ବୋରିଭାଲିରୁ ଟିମ୍ ଇଣ୍ଡିଆ ଅଧିନାୟକ: The Journey Of Rohit Sharma

1 min read

ମୁମ୍ବାଇ: ରୋହିତ ଶର୍ମା । ଭାରତୀୟ କ୍ରିକେଟର ଏମିତି ଏକ ନାଁ ଯାହାଙ୍କ ବ୍ୟାଟ୍ ଏକା ଏକା ଖେଳର ଦିଶା ବଦଳାଇବାକୁ ସକ୍ଷମ । ଶାନ୍ତ ଓ ଧିର ସ୍ଥିର ସ୍ବଭାବର ରୋହିତ । କିନ୍ତୁ ତାଙ୍କ ବ୍ୟାଟ୍ ଯେତେବେଳେ କଥା କହିଥାଏ ବିପକ୍ଷ ବୋଲରଙ୍କ ନିଦ ହଜି ଯାଇଥାଏ । ବୋଲିରଙ୍କ ପାଇଁ କଳା ସ୍ବପ୍ନ ହେଉଛନ୍ତି ରୋହିତ । ଏକାକୀ କ୍ରିଜର ଗୋଟିଏ ପଟରେ ଛିଡ଼ା ହୋଇ ଟିମ୍ ଇଣ୍ଡିଆକୁ ବିଜୟ ମୁକୁଟ ପିନ୍ଧାଇବାରେ ଦକ୍ଷ ଏହି ବ୍ୟାଟ୍ସମ୍ୟାନ । କୋହଲିଙ୍କ ପରେ ଏବେ ଅଧିନାୟକ ଦାୟିତ୍ବ ତାଙ୍କ କାନ୍ଧରେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଟିମ୍ ଇଣ୍ଡିଆର ମଉଡମଣୀ ହେବା ଯାତ୍ରା ରୋହିତଙ୍କ ପାଇଁ ନଥିଲା ଏତେ ସହଜ । ମୁମ୍ବାଇର ବୋରିଭାଲିରୁ ‘ମେନ ଇନ୍ ବ୍ଲୁ’ର ଡ୍ରେସିଂ ରୁମ୍ ଓ ଟିମ ଇଣ୍ଡିଆର ମହାରାଜା ହେବା ପର୍ଯ୍ୟନ୍ତ ରୋହିତଙ୍କ କଠିନ ଯାତ୍ରାକୁ ନେଇ ବିଶେଷ ଉପସ୍ଥାପନା ‘ରୋହିତ: ବୋରିଭାଲିରୁ ଟିମ୍ ଇଣ୍ଡିଆ ଅଧିନାୟକ’ ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଯାହାଙ୍କୁ ୨୦୧୧ ବିଶ୍ବକପ୍ ଟିମରେ ମିଳିନଥିଲା ସ୍ଥାନ । ଯାହା ରୋହିତଙ୍କୁ ପଞ୍ଚ ମାରିବା ପରି ଥିଲା । ଆଉ ଏବେ ଅସନ୍ତାବର୍ଷ ହେବାକୁ ଥିବା ଦୁଇ ଦୁଇଟି ବିଶ୍ବକପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଦାୟିତ୍ବ ତାଙ୍କ କାନ୍ଧରେ । ରୋହିତଙ୍କ ଏହି ଯାତ୍ରା କେମିତି ଥିଲା ଆସନ୍ତୁ ଜାଣିବା ।

