spot_img
Home Blog Page 4682

କମାଲ କରିବେ କମଳାକାନ୍ତ, ରଚିବେ ବିଶ୍ୱ ରେକର୍ଡ

ପୁରୀ: ମନୋବଳ ହିଁ ମଣିଷଙ୍କୁ ଶ୍ରେଷ୍ଠ ପ୍ରତିପାଦିତ କରିଥାଏ  । ଶାରିରୀକ ଅକ୍ଷମତା ଆଗରେ ମାନସିକ ସକ୍ଷମତା  ।  ପ୍ରଥମ ଓଡ଼ିଆ ଶାରିରୀକ ଅକ୍ଷମ ଭାବେ ଗିନିଜ୍ ଓ୍ବାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳାକାନ୍ତ ନାୟକ । ପୁରୀ ଜିଲ୍ଲାର ୨୮ ବର୍ଷୀୟ କମଳାକାନ୍ତ ରଚିବାକୁ ଯାଉଛନ୍ତି ବିଶ୍ୱ ରେକର୍ଡ  । ୨୪ ଘଣ୍ଟା ମଧ୍ୟରେ ହୁଇଲ ଚ୍ୟାୟରରେ ସବୁଠାରୁ ଅଧିକ ଦୂରତା କଭର କରିବା ସହ ଗିନିଜ ଓ୍ବାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ସେପଟେ ଶନିବାରଠୁ ମାଷ୍ଟରକ୍ୟାଣ୍ଟିଂନଠାରୁ ଏହି ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି ।

ହୁଇଲ ଚ୍ୟାୟରରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦୦ କିମି ଯାତ୍ରା କରିବାର ଲକ୍ଷ ରଖିଛନ୍ତି କମଳାକାନ୍ତ । ପୂର୍ବରୁ ଅନେକ ରେକର୍ଡ ମଧ୍ୟ ହାସଲ କରି ସାରିଛନ୍ତି କମଳକାନ୍ତ । କମଳାକାନ୍ତଙ୍କ ଏହି ଏହି ସଫଳତା ପଛରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ବେଟର ଲାଇଫ ଫାଉଣ୍ଡେସନର ହାତ ଥିବା ସେ କହିଛନ୍ତି  । ସଭିଙ୍କ ଆଶୀର୍ବାଦ ନେଇ ନୂଆ ରେକର୍ଡ ସନ୍ଧାନରେ ବାହାରିବେ କମଳାକାନ୍ତ  ।

୨-୧ରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

କେପ୍‌ ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଟିମ ଇଣ୍ଡିଆର ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ଧୁଳିଶାତ୍‌ ହୋଇଛି । କେପ୍‌ ଟେଉନ ଟେଷ୍ଟକୁ ୱିକେଟରେ ଜିତିବା ସହ ୨-୧ରେ ସିରିଜ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଟେଷ୍ଟକୁ ଭାରତ ୧୧୩ ରନ୍‌ରେ ଜିତିଥିଲା ମାତ୍ର ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ବିଜୟୀ ହେବା ସହ ସିରିଜ ହାତେଇଛି ।

ଚତୁର୍ଥ ଦିନ ଲଞ୍ଚ୍‌ ବ୍ରେକ୍‌ ପରେ ଘରୋଇ ଟିମ ବିଜୟ ପାଇଁ ୪୧ ରନ୍‌ ଆବଶ୍ୟକ କରୁଥିଲା । ତେମ୍ବା ବାଭୁମା ବିଜୟୀ ସଟ୍‌ ଖେଳି ମ୍ୟାଚ୍‌ ଶେଷ କରିଥିଲେ । ଫଳରେ ତୃତୀୟ ଟେଷ୍ଟରେ ଭାରତ ୭ ୱିକେଟର ପରାଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ମଉଳିଯାଇଥିଲା ।

ଚତୁର୍ଥ ଦିନର ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ୭୦ ରନ୍‌ ସଂଗ୍ରହ କରିବା ସହ ଗୋଟିଏ ୱିକେଟ ହରାଇ ବିଜୟ ସୁନିଶ୍ଚିତ କରିଥିଲା । ଏଥିସହ ମ୍ୟାଚ୍‌ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଲଞ୍ଚ୍‌ ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୭୧/୩ ରହିଥିଲା । ରସି ଭାନ ଡର୍‌ ଡସନ ଓ ତେମ୍ବା ବାଭୁମା ଯଥାକ୍ରମେ ୨୨ ଓ ୧୨ ରନ୍‌ରେ ଅପରାଜିତ ରହିଥିଲେ

