spot_img
Home Blog Page 4686

ୟୁପି ଦଙ୍ଗଲ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଲକ୍ଷ୍ନୌ: ବାଜି ସାରିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ । ନିର୍ବାଚନୀ ମୈଦାନକୁ ଡେଇଁ ସାରିଛନ୍ତି ରାଜେନୖତିକ ଦଳ । ମହିଳା କାର୍ଡକୁ ନେଇ ୟୁପି ଦଖଲ ଲକ୍ଷ୍ୟରେ ଥିବା କଂଗ୍ରେସ ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ରହିଛି ଏମିତି ଏକ ନାଁ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ପ୍ରାର୍ଥୀ ହେଉଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ।

୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶର ୧୨୫ ସିଟ ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଉନ୍ନାଓରୁ ଦଳ ଏଥିର ଉନ୍ନାଉ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ପ୍ରାର୍ଥୀ କରିଛି । ଆଶାଙ୍କ ନେଇ ପ୍ରିୟଙ୍କା କହିଛନ୍ତି, ‘ଆମେ ତାଙ୍କୁ (ଉନ୍ନାଓ ପୀଡ଼ିତାଙ୍କ ମାଆ) ସଂଘର୍ଷ ଜାରି ରଖିବାକୁ ସୁଯୋଗ ଦେଇଛୁ । ଯେଉଁ କ୍ଷମତା ବଳରେ ତାଙ୍କ ଝିଅ ସହ ଅତ୍ୟାଚାର କରାଗଲା, ତାଙ୍କ ପରିବାରକୁ ବରବାଦ କରାଗଲା ସେହି କ୍ଷମତା ସେ ହାସଲ କରନ୍ତୁ ।’

ଆଶାଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ରାହୁଲ ଗାନ୍ଧି ମଧ୍ୟ ଟ୍ବିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଉନ୍ନାଓରେ ଯାହା ଝିଆ ସହ ବିଜେପି ଅନ୍ୟାୟ କରିଛି, ଏବେ ସେ ନ୍ୟାୟର ପ୍ରତୀକ ହେବ । ଲଢ଼ିବେ ଓ ଜିତିବେ ।’

ପ୍ରିୟଙ୍କା ଘୋଷଣା କରିଥିବା ୧୨୫ ସିଟରୁ ୫୦ଟି ଆସନ ମହିଳାଙ୍କୁ ଦିଆଯାଇଛି । ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କ ସମେତ କିଛି ସାମ୍ବାଦିକ, ଜଣେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ଦଳ ପ୍ରାର୍ଥୀ କରିଛି । ବଡ଼ ଚେହେରାରେ ଅଛନ୍ତି ସଲମାନ ଖୁର୍ସିଦ୍ଦଙ୍କ ପତ୍ନୀ ଲୁଇସଙ୍କୁ ପ୍ରାର୍ଥୀ କରାଯାଇଛି । ଏମାନଙ୍କ ବ୍ୟତୀତ ଏନସିଆର-ସିଏଏକୁ ବିରୋଧ କରି ଆନ୍ଦୋଳନକୁ କରିଥିବା ସଦଫ ଜାଫରଙ୍କୁ ପ୍ରାର୍ଥୀ କରିଛି ଦଳ । ଏନସିଆର-ସିଏଏକୁ ବିରୋଧ କରିଥିବାରୁ ସରକାର ସଦଫଙ୍କ ପୋଷ୍ଟର ଲଗାଇ ତାଙ୍କୁ ପ୍ରତାଡ଼ିତ କରିଥିଲା ।  ସେହିପରି ଆଶା ଦିଦି ପୁନମ ପାଣ୍ଡେଙ୍କ ଉପରେ କଂଗ୍ରେସ ଆଶା ରଖିଛି । କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାମ କରି ଲୋକଙ୍କ ସେବା କରିଥିବା ପୁନମଙ୍କୁ ମାଡ଼ ମରାଯାଇଥିଲା । ସେହିପରି ସୋନଭଦ୍ର ନରସଂହାର ପୀଡ଼ିତ ରାମରାଜ ଗୌଣ୍ଡଙ୍କୁ ଦଳ ପ୍ରାର୍ଥୀ କରିଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍‌ । ବ୍ଲକ ସ୍ତରରେ ବିଜ୍ଞପ୍ତି ଜାରିକଲେ ନିର୍ବାଚନ ଅଧିକାରୀ । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏବଂ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ବାହାରିଛି । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ । ଏଥର ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ,  ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହାସହ ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି କରାଯିବ ।

