spot_img
Home Blog Page 4683

ବିକାନେର-ଗୁଆହାଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି, ସ୍ଥିତି ପରଖିଲେ କେନ୍ଦ୍ର ରେଳମନ୍ତ୍ରୀ

କୋଲକାତା: ବିକାନେର-ଗୁଆହାଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା । ଆଜି ସରିଲା ଉଦ୍ଧାର କାର୍ଯ୍ୟ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିସହ ୩୬ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଥିବା ବାକି ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗୁଆହାଟି ସ୍ଥାନାନ୍ତର କରାଯାଇଛି । ସେପଟେ କେମିତି ହେଲା ରେଳ ଦୁର୍ଘଟଣା? ଟ୍ରେନ୍ ଲାଇଚ୍ୟୁତ ହେବାର କାରଣ କ’ଣ? ବିକାନେର- ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ଘଟଣାର କାରଣ ଖୋଜୁଛି ଉଚ୍ଚସ୍ତରୀୟ ତଦନ୍ତ କମିଟି ।

ଅନ୍ୟପକ୍ଷରେ ଆଜି ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମେଡିକାଲ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଏହି ଘଟଣା ଯାଞ୍ଚ ରେଲଓ୍ୱେ ସେଫ୍ଟି କମିଶନର ପୁରା ଘଟଣାର ଯାଞ୍ଚ କରୁଛି । ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୋୟନାଗୁରି ନିକଟରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଥିଲା । ବିକାନେର- ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପକ୍ଷରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରଣାଳୟ ।

 

’ପୁଷ୍ପା’ ଲୁକରେ ରବୀନ୍ଦ୍ର ଜାଡେଜା, ତେଲୁଗୁ ଭାଷାରେ ଡାଏଲଗ କହି ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍ ପାଇଁ ଲଗାତାର ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଖଣ୍ଡା ଧରି ବୁଲାଉଥିବା ଫଟୋ ଭାଇରାଲ ହେଉଥିବାବେଳେ କେତେବେଳେ ହର୍ସ ରାଇଡିଂ କରୁଥିବାର ନଜର ଆସିଥାନ୍ତି । କିନ୍ତୁ ଏବେ ଆଉ ଏକ ନୂଆ ଲୁକରେ ନଜର ଆସିଛନ୍ତି ଜାଡେଜା । ଯେଉଁ ଲୁକ୍ ଜାଡେଜାଙ୍କ ଫ୍ୟାନମାନଙ୍କୁ ବେଶ୍ ପସନ୍ଦ ଆସିଛି । ରବୀନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଲୁକ୍ ସେୟାର କରିଛନ୍ତି । ଯେଉଁଥିରେ ସେ ସାଉଥ ଇଣ୍ଡିଆନ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୁକରେ ନଜର ଆସିଛନ୍ତି । ନିକଟରେ ବକ୍ସ ଅଫିସରେ ଧମାକାଦାର କଲେକ୍ସନ କରିଛି ଅଲ୍ଲୁ ଅର୍ଜୁନ ଷ୍ଟାରର ’ପୁଷ୍ପା’ । କରୋନା କାଳରେ ଫିଲ୍ମଟି ଦର୍ଶକଙ୍କ ଭିତରେ ଆଦୃତ ଲାଭ କରିଛି ।

 

ଜାଡେଜା ନ୍ୟୁ ଲୁକରେ ପୁଷ୍ପା ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନଙ୍କ ପରି ନଜର ଆସିଛନ୍ତି । କେବଳ ଅଲ୍ଲୁ ଅର୍ଜୁନଙ୍କ ଲୁକକୁ କପି କରିନାହାନ୍ତି ରବୀନ୍ଦ୍ର ଜାଡେଜା । ଅଲ୍ଲୁ ଅର୍ଜୁନଙ୍କ ପରି ମଧ୍ୟ ଡାଏଲଗ କହୁଛନ୍ତି ଜାଡେଜା । ଜାଡେଜା ଉଭୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ସେୟାର କରି କ୍ୟାପସନରେ ଜାଡେଜା ଲେଖିଛନ୍ତି କି ‘ଏହା ଏକ ଗ୍ରାଫିକାଲ ଫଟୋ । ସିଗାରେଟ୍‌, ବିଡି ଏବଂ ତମାଖୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏଥିରୁ କ୍ୟାନ୍‌ସର ହୁଏ’ । ଜାଡେଜା ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିବା ପରେ ଅଭିନେତା ଅଲ୍ଲୁ ଅର୍ଜୁନ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ।

