ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ଯାଜପୁର: ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ୨୦ ଜଣଙ୍କୁ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ସ୍ଥିତି ପରଖିବା ପାଇଁ ବିଞ୍ଝାରପୁର ଥାନାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ରବିବାର ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ଭୋଟ୍‌ ବାକ୍ସ ଛଡ଼ାଇ ନେବାବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଥିଲେ ସାମ୍ବାଦିକଙ୍କ ପ୍ରତିନିଧି ଦଳ ।

Leave a Reply