ବୋରିଭାଲିର ଡନ୍ ରୋହିତ ଶର୍ମା

ବର୍ଷ ୧୯୯୯ । ମୁମ୍ବାଇ ସ୍ପୋର୍ଟ୍ସ ଆଣ୍ଡ କଲଚର ଆସୋସିଏସନରେ ଏକ ପିଲା ଅଫ୍ ସ୍ପିନର ଭାବେ ଖେଳୁଥିଲା । ସେତେବେଳେ ସେଠାରେ ଅଲଗା ଅଲଗା କୋଚିଂ କ୍ୟାମ୍ପ ଚାଲୁଥିଲା । ମାଆ ବାପା ଦୂରରେ ରହୁଥିବାରୁ ରୋହିତ ତାଙ୍କ ଦାଦାଙ୍କ ପାଖରେ ରହି କ୍ରିକେଟ୍ ପ୍ରାକ୍ଟିସ୍ କରୁଥିଲେ । ଏହି ସମୟରେ ସେଠାକୁ ଦିନେଶ ଲାଡ ଆସିଥିଲେ, ଯିଏ ସେ ସମୟରେ ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ ପାଇଁ କ୍ରିକେଟ୍ ଟିମ ପ୍ରସ୍ତୁତ କରୁଥିଲେ । ଦିନେଶ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଖରୁ ପ୍ରଶିକ୍ଷଣ ପାଇଥିବା କିଛି ଖେଳାଳି ଟିମ୍ ଇଣ୍ଡିଆରେ ତ ଆଉ କିଛି ଖେଳାଳି ଘରୋଇ କ୍ରିକେଟରେ ତାଙ୍କ ଜଲଓ୍ବା ଦେଖାଉଥିଲେ । ଡେଥ ଓଭରରେ ରୋହିତ ବୋଲିଂ କରୁଥିବା ଓ ଟିମ ପାଇଁ ରନ୍ ବି ବଞ୍ଚାଇବା ତାଙ୍କ ନଜରରେ ପଡିଥିଲା ।

୨୭୫ ଟଙ୍କା ସ୍କୁଲ ଫି’ ଦେବାକୁ ବି ଅସମର୍ଥ ଥିଲେ ରୋହିତ  

ଏହାପରେ ଦିନେଶ ରୋହିତଙ୍କ ଦାଦା ଓ ମାଆବାପାଙ୍କ ସହ କଥା ହୋଇ ତାଙ୍କୁ ସ୍ବାମୀ ବିକେକାନନ୍ଦ ସ୍କୁଲରେ ନାମ ଲେଖାଇବାକୁ କହିଥିଲେ । ହେଲେ ପରିବାର ପକ୍ଷେ ସେ ସମୟରେ ୨୭୫ ଟଙ୍କା ସ୍କୁଲ ଫି’ ଦେଇ ରୋହିତଙ୍କୁ ପାଠ ପଢ଼ାଇବା ସମ୍ଭବ ନଥିଲା । ପରେ ଦିନେଶଙ୍କ ଅନୁରୋଧରେ ରୋହିତଙ୍କ ସ୍କୁଲ ଫି’ ଛାଡ଼ ହୋଇଥିଲା ଓ ତାଙ୍କ ନାମ ଲେଖା ଯାଇଥିଲା । ରୋହିତ ଥିଲେ ସେ ସ୍କୁଲର ପ୍ରଥମ ଛାତ୍ର ଯାହାଙ୍କୁ କ୍ରିକେଟ୍ ଟିମରେ ନେବା ପାଇଁ ଫି’ ଛାଡ କରି ଆଡମିଶନ ଦିଆଯାଇଥିଲା ।

ଅଫ୍ ସ୍ପିନରରୁ ବ୍ୟାଟ୍ସମ୍ୟାନ ?

୧୨ ବର୍ଷର ରୋହିତ ଦିନେଶ ଲାଡଙ୍କ ପ୍ରଶିକ୍ଷଣରେ ନିଜକୁ ପରିପକ୍ବ କରିବା ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ସେ କେବଳ ବୋଲିଂ ହିଁ କରିଥିଲେ । ହାରିସ ଶିଲ୍ଡ ସମେତେ ଅନ୍ୟ କିଛି ଟୁର୍ଣ୍ଣାମେଣ୍ଟରେ ସେ କେବଳ ଅଫ୍ ସ୍ପିନ୍ ବୋଲିଂ କରିଥିଲେ । ବର୍ଷେ ପରେ ଦିନେ ଦିନେଶ ସ୍କୁଲ ହତାରେ ପଶିବା ବେଳେ ଗୋଟିଏ ପିଲା ବ୍ୟାଟିଂ କରୁଥିବା ଦେଖିବାକୁ ପାଇଥିଲେ । ସେ ଆଉ କେହି ନୁହେଁ ରୋହିତ ଥିଲେ ।

