କୋଟିଆର ପଟାଙ୍ଗୀ ଜୋନ୍ ଓ୍ୱାନ୍ରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ନିର୍ବାଚନରେ ସର୍ଵଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ନିର୍ଦ୍ୱନ୍ଦ ଜିତେଇବା ଆଶା ଫେଲ ମାରିଲା । ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି ପକ୍ଷରୁ ତାଙ୍କୁ ବୁଝେଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଟିକାଇ ଗେମେଲ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଟିକାଇ ଗେମେଲଙ୍କୁ ପ୍ରଭାବିତ କରାଯାଇଥିବା ସନ୍ଦେହ କରାଯାଉଛି ।
ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ
ଭୁବନେଶ୍ୱର: ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ । ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ଚର୍ଚ୍ଚାକୁ ଆସିଥିଲେ ପ୍ରମୋଦ ଭଗତ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବେ ।

ଏବେ ପ୍ରମୋଦ ସ୍ପେନରେ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ପ୍ରମୋଦ ଭଗତ । ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପରେ ସେ ଭଲ କରିବେ ବୋଲି ଆଶାବାଦୀ ଅଛନ୍ତି ।

ଚଳିତ ବର୍ଷ ସେ ପ୍ରାୟ ୧୪ଟି ଟୁର୍ଣ୍ଣାମେଟଣ୍ଟ ଖେଳିବେ । ଯାହାକି ତାଙ୍କ ପାଇଁ କଠିନ ହେବ । ଏବର୍ଷ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପ୍ ଖେଳାଯିବାକୁ ଥିବାବେଳେ ୨୦୨୪ ପାରା ଅଲମ୍ପିକ୍ ଲାଗି ପ୍ରମୋଦ ନିଜକୁ ପ୍ରସ୍ତୁତ କରୁଛନ୍ତି ।
ବୀରତା ପୁରସ୍କାର ଘୋଷଣା, ନୀରଜଙ୍କୁ ପରମ ବିଶିଷ୍ଟ ସେବା ପଦକ
ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ପାଇ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ । ୩୮୪ ଲୋକଙ୍କ ନାଁ ବୀରତା ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଆଉ ଏହି ତାଲିକାରେ ରହିଛି ସୁନା ପୁଅ ନୀରୋଜ ଚୋପ୍ରାଙ୍କ ନାଁ ।