ଭିମସାରରେ ୧୫ ଦିନ ପାଇଁ ବନ୍ଦ ରହିଲା MBBS ପରୀକ୍ଷା

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।

ଦେଶରେ ବେକାବୁ କରୋନା, ୨୪ ଘଣ୍ଟାରେ ୨ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ୬.୭ ପ୍ରତିଶତ ଅଧିକ । ସେହିପରି ଏବେବି ଭାରତରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ୫ ହଜାର ୭୫୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ଦେଶରେ ଗୁରୁବାର ୨ ଲକ୍ଷ ୪୭ ହଜାର ୪୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଅକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଅକ୍ଟିଭ୍ କେସ୍ ୧୨ ଲକ୍ଷ ୭୨ ହଜାର ୦୭୩ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୫ହଜାର ୩୫୦ରେ ପହଞ୍ଚିଛି ।

 

 

 

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ମଧ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବନ୍ଧୁତ୍ୱ ଓ ମିଳନର ଏହି ଅନନ୍ୟ ପର୍ବରେ ସେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।

 

ସେହିପରି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛି । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୯୬୨ ଜଣ ଚିହ୍ନଟ ହୋଇଥିବାବେଳେ ୪ ହଜାର ୩୧୧ ଲୋକାଲ କେସ୍ ଚିହ୍ନଟ ହୋଇଛି । ସେହିପରି ୦-୧୮ ବର୍ଷ ମଧ୍ୟରେ ୧୦୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ୩୪୦, ବାଲେଶ୍ବରରୁ ୪୫୭, ପୁରୀରୁ ୨୬୯, ଝାରସୁଗୁଡାରୁ ୨୦୨, ବଲାଙ୍ଗୀରରୁ ୧୯୧, ଯାଜପୁରରୁ ୧୪୩, କୋରାପୁଟରୁ ୧୮୬, ଗଞ୍ଜାମରୁ ୫୫, ଜଗତସିଂହପୁର ୧୩୨, ଭଦ୍ରକରୁ ୧୦୨, ରାୟଗଡ଼ାରୁ ୧୮୩, କଳାହାଣ୍ଡିରୁ ୨୦୩, ନବରଙ୍ଗପୁରରୁ ୧୨୫, କେନ୍ଦୁଝରରୁ ୧୧୪, ସୋନପୁରରୁ ୧୩୨, ନୟାଗଡ଼ରୁ ୧୨୧, ଗଜପତିରୁ ୧୨୬, ବରଗଡ଼ରୁ ୧୦୨, ନୂଆପଡାରୁ ୪୫, କେନ୍ଦ୍ରାପଡାରୁ ୭୪, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୮୫, କନ୍ଧମାଳରୁ ୨୬, ଦେବଗଡ଼ରୁ ୨୩, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪ ଓ ଷ୍ଟେଟପୁଲରୁ ୭୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୪୪୭ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ଚାଲିଗଲେ ଚିର ସବୁଜ ଗୀତର ସ୍ରଷ୍ଟା ସରୋଜ ପଟ୍ଟନାୟକ

ବାରିପଦା: ଓଡ଼ିଆ ସିନେ ଜଗତକୁ ଆଉ ଏକ ଝଟକା । ଭେଟରାନ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପରେ ଏବେ ଆଉ ଜଣେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇଲା ଓଡ଼ିଶା । ’ଏଇ ଝୁମାଝୁମା ଗୋଲାପୀ ବେଳାରେ ହେଉ’ କି ’ଏଇ ଯେ ବନଲତା ପାହାଡ’ ପରି ବହୁ ସୁପର ଡୁପର ହିଟ୍ ସଂଗୀତର ସୁରକାର ଏବଂ ଗୀତିକାର ଓଡ଼ିଆ ସିନେ ଜଗତର ଅନ୍ୟତମ ବାଦଶାହ ସରୋଜ ପଟ୍ଟନାୟକ ଓରଫ କାବୁଲ ଦା ଆଉ ନାହାନ୍ତି । ବାରିପଦା ବଡ ବଜାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ସରୋଜ ପଟ୍ଟନାୟକଙ୍କ ୧୯୪୦ ମସିହା ଜୁନ୍ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ। ଗଣେଶ ଜୀଉ ଯେତେବେଳେ ଅଭିମାନ ସିନେମା କରିବା ପାଇଁ ମନ ବଳାଇଲେ ସେତେବେଳେ ସେହି ସିନେମାର ସଙ୍ଗୀତ କରିବାକୁ ସ୍ୱର୍ଗତଃ ରାଧାକୃଷ୍ଣ ଭଞ୍ଜ ଏବଂ ସରୋଜ ପଟ୍ଟନାୟକଙ୍କୁ ବାଛିଥିଲେ। ରାଧାକୃଷ୍ଣ ଓ ସରୋଜ ପଟ୍ଟନାୟକ ଯୋଡ଼ି ସେତେବେଳେ ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିଲା । ଫୁଲ ଚନ୍ଦନ ଫିଲ୍ମର ’ଏଇ ଯେ ବନଲତା ପାହାଡ଼’ ଗୀତଠାରୁ ଆରମ୍ଭ କରି ’କହନା ଏ ଫୁଲ କହନା’ ହେଉ କି ’ମନେ ପଡେ ଆଜି ସେଇ ଦିନ’ ଭଳି ସବୁ ଗୀତ ଥିଲା ସୁପରହିଟ୍ । ଏହା ପରେ ସେ ’ଝିଅଟି ସୀତା ପରି’, ଅଭିଳାଷ, ହାକିମବାବୁ, ଏଇ ସଙ୍ଘର୍ଷ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର ଆଦି ଫିଲ୍ମରେ ମିଠା ସଙ୍ଗୀତର ସୁରରେ ସଜାଇ ଶ୍ରୋତାଙ୍କୁ ଝୁମାଇ ଥିଲେ ।