ସଂକ୍ରମଣକୁ ଏଡ଼ାଇବା ପାଇଁ ଘରେ ରଖନ୍ତୁ ଏହି ୮ଟି ସାମଗ୍ରୀ

କୋଭିଡ଼ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ କୋଭିଡ଼ ନିୟମାବଳିକୁ ମାନିବା ନିହାତି ଆବଶ୍ୟକ । ତେଣୁ ଏହି ସଂକ୍ରମଣକୁ ଏଡ଼ାଇବା ପାଇଁ ଏହି ୮ଟି ଜିନିଷକୁ ଘରେ ରଖିବା ଆବଶ୍ୟକ ।

ଅକ୍ସିମିଟର କିମ୍ବା ଏସପିଓ୨

ଅକ୍ସିମିଟର କିମ୍ବା ଏସପିଓ୨ ଟ୍ରାକିଂ ଫିଟନେସ ବ୍ଯାଣ୍ଡ ଏହି ସମୟରେ ଆପଣଙ୍କ ପାଖରେ ରହିବା ଜରୁରୀ । ଏଥରେ ଆପଣ ନିଜର ଅକ୍ସିଜେନ ସ୍ତରକୁ ମାପି ପାରିବେ ।

ଡିଜିଟାଲ ଥର୍ମୋମିଟର

ଇମ୍ଫା ରେଡ଼ ଥର୍ମୋମିଟର ହେଉଛି ଗୋଟିଏ ଜରୁରୀ ମେଡ଼ିକଲ ଡିଭାଇସ୍ ଯାହା କରୋନା ସମୟରେ ଆପଣଙ୍କ ଘରେ ନିହାତି ରଖିବା ଆବଶ୍ୟକ । ଏହାଦ୍ୱାରା ଆପଣ ରୋଗୀ ଦେହର ତାପମାତ୍ରା  ମାପି ପାରିବେ । ଏହା ଆପଣଙ୍କୁ ଅତି ସହଯରେ ଅନଲାଇନରେ କିମ୍ଭା ଅଫଲାଇନରେ ମିଳିପାରିବ ।

UV ସାନିଟାଇଜର ବକ୍ସ

UV ସାନିଟାଇଜର ବକ୍ସ ମାଧ୍ୟମରେ ଆପଣ ଆପଣଙ୍କ ଦୈନିକ ବ୍ୟବହାରିକ ଜିନିଷକୁ ସାଇନିଟାଇଜ କରିପାରିବେ । ଏହା ଡିଭାଇସ ମାଧ୍ୟମରେ ମନିପର୍ସ, ଫୋନ, ଚାବି, ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ଗୁଡ଼ିକୁ ମଧ୍ୟ ସାନିଟାଇଜ କରିପାରିବେ ।

ମେଡିକାଲ ଆଲର୍ଟ ସିଷ୍ଟମ

ବରିଷ୍ଠ ନାଗରିକଙ୍କ ପାଇଁ ମେଡିକାଲ ଆଲର୍ଟ ସିଷ୍ଟମ ଉପଯୋଗୀ । ଯଦି ଆପଣ ହୋମ ଆଇସୋଲେସନ କିମ୍ବା ଏକାକୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବହୁତ ଉପଯୋଗୀ ହେବ । ଏହି ସିଷ୍ଟମରେ ଆପଣ ଆପଣଙ୍କ ବନ୍ଧୁ କିମ୍ବା ପରିବାରକୁ ଜରୁରୀକାଳୀନ ପରିସ୍ଥିତିରେ ସତର୍କ କରାଇ ପାରିବେ । ଏହା ସାହାଯ୍ୟରେ ରୋଗୀ ସାହାଯ୍ୟ ପାଇଁ ଆଲାରାମ ବଟନ୍ ଦବାଇ ପାରିବ । ଏହାକୁ ଆପଣ ଏକ ବ୍ୟାଣ୍ଡ ଭାବେ ପିନ୍ଧିପାରିବେ କିମ୍ବା ବେକରେ ଝୁଲାଇପାରିବେ ।

