ଇରାନ୍, ଉତ୍ତର କୋରିଆ ଠାରୁ ଋଷ ଉପରେ ଅଧିକ ପ୍ରତିବନ୍ଧକ

Ukraine War Russia Becomes World Most Sanctioned Nation Surpasses Iran North Korea

ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ଋଷକୁ ମିଳିଛି ଅଲୋଡ଼ା ରେକର୍ଡ । ବିଶ୍ୱରେ ସବୁଠୁ ଅଧିକ ପ୍ରତିବନ୍ଧକ ଦେଶ ତାଲିକାରେ ସବୁଠୁ ଉପରେ ରହିଛି ଋଷ । ୟୁକ୍ରେନ୍ ସହ ଯୁଦ୍ଧ ପରେ ଇରାନ୍ ଓ ଉତ୍ତର କୋରିଆକୁ ପ୍ରତିବନ୍ଧକ କ୍ଷେତ୍ରରେ ଋଷ ପଛରେ ପକାଇଛି । ରିପୋର୍ଟ ଅନୁସାରେ, ଋଷ ଉପରେ ଆମେରିକା ଓ ୟୁରୋପୀୟ ୟୁନିଅନ୍ ୨ ହଜାର ୭୭୮ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ମିଶାଇ ଋଷ ଉପରେ ଏବେ ୫ ହଜାର ୫୩୦ ପ୍ରତିବନ୍ଧକ ଲାଗିଛି ।

୨୦୨୨ ଫେବ୍ରୁଆରୀ ୨୨ ପୂର୍ବରୁ ଋଷ ଉପରେ ୨ ହଜାର ୭୫୪ ପ୍ରତିବନ୍ଧକ ଲାଗିଥିଲା । ୨୨ ଫେବ୍ରୁଆରୀ ପରେ ମାର୍ଚ୍ଚ ୭ ମଧ୍ୟରେ ଋଷ ଉପରେ ୨ ହଜାର ୭୭୮ଟି ପ୍ରତିବନ୍ଧକ ଲଗାଯାଇଛି । ସୂଚନାଯୋଗ୍ୟ, ଋଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ସେବେଠୁ ଯୁଦ୍ଧ ଜାରି ରହିଛି ।

Ukraine War Russia Becomes World Most Sanctioned Nation Surpasses Iran North Korea

ଇରାନ୍ ଓ ଉତ୍ତର କୋରିଆ ସ୍ଥିତି କଣ ?

ଇରାନ କଥା କହିଲେ, ଗତ ୧୦ ବର୍ଷ ମଧ୍ୟରେ ୩ ହଜାର ୬୧୬ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପ୍ରତିବନ୍ଧକ ଇରାନର ଆଣବିକ କାର୍ଯ୍ୟକ୍ରମ ଓ ଆତଙ୍କବାଦକୁ ସମର୍ଥନ ଯୋଗୁ ଲାଗିଛି । ସେହିଭଳି ସିରିଆ ଓ ଉତ୍ତର କୋରିଆ ଉପରେ ଯଥାକ୍ରମେ ୨ ହଜାର ୬୦୮ ଓ ୨ ହଜାର ୭୭ ପ୍ରତିବନ୍ଧ ଲାଗୁ ହୋଇଛି । କିନ୍ତୁ ଏବେ ଋଷ ଉପରେ ମାତ୍ର ୧୦ ଦିନରେ ଲାଗିଥିବା ପ୍ରତିବନ୍ଧକ ପୂର୍ବ ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।

ଋଷ ଉପରେ ସବୁଠୁ ଅଧିକ ପ୍ରତିବନ୍ଧକ ଲଗାଇଛି ସ୍ୱିଜରଲ୍ୟାଣ୍ଡ । ସ୍ୱିଜରଲ୍ୟାଣ୍ଡ, ଋଷ ଉପରେ ୫୬୮ଟି ପ୍ରତିବନ୍ଧକ ଲଗାଇଛି । ଏହାପରେ ୟୁରୋପିଆନ୍ ୟୁନିଅନ୍ ୫୧୮ଟି ପ୍ରତିବନ୍ଧକ ଲଗାଇଥିବା ବେଳେ ଫ୍ରାନ୍ସ ୫୧୨ଟି ପ୍ରତିବନ୍ଧକ ଲଗାଇଛି । ଏବେ ଯାଏ ଆମେରିକା ଋଷ ଉପରେ ୨୪୩ଟି ପ୍ରତିବନ୍ଧକ ଲଗାଇଛି । ୟୁକ୍ରେନ୍ ସହ ଋଷର ଯୁଦ୍ଧକୁ ନେଇ ଏବେ ପର୍ଯ୍ୟନ୍ତ ଭାରତ ନ୍ୟୁଟ୍ରାଲ୍ ରହିବା ସହ ଶାନ୍ତର ସହ ଆଲୋଚନା ଚାହୁଁଛି ।