ମୋ କଲେଜ ଅଭିଯାନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ଦାନ କଲେ ବିନୋଦିନୀ ମହାପାତ୍ର

ଭୁବନେଶ୍ୱର: ମୋ କଲେଜ ଭଳି ଏକ ଅଭିନବ ଅଭିଯାନରେ ସାମିଲ ହୋଇ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ କରିବା ଲାଗି ବିଭିନ୍ନ ମହଲରୁ ଅବଦାନ ଆସିବାରେ ଲାଗିଛି । ଏହି କ୍ରମରେ ଭୁବନେଶ୍ୱରର ବାସିନ୍ଦା ବିନୋଦିନୀ ମହାପାତ୍ର ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ଏଥିରେ ବିଶ୍ୱବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରୀଙ୍କ ପାଇଁ ଏକ ଆଧୁନିକ ପଠନ ଗୃହ ନିର୍ମାଣ କରାଯିବ ।

ବିନୋଦିନୀଙ୍କ ଝିଅ ତଥା ରମାଦେବୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଶ୍ୟାମଳୀ ମହାପାତ୍ର ସୋମବାର ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ଭେଟି ଚେକ୍ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିନୋଦିନୀ ମହାପାତ୍ରଙ୍କ ଏଭଳି ମହତ୍ ଅବଦାନ ଅନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନ ପାଇଁ କିଛି କରିବାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

“ମୋ ମାଆ ସବୁବେଳେ କହନ୍ତି ଯେ ମହିଳାମାନେ ଜନ୍ମରୁ ବିଜୟିନୀ । ଜୀବନରେ ସେମାନେ କେବେ ବି ହାର୍ ମାନିବା ଉଚିତ ନୁହେଁ । ମହିଳାମାନେ ନିଜକୁ ସଶକ୍ତ କରିବା ପାଇଁ ଶିକ୍ଷା ହେଉଛି ଶ୍ରେଷ୍ଠ ଅସ୍ତ୍ର । ଏହାରି ମାଧ୍ୟମରେ ସେମାନେ ମହିଳାମାନଙ୍କ ପ୍ରତି ସମାଜର ପ୍ରଚଳିତ ଦୃଷ୍ଟିଭଙ୍ଗୀ ଓ ଧାରାକୁ ଭାଙ୍ଗିପାରିବେ”, କହିଛନ୍ତି ବିନୋଦିନୀଙ୍କ ଝିଅ ଶ୍ୟାମଳୀ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରୀ ଥିବା ସମୟରେ ଏବଂ ଏବେ ବୃତ୍ତିଗତ ଭାବରେ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହ ଦୀର୍ଘ ଦିନରୁ ଜଡ଼ିତ ହୋଇ ରହିଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ମା’ଙ୍କ ପକ୍ଷରୁ ଏହି ଅନୁଦାନ ପ୍ରଦାନ କରି ସେ ବେଶ୍ ଆନନ୍ଦିତ । ଏବେ ଝିଅମାନଙ୍କୁ ଅଧିକରୁ ଅଧିକ ଶିକ୍ଷିତ ଏବଂ ସଶକ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

“ଶ୍ରୀମତୀ ବିନୋଦିନୀ ମହାପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ଆମ ସମାଜ ପାଇଁ ଉଦାହରଣୀୟ । ଝିଅମାନଙ୍କର ଶିକ୍ଷା ପାଇଁ ତାଙ୍କ ଚିନ୍ତା ଓ ପ୍ରୟାସ ମଧ୍ୟ ପ୍ରଶଂସନୀୟ । ତାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କୁ ମୋ କଲେଜ ଅଭିଯାନରେ ସାମିଲ ହୋଇ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କିଛି କରିବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ। ଏହି ଅବଦାନ ଦ୍ୱାରା ବିଶ୍ୱବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ସେମାନେ ଏବେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଉନ୍ନତ ଶିକ୍ଷା ଲାଭ କରିପାରିବେ।