Self-cleaning ପାଣି ବୋତଲ

Self-cleaning ପାଣି ବୋତଲ ଏକ ଉପଯୋଗୀ ଉପକରଣ । ଘରେ ଅଲଗା ଥିବା ରୋଗୀଙ୍କ ପାଇଁ ଏହା ବହୁତ ଉପଯୋଗୀ । ଏହା ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ଏବଂ ଏଥିରେ  UV-C LED ଲାଇଟ୍ ବ୍ୟବହାର କରାଯାଇଥାଏ । କମ୍ପାନୀ ଦାବି କରିଛି ଯେ UV ଲାଇଟ୍ ପାଣିକୁ ମାତ୍ର ୬୦ ସେକେଣ୍ଡରେ ସଫା କରିଥାଏ। ଏବଂ ଏହା ୬ ରୁ ୭ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ସହିତ ଆସିଥାଏ ।

ଅକ୍ସିଜେନ କନସେଣ୍ଟ୍ରେଟର

ଏହା ଏକ ଏମିତି ମେଡ଼ିକାଲ ଉପକରଣ ଯାହା ରକ୍ତରେ ଅମ୍ଳଜାନ କମ୍ ହେଲେ ଉପଯୋଗୀ ହୋଇଥାଏ । ଏହା ବିଦ୍ୟୁତିକ ଶକ୍ତି ଉପରେ କାମ କରେ ଏବଂ ଏହାକୁ ଆବଶ୍ୟକ ସମୟରେ ଅମ୍ଳଜାନ ଯୋଗାଣରେ ବ୍ୟବହାର କରାଯାଇପାରେ ।

ଡେଲ୍ଟା ଭାରିଆଣ୍ଟଠାରୁ ୫ ଗୁଣା ବିପଦଜ୍ଜନକ ଓମିକ୍ରନ୍: ଅଶୋକ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଓମିକ୍ରନ କଥା ଯଦି କହିବା ତାହାଲେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୬୭ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ଓମିକ୍ରନ୍‌ ।

ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । ପ୍ରତ୍ୟେକ ଦିନ ରାଜ୍ୟରେ ପାଖପାଖି ୩୦ହଜାର ପଜିଟିଭ କେସ୍‌ ଆସିବ । ଓମିକ୍ରନ ଡେଲ୍ଟା ଭାରିଆଣ୍ଟଠାରୁ ୫ ଗୁଣା ବିପଦଜ୍ଜନକ । ତେବେ ପ୍ରତ୍ୟେକ ଶହେ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇପାରେ । ଅନ୍ୟମାନେ ସଭିଏଁ ବୁଷ୍ଟର ଡୋଜ ନେବା ଆବଶ୍ୟକ । କାରଣ ଲୋକେ ନେଇଥିବା ଭ୍ୟାକ୍ସିନ ୪ ରୁ ୬ ମାସ ମଧ୍ୟରେ ଅକାମି ହୋଇଯିବ । ଏହାର ପ୍ରଭାବ ରହିବ ନାହିଁ । କିନ୍ତୁ ଖୁବଶୀଘ୍ର ସୁସ୍ଥତା ହୋଇ ଫେରିବ ବୋଲି ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଭାରତ-ପାକିସ୍ତାନ ବିଭାଜନ: ୭୪ ବର୍ଷ ପରେ ଭାଇ ଦେଖିଲା ଭାଇକୁ

କର୍ତାରପୁର: ୭୪ ବର୍ଷର ବିଚ୍ଛେଦ । ଯେତେବେଳେ ପରସ୍ପରକୁ ଦେଖିଲେ କଥା କହି ଥିଲା ଆଖି । ପରସ୍ପରକୁ କୁଣ୍ଢାଇ ପକାଇଲେ । ଦୀର୍ଘ ବର୍ଷ ବିଚ୍ଛେଦର କୋହ ଲୁହ ହୋଇ ଆଖିରୁ ବୋହି ଯାଇଥିଲା । ପାକିସ୍ତାନର କର୍ତାରପୁର ସ୍ଥିତ ଗୁରୁଦ୍ବାରା ଦରବାର ସାହିବରେ ଘଟିଛି ଏହି ଅପୂର୍ବ ମିଳନ । ଭାରତ, ପାକିସ୍ତାନ ବିଭାଜନ ବେଳେ ଅଲଗା ହୋଇଥିବା ଦୁଇ ଭାଇଙ୍କ ହୋଇଛି ମିଳିନ । ଆଉ ଏହି ମିଳନର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପିଲାଦିନୁ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କ ପରିଣତ ବୟସରେ ଏହି ମିଳନ ସେମାନଙ୍କ ଭଙ୍ଗା ସଂସାରକୁ ପୁଣି ଥରେ ପୂରା କରିପାରିଛି । ଏହାସହ ଏହା ବି ସୂଚାଉଛି ଭାରତଠାରୁ ପାକିସ୍ତାନ ଅଲଗା ହେବାର ସେହି କଳାଦିନ ଏମିତି କେତେ ଭାଇଙ୍କୁ ଅଲଗା କରିଛି ଓ କେତେ ଘରକୁ ଭାଙ୍ଗି ଦେଇଛି । ଯେଉଁମାନେ ଏବେ ବି ଦୁଇ ଦେଶ ମଧ୍ୟରେ ବାଣ୍ଟି ହୋଇଯାଇଥିବା ନିଜ ସମ୍ପର୍କୀୟଙ୍କୁ ଥରେ ଦେଖିବାକୁ ଝୁରି ହେଉଛନ୍ତି ।

