spot_img
Home Blog Page 4688

ବିଜେଡିରେ ନୂଆ ନିଯୁକ୍ତି: ପ୍ରଦୀପ ମାଝୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଅରିନ୍ଦମଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳରେ ନିଯୁକ୍ତି ଦିଆଯାଇଛି । ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ମହେଶ ସାହୁ ( ଢେଙ୍କାନାଳ), ପ୍ରଦୀପ ମାଝୀ (ନବରଙ୍ଗପୁର) ପ୍ରଫୁଲ୍ଲ ମାଝୀ (ସୁନ୍ଦରଗଡ଼)ଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ସାଧାରଣ ସମ୍ପାଦକ ଭାବେ ଅରିନ୍ଦମ ରୟ(କଟକ) , ଧନୁର୍ଜୟ ସିଦ୍ଧୁ (କେନ୍ଦୁଝର), ଚନ୍ଦ୍ର ଶେଖର ମାଝି (କୋରାପୁଟ) ଓ କୌଳାଶ ଚନ୍ଦ୍ର କୁଳେଶିକାଙ୍କୁ (କୋରାପୁଟ) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଭାବେ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମଲ୍ଲିକ (ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା, (ଯାଜପୁର), ପ୍ରଦୀପ ସାହୁ ଖୋର୍ଦ୍ଧା, ଦିଲ୍ଲୀପ କୁମାର ସାହୁ ମୟୂରଭଞ୍ଜ, ମହେଶ ହେମ୍ୱ୍ରମ୍ ମୟୂରଭଞ୍ଜ, ପ୍ରିୟବ୍ରତ ସାମନ୍ତରାୟ ପୁରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ, ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ମାନସ ମଙ୍ଗରାଜ( ସାଧାରଣ ସମ୍ପାଦକ,ଗଣମାଧ୍ୟମ ବ୍ୟାପାର) ଅବଗତ କରାଇଛନ୍ତି ।

କରୋନା ପ୍ରଭାବ ସତ୍ତ୍ୱେ ଅଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ

କଟକ: ଗତ ବର୍ଷ (୨୦୨୧)ରେ କରୋନା ପ୍ରଭାବ ସତ୍ତ୍ୱେ ଦୁର୍ନୀତି ରୋକିବା ଦିଗରେ କାର୍ଯ୍ୟ ଜାରି ରଖିଥିଲା ଭିଜିଲାନ୍ସ ବିଭାଗ । ୪୬ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ମୋଟ ୪୭୫ଜଣଙ୍କ ବିରୋଧରେ ୨୬୭ ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ । ସେମାନଙ୍କ ମଧ୍ୟରେ ୪୦ ଜଣ ଦ୍ୱିତୀୟ ଶ୍ରେଣୀ, ୨୩୧ ଜଣ ତୃତୀୟ ଶ୍ରେଣୀ ଏବଂ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ୨୦୨୦ ଅପେକ୍ଷା ଅଧିକ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ବିଭାଗ ।

୨୬୭ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ୧୬୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ୯୨ଟି ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୦୭ କୋଟି ଜବତ କରାଯାଇଛି । ୧୦୦ ଜଣ ସରକାରୀ କର୍ମଚାରୀଙ୍କୁ ମିଶାଇ ୧୦୯ ଜଣ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏଥିସହିତ ୧୫ ଜଣ ସରକାରୀ ଅଧିକାରୀଙ୍କ ଠାରୁ ୫୮.୮୪ ଲକ୍ଷ ଅନ୍‌ଆକାଉଣ୍ଟଟେଡ୍ ଟଙ୍କା ଜବତ କରିଛି ।

ଜିରୋ ଟଲେରାନ୍ସ ନୀତି ଅନୁଯାୟୀ ନିମାପଡ଼ା ତହସିଲଦାର ରାମ ଚନ୍ଦ୍ର ଜେନା , ଜଗତସିଂହପୁର ଉପ ଜିଲ୍ଲାପାଳ ଗୌରାଙ୍ଗ ଚରଣ ମହାନ୍ତି, ବୈତରଣୀ ଜଳ ସେଚନ ଡିଭିଜନ ଏସ୍ଇ ବିଧାନ ଚରଣ ସାହୁ, କଳାହାଣ୍ଡି ବିଶ୍ୱନାଥପୁର ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ପୁଷ୍ପାଞ୍ଜଳି ରଥ, ଦେବଗଡ଼ ଅବକାରୀ ବିଭାଗ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ତିହିଡି ବ୍ଳକ୍ କେସିଅର ପ୍ରଭାକର ପ୍ରଧାନ, ଡେପୁଟୀ ମ୍ୟାନେଜର ଓପିଏଚ୍ଡବ୍ଳ୍ୟୁସି ପ୍ରତାପ କୁମାର ସାମଲ, ନରୋତ୍ତମ ବେହେରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଆଞ୍ଚଳିକ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ସେମାନଙ୍କୁ ବିହିଷ୍କୃତ କରାଯାଇଥିଲା ।

ମେଡିକାଲ୍ ପାଠ୍ୟକ୍ରମ ନେଇ ସିଟ୍ ସଂଖ୍ୟା ୧୪୫୦କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଢ଼ିଛି ମେଡିକାଲ ସିଟ୍ ସଂଖ୍ୟା । ୧୩୫୦ରୁ ବୃଦ୍ଧି ପାଇ ୧୪୫୦ ହୋଇଛି ମେଡିକାଲ ସିଟ୍ ସଂଖ୍ୟା । ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ ହେବ । ଆଜି ଠାରୁ ରାଜ୍ୟରେ ମେଡିକାଲ କାଉନସେଲିଂ ଆରମ୍ଭ ହୋଇଛି । ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ କାଉନସେଲିଂ ।

ପିଲାଙ୍କ ସୁବିଧା ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି ହୋଇଛି । ଅନଲାଇନରେ ଆବେଦନ ସହ ଡକ୍ୟୁମେଣ୍ଟ ଯାଞ୍ଚ ଓ ଫି’ ଦାଖଲ ହେବ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପ୍ରୋଭିଜନାଲ ଲିଷ୍ଟ ପ୍ରକାଶ ପାଇବ । ୨୪ ତାରିଖରେ ପ୍ରକାଶ ପାଇବ ପ୍ରୋଭିଜନାଲ ଲିଷ୍ଟ । ଆପତ୍ତି ଅଭିଯୋଗ ପାଇଁ ୨୫ ଓ ୨୬ ଦୁଇ ଦିନର ସମୟ ଦିଆଯାଇଛି । ସେହିପରି ୨୭ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ।

ଏଥିସହିତ ପଢ଼ନ୍ତୁ: ଓମିକ୍ରନ୍ ହେଲେ ସାରା ଜୀବନ ପାଇଁ କରୋନାରୁ ମିଳିବ ମୁକ୍ତି !

ବାଘ ଛାଲ ଜବତ ମାମଲାରେ ପ୍ରଥମ ଦଣ୍ଡାଦେଶ: ୬ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ

0

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ଜବତ ଘଟଣାରେ ନୟାଗଡ଼ର ସୁଧିର ବେହେରା ଏବଂ ସୁବାସ ଚନ୍ଦ୍ର ବେହେରାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଏସ୍‌ଡିଜେମ୍ କୋର୍ଟ । ସେମାନଙ୍କୁ ୬ ମାସର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ । ଗତ ବର୍ଷ ଏପ୍ରିଲ ମାସ ୨ ତାରିଖରେ ଏସ୍‌ଟିଏଫ୍ ବୋଲଗଡ଼ ନିକଟରୁ ଉଭୟଙ୍କୁ ଗିରଫ କରିଥିଲା । ବାଘ ଛାଲ ବିକ୍ରି ନେଇ ମୋଟର ସାଇକେଲ୍‌ରେ ଯିବା ବେଳେ ସେମାନଙ୍କୁ କାବୁ କରିଥିଲା ଏସ୍‌ଟିଏଫ୍ । ଏହା ପରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା । ଏସ୍‌ଟିଏଫ୍ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ଓ୍ୱିଙ୍ଗ୍  ଯିଏ ବନ୍ୟ ପ୍ରାଣୀ ବିରୋଧୀ ଅପରାଧ ରୋକିବା ଦିଗରେ କାର୍ଯ୍ୟ କରୁଛି ।

ରାଜ୍ୟରେ ୧୭୦ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦେଢ ଶହ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୧୭୦ରେ ପହଞ୍ଚିଛି । ହେଲେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମୋଟ ୨୬୩ଟି ନମୂନା ମଧ୍ୟରୁ ୬୭ଟି ଓମିକ୍ରନ ଚିହ୍ନଟ ହୋଇଛି । ହେଲେ ଚିନ୍ତାର ବିଷୟ ସବୁଗୁଡ଼ିକ ଲୋକାଲ୍ କେସ୍ । ଏନେଇ ସୂଚନା ଦେଲେ ILS ନିର୍ଦ୍ଦେଶକ ଅଜୟ ପରିଡ଼ା । ଲୋକାଲ କେସ୍ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢୁଛି ।