ଦିନେଶ ପାଖକୁ ଯାଇ ପଚାରିଥିଲେ, ତୁମେ ବ୍ୟାଟିଂ କି କରିପାର । ଉତ୍ତରରେ ରୋହିତ କହିଥିଲେ ହିଁ ସାର୍ । ପୁଣି ଦିନେଶ ପଚାରିଲେ ବ୍ୟାଟିଂ କରିବ ? ରୋହିତଙ୍କ ତରଫରୁ ମିଳିଥିଲା ସମାନ ଉତ୍ତର ।

ସେହିଦିନଠାରୁ ନେଟରେ ରୋହିତଙ୍କ ବ୍ୟାଟିଂ ପ୍ରାକ୍ଟିସ୍ ଆରମ୍ଭ ହୋଇଥିଲା । ଦିନେଶ ଦେଖିଥିଲେ ଅଫ୍ ସ୍ପିନ୍ କରୁଥିବା ଏହି ପିଲା ବ୍ୟାଟ ବି ଧୂଆଁଧାର ଚଲାଇବାକୁ ସକ୍ଷମ । ଏହାପରେ ସମୟ ଥିଲା ଗାଇଲ୍ସ ଫିଲ୍ଡ ଟୁର୍ଣ୍ଣାମେଣ୍ଟର । ରୋହିତଙ୍କୁ ଓପନିଂ କରିବାକୁ ପଠାଯାଇଥିଲା । ଏହି ସୁଯୋଗକୁ ରୋହିତ ହାତଛଡ଼ା କରିନଥିଲେ ଓ ୧୪୦ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରୋହିତ ।

ଦଶମ ଶ୍ରେଣୀରେ ପଡିବା ବେଳେ ଦିନେଶ ସାର୍ ରୋହିତଙ୍କ ଉପରେ ପୂରା ଫୋକସ୍ ଦେବା ଆରମ୍ଭ କରିଦେଇଥିଲେ । ସେ ରୋହିତଙ୍କୁ ବ୍ୟାଟ୍ ଓ କ୍ରିକେଟ୍ କିଟ୍ ଉପହାରରେ ଦେଇଥିଲେ । କାରଣ ସେ ଜାଣିଥିଲେ ରୋହିତଙ୍କ ପରିବାର ପକ୍ଷେ ଏହା କିଣିବା ସମ୍ଭବ ନଥିଲା । ଏହାପରେ ଦୁଇଟି ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କୁ ସ୍ଥାନ ତ ମିଳିଥିଲା ହେଲେ ପ୍ଲେଇଂ-୧୧ରେ ସ୍ଥାନ ମିଳିନଥିଲା । ଏହି ସମୟରେ ଦିନେଶ ସାରଙ୍କ ପାଖକୁ ଆସି ରୋହିତ ବହୁତ କାନ୍ଦି ଥିଲେ । ଏହାପରେ ଅଣ୍ଡର-୧୪, ଅଣ୍ଡର-୧୫, ଅଣ୍ଡର-୧୬, ଅଣ୍ଡର-୧୭ ଓ ଅଣ୍ଡର- ୧୯ ଟିମରେ ମିଡିଲ ଅର୍ଡରରେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିଥିଲା ଓ ଧିରେ ଧିରେ ସେ ବ୍ୟାଟିଂ ଅର୍ଡରର ପାହାଚ ଚଢ଼ିବାକୁ ଲାଗିଥିଲେ ।

ଟିମ୍ ଇଣ୍ଡିଆରେ ଏଣ୍ଟ୍ରି, ହେଲେ ବିଶ୍ବକପରୁ ଆଉଟ୍

୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ସେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ସେହିବର୍ଷ ଇଂଲଣ୍ଡ ଗସ୍ତରେ ଥିଲେ ବି ଖେଳିବାକୁ ସୁଯୋଗ ପାଇନଥିଲେ । ଏହାପରେ ଟି-୨୦ ବିଶ୍ବକପରେ ତାଙ୍କୁ ସୁଯୋଗ ମିଳିଥିଲା । ହେଲେ ଆରମ୍ଭର କିଛି ମ୍ୟାଚରେ ତାଙ୍କୁ ଟିମରେ ସ୍ଥାନ ମିଳିନଥିଲା । ଏହି ସମୟରେ ଦକ୍ଷିଣ ଆଫ୍ରିକାରୁ କୋଚ୍ ଦିନେଶ ସାରଙ୍କୁ ଫୋନ୍ କରି ଦୁଃଖ ଜଣାଇଥିଲେ ରୋହିତ । ଉତ୍ତରରେ ଦିନେଶ ସାର୍ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେବା ସହ କହିଥିଲେ ଏହା କୌଣସି ଗାଁ କ୍ରିକେଟ୍ ନୁହେଁ, ଟିମ୍ ଇଣ୍ଡିଆ । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ମ୍ୟାଚରେ ୫୦ ରନ୍ କରି ରୋହିତ ସମସ୍ତଙ୍କୁ ତାଙ୍କ ପରିଚୟ ଦେଇ ଦେଇଥିଲେ ।

ହେଲେ ୨୦୦୯ ଓ ୨୦୧୦ ରୋହିତଙ୍କ ଭଲ ଯାଇ ନଥିଲା । ଅଭ୍ୟାସରୁ ଦୂରେଇବା, ସାଙ୍ଗଙ୍କ ସହ ବୁଲିବା ମୁଖ୍ୟ କାରଣ ଥିବା ଦିନେଶ ସାର କୁହନ୍ତି । ସ୍ଥିତି ଏମିତି ହୋଇଥିଲା ବିଶ୍ବକପ୍ ପୂର୍ବରୁ ରୋହିତଙ୍କ ବ୍ୟାଟିଂ ଆଭରେଜ ୨୦ରୁ ତଳକୁ ଖସି ଯାଇଥିଲା । ଏମିତି ସ୍ଥିତିରେ ସେ ବିଶ୍ବକପ ଦଳରେ ଚୟନ ହେବା ବି ଅସମ୍ଭବ ଲାଗୁଥିଲା । ତାହା ବି ହେଲା ଓ ୨୦୧୧ ବିଶ୍ବପକରେ ତାଙ୍କୁ ସୁଯୋଗ ମିଳି ନଥିଲା ।

ଏହାପରେ ସେ ଦିନେଶ ସାରଙ୍କ ପାଖକୁ ଯାଇ କ୍ଷମା ମାଗିବା ସହ ନିଜ ଭୁଲ ସ୍ବୀକାର କରିଥିଲେ । ବିଶ୍ବପକ୍ ପରେ ପୁଣି ଥରେ ରୋହିତ ଟିମ ଇଣ୍ଡିଆକୁ ଫେରିଥିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ।

ରୋହିତରୁ ‘ଦି ହିଟ୍ ମ୍ୟାନ୍’

୨୦୧୩ରେ ଧ୍ବନିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଇଂଲଣ୍ଡ ଯାଇଥିଲା । ସେଠାରେ ସମସ୍ତଙ୍କୁ ଚକିତ କରି ଧୋନି, ରୋହିତ ଓ ଧାଓ୍ବନଙ୍କୁ ମ୍ୟାଚ୍ ଓପନ କରିବାକୁ ପଠାଇଥିଲେ । ଧାଓ୍ବନଙ୍କ ସହ ମିଶି ରୋହିତ ଭାରତକୁ ଭଲ ଆରମ୍ଭ ଦେଲେ । ଓପନର ଭାବେ ରୋହିତ ଜୟପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଧମାକା କରିଥିଲେ । ୩୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ରୋହିତ ଏକାକୀ ୧୪୧ ରନ୍ କରିଥିଲେ ।

୨୦୧୩ ପରଠାରୁ ରୋହିତ ଓପନର ଭାବେ ୨୭ ଶତକ ମାରି ସାରିଛନ୍ତି । ଏଥିରେ ୩ଟି ଦ୍ବିଶତକ ମଧ୍ୟ ରହିଛି । ଆଉ ଏବେ ଟିମ୍ ଇଣ୍ଡିଆ ମଉଡମଣୀ ହେଉଛନ୍ତି ରୋହିତ ।

Leave a Reply