ସାମରିକ ସାହାଯ୍ୟ କଲେ ପରିଣାମ ଭୟଙ୍କର ହେବ

ମସ୍କୋ: ନାଟୋ ସଦସ୍ୟ ରାଷ୍ଟ୍ର ରୋମାନିଆ ଓ ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରଙ୍କୁ ଋଷର କଡା ଚେତାବନୀ । ୟୁକ୍ରେନକୁ ସାମରିକ ସାହାଯ୍ୟ ଯୋଗାଇଲେ ପରିଣାମ ଭୟାବହ ହେବ । ଏକ ସାମରିକ ବିବାଦ ପରିପ୍ରେକ୍ଷୀରେ ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପକୁ ଋଷ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାସେଙ୍କୋଭ । ସେ କହିଛନ୍ତି, ୟୁକ୍ରେନର କେତେକ ଯୁଦ୍ଧ ବିମାନ ରୋମାନିଆ ଓ ପଡୋଶୀ ରାଷ୍ଟ୍ରକୁ ଯାଉଥିବାର ପ୍ରମାଣ ମିଳିଛି ।

ୟୁକ୍ରେନର ଏହି ପଦକ୍ଷେପ ଋଷ ବିରୋଧରେ ଏକ ସାମରିକ ସଂଘର୍ଷ ବୋଲି ପ୍ରତୀୟମାନ ହେଉଛି । ସେପଟେ ରୋମାନିଆ ପ୍ରଧାନମନ୍ତ୍ରୀ ନିକୋଲାଇ ସିଉକା କହିଛନ୍ତି, ବାସ୍ତବରେ ଘଟୁଥିବା ଘଟଣାଠାରୁ ଦୃଷ୍ଟି ଏଡାଇ ଦେବା ଲାଗି ଋଷ ଉଦ୍ୟମ କରୁଛି । ସଶସ୍ତ୍ର ସଂଘର୍ଷର ନିୟମାବଳୀ ଉଲ୍ଲଂଘନ କରାଯାଉଛି ଏବଂ ନାଗରିକମାନେ ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି । ଗତ ଫେବ୍ରୁଆରୀ 24 ତାରିଖରେ ୟୁକ୍ରେନର ଏକ ଫାଇଟର ଜେଟକୁ ରୋମାନିଆ ଆକାଶରେ ଇଣ୍ଟରସେପ୍ଟ କରାଯାଇ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା । ତେବେ ଏହାକୁ ନେଇ ମସ୍କୋ ସହ କୌଣସି ବିବାଦ ସୃଷ୍ଟି କରାଯାଇ ନଥିଲା ବୋଲି ସେ କହିଛନ୍ତି ।