ପାକିସ୍ତାନର କର୍ତାରପୁରରେ ଥିବା ଗୁରୁଦ୍ବାରା ଦରବାର ସାହିବ ଦୁଇ ଦେଶର ଲୋକଙ୍କ ପାଇଁ ଖୋଲିଛି । ଶିଖଙ୍କ ଏହି ପବିତ୍ର ତୀର୍ଥସ୍ଥଳକୁ ଭାରତୀୟମାନେ ବିନା ଭିସାରେ ଯାଇପାରୁଛନ୍ତି । ଏଠାକୁ ଭାରତର ପଞ୍ଜାବରେ ଥିବା ହବିବ ଯାଇଛନ୍ତି । ସେଠାରେ ତାଙ୍କର ଭେଟ ହୋଇଛି ସାନ ଭାଇ ମହମ୍ମଦ ସିଦ୍ଦିକଙ୍କ ସହ । ଯିଏ ପିଲା ଥିବା ବେଳେ ଭାରତ-ପାକିସ୍ତାନ ବିଭାଜନ କାରଣରୁ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପାକିସ୍ତାନ ଚାଲିଯାଇ ଫଏସଲାବାଦରେ ରହୁଛନ୍ତି।

ଅବର୍ଣ୍ଣନିୟ ଏହି ମିଳନ

ଯେତେବେଳେ ଦୁଇ ଭାଇଙ୍କ ମିଳନ ହୋଇଥିଲା ସେ ସମୟ ଥିଲା ଅବର୍ଣ୍ଣନିୟ । ଯାହାକୁ ଭାଷାରେ ଉଲ୍ଲେଖ କରିବା ଆମ ପାଇଁ ମଧ୍ୟ କଷ୍ଟଦାୟକ । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଦୁଇ ଭାଇଙ୍କ ବିଚ୍ଛେଦର କାହାଣୀ ବେଶ ଭାଇରାଲ ହୋଇଥିଲା । ଏହାପରେ ସେମାନେ ନିଜ ପିଲାଦିନର ସ୍ମୃତିକୁ ମନେ ପକାଇ ପରିଚୟ ପାଇଥିଲେ । ଆଉ ଏବେ କର୍ତାରପୁର କରିଡର ନିକଟ ଗୁରୁଦ୍ବାରା ଦରବାର ସାହିବରେ ସେମାନଙ୍କ ମିଳନ ଘଟିଛି । ଦୁଇ ଭାଇଙ୍କ ଏହି ମିଳନ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

କର୍ତାରପୁର କରିଡରକୁ ଖୋଲିଥିବାରୁ ଦୁଇ ଦେଶର ସରକାରଙ୍କୁ ଦୁଇ ଭାଇ ଧନ୍ୟବାଦ ଜଣାଇଛନ୍ତି । ଭାରତର ବିଭାଜନ ପରେ ସେମାନଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଥିଲା । ହବିବ ବାହା ନ ହୋଇ ଆଜୀବନ କୁମାର ହୋଇରହିଛନ୍ତି ।