୭୩ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ପକ୍ଷରୁ ବୀରତା ପୁରସ୍କାର ଲାଗି ୩୮୪ ଜଣଙ୍କ ନାଁ ଘୋଷଣା ହୋଇଛି । ଏଥିରେ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ ଦିଆଯିବ । ଏଥିସହ ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୮୧ ଜଣଙ୍କୁ ସେନା ମେଡାଲ (ଗ୍ୟାଲଣ୍ଟ୍ରି), ୨ ଜଣଙ୍କୁ ବାୟୁସେନା ମେଡାଲ୍, ୪୦ ଜଣଙ୍କୁ ସେନା ମେଡାଲ, ୮ ଜଣଙ୍କୁ ନୌସେନା ମେଡାଲ, ୧୪ ଜଣଙ୍କୁ ବାୟୁସେନା ମେଡାଲ (କର୍ତ୍ତବ୍ୟ ପ୍ରତି ସମର୍ପଣ) ଦିଆଯିବ ।
କରୋନାର ଅନ୍ତ ନୁହଁ ଓମିକ୍ରନ: ଆସିପାରେ ୪ର୍ଥ ଲହର
ଭୁବନେଶ୍ୱର: ତୃତୀୟ ଲହରରେ ସବୁ ବୟସର ଲୋକ ଆକ୍ରାନ୍ତ ହେଉଛନ୍ତି । ୭୦ବର୍ଷରୁ ଅଧିକ ବୟସ୍କ ଲୋକେ ଅଧିକ ପ୍ରଭାବିତ । ସ୍ନାୟବିକ ଦୁର୍ବଳତା ରହୁଥିବା ଲୋକେ ବି ପ୍ରଭାବିତ ହେଉଛନ୍ତି । ବୟସ୍କଙ୍କ କ୍ଷେତ୍ରରେ ଓମିକ୍ରନର ଲକ୍ଷଣ ଅଲଗା ରହୁଛି । ଛୋଟ ପିଲାଙ୍କ କ୍ଷେତ୍ରରେ ଜ୍ୱର ଓ ଝାଡ଼ା ହେଉଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ୍ତର ସମ୍ପଦ ଦାସ । ସେ ଆହୁରି କହିଛନ୍ତି ଯେ, ପୂର୍ବ ଲହର ତୁଳନାରେ ତୃତୀୟ ଲହରର ପ୍ରଭାବ ଭିନ୍ନ । କକଟେଲ ନେଲେ ଭଲ ହେଇଯିବ, ଏହା ଭୁଲ ଧାରଣା ।
କକଟେଲ ଦ୍ୱାରା ରୋଗୀର ବହୁତ ବଡ଼ କ୍ଷତି ହୋଇପାରେ । କେମୋ ଥେରାପି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶରେ ନିଅନ୍ତୁ । ଗୃହ ପୃଥକବାସରୁ ମୁକ୍ତ ହେବା ପରେ ଅତିକମରେ ୩ଦିନ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।। ଓମିକ୍ରନ ସରିବା ପରେ କରୋନାର ୪ର୍ଥ ଲହର ମଧ୍ୟ ଆସିପାରେ । ଓମିକ୍ରନ କରୋନାର ଶେଷ ଭାରିଆଣ୍ଟ ନୁହଁ । ଓମିକ୍ରନକୁ ଅତି ହାଲୁକା ଭାବେ ନେବା ଅନୁଚିତ । ଓମିକ୍ରନ ହୋଇଥିବା ରୋଗୀ ଭେଣ୍ଟିଲେଟରକୁ ଯାଇପାରନ୍ତି । ବୟସ୍କ/ କର୍କଟ ରୋଗୀଙ୍କ କ୍ଷେତ୍ରରେ ମଲ୍ଟିଅର୍ଗାନ ଫେଲ ହୋଇଥାଏ ।ସବୁ ପ୍ରକାର ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ କରୋନା ହୋଇପାରେ । ଫୁସଫୁସ୍ ଆକ୍ରାନ୍ତ ହୋଇଥିଲେ ଏକମୋ ଚିକିତ୍ସା କରାଯାଇଥାଏ । ଏକମୋ ସହଜ ନୁହେଁ, ଏହା ଦ୍ୱାରା ରୋଗୀ ବଞ୍ଚିବ ଭାବିବା ଠିକ ନୁହେଁ । କରୋନା ଔଷଧ ମୋଲୁପିରାଭିର ମ୍ୟାଜିକ ଡ୍ରଗ୍ସ ନୁହେଁ । ବିନା ଡାକ୍ତର ପରାମର୍ଶରେ ମୋଲୁପିରାଭିର ଖାଆନ୍ତୁ ନାହିଁ । ରୋଗୀ ଶରୀରରେ ଥିବା ଭୂତାଣୁର ଜିନ ପରିବର୍ତ୍ତନ ହୋଇ ନୂଆ ଭାଇରସ୍ ସୃଷ୍ଟି କରିପାରେ । ଅନ୍ୟ କୌଣସି ଔଷଧ ଉପଲବ୍ଧ ନ ଥିଲେ ଏହି ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।
ଏଥିସହିତ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?
Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?
ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଆସିବ ମୋଦି ସରକାରଙ୍କ ଦ୍ୱିତୀୟ ପାଳର ଚତୁର୍ଥ କେନ୍ଦ୍ରୀୟ ବଜେଟ୍ । କରୋନା କାଳରେ ଆସୁଥିବା କେନ୍ଦ୍ରୀୟ ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର । ଅର୍ଥମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ଚଳିତଥର ନିର୍ମଳାଙ୍କ ବଜେଟ୍ ଟିମରେ ତାଙ୍କୁ ମିଶାଇ ୬ ଜଣ ସଦସ୍ୟ ରହିଛନ୍ତି । କରୋନାର ତୃତୀୟ ପ୍ରବାହ ଦେଶକୁ ଅସ୍ତବ୍ୟସ୍ତ କରିଥିବା ବେଳେ ବଜେଟକୁ ନେଇ ବେଶ୍ ଆଶାବାଦୀ ଜନତା । ଆସନ୍ତୁ ଜାଣିବା ନିର୍ମଳାଙ୍କ ବଜେଟ୍ ଟିମରେ କିଏ କିଏ ଅଛନ୍ତି ।
ଦେବାଶିଷ ପଣ୍ଡା

ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଅଛନ୍ତି ଦେବାଶିଷ ପଣ୍ଡା । ବଜେଟରେ ଅର୍ଥ କ୍ଷେତ୍ର ସହ ଜଡ଼ିତ ସମସ୍ତ କାରବାର ତାଙ୍କ ଉପରେ ନ୍ୟସ୍ତ । ୧୯୮୭ ବ୍ୟାଚର ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ହେଉଛନ୍ତି ଦେବାଶିଷ । ଆର୍ଥିକ ସ୍ଥିରତା ରକ୍ଷା ଲାଗି ଆରବିଆଇ ସହ ସେ ମିଶି କାମ କରନ୍ତି ।
ଟିଭି ସୋମନାଥନ

