ୟୁରୋପରେ ବଢ଼ୁଛି ଶରଣାର୍ଥୀ ସମସ୍ୟା, ଯୁଦ୍ଧ ଫଳରେ ୟୁକ୍ରେନ ଛାଡିଲେଣି ୧୭ ଲକ୍ଷ ନାଗରିକ

1 min read

ନୂଆଦିଲ୍ଲୀ: ୟୁରୋପରେ ବଢୁଛି ଶରଣାର୍ଥୀ ସମସ୍ୟା । ଯୁଦ୍ଧ ଯୋଗୁ ଦେଶ ଛାଡୁଛନ୍ତି  ୟୁକ୍ରେନବାସୀ । ଏବେସୁଦ୍ଧା ୧୭ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ବା UNHRC ରିପୋର୍ଟ ଦେଇଛି । ୟୁକ୍ରେନରେ ଗତ ୧୩ ଦିନ ଧରି ଆକ୍ରମଣ କରୁଛି ଋଷ୍ । ମିସାଇଲ ମାଡ଼, ଗୁଳି ଗୋଳା ବର୍ଷା ଯୋଗୁ ଛାରଖାର ହୋଇଛି ଅନେକ ସହର । ବହୁ ବଡ଼ ସହରର ବିରାଟ ବିରାଟ କୋଠା ମାଟିରେ ମିଶିଯାଇଛି । ଅନେକ ନିରିହ ଲୋକ ପ୍ରାଣ ହରାଇଛନ୍ତି ।

ଯୁଦ୍ଧ ଭୟରେ ପରିବାର ସହ ଦେଶ ଛାଡ଼ି ସୁରକ୍ଷିତ ଚାଲିଯାଇଛନ୍ତି ଅନେକ ୟୁକ୍ରେନ ନାଗରିକ । ଏ ପର୍ଯ୍ୟନ୍ତ ୧୭ଲକ୍ଷରୁ ଅଧିକ ନାଗରିକ ଦେଶ ଛାଡ଼ିଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି । ୧୦ଲକ୍ଷରୁ ଅଧିକ ପୋଲାଣ୍ଡରେ ଶରଣାର୍ଥୀ ପାଲଟିଥିବା ବେଳେ ୧ ଲକ୍ଷ ୮୦ ହଜାର ହଙ୍ଗେରୀରେ ଓ ୧ ଲକ୍ଷ ୨୮ହଜାର ସ୍ଲୋବାକିଆରେ ଶରଣାର୍ଥୀ ପାଲଟିଛନ୍ତି । ସେହିପରି ମାଲଡୋଭାରେ ୮୦ ହଜାରରୁ ଅଧିକ ୟୁକ୍ରେନ ନାଗରିକ ଶରଣ ନେଇଛନ୍ତି । ସେହିପରି ରୋମାନିଆ, ବେଲାଋଷରେ ମଧ୍ୟରେ ଅନେକ ଲୋକ ରହିଥିବା UNHRC ରିପୋର୍ଟ ଦେଇଛି । ଶରଣାର୍ଥୀଙ୍କୁ ସହଯୋଗ ପାଇଁ ୟୁରୋପୀୟ ସଂଘର ୨୭ ସଦସ୍ୟ ରାଷ୍ଟ୍ରକୁ ସଂଘ ଆହ୍ବାନ ଦେଇଛି ।