ଅନ୍ୟପକ୍ଷରେ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୭୭୮ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୯୬ କେସ୍ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୬୮୨ଟି ଲୋକାଲ କେସ୍ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ ମାମଲା ଚିହ୍ନଟ ହୋଇଛି । ସେହିପରି ଅନୁଗୁଳରୁ ୧୦୭ ଜଣ, ବାଲେଶ୍ୱରରୁ ୨୩୧ ଜଣ, ବରଗଡ଼ରୁ ୧୩୬ ଜଣ, ଭଦ୍ରକରୁ ୧୦୩ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧରୁ ୧୨ ଜଣ, କଟକରୁ ୭୬୬ ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୭୨ ଜଣ, ଗଞ୍ଜାମରୁ ୧୦୬ ଜଣ, ଜଗତସିଂହପୁରରୁ ୧୧୪ ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୨୦୩ ଜଣ, କଳାହାଣ୍ଡିରୁ ୮୬ ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୪୬ ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୁରଭଞ୍ଜରୁ ୩୩୮ ଜଣ, ନବରଙ୍ଗପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୬୭ ଜଣ, ପୁରୀରୁ ୨୧୬ ଜଣ, ରାୟଗଡ଼ାରୁ ୬୫ ଜଣ, ସମ୍ବଲପୁରରୁ ୫୯୬ ଜଣ, ସୋନପୁରରୁ ୮୭ ଜଣ, ସୁନ୍ଦରଗଡ଼ରୁ ୧୨୫୨ ଜଣ ଓ ଷ୍ଟେଟ ପୁଲରୁ ୫୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର ଏମ୍ସରେ ଆଶ୍ରୟସ୍ଥଳ ନିର୍ମାଣ ନେଇ ୧୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ ବିଜେଡି ସାଂସଦ ଅମର

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ସମ୍ପର୍କୀୟ ରାତିରେ ଖୋଲା ଆକାଶ ତଳେ ଦୟନୀୟ ସ୍ଥିତିରେ ରହିବା ପ୍ରସଙ୍ଗ। ଏମ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ତୁରନ୍ତ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ହଜାରେ ବର୍ଗଫୁଟର ଆଶ୍ରୟସ୍ଥଳୀ କରିବାକୁ କଲେ ଅନୁରୋଧ। ଏଥିପାଇଁ ସେ ତାଙ୍କ ସଂସଦ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି ଚିଠିରେ ଜଣାଇଛନ୍ତି । ଖୁବଶୀଘ୍ର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି । ସଂସଦର ଆସନ୍ତା ଅଧିବେଶନରେ ଏ ପ୍ରସଙ୍ଗରେ ସ୍ୱର ଉଠିବେ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ। ଏମ୍ସରେ ରୋଗୀଙ୍କ ସମ୍ପର୍କୀୟ ରାତିରେ ଦୟନୀୟ ଅବସ୍ଥାରେ ରହିବା ପ୍ରସଙ୍ଗରେ ପ୍ରଥମେ ଖବର ପ୍ରକାଶ କରିଥିଲା ନନ୍ଦିଘୋଷ ଟିଭି

ଓମିକ୍ରନ୍ ହେଲେ ସାରା ଜୀବନ ପାଇଁ କରୋନାରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ: ଓମିକ୍ରନକୁ ନେଇ ସାମ୍ନାକୁ ଆସିଲା ଆଶ୍ୱସ୍ତିକର ଖବର । ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଉଛି ଓମିକ୍ରନ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ମଣିଷ ଶରୀରକୁ ଫାଇଦା ପହଞ୍ଚାଉଛି । ଭ୍ୟାକ୍ସିନ୍‌ ଯାହା କରିପାରିଲା ନାହିଁ ତାହା କରୋନା କରିଦେଖାଉଛି । କିଛି ଏଭଳି ଦାବି କରିଛନ୍ତି ବିଶେଷଜ୍ଞ ।

କରୋନାର ବିଗତ ଦୁଇ ପ୍ରବାହ ଅପେକ୍ଷା ଓମିକ୍ରନ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଦିଲ୍ଲୀ ଭଳି ସହରରେ ଏହି ନୂଆ ଭାରିଆଣ୍ଟ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଯେଉଁଠାରେ ଟିକାକରଣର ରେକର୍ଡ ଭଲ ରହିଛି । ଏଣୁ କୁହାଯାଉଛି ଯେ, ଏହା ଦୁନିଆର କୋଣ ଅନୁକୋଣକୁ ବ୍ୟାପିବ ଏବଂ ପ୍ରାକୃତିକ ଭାବେ ଲୋକଙ୍କ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବ । ଯେଉଁ ଦେଶଗୁଡ଼ିକରେ ତୃତୀୟ ଡୋଜ୍ ମଧ୍ୟ ନେଇ ସାରିଲେଣି ସେଠାରେ ଓମିକ୍ରନ ବ୍ୟାପିବା ଦ୍ୱାରା ଲୋକଙ୍କ ମଧ୍ୟ ପ୍ରତିରୋଧକ କ୍ଷମତା ଆହୁରି ବଢ଼ିଯିବ । ତେବେ କିିଛି ଗବେଷକ ଏହାକୁ ନେଇ ଏକମତ ନୁହଁନ୍ତି । କିଛି ପ୍ରତିଷ୍ଠିତ ମ୍ୟାଗାଜିନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ଏତେ ଶୀଘ୍ର ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବନାହିଁ । ଦି ଆଣ୍ଟଲାଟିକ୍‌ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ସଂକ୍ରମଣ ଦ୍ୱାରା ହେଉ ଅବା ଭ୍ୟାକ୍ସିନ୍ ଦ୍ୱାରା ଭୂତାଣୁ ଶରୀର ଭିତରେ ପ୍ରବେଶ କଲେ ଏହା ଇମ୍ୟୁନିଟି ସୃଷ୍ଟି କରେ । ଏହା କରୋନା ଭାଇରସର ଶେଷ ଭାରିଆଣ୍ଟ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ହୋଇଛି ।

ଅନ୍ୟପକ୍ଷରେ ଅନ୍ୟ ସମସ୍ତ ଭୂତାଣୁ ବାହିତ ରୋଗ ଭଳି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫଉସୀ କହିଛନ୍ତି । ସେଣ୍ଟର ଫର ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟନାସନାଲ ଷ୍ଟଡିଜ ସହ ଆଲୋଚନା ବେଳେ ଆନ୍ଥୋନୀ କହିଛନ୍ତି, ଓମିକ୍ରନ ଅସାଧାରଣ ଓ ଅଦ୍ଭୁତପୂର୍ବ ଭାବେ ବ୍ୟାପିବାରେ ଲାଗିଛି । ଏହା ପ୍ରତ୍ୟକ ନାଗରିକଙ୍କୁ ଆକ୍ରାନ୍ତ କରିବ । ବିଶ୍ୱର ସବୁ ଲୋକଙ୍କୁ ଟିକାକରଣ କରାଯାଇ ପାରି ନଥିବା ବେଳେ ଭୂତାଣୁର ଭୟାବହତା ଅଧିକ ରହିଛି । ତେଣୁ ଭୂତାଣୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ସମ୍ଭବ ନୁହେଁ । କିନ୍ତୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଉପଲବ୍ଧ ହେବ । ଯାହା ଗୁରୁତର ଆକ୍ରାନ୍ତଙ୍କୁ ଭୂତାଣୁର ଭୟାବହତାରୁ ସୁରକ୍ଷା ଦେଇପାରିବ ବୋଲି ଆନ୍ଥୋନୀ କହିଛନ୍ତି । ଦେଶରେ ସପ୍ତାହେ ଧରି ଲକ୍ଷେ ଉପରେ ସଂକ୍ରମଣ ରହିଥିବା ବେଳେ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶରେ ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ସ୍ଥିତିରେ ୟୁରୋପିଆନ ୟୁନିୟନର ଡ୍ରଗ୍ ଓ୍ୱାଚ୍ ଡଗର ଏଭଳି ଆକଳନ ଆଶ୍ୱସ୍ତି ଦେଇଛି । ଏକ ସାଧାରଣ ଫ୍ଲୁ ଭାବରେ କରୋନାର ଅନ୍ତ ଘଟିବ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞ କହିଛନ୍ତି ।

ଶ୍ରୀଲଙ୍କାରେ ମହଙ୍ଗା ମାଡ଼, ଲଙ୍କା କେଜି ୭୦୦, ଆଳୁ କେଜି ୨୦୦

 

କଲମ୍ବୋ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀଲଙ୍କାରେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ମହାଙ୍ଗା ମାଡ ଲୋକମାନଙ୍କୁ ହନ୍ତଶନ୍ତ କରିଛି । ଶ୍ରୀଲଙ୍କାରେ ଗୋଟିଏ ମାସରେ ଖାଦ୍ୟ ଓ ପାନୀୟ ସାମଗ୍ରର ମୂଲ୍ୟ ୧୫ ପ୍ରତିଶତ ମହଙ୍ଗା ହୋଇଛି । ସେଠାରେ ୧୦୦ ଗ୍ରାମ କଞ୍ଚାଲଙ୍କାର ମୂଲ୍ୟ ବୃଦ୍ଧି ପାଇ ୭୧ ଟଙ୍କାରେ ପହଞ୍ଚିଛି । ଅର୍ଥାତ ବର୍ତ୍ତମାନ ଶ୍ରୀଲଙ୍କାରେ ଏକ କିଲୋ କଞ୍ଚାଲଙ୍କାର ମୂଲ୍ୟ ୭୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଏକ ମାସ ମଧ୍ୟରେ କଞ୍ଚାଲଙ୍କାର ମୂଲ୍ୟ ୨୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ପନିପରିବା ମୂଲ୍ୟ ମଧ୍ୟ ବହୁତ ମହଙ୍ଗା ହୋଇଛି । ପନିପରିବା ମୂଲ୍ୟରେ ବୃଦ୍ଧି ହେତୁ ଏହା ସାଧାରଣ ଲୋକଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । ଯାହା ଫଳରେ ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଇତିହାସରେ ସବୁଠାରୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ନଭେମ୍ବର ଶେଷ ସୁଦ୍ଧା ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧.୬ ବିଲିୟନ ଡ଼ଲାରକୁ ଖସି ଆସିଛି । ଯେଉଁଥିପାଇଁ ସରକାର ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଥିଲା, ଯେଉଁ କାରଣରୁ ଶ୍ରୀଲଙ୍କାରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ବଢ଼ି ଯାଇଛି । ଏହି କାରଣରୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି ।

ଶ୍ରୀଲଙ୍କାରେ ଗତ ଚାରି ମାସ ମଧ୍ୟରେ ଏକ ଷ୍ଟାଣ୍ଡାର୍ଡ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୮୫ ପ୍ରତିଶତ ବୃଦ୍ଧି ପାଇଛି । ଶ୍ରୀଲଙ୍କାରେ ଆମଦାନୀ ହୋଇନଥିବାରୁ ଦୁଗ୍ଧ ମୂଲ୍ୟରେ ମଧ୍ୟ ବହୁତ ବୃଦ୍ଧି ଘଟିଛି । ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଶ୍ରୀଲଙ୍କା ନିଜ ଦେଶରେ ବହୁ ପରିମାଣର ଖାଦ୍ୟ ଶସ୍ୟ ଆମଦାନୀ ଉପରେ ନିର୍ଭର କରେ, କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଅଭାବର ସମ୍ମୁଖୀନ ହେଉଛି । ଯାହା ଫଳରେ ଏହା ସିଧାସଳଖ ଭାବରେ ତାଙ୍କ ଖାଦ୍ୟ ଆବଶ୍ୟକତା ଉପରେ ପ୍ରଭାବ ପକାଇଛି ।

ଶ୍ରୀଲଙ୍କାରେ ପନିପରିବାର ମୂଲ୍ୟ:

