ବୁଲୁଛି ବାଘ, ଆତଙ୍କରେ ଲୋକେ

ଭୁବନେଶ୍ବର: ଦେବଗଡ଼ ଓ ଅନୁଗୁଳ ବନଖଣ୍ଡରେ ବାଘ ପାଦ ଚିହ୍ନ । କଲରାପତରିଆ ନା ମହାବଳ ବାଘର ପାଦଚିହ୍ନ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ବାଘ ବୁଲୁଥିବା ଜଣାପଡିବା ପରେ ଖମାର ଏବଂ କଣିହାଁ ବନାଞ୍ଚଳ ସୀମନ୍ତବର୍ତ୍ତୀ ରଞ୍ଜା ଗ୍ରାମବାସୀ ଏବେ ଆତଙ୍କିତ ।

ବାଘଟି ଦୁଇଦିନ ମଧ୍ୟରେ ଦୁଇଟି ମଇଁଷିକୁ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିବାପରେ ଖମାର ବନବିଭାଗ ଏବଂ ଅନୁଗୁଳ ସାତକୋଶିଆ ଅଧିକାରୀ ମାନେ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଏକ ମହାବଳ ବାଘ ରାସ୍ତା ପାର କରୁଥିବା ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ହେଲେ ଭିଡ଼ିଓଟି ଓଡିଶାର ନୁହେଁ ବୋଲି ବନବିଭାଗ ସ୍ପଷ୍ଟ କରିଛି । ଭିଡ଼ିଓକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ କ୍ୟାମେରା ଲଗାଇବା ସହ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଦେବଗଡ଼ ଡିଏଫଓ ମଗର ଧନଜି ରାଓସା ସୂଚନା ଦେଇଛନ୍ତି ।

ବାଘ ଛାଲ ଜବତ, ୩ ଗିରଫ

ସେହିପରି ରିଆମାଳ ଥାନା ଟୁହିଳାମାଲ ଜଙ୍ଗଲ ନିକଟରୁ ବାଘଛାଲ ଜବତ ହେବା ସହ ୩ ଶିକାରୀ ଗିରଫ ହୋଇଛନ୍ତି । ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ଯାଇ ଡିଲ୍ ବେଳେ ଚୋରା ଚାଲାଣକାରୀଙ୍କୁ କାବୁ କରିଛି । ଗିରଫଙ୍କ ପାଖରୁ ଭୁଜାଲୀ ଓ ମୋବାଇଲ ଜବତ କରାଯାଇଛି । ଗିରଫ ୩ ଜଣ ହେଲେ ରିଆମାଳ ଥାନା ଜଡ଼ାଗୋଳା ଗ୍ରାମର ପତି ବେହେରା, କାଇଁସର ଗ୍ରାମର ଟିକେଇ ବେହେରା ଓ ରାଜନ ନାଏକ ।