ବ୍ୟୟ ବିଭାଗର ସଚିବ ହେଉଛନ୍ତି ଟିଭି ସୋମନାଥନ । ସେ ବିଶ୍ୱ ବ୍ୟାଙ୍କରେ କାମ କରି ସାରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଯୁକ୍ତ ସଚିବ ରହି ସାରିଛନ୍ତି । ୧୯୮୭ ବ୍ୟାଚର ତାମିଲନାଡ଼ୁ କ୍ୟାଡରର ଆଇଏଏସ୍ ଅଧିକାରୀ ସୋମନାଥନ । ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚଡି କରିଛନ୍ତି ।
ତରୁଣ ବଜାଜ

ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ସଚିବ ହେଉଛନ୍ତି ତରୁଣ ବଜାଜ । ୧୯୮୮ ବ୍ୟାଚର ହରିୟାଣା କ୍ୟାଡର ଆଇଏଏସ୍ ଅଫିସର ତରୁଣ । ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ ତରୁଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । କରୋନାର ପ୍ରଥମ ପ୍ରବାହ ବେଳେ ସେ ଆର୍ଥିକ ମାମଲାର ସଚିବ ଭାବେ ଅର୍ଥ ମନ୍ତ୍ରଣାଳୟ ସହିତ ଅନେକ ଆଶ୍ୱସ୍ତି ପ୍ୟାକେଜରେ ସାମିଲ୍ ଥିଲେ । ତିନିଗୋଟି ଆତ୍ମନିର୍ଭର ଭାରତ ପ୍ୟାକେଜକୁ ପୂର୍ଣ୍ଣ ରୂପ ଦେବାରେ ତରୁଣ ବଜାଜଙ୍କ ଭୂମିକା ରହିଛି ।
ତୁହିନ୍ କାନ୍ତ ପାଣ୍ଡେ

ନିବେଶ ଓ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି ତୁହିନ୍ କାନ୍ତ । ସେ ୨୦୧୯ ଅକ୍ଟୋବରରେ ଡିଆଇପିଏଏମ୍ ସଚିବ ନିଯୁକ୍ତ ହୋଇଥିଲେ । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ହେଉଛନ୍ତି ତୁହିନ୍ କାନ୍ତ ପାଣ୍ଡେ । ଏୟାର ଇଣ୍ଡିଆର ଘରୋଇକରଣରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ରହିଛି ।
ଅଜୟ ସେଠ

