ଭାରତ ହିଁ ଶାହା: ମୋଦିଙ୍କ ସହ କଥା ହେଲେ ଜେଲେନସ୍କି, ପୁଟିନ ବି ହେବେ

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନ ପରେ ଏବେ ୟୁକ୍ରେନ ଲଢେଇରେ ନିଜ ଭୂମିକାକୁ ନେଇ ପୁଣି ଥରେ ବିଶ୍ବଶକ୍ତିର ପରିଚୟ ଦେଇଛି ଭାରତ ।  ଋଷ ୟୁକ୍ରେନ ଉପରେ ଆକ୍ରମଣ ପରିବା ପରେ ବିଶ୍ବ ଦୁଇଫାଳ ହୋଇଯାଇଛି । ବିଶ୍ବ ତୃତୀୟ ବିଶ୍ବଯୁଦ୍ଧର ଦ୍ବାରରେ ଛିଡ଼ା ହୋଇଛି । ଋଷ ଓ ୟୁକ୍ରେନର ପକ୍ଷ ନେଇ ଭାଗ ହୋଇ ଯାଇଛନ୍ତି ବିଶ୍ବର ଛୋଟବଡ଼ ଦେଶ । ଯୁଦ୍ଧ ବନ୍ଦ ପାଇଁ ଋଷ ଉପରେ ପାଶ୍ଚ୍ୟାତ ଦେଶ ଲଗାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା । ହେଲେ ପୁଟନଙ୍କ ଏସବୁକୁ ଖାତିର ନାହିଁ । ୧୨ ଦିନ ହେଲା ୟୁକ୍ରେନରେ ଚାଲିଛି ଋଷର ତାଣ୍ଡବ । ସ୍ଥିତି ଏମିତି ଯେ, ଆମେରିକା, ଫ୍ରେନ୍ସ, ବ୍ରିଟେନ, ଅଷ୍ଟ୍ରେଲିଆ ପରି ଦେଶ, ଯେଉଁମାନେ ୟୁକ୍ରେନ ସପକ୍ଷରେ ରହିଛନ୍ତି ପୁଟିନଙ୍କ ସହ ଆଲୋଚନା କରିବାକୁ ଡରୁଛନ୍ତି । ଏମିତି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ସହ ସମ୍ପର୍କରେ ରହିଛି ଭାରତ । କେବଳ ବନ୍ଧୁ ଋଷ ନୁହେଁ, ୟୁକ୍ରେନ ସହ ବି ଯୋଗାଯୋଗରେ ରହିଛନ୍ତି ଭାରତ ସରକାର ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଆଲୋଚନା କରିଛନ୍ତି । ତାଙ୍କ ସହ କ’ଣ କଥା ହେଲେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନଥିଲେ ବି ଉଦ୍ଧାର କାର୍ଯ୍ୟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଏବେ ପୂରା ବିଶ୍ବ ଭାରତକୁ ଆଶାର ଆଖିରେ ଅନାଇଛି । ଆଉ ଏକଥା ବି ସମସ୍ତେ ଜାଣନ୍ତି ଭାରତ ପାଖରେ ସେ ଶକ୍ତି ଅଛି, ଯାହାଦ୍ବାରା ସେ ପୁଟିନଙ୍କୁ ରୁଦ୍ର ରୂପକୁ ଶାନ୍ତ କରିପାରିବେ ଓ ଧ୍ବଂସ ମୁହଁରୁ ବିଶ୍ବକୁ ଉଦ୍ଧାର କରିପାରିବ ।

ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ୟୁକ୍ରେନର ସହଯୋଗ ଲାଗି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ଆଉ କିଛି ସମୟ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିବେ ମୋଦି । ବିଶେଷ କରି ୟୁକ୍ରେନର ଫସିଥିବା ହଜାର ହଜାର ଭାରତୀୟଙ୍କ ଉଦ୍ଧାର ନେଇ ଏହି ଆଲୋଚନା ସ୍ଥିର ହୋଇଛି । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା ପୁଟିନଙ୍କ ସହ ମୋଦି ଦୁଇ ଥର ଆଲୋଚନା କରିଛନ୍ତି ।