ବାଇଗଣ: ୧୬୦/ କେଜି

କଲରା: ୧୬୦ ଟଙ୍କା/ କେଜି

ଭେଣ୍ଡି: ୨୦୦ ଟଙ୍କା/ କେଜି

ଟମାଟୋର: ୨୦୦ ଟଙ୍କା/ କେଜି

ବନ୍ଧାକୋବି: ୨୪୦ ଟଙ୍କା/ କେଜି

ବିନ୍ସ: ୩୨୦/ କେଜି

ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୧୯ରେ ଶ୍ରୀଲଙ୍କା ପର୍ଯ୍ୟଟନରୁ ପ୍ରାୟ ୪ ବିଲିୟନ ଡଲାର ରୋଜଗାର କରିଥିଲା, କିନ୍ତୁ ମହାମାରୀ ହେତୁ ପର୍ଯ୍ୟଟନ ଶିଳ୍ପ ୯୦ ପ୍ରତିଶତ ପ୍ରଭାବିତ ହୋଇଛି । ଯାହା ଫଳରେ ଏହା ସିଧାସଳଖ ଶ୍ରୀଲଙ୍କା ଅର୍ଥନୀତିରେ ପଡ଼ିଛି । ଏକ ନ୍ୟୁଜ୍ ଏଜେନ୍ସି ସହିତ ଆଲୋଚନା କରି ୩୧ ବର୍ଷିୟ ନିଲୁକା ଦିଲଋକ୍ଷୀ କହିଛନ୍ତି ଯେ ପୂର୍ବରୁ ସେ ପ୍ରତିଦିନ ପିଲାମାନଙ୍କୁ ମାଛ ଏବଂ ପନିପରିବା ଦେଉଥିଲେ । କିନ୍ତୁ ବର୍ତ୍ତମାନ ଆମେ ସେମାନଙ୍କୁ ଭାତ ସହିତ ଏକ କେବଳ ଏକ ତରକାରୀ ଦେଉଛୁ । ସେ ଆହୁରି କହିଥିଲେ କି ପୂର୍ବରୁ ଆମେ ଦିନକୁ ତିନିଥର ଖାଉଥିଲୁ କିନ୍ତୁ ବର୍ତ୍ତମାନ ବେଳେବେଳେ ଆମେ କେବଳ ଦୁଇଥର ଖାଇବାକୁ ସକ୍ଷମ ହେଉଛୁ ।

ମହିଳା ଏସିଆ କପ୍ ହକି ପାଇଁ ଦଳ ଘୋଷଣା କଲା ହକି ଇଣ୍ଡିଆ, ସବିତା ଅଧିନାୟକ, ଦୀପଗ୍ରେସ ଉପ-ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୧ରୁ ହେବାକୁ ଥିବା ମହିଳା ଏସିଆ କପ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ଓମାନରେ ହେବାକୁ ଥିବା ମହିଳା ଏସିଆ କପ୍ ହକିରେ ଭାରତୀୟ ଦଳର ନେତୃତ୍ୱ ନେବେ ସବିତା ପୁନିଆ । ସେହିପରି ଭାରତୀୟ ମହିଳା ଦଳର ଉପ ଅଧିନାୟକ ଭାବରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ଏହି ପ୍ରତିଯୋଗିତା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମହିଳା ଏସିଆ କପ୍ ହକି ପାଇଁ ଚୟନ ହୋଇଥିବା ଦଳରେ ଦୀପଗ୍ରେସ ଏକ୍କାଙ୍କ ସହ ଦ୍ୱିତୀୟ ଓଡ଼ିଆ ଖେଳାଳି ଭାବରେ ମାରିଆନା କୁଜୁର ସାମିଲ ହୋଇଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତ ସମେତ, ଚୀନ୍, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଜାପାନ,ଥାଇଲାଣ୍ଡ , ମାଲେସିଆ ଓ ସିଙ୍ଗାପୁର ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଟପ୍-୪ରେ ଥିବା ଦଳ ୨୦୨୨ରେ ସ୍ପେନ ଓ ନେଦରଲାଣ୍ଡ୍ସରେ ହେବାକୁ ଥିବା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଜାନୁଆରୀ ୨୧ରେ ମାଲେସିଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ସେହିପରି ଜାନୁଆରୀ ୨୩ରେ ଜାପାନକୁ ଭେଟୁଥିବାବେଳେ ଶେଷ ଲିଗ୍ ମ୍ୟାଚ ଜାନୁଆରୀ ୨୪ରେ ସିଙ୍ଗାପୁର ବିପକ୍ଷରେ ଖେଳିବ । ଜାନୁଆରୀ ୨୬ରେ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଖେଳାଯାଉଥିବାବେଳେ ଜାନୁଆରୀ ୨୮ରେ ଖେଳାଯିବ ଗ୍ରାଣ୍ଡ ଫାଇନାଲ ।

 

ପରଲୋକରେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ବିଜୟ କୁମାର ଜେନା, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଲଢୁଆ ଚାଷୀନେତା ବିଜୟ କୁମାର ଜେନାଙ୍କ ପରଲୋକ । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିଜୟ କୁମାର ଜେନା । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ବିଜୟ କୁମାର ଜେନା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ । ୧୯୭୭ ଓ ୧୯୮୦ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ବିଧାୟକ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପାରଳାଖେମୁଣ୍ଡିର ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।