ଗତବର୍ଷ ଅପ୍ରିଲରେ ଅଜୟଙ୍କୁ ଆର୍ଥିକ ମାମଲାର ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ୧୯୮୭ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଅଜୟ । ସେ କର୍ଣ୍ଣାଟକରେ ବଜେଟ୍ ଓ ସଂଶାଧନ ଏବଂ ବାଣିଜ୍ୟିକ କର ବିଭାଗରେ କାର୍ଯ୍ୟ କରି ସାରିଛନ୍ତି ।
୬ହଜାର ଏନ୍ଜିଓଙ୍କୁ ‘ସୁପ୍ରିମୋ’ ଝଟ୍କା: ମିଳିଲାନି ଏଫ୍ସିଆରଏ ଲାଇସେନ୍ସ ନବୀକରଣ ଅନୁମତି
ନୂଆଦିଲ୍ଲୀ: ବୈଦେଶିକ ଅନୁଦାନ ପ୍ରସଂଗରେ ୬ ହଜାରରୁ ଅଧିକ ଏନଜିଓଙ୍କୁ ସୁପ୍ରିମ ଧକ୍କା । ବର୍ତ୍ତମାନ ଲାଗି ସେମାନଙ୍କ ଲାଗି ମିଳିପାରିବନି ଫରେନ୍ କଣ୍ଟ୍ରିବୁସନ୍ ରେଗୁଲେସନ ଆକ୍ଟ (ଏଫସିଆରଏ) କ୍ଲିୟରାନ୍ସ । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବା ଲାଗି ଏନଜିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆମେରିକାଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ ଗ୍ଲୋବାଲ ପିସ୍ ଇନିସିଏଟିଭ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ପିଟିସନକାରୀଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଆବେଦନ କରିଥିଲେ- ଏହି ଏନଜିଓଗୁଡିକର ଏଫସିଆରଏ ଲାଇସେନସ ମଞ୍ଜୁର କରାଯାଉ । ତେବେ ଜଷ୍ଟିସ ଏଏମ ଖାନ୍ବଲିକାର, ଜଷ୍ଟିସ ସି.ଟି. ରବିକୁମାର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । କିଛିଦିନ ତଳେ ଦେଶର ୧୨ ହଜାରରୁ ଅଧିକ ଏନଜିଓଙ୍କ ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନ ବା ଏଫସିଆରଏ ଲାଇସେନ୍ସ ରଦ୍ଦ କରିଥିଲେ କେନ୍ଦ୍ର ସରକାର ।
ଅକ୍ସଫାମ ଇଣ୍ଡିଆ, ଅକ୍ସଫାମ ଇଣ୍ଡିଆ ଟ୍ରଷ୍ଟ, ଜାମିଆ ମିଲିଆ ଇସଲାମିଆ, ଇଣ୍ଡିଆନ ମେଡିକାଲ ଆସୋସିଏସନ, ଲେପ୍ରସି ମିଶନ, ଟ୍ୟୁବରୋକୁଲେସିସି ଆସୋସିଏସନ ଅଫ ଇଣ୍ଡିଆ, ଇନ୍ଦିରା ଗାନ୍ଧି ନ୍ୟାସନାଲ ସେଣ୍ଟର ଫର ଆର୍ଟସ, ଇଣ୍ଡିଆ ଇସଲାମିକ କଲଚରାଲ ସେଣ୍ଟର ଇତ୍ୟାଦିର ଲାଇସେନସ ବି ରଦ୍ଦ ହୋଇଥିଲା । ବିଭିନ୍ନ ପ୍ରତିକୂଳ ରିପୋର୍ଟ ହାସଲ କରିବା ପରେ ଏହି ନବୀକରଣ ବାତିଲ କରାଯାଇଛି ବୋଲି କହିଛି ଗୃହ ମନ୍ତ୍ରାଳୟ ଦର୍ଶାଇଥିଲା ।
ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ସବୁସ୍ତରରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜପଥ ଓ ଅନ୍ୟ ସମସ୍ତ ମାର୍ଗରେ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଫେସ୍ ରେକଗନାଇଜେସନ ସିଷ୍ଟମ ଲଗାଯାଇଛି । ଏହି କ୍ୟାମେରା ଆଗକୁ ଯଦି କେହି ଅପରାଧି ବା ସନ୍ଦିଗ୍ଧ ଆସନ୍ତି ସେମାନଙ୍କୁ ଏହା ତୁରନ୍ତ ଚିହ୍ନିବା ସହ ସୁରକ୍ଷାବଳକୁ ଆଲର୍ଟ କରିବ । ଏହି ସିଷ୍ଟମରେ ୫୦ହଜାର ସନ୍ଦିଗ୍ଧ ଅପରାଧୀଙ୍କ ଡାଟାବେସ୍ ସେଭ୍ ରହିଛି ।
Delhi | Ahead of #RepublicDay, Delhi Police put up posters of suspected terrorists near Hanuman Mandir in Connaught Place pic.twitter.com/LTJRVDQRRT
— ANI (@ANI) January 25, 2022
ଗଣତନ୍ତ୍ର ଦିବସରେ କଡ଼ା ସୁରକ୍ଷାରେ ପରେଡ ପାଇଁ ପାରା ମିଲେଟାରୀ ଫୋର୍ସର ୬୫ କମ୍ପାନୀ ସହ ୩୦ ହଜାର ଯବାନ ମୁତୟନ କରାଯାଇଛି । ଏହା ସହ ଦିଲ୍ଲୀ ପୋଲିସର ୨୭ ହଜାର ୭୨୩ କମାଣ୍ଡୋ ଓ ସାର୍ପ ସୁଟର ସାମିଲ ହୋଇଛନ୍ତି । ବାୟୁ ସୀମା ସୁରକ୍ଷା ପାଇଁ କାଉଣ୍ଟର ଡ୍ରୋନ ସିଷ୍ଟମ ଲଗାଯାଇଛି । ଆତଙ୍କୀ ହମଲାକୁ ନଜରରେ ରଖି ୨୬ ପାରାମିଟରର ଆଣ୍ଟି ଟେରର ପଦକ୍ଷେପ ଉଠାଯାଇଛି । ଗୁଇନ୍ଦା ସୂଚନା ପାଇଁ ହୋଟେଲ, ଗେଷ୍ଟ ହାଉସ୍, ଧର୍ମଶାଳା, ଭଡ଼ାରେ ରହୁଥିବା ଲୋକ ଓ ଅନ୍ୟମାନଙ୍କ ଭେରିଫିକେସନ କରାଯାଉଛି । ସେପଟେ ସାଧାରଣତନ୍ତ୍ର ଦିବସ ପାଇଁ ଜାମ୍ମୁ-କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚେକ୍ ପୋଷ୍ଟ ଚେକିଂ କଡ଼ାକଡ଼ି ସହ ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି ।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହେଲା ପୋଲିସ ପଦକ, ଓଡ଼ିଶାରୁ ