଡିଂ କୋଚ ଭାବରେ ମଧ୍ୟ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ହାଇଦ୍ରାବାଦ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍ ଭାବରେ ଟମ୍ ମୁଡି ରହିଛନ୍ତି । ମୁଡିଙ୍କ ନେତୃତ୍ୱରେ ହାଇଦ୍ରାବାଦ ୨୦୧୬ ଚମ୍ପିଆନ ହୋଇଥିଲା ।

ଆଇପିଏଲ ସିଜିନ-୧୪ରେ ନୈରାଶଜନକ ପ୍ରଦର୍ଶନ କରିଥିଲା ସନ ରାଇଜର୍ସ ହାଇଦ୍ରାବାଦ । ୧୪ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ଲାଭ କରିଥିଲା ହାଇଦ୍ରାବାଦ । ନୈରାଶଜନକ ପ୍ରଦର୍ଶନ ଫଳରେ ଡେଭିଡ ଓ୍ୱାର୍ଣ୍ଣରଙ୍କଠାରୁ ଅଧିନାୟକତ୍ୱ ମଧ୍ୟ ଛଡାଇ ନିଆଯାଇଥିଲା । ଏହା ବ୍ୟତୀତ ଆଗାମୀ ସିଜିନ୍ ପାଇଁ ଡେଭିଡ ଓ୍ୱାର୍ଣ୍ଣର ଓ ଷ୍ଟାର ସ୍ପିନ୍ନର ରସିଦ ଖାନଙ୍କୁ ମଧ୍ୟ ରିଟେନ କରିନଥିଲା ହାଇଦ୍ରାବାଦ । ଆଗାମୀ ସିଜିନ ପାଇଁ ହାଇଦ୍ରାବାଦ କେନ୍ ଓ୍ୱିଲିୟମସନ, ଅବଦୁଲ ସମଦ ଓ ଉମ୍ରାନ ମଲ୍ଲିକଙ୍କୁ ଦଳରେ ରିଟନ କରିଛି ।

ବର୍ଷକରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪,୭୩୮ ଜଣ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ  ସଡ଼କ ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ କରିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

୨୦୧୯ ମସିହା ତୁଳନାରେ ଦୁର୍ଘଟଣାଜନିତ ମୃତୁ୍ୟ ହାର ପ୍ରାୟ ୧୧% ହ୍ରାସ ପାଇଛି ଓ ଏହାର ମୁଖ୍ୟ କାରଣ ହେଲା କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହେବା କାରଣରୁ ମୃତ୍ୟୁ ହାର ହ୍ରାସ ପାଇଛି  । ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁ ବରଣ କରୁଥିବାବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି । ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ମୃତୁ୍ୟ ବରଣ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସେ୍ୱଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ ଫାର୍ଷ୍ଟ ରେସ୍‌ପଣ୍ଡର ଟ୍ରେନିଂ ଦିଆଯାଇଛି । ଯାନଚାଳକମାନଙ୍କ ପାଇଁ ରିଫ୍ରେସ୍‌ର ଟ୍ରେନିଂ କରାଯାଉଛି । ବ୍ଲାକ୍‌ ସ୍ପଟ୍‌ଗୁଡ଼ିକୁ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ
କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ  ମଧୁସୂଦନ ପାଢ଼ୀ, ଆଇନ ସଚିବ, ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ବୋମା ଲଗାଇବା ବେଳେ ବିସ୍ଫୋରଣ ?

ଲୁଧିଆନା: ପଞ୍ଜାବ ଲୁଧିଆନା କୋର୍ଟରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ  ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଓ ତଦନ୍ତକାରୀ ଏଜେନ୍ସି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ତାଙ୍କୁ ଜଣାପଡ଼ିଛି କି ଏହି ବିସ୍ଫୋରଣ ବୋମା ଲଗାଇବା ସମୟରେ ହୋଇଛି । କେବଳ ଏହା ନାହିଁ ଯାହା ସୂଚନା ମିଳୁଛି କି ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଜଣେ ସେହି ବ୍ୟକ୍ତି ରହିଛନ୍ତି ଯିଏ ଏହି ବୋମାକୁ ସେଠାରେ ଲଗାଉଥିଲା । IED ଦ୍ୱାରା ଏହି ବିସ୍ଫୋରଣ ହୋଇଛି ବୋଲି ଆଶଙ୍କା କରାଯାଉଛି ।

ଏହି ବିସ୍ଫୋରଣରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ । ଲୁଧିଆନାରେ କୋର୍ଟ ପରିସରରେ ଏହି ବିସ୍ଫୋରଣ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ଓ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି କି ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେି ଆସୁଛି କିଛି ଦେଶ ବିରୋଧୀଙ୍କ ଦ୍ୱାରା ଏପରି ଘଟଣା କରୁଛନ୍ତି ବୋଲି ସେ କହିଥିଲେ । ସେହିପରି ଭାବରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କହିଛନ୍ତି କି ଏହା ଏକ ଷଡଯନ୍ତ୍ର ଅଟେ । ଭୋଟକୁ ବିଭକ୍ତିକରଣ ପାଇଁ ଏପରି କରାଯାଉଛି ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ ।