ପୁଣି ସୁପ୍ରିମକୋର୍ଟ ଗଲା ହିଜାବ ବିବାଦ

1 min read

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦ ପୁଣି ଥରେ ଗଲା ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କଲେ ଅଭିଯୋଗକାରୀ । ଏହା ପୂର୍ବରୁ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପିଠ ପରବର୍ତ୍ତି ଆଦେଶ ଆସିବା ପର୍ଯ୍ୟନ୍ତ କଲେଜ ଓ ସ୍କୁଲକୁ ଧାର୍ମିକ ପୋଷାକ ପିନ୍ଧି ଆସିବା ଉପରେ ରହିତାଦେଶ ଲଗାଇଥିଲେ ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାର ରାଜ୍ୟରେ ‘କର୍ଣ୍ଣାଟକ ଏଜୁକେସନ ଆକ୍ଟ-୧୯୮୩’ର ଧାରା ୧୩୩ ଲାଗୁ କରିଛନ୍ତି । ଏହି ଅନୁସାରେ ସବୁ ସ୍କୁଲ ଓ କଲେଜରରେ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି । ସରକାରୀ ସ୍କୁଲ ଓ କଲେଜରେ ପୂର୍ବରୁ ଥିବା ୟୁନିଫର୍ମ ନିୟମ ଅନୁସାରେ ପିଲାମାନେ ପୋଷାକ ପିନ୍ଧ ଆସିବେ । ଘରୋଇ ଶିକ୍ଷାନୁଷ୍ଠାନ ପିଲାମାନଙ୍କ ପାଇଁ ନିଜ ପସନ୍ଦର ୟୁନିଫର୍ମ ଚୟନ କରିବାକୁ ଅନୁମତି ପାଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିକୁ କିଛି ସଙ୍ଗଠନ ବିରୋଧ କରିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟଙ୍କ ବେଞ୍ଚ ମଧ୍ୟବର୍ତ୍ତିକାଳୀନ ରାୟ ଶୁଣାଇଥିଲେ । ମୁଖ୍ୟ ବିଚାରପତି ଋତୁରାଜ ଅବସ୍ତି କହିଥିଲେ, ‘ଆମେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଆଦେଶ ଦେବୁ । ସମସ୍ତେ ଶାନ୍ତି ରଖନ୍ତୁ । ଆମେ ମାମଲାର ବିଚାର କରୁଛୁ, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଧାର୍ମିକ ପୋଷାକ ପିନ୍ଧ ଆସିବାକୁ ପିଲାଙ୍କୁ ବାଧ୍ୟ କରାନଯାଉ ।’

ସୂଚନାଯୋଗ୍ୟ, ସରକାରଙ୍କ ଡ୍ରେସ କୋଡ୍ ନିଷ୍ପତ୍ତିକୁ ନେଇ ଗତ ଜାନୁଆାରୀ ମାସରେ ବିବାଦ ଆରମ୍ଭ ହୋଇଥିଲା । ଉଡ୍ଡୁପିର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିଥିଲେ । କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ହିଜାବ ପିନ୍ଧ ଆସିବାକୁ ମନା କରିଥିଲେ । ହେଲେ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରଦିନ ପୁଣି ହିଜାବ ପିନ୍ଧି କଲେଜ ଆସିଥିଲେ । ଏହାପରେ ଅନ୍ୟ କଲେଜରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

Leave a Reply