spot_img
Home Blog Page 4687

ଜାନୁଆରୀ ୧୭ ପର୍ଯ୍ୟନ୍ତ ବନ୍ଦ ରହିଲା ଗଞ୍ଜାମର ସମସ୍ତ ବେଳାଭୂମି

ବ୍ରହ୍ମପୁର: ସାରା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଗଞ୍ଜାମରେ କଡ଼ା କଟକଣା ଲାଗୁ କରାଯାଉଛି । ଆସନ୍ତା ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ଏହି ସବୁ ଉତ୍ସବକୁ ନଜରରେ ରଖି କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ ଘୋଷଣା କରାଯାଇଛି । ଆଜିଠୁ ୧୭ ତାରିଖ ଯାଏ ଗୋପାଳପୁର , ସୋନାପୁର ପରି ସମସ୍ତ ବେଳାଭୂମି ବନ୍ଦ ରହିବ । ଏନେଇ ଟ୍ବିଟ୍ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ଆଜିଠାରୁ ଜାନୁଆରୀ ୧୭ ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣଙ୍କୁ ବେଳାଭୂମିକୁ ଯିବା ପାଇଁ ବାରଣ କରାଯାଇଛି ।

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବ୍ଲକ ସ୍ତରରେ ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ୱର: ସରଗରମ ହେଉଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଉଷ୍ମ ହେଉଛି ଗାଁ ରାଜନୀତି । ଆଜି ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଜାରି ହେବ ବିଜ୍ଞପ୍ତି । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥି ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି ।

ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହା ସହ ଚଳିତ ଥର ବୁଥ୍ ଗଣତି ବଦଳରେ ବ୍ଲକ ସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଗଣତି କରାଯିବ । ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ବଚ୍ଛ ହୋଇପାରିବ । ସେପଟେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି ସବୁ ରାଜନୈତିକ ଦଳ । ସବୁ ସମୟରେ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛି । ଦଳ ଏଥର ସବୁ ଜିଲ୍ଲା ପରିଷଦ ଆସନ ଦଖଲ କରିବ ବୋଲି ଦଳୀୟ ନେତା ଦାବି କରିଛନ୍ତି । ଅନ୍ୟପଟେ ଶାସକ ଦଳକୁ ଟକ୍କର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିରୋଧୀ ।

ISROର ନୂଆ ମୁଖ୍ୟ ହେବେ ଏସ. ସୋମନାଥ

ନୂଆଦିଲ୍ଲୀ: ISROକୁ ମିଳିଲା ନୂଆ ମୁଖ୍ୟ । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । VSSC ପୂର୍ବରୁ ଏସ. ସୋମନାଥ ଥିରୁଓ୍ବନନ୍ତପୁରମ ସ୍ଥିତ ଲିକ୍ୱଡ୍ ପ୍ରୋପଲ୍ସେନ ସିଷ୍ଟମ ସେଣ୍ଟରର ନିର୍ଦ୍ଦେଶକ ରହିଥିଲେ । VSSC ନିର୍ଦ୍ଦେଶକ ଏସ୍‌ ସୋମନାଥଙ୍କୁ ଦେଶର ଜଣେ ବିଚକ୍ଷଣ ଟେକ୍ନୋଲୋଜିଷ୍ଟ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ଗଣାଯାଏ ।

ଇସ୍ରୋର ରକେଟ୍‌ ବିକାଶ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଲଞ୍ଚ ଡିଜାଇନିଂରେ ବିଶେଷ ରୁଚି ରଖିଛନ୍ତି । କେବଳ ସେତିକି ନୁହେଁ ଏସ୍‌. ସୋମନାଥ ଲଞ୍ଚ ସିଷ୍ଟମ୍‌ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ୍‌, ଷ୍ଟ୍ରକଚରାଲ ଡାୟନେମକ୍ସ ଏବଂ ପାଇରୋଟେକନିକ୍ସ ଏକ୍ସପର୍ଟ ।

କ୍ୟାରିଅରର ଆରମ୍ଭରେ ପିଏସ୍‌ଏଲଭି ସାଟେଲାଇଟ୍‌ ଲଞ୍ଚିଂରେ ସେ ଥିଲେ ଟିମ୍ ଲିଡ଼ର । ଦୃଢ ଇଚ୍ଛା ଶକ୍ତି ଯେ ଅସମ୍ଭବକୁ ସମ୍ଭବ କରିପାରେ ତାହା ପ୍ରମାଣ କରିଛନ୍ତି ଏସ୍ ସୋମନାଥ । ଜୁଲାଇ ୧୯୬୩ରେ ଜନ୍ମଗ୍ରହଣ କରିଥିଲେ ଏସ. ସୋମନାଥ । କେରଳ ବିଶ୍ବବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଆଇଆଇଏସସିରେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଜି ପରେ ବେଙ୍ଗାଳୁରୁରେ ପାଇଥିଲେ ଗୋଲ୍ଡ ମେଡାଲ୍ । ୨୦୧୪ରେ ISRO ପକ୍ଷରୁ ପରଫରମାନ୍ସ ଏକ୍ସଲେନ୍ସ ସମ୍ମାନ ପାଇଥିଲେ ସେ ।

ଆଜି ବି ପ୍ରବଳ ବର୍ଷିବ, ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ଅସ୍ତବ୍ୟସ୍ତ କରିବ ଅଦିନିଆ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା ।  ଭିଜୁଛି ଉପାନ୍ତରୁ ଉପକୂଳ । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଚଡକ ପକାଇଛି । ବର୍ତ୍ତମାନ ସମୟ ଅମଳର, ଆଉ ଅମଳ ସମୟରେ ଏପରି ଅଦିନିଆ ବର୍ଷା ହେବା ଫଳରେ ଚାଷୀ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି ଅଦିନିଆ ବର୍ଷା ଆସନ୍ତା ଦୁଇ ଦିନ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । କେତେକ ସ୍ଥାନରେ କୁଆପଥର ପଡିବା ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ସଚେତନ ସହ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ ରାସ୍ତାରେ ବସିବ ହାଟ, କରୋନା ସଂକ୍ରମଣକୁ ଦେଖି ବିଏମସିର କଡ଼ା ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱରରେ ଥିବା ହାଟର ଭିଡକମାଇବା ପାଇଁ ପୁଣି ଥରେ ହାଟ ଓ ବଜାରକୁ ବିକେନ୍ଦ୍ରୀକରଣ କରିଛି ବିଏମସି । ରାସ୍ତା କଡରେ କୋଭିଡ କଟକଣା ଭିତରେ ହେବ ବ୍ୟବସାୟ । ପ୍ରଥମେ ୟୁନିଟ-୪ ମାର୍କେଟ ଓ ୟୁନିଟ-୧ ହାଟକୁ ବିକେନ୍ଦ୍ରୀକରଣ କରିଛି ବିଏମସି । ଏହା ପରେ ପର୍ଯ୍ୟାୟ କ୍ରମେ ସବୁ ଭିଡ଼ ସ୍ଥାନରେ ଲାଗୁ ହେବ କଡ଼ା ନିୟମ ।

ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି । ସଚେତନ ଥିଲେ ମଧ୍ୟ ଟିକା ନେଇଥିବାରୁ କରୋନା ଗାଇଡଲାଇନ୍ ମାନିବାରେ ଅବହେଳା କରୁଛନ୍ତି ଲୋକେ । ତେଣୁ ଏଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡିଛି ବିଏମସି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ହାଟ ଓ ମାର୍କେଟର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଏମସି କମିଶନର ।

ଆଜିଠୁ ୫ ଦିନ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

କଟକ: ସାରା ରାଜ୍ୟରେ  ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ ରଖାଯାଇଛି । କରୋନା ସ୍ଥିତିକୁ ନଜରରେ ରଖି ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଆଜିଠାରୁ ଅର୍ଥାତ ୧୩ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୫ ଦିନ ବନ୍ଦ ରହିବା ପରେ ୧୮ ତାରିଖରୁ ପୁଣି ହାଇକୋର୍ଟର କାର୍ଯ୍ୟ ଆରମ୍ଭ ହେବ । ୧୮ ଜାନୁଆରୀରୁ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ ଚାଲିବ । ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଏହିପରି ଭାବେ ଚାଲିବ କୋର୍ଟ କାର୍ଯ୍ୟ । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ଶୁଣାଣି ବାତିଲ କରାଯାଇଛି ।

୨୧୦ ରନ୍‌ରେ ସୀମିତ ଦକ୍ଷିଣ ଆଫ୍ରିକା: ୭୦ରନ୍‌ରେ ଆଗୁଆ ଭାରତ

କେପ୍ ଟାଉନ୍: ଦମ୍ ଦେଖାଇଲେ ଭାରତୀୟ ବୋଲର । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିବସରେ ଭାରତୀୟ ବୋଲରଙ୍କ ଶାଣିତ ଓ ଶୃଙ୍ଖଳିତ ବୋଲିଂ ଫଳରେ ୨୧୦ ରନ୍‌ରେ ସୀମିତ ରହିଛି ଆୟୋଜକ ଦଳ । ଯଶପ୍ରୀତ ବୁମ୍‌ରା ସର୍ବାଧିକ ୫ ୱିକେଟ୍ ହାସଲ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଫଳରେ ଭାରତ ମୋଟ ୭୦ ରନରେ ଆଗୁଆ ରହିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ୍ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ କରି ଅପରାଜିତ ରହିଛନ୍ତି।

Image

ପ୍ରଥମ ଇନିଂସରେ ୧୩ ରନରେ ଆଗୁଆ ଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା।  ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ୍ (୧୦) ଓ ଲୋକେଶ ରାହୁଲ (୭) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ତେବେ କୋହଲି ଓ ପୂଜାରା ଅଭିଜ୍ଞତାର ଫାଇଦା ଉଠାଇଥିଲେ ଏବଂ ଦଳକୁ ଆଉ କ୍ଷତି ହେବାକୁ ଦେଇନାହାନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୩ ରନର ଭାଗିଦାରୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଓ କାଗିସୋ ରବାଡା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

 ୧୭/୧ରୁ ଦକ୍ଷିଣ ଆଫ୍ରିକା ଦଳ ନିଜର ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ କୀଗାନ ପିଟରସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଓପ୍ନର ଏଡେନ୍ ମାର୍କରମ ୮ ରନ୍ କରି ବୁମ୍‌ରାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ନାଇଟ୍ ୱାଚ୍ ମ୍ୟାଚ୍ ଭାବେ ଆସିଥିବା କେଶବ ମହାରାଜ ୨୫ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। କେବେ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେନ୍ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଡୁସେନ୍ ପୁଣିଥରେ ନିରାଶ କରି ମାତ୍ର ୨୧ ରନରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ବୁମ୍‌ରା ସର୍ବାଧିକ ୫ ଓ୍ୱିକେଟ ନେଇଥିବା ବେଳେ ଉମେଶ ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ଓ ଶ୍ରାଦ୍ଧୁଳ ଠାକୁର ଗୋଟିଏ ଓ୍ୱିକେଟ ନେଇଥିଲେ । ତେବେ ଆର ଅଶ୍ୱିନ କେବଳ ୯ ଓଭର ବୋଲିଂ କରିଥିବା ବେଳେ କୌଣସି ଓ୍ୱିକେଟ ହାସଲ କରିନାହାନ୍ତି ।

୪ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ: ସୁନା, କାର୍ ଓ ବୁଲେଟ ଜବତ

ଢେଙ୍କାନାଳ: ରାସୋଲ ବ୍ୟାଙ୍କ ଡକାୟତି ଘଟଣା । ଧରପଡିଲେ ୪ ଡକାୟତ । ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ଗୋଡ଼ାଇ ଧରିଲା ପୋଲିସ । ଡକାୟତଙ୍କୁ ପଚରା ଉଚରା କରୁଛି ପୋଲିସ । ସେମାନଙ୍କ ଠାରୁ ଲୁଟ ସୁନା, ଗୋଟିଏ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ଜବତ ସୁନାର ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ରହିଛି ।

ରାସୋଳ ଥାନା ଠାରୁ ୨୦୦ ମିଟରରେ ଥିବା ବ୍ୟାଙ୍କରୁ ଦିନ ଦ୍ୱି ପ୍ରହରରେ ହୋଇଥିଲା ଲୁଟ । କର୍ମଚାରୀ ଖାଇବା ଛୁଟିରୁ ଫେରିବା ବେଳେ ମାରଣାସ୍ତ୍ର ଦେଖାଇ ଅତର୍କିତ ଆକ୍ରମଣ କରି ଟଙ୍କା, ସୁନା ଓ ସିସିଟିଭି ହାର୍ଡଡିସ୍କ ଲୁଟ କରିଥିଲେ ଲୁଟେରା । ୪ ଜଣ ମୁଖାଧାରି ବ୍ୟାଙ୍କ୍ ଭିତରେ ପସିଥିବା ବେଳେ ବାହାରେ ଜଣେ ବ୍ୟକ୍ତି ଜଗି ରହିଥିଲା । ଦୁଇଟି ବୁଲେଟରେ ୫ ଜଣ ଆସିଥିଲେ । ସମସ୍ତେ ମୁଖା ପିନ୍ଧିବା ସହ ମାରଣାସ୍ତ୍ର ଏବଂ ଛୁରୀ ଧରି ଥିଲେ । ଡକାୟତଙ୍କ ଆକ୍ରମଣରେ କ୍ୟାସିଅର ଏବଂ ଫିଲ୍ଡ ଅଫିସର ଆହତ ହୋଇଛନ୍ତି । ବ୍ୟାଙ୍କରେ କୌଣସି ସିକୁରିଟି ନଥିବାର ଫାଇଦା ଉଠାଇ ଥିଲେ ଡାକାୟତ । ଖବର ପାଇ ହିନ୍ଦୋଳ ଏସଡିପି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବା ସହ ତଦନ୍ତ ଆରମ୍ଭ କରିଥିଲେ ।

ପଞ୍ଚାୟତ ନିର୍ବାଚନ ନେଇ ଏସ୍‌ଆରସିଙ୍କ ଗାଇଡଲାଇନ୍: ସମାବେଶକୁ ନା, ସୋସିଆଲ ମିଡିଆରେ ହେବ ପ୍ରଚାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଗାଇଡଲାଇନ୍ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କଲେ ଏସଆରସି । ସାମାଜିକ ଦୂରତା ସହିତ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । ହୋଇପାରିବନି ଶୋଭାଯାତ୍ରା, ରାଲି, ସମାବେଶ । କେବଳ ସୋସସିଆ ମିଡିଆ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଚାରକୁ ଅନୁମତି ଦିଆଯାଇଛି ।

ଡୋର ଟୁ ଡୋର କ୍ୟାମ୍ପେନରେ ସର୍ବାଧିକ ୫ଜଣଙ୍କୁ ଅନୁମତି ରହିଛି । ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତେ ମାସ୍କ ପିନ୍ଧିବେ । ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ଡବଲ୍ ଡୋଜ୍ ଟିକା ନେବେ । ଏହା ସହିତ କୋଭିଡ ଗାଇଡଲାଇନ୍ ପାଳନ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ପ୍ରକ୍ରିୟାରେ ସାମିଲ ଥିବା କୌଣସି ଅଧିକାରୀଙ୍କର ଯଦି ସାମାନ୍ୟ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ।

ସମସ୍ତ ଉପକରକୁ ମଧ୍ୟ ସାନିଟାଇଜ୍ କରାଯିବ । କଣ୍ଟେନମେଣ୍ଟ ଜୋନରୁ ଆସିଥିବା କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବନି । ନୋମିନେସନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଏହି ସମୟରେ କେବଳ ଗୋଟିଏ ଗାଡିକୁ ଅନୁମତି ମିଳିବ । କୋଭିଡ ସଂକ୍ରମିତ ପ୍ରାର୍ଥୀ ନିଜ ପ୍ରସ୍ତାବକ ଜିରିଆରେ ନାମାଙ୍କନ ପତ୍ର ଦାଖଲ କରିବେ । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ବୁଥ୍‌କୁ ସ୍ଥାନାନ୍ତର କରାଯିବ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।

ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ପ୍ରକ୍ରିୟା ଆଉ ପାଦେ ଆଗେଇଲା । ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

ଏଥିସହିତ ପଢ଼ନ୍ତୁ: କରୋନା ପ୍ରଭାବ ସତ୍ତ୍ୱେ ଅଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