ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ଭୋଟିଂ

1 min read

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କାଁ ଭାଁ ହିଂସାକୁ ଛାଡିଦେଲେ ୧୩ ଶହ ୮୨ ପଞ୍ଚାୟତରେ ନିର୍ବାଚନ ଉତ୍ସାହଜନକ ରହିଛି । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରବିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୯ ଟି ଜିଲ୍ଲାର ୬୩ ଟି ବ୍ଳକର ୧ ହଜାର ୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥରେ ନିର୍ବାଚନ ଶେଷ ହୋଇଛି ।

ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ଦୃଢ ନିନ୍ଦା କରିଛନ୍ତି । ସମ୍ପର୍କରେ ତଦନ୍ତ ପାଇଁ D.G. ପୋଲିସ୍ ଏବଂ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଲାର ମାଥିଲି, ପୋଡିଆ ବ୍ଲକ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ।

ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ଦୁଇ ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଅଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Leave a Reply