୧୯୯୮ରେ ସେ ସରକାରୀ ଚାକିରୀରୁ ଅବସର ନେବା ପରେ ବାରିପଦାରେ ରହୁଥିଲେ। ତେବେ ପାଖାପାଖି ୬ମାସ ହେବ ସେ ଶଯ୍ୟାଶାୟୀ ଥିଲେ । ଗତ ବୁଧବାର ସେ ସୁସ୍ଥ ଥିବା ବେଳେ ହଠାତ୍ ତାଙ୍କ ଶରୀରରେ ସୋଡିୟମ ମାତ୍ରା କମିଯାଇଥିଲା ଏବଂ ତାଙ୍କର ହିକ୍କା ଆରମ୍ଭ ହୋଇଥିଲା ବୋଲି ତାଙ୍କ ସାନଭାଇ ସ୍ୱରୂପ ପଟ୍ଟନାୟକ କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

 

ଜଗା ପାଳୁଛି ମକର ସଂକ୍ରାନ୍ତି, ହେଲେ ବିନା ଭକ୍ତରେ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ପୂଜାବିଧି ରହିଥାଏ । ମକର ସଂକ୍ରାନ୍ତି ଦିନ ଶ୍ରୀଜିଉଙ୍କ ମଙ୍ଗଳା ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକ ମୁହଁରେ ବାଘତୁଣ୍ଡି ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି  ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମକର ସଂକ୍ରାନ୍ତି ଦିନ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି । ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି । ଭକ୍ତ ମାନେ କେବଳ ପତିତପାବନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇପାରିବେ ।

କେମିତି ହେଲା ଦୁର୍ଘଟଣା, କାରଣ ଖୋଜୁଛି ଉଚ୍ଚସ୍ତରୀୟ କମିଟି

କୋଲକାତା: କେମିତି ହେଲା ରେଳ ଦୁର୍ଘଟଣା ? ଟ୍ରେନ୍ ଲାଇଚ୍ୟୁତ ହେବାର କାରଣ କ’ଣ? ବିକାନେର-ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ଘଟଣାର କାରଣ ଖୋଜୁଛି ଉଚ୍ଚସ୍ତରୀୟ ତଦନ୍ତ କମିଟି ।  ଆଜି ଦୁର୍ଘଟଣାସ୍ଥଳକୁ ଯିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣାରେ ମୃତଙ୍କ ସଂଖ୍ୟା ୭ରେ ପହଞ୍ଚିଥିବାବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି  । ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି  । ୧୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରେଲଓ୍ୱେ ସେଫ୍ଟି କମିଶନର ପୂରା ଘଟଣାର ଯାଞ୍ଚ କରୁଛନ୍ତି ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୋୟନାଗୁରି ନିକଟରେ ବଡ ଧରଣର ଟ୍ରେନ ଦୁର୍ଘଟଣା ହୋଇଥିଲା । ବିକାନେର- ଗୁଆହାଟି ଏକ୍ସପ୍ରେସର ପ୍ରାୟ ୧୨ ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

ଆଜି ଉପକୂଳରେ ଛେଚିବ ବର୍ଷା, ୧୬ରୁ ବଢ଼ିବ ଶୀତ

ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ନିମ୍ନ ଚାପ ରେଖା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ୧୫ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ  । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା , ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ ମାଲକାନଗିରିକୁ ବଜ୍ରପାତ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଶୀତ ଫେରିବ  । ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।