SBIରୁ ସୁନା ଲୁଟ, ଅସ୍ଥାୟୀ କର୍ମଚାରୀଙ୍କ ନାଁ ରେ ଏତଲା

କୋରାପୁଟ: ଲକ୍ଷ୍ମୀପୁର ଏସବିଆଇରୁ ବଡ଼ଧରଣର ଚୋରି ଅଭିଯୋଗ  । କୋଟିଏ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଥାନାରେ ପହଁଚିଲା ଅଭିଯୋଗ  । ସୂଚନା ମୁତାବକ ଜଣେ ଅସ୍ଥାୟୀ କର୍ମଚାରୀ ଏହି ସୁନା ଚୋରି ପଛରେ ପ୍ରତ୍ୟକ୍ଷ ଭାବେ ରହିଛନ୍ତି  ।  ପ୍ରାୟ ୧କେଜି ୬୧୦ ଗ୍ରାମ୍  ସୁନା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ  ।

ଅସ୍ଥାୟୀ କର୍ମଚାରୀ ଶେଖର କୂଳଦୀପଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ  । ସୁନା ଲୁଟ୍ କରି ଉକ୍ତ କର୍ମଚାରୀ ଜଣଙ୍କ ପ୍ରାୟ ଦେଢମାସ ହେଲା ଫେରାର୍ ହୋଇଥିବା ଅଭିଯୋଗ ହୋଇଛି  । ସେପଟେ  ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଛି  ।

ଅଧରାତିରେ ଉଜାଗର ଲୁଟେରା, ନୟାପଲ୍ଲୀରେ ସାମ୍ବାଦିକଙ୍କ ଠୁ ଲୁଟ୍

ଭୁବନେଶ୍ୱର:  ରାଜଧାନୀରେ ପୁଣି ମାତିଲେ ଲୁଟେରା । ସାମ୍ବାଦିକଙ୍କୁ ଖଣ୍ଡା ଦେଖାଇ ଲୁଟିଲେ ମୋବାଇଲ ଓ ସୁନା ମୁଦି। ନୟାପଲୀ ଥାନାଠୁ ମାତ୍ର 100 ମିଟର ଦୂରରେ ଏଭଳି ଘଟଣା ଘଟିଛି। ଲୁଟର ଶିକାର ହୋଇଛନ୍ତି କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟ ରଞ୍ଜନ ସେଠୀ । ଗତକାଲି ରାତି 11ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ କସ୍ତୁରବା ସ୍କୁଲ ନିକଟରେ ଲୁଟେରା ସମ୍ବାଦିକଙ୍କୁ ପ୍ରଥମେ ଅଟକାଇଥିଲେ ।

ପରେ ବେକରେ ମାରଣାସ୍ତ୍ର ଲଗେଇ ଦୁଇଟି ମୋବାଇଲ ନେବା ସହ ହାତରୁ ସୁନା ମୁଦି ଖୋଲିବା ପାଇଁ କହିଥିଲେ । ହାତରୁ ମୁଦି ନ ଖୋଲିବାରୁ ଆଙ୍ଗୁଠିକୁ ଖଣ୍ଡାରେ ଆକ୍ରମଣ କରି ମୁଦି ନେଇଯାଇଥିବା ଅଭିଯୋଗ ହୋଇଛି । ସୌମ୍ୟଙ୍କ ବେକ ଓ ଆଙ୍ଗୁଠିରେ କ୍ଷତ ଚିହ୍ନଟ ଅଛି । ଲୁଟେରା ଘଟଣା ସ୍ଥଳରୁ ଫେରାର ହେବା ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ ।

ଅନ୍ୟପଟେ ଏଇ ଲୁଟ ନେଇ ନୟାପଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୌମ୍ୟ ରଞ୍ଜନ ସେଠି । ସୌମ୍ୟଙ୍କ ଠୁ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଚଳାଇଛି ନୟାପଲି ଥାନା ପୋଲିସ ।

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗୋଷ୍ଠୀ ସଂଘର୍ଷ । ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ନୂଆଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ ଦେଖିବାକୁ ମିଳିଛି । ଗ୍ରାମର ନୃସିଂହ ପଣ୍ଡା ଓ ତାଙ୍କ ପରିବାର ଉପରକୁ ଗତକାଲି ରାତିରେ କିଛି ଲୋକ ଏକତ୍ରିତ ହୋଇ ସଂଘବଧ ଭାବେ ଆକ୍ରମଣ କରିବା ସହି ଘରର ଆସବାପତ୍ର ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ନୃସିଂହ ପଣ୍ଡା ଓ ତାଙ୍କ ପରିବାର ସହି ଅନ୍ୟ ପକ୍ଷର ମଧ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ୪ ଜଣ ଆହତ ହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ନୃସିଂହ ପଣ୍ଡା ଓ ତାଙ୍କ ପୁଅ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପରିସ୍ଥିତି ଅଣାୟତ୍ତ ହେବାରୁ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଢ଼ିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ

ପାରାଦୀପ: ପାରାଦୀପ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଢ଼ିଙ୍କିଆ ଗାଁରେ ଆଜି ପଶିଛି ପୋଲିସ । ଢିଙ୍କିଆର ତିନିଟି ଯାକ ପ୍ରବେଶ ପଥରେ ବାଉଁଶ ଗେଟ୍ ନିର୍ମାଣ କରି ଗାଁକୁ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ କରାଇ ନଦେବାକୁ ଜିଦରେ ଅଡି ବସିଥିଲେ ଗ୍ରାମବାସୀ । କିନ୍ତୁ ଆଜି ପାଖାପାଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ଢିଙ୍କିଆର ପହଞ୍ଚି ଗାଁକୁ ପଶିବା ଉଦ୍ୟମ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପୋଲିସ ଗାଁରେ ପଶିବା ପରେ ଢିଙ୍କିଆ ଗାଁ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇଯାଇଛି ।

ପୂର୍ବରୁ ମାହାଳ, ଗୋବିନ୍ଦପୁର ଗାଁର ପାନ ଚାଷୀ ସେମାନଙ୍କ ପାନ ବରଜ କମ୍ପାନୀକୁ ଦେବା ସହିତ କ୍ଷତିପୂରଣ ମଧ୍ୟ ନେଉଥିଲେ । ଏମିତିକି ଢିଙ୍କିଆର କିଛି ଲୋକ ମଧ୍ୟ ବରଜ ଦେଇଥିଲେ । ପୋଲିସ ଗାଁରେ ପ୍ରବେଶ ନ କରି ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଥିଲା । କିନ୍ତୁ ଆଜି ପୋଲିସ ଗାଁରେ ପଶିବାରୁ ପୋଲିସ ସହ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା ।

କରୋନା କବଳରେ କୋରାପୁଟ ସାଂସଦ, ଟ୍ୱିଟ କରି ସୂଚନା ଦେଲେ ସପ୍ତଗିରି

କୋରାପୁଟ: କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ସାଂସଦ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସପ୍ତଗିରି କହିଛନ୍ତି କି ’ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ମୋ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଯାହା ଫଳରେ ମୁଁ ଏବେ ଘରେ ଆଇସୋଲେସନରେ ରହିଛି । ଯେଉଁମାନେ ମୋ ସଂପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ଆଇସୋଲେସନରେ ରହି କରୋନା ପରୀକ୍ଷା କରନ୍ତୁ’ ବୋଲି ଟ୍ୱିଟ୍ କରି କହିଛନ୍ତି ସପ୍ତଗିରି ଉଲ୍ଲାକା ।

ସୂଚନା ଅନୁସାରେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଲଗାତର ଦୁଇ ଦିନ ହେବ ରାଜ୍ୟରେ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଫେବ୍ରୁଆରୀ ପହିଲାରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧ରେ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ରାଜ୍ୟସଭାର ୨୫୬ ତମ ଅଧିବେଶନ ଜାନୁୟାରୀ ୩୧ ସୋମବାର ଅନୁଷ୍ଠିତ ହେବ । କରୋନା ମୁକାବିଲା ନେଇ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ସଂସଦ ପରିସରରେ ଅନୁଧ୍ୟାନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ।

ହୃଦଘାତରେ NDTVର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁ, ସାମ୍ବାଦିକତା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ପରଲୋକ । ହୃଦଘାତରେ NDTVର ବରିଷ୍ଠ ସାମ୍ବଦିକଙ୍କ ପରଲୋକ ଘଟିଛି । ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍‌ଙ୍କର ଲକ୍ଷ୍ନୌର ବଟଲର ପ୍ୟାଲେସ କଲୋନୀରେ ମୃତ୍ୟୁବରଣ କରିଛନ୍ତି । କମଲ ଖାନ୍ ଉତ୍ତରପ୍ରଦେଶରେ NDTVର କାର୍ଯ୍ୟକାରୀ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ।  ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଗତ ୩ ଦଶକ ଧରି ସେ ସାମ୍ବାଦିକତା କରି ଆସୁଥିଲେ । NDTVରେ ଗତ ୨୨ ବର୍ଷ ଧରି କାର୍ଯ୍ୟ କରୁଥିଲେ କମଲ ଖାନ ।

କମଲ ଖାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ଶୋକସନ୍ତପ ପରିବାରଙ୍କ ପ୍ରତି ଗଭୀର ସମବେଦନା ଦେବା ସହ ଏହା ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲଳି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଆବଶ୍ୟକ ନଥିଲେ ହସ୍ପିଟାଲକୁ ଆସନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟର ସବୁ ହସ୍ପିଟାଲ, ମେଡିକାଲ କଲେଜ ପାଇଁ ନୂଆ ଗାଇଡଲାଇନ ଆସିଛି । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୋଇଥାଏ । ତେଣୁ ସେଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠାରେ ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିରେ ଆଟେଣ୍ଡାନ୍ସ ମଧ୍ୟ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ ।

ଯେପରି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗୁକରାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସର୍ଭେଲାନ୍ସ ଚାଲିଛି, ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି । ଗତ ବର୍ଷର ପଜିଟିଭ ହାର ଏବଂ ଚଳିତ ବର୍ଷର ପଜିଟିଭ୍ ହାର ଦେଖିଲେ ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।