ଆଉ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକକୁ କ୍ରସ କରିବ ଓଡ଼ିଶା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ଆଉ ଅଳ୍ପ କିଛି ଦିନ ମଧ୍ୟରେ ଆମେ ଦ୍ୱିତୀୟ ଲହରର ପିକକୁ କ୍ରସ କରିପାରୁ । ଗୋଟିଏ ପାଣ୍ଡେମିକରେ ପ୍ରଥମେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ଏହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା’ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି  କହିଛନ୍ତି କି ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହା ଫଳରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ରାଜ୍ୟରେ ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ ବହୁତ କମ୍ ରହିଛି । ଏମିତି କି ବେଡ଼ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡରେ ୬.୫୧ ପ୍ରତିଶତ, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ୩.୬୨ ପ୍ରତିଶତ ରୋଗୀ ରହିଛନ୍ତି । ଆମେ ବର୍ତ୍ତମାନ ୫ଟି ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜିଟିଭ ରେଟ, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁକୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ୍ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଜେସନ । ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼େଇବା ଜାରି ରଖିଛୁ । ଔଷଧ, ଅକ୍ସିଜେନ ଓ ବେଡ ପ୍ରସ୍ତୁତ କରି ରଖା ଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସୁରେଖା ପଲେଇ ହତ୍ୟାକାଣ୍ଡରେ ନୂଆ ଖୁଲାସା, ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା

ଭୁବନେଶ୍ୱର: ଭରତପୁର ତରିଣୀ ବସ୍ତି ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲା । ସୁରେଖା ପଲେଇ ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାଙ୍କ ଘରେ ଆତ୍ମହତ୍ୟା କରିଥିଲେ ସୁରେଖା । ବିଶ୍ୱଜିତଙ୍କୁ ଏକତରଫା ଭଲ ପାଉଥିଲେ ସୁରେଖା । ସୁରେଖା ବିଶ୍ୱଜିତଙ୍କୁ ବିବାହ କରିବା ପାଇଁ ବାରମ୍ବର କହୁଥିଲେ । କିନ୍ତୁ ବିଶ୍ୱଜିତ ବିବାହ ପାଇଁ ରାଜି ନହେବାରୁ ସୁରେଖା ୯ ତାରିଖ ସନ୍ଧ୍ୟାରେ ହାତ କାଟି ଫଟୋ ପଠେଇଥିଲେ । ପରେ ରାତିରେ ବୟଫ୍ରେଣ୍ଡ ଘରେ ସୁଇସାଇଡ କରିଥିଲେ ସୁରେଖା ।

ସୂଚନା ଅନୁସାରେ ଗତ ଜାନୁଆରୀ ୯ ତାରିଖ ରାତିରେ ଭରତପୁର ତାରିଣୀ ବସ୍ତିରେ ସୁରେଖା, ତାଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା ଓ କିଛି ଯୁବକ ଭୋଜି କରିଥିଲେ । ଏହାର ପର ଦିନ ଅର୍ଥାତ ୧୦ ଜାନୁଆରୀରେ ସୁରେଖାଙ୍କ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶ୍ୱାସରୁଦ୍ଧ ପାଇଁ ତାଙ୍କ ଜୀବନ ଯାଇଥିବା ଉଲ୍ଲେଖ ରହିଥିଲା । ଅନ୍ୟପକ୍ଷରେ ଏହି ଘଟଣାରେ ଆଜି ଭରତପୁର ପୋଲିସ ନୟାଗଡ଼ରୁ ସୁରେଖାଙ୍କ ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା ଓରଫ ଛୋଟୁଙ୍କୁ ଗିରଫ କରିଥିଲା । ଛୋଟୁ ସହ ତା’ର ଦୁଇ ନାବାଳକ ସହଯୋଗୀଙ୍କୁ ମଧ୍ୟ ଗିରଫ ଭରତପୁର ପୋଲିସ ଗିରଫ କରିଛି ।

 

ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଦୁଇ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ସାରା ଦେଶରେ ଏବେ କୋଭିଡ଼ ସ୍ଥିତି ବିସ୍ଫୋରକ ରୂପ ନେବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଜି ପ୍ରଧାନମନ୍ତ୍ରୀ କରୋନାକୁ ନେଇ ସମୀକ୍ଷା ବୈଠକ କରିବେ । ଆଜି ଅପରାହ୍ନରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଡିସେମ୍ବର ୩୧ରେ ଟେଷ୍ଟ ପଜିଟିଭିଟି ରେଟ୍ ୧.୧ ପ୍ରତିଶତ ଥିଲା । ଯାହା ଏବେ ୧୩.୧୧ ପ୍ରତିଶତକୁ ପହଞ୍ଚି ସାରିଛି । ଦେଶରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଓ ଗୁଜରାଟ ଏବେ ଦେଶର ହଟସ୍ପଟ ପାଲଟିଛି । ମହାରାଷ୍ଟ୍ରରେ ସଂକ୍ରମଣ ହାର ୨୨.୩୯ ପ୍ରତିଶତ ଥିବାବେଳେ ପଶ୍ଚିମବଙ୍ଗରେ ୩୨.୧୮ ପ୍ରତିଶତ, ଦିଲ୍ଲୀରେ ୨୬.୨୨ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୪.୪୭ ପ୍ରତିଶତ ରହିଛି । ଯାହା ଫଳରେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା ବୈଠକ କରିବେ ।

୧୦ ହଜାର ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୦ ହଜାର ୫୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଓଡ଼ିଶାରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୦ ରୁ ୧୮ ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫ ହଜାର ୮୩୩ କେସ୍ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୨୬ ଲୋକାଲ କେସ୍ ଚିହ୍ନଟ ହୋଇଛି । TPRରେ ରେଡ୍ ଜୋନରେ ୧୦ ଜିଲ୍ଲା ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ପୁରୀ, କଟକ, ଗଜପତି, ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା, ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ଟପିଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୧୮୮ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ବରରୁ ୨୭୮, ପୁରୀରୁ ୨୭୨, ଝାରସୁଗୁଡାରୁ ୨୧୯, ବଲାଙ୍ଗୀରରୁ ୨୧୬, ଯାଜପୁରରୁ ୨୧୨, କୋରାପୁଟରୁ ୧୫୫, ଗଞ୍ଜାମରୁ ୧୫୪, ଜଗତସିଂହପୁର ୧୪୨, ଭଦ୍ରକରୁ ୧୩୮, ରାୟଗଡ଼ାରୁ ୧୩୧, କଳାହାଣ୍ଡିରୁ ୧୨୩, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୦୯, ସୋନପୁରରୁ ୧୦୬, ନୟାଗଡ଼ରୁ ୧୦୨, ଗଜପତିରୁ ୮୨, ବରଗଡ଼ରୁ ୭୬, ନୂଆପଡାରୁ ୬୬, କେନ୍ଦ୍ରାପଡାରୁ ୫୧, ଢେଙ୍କାନାଳରୁ ୫୦, ଅନୁଗୁଳରୁ ୪୬, କନ୍ଧମାଳରୁ ୩୬, ଦେବଗଡ଼ରୁ ୧୮, ମାଲକାନଗିରିରୁ ୧୭, ବୌଦ୍ଧରୁ ୧୫ ଓ ଷ୍ଟେଟପୁଲରୁ ୭୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୪୯ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ଦୁଇ ଲକ୍ଷ ପାର୍ କଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୪୭ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଦେଶରେ ଦୁଇ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୭ ହଜାର ୪୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଯାହା ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତର ୨୭ ପ୍ରତିଶତ ଅଧିକ ଅଟେ । ଆଜିର କରୋନା ଆକ୍ରାନ୍ତ ସଂଖ୍ୟା ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୧୧ ଲକ୍ଷ ୧୭ ହଜାର ୫୩୧ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୮୪ ହଜାର ୮୨୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଯଦି ଓମିକ୍ରନ ଆକ୍ରାନ୍ତ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର୍ କରିଛି । ଦେଶରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୮୮ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୧୨୮୧ ଓମିକ୍ରନ ଆକ୍ରାନ୍ତ ସହ ଏହି ଲିଷ୍ଟର ଉପରେ ରହିଛି । ମହାରାଷ୍ଟ୍ର ପରେ ରାଜସ୍ଥାନ ୬୪୫, ଦିଲ୍ଲୀରେ ୫୪୬, କର୍ଣ୍ଣାଟକରେ ୪୭୯, କେରଳରେ ୩୫୦, ପଶ୍ଚିମବଙ୍ଗରେ ୨୯୪, ଉତ୍ତରପ୍ରଦେଶରେ ୨୭୫, ଗୁଜୁରାଟରେ ୨୩୬, ତାମିଲନାଡୁରେ ୧୮୫ ଓ ହରିଆଣାରେ ୧୬୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଡିସେମ୍ବର ୩୧ରେ ପଜିଟିଭିଟି ରେଟ୍ ୧.୧ ପ୍ରତିଶତ ରହିଥିଲା ଯାହା ଏବେ ବଢ଼ି ୧୧.୦୫ ପ୍ରତିଶତରେ ପହଞ୍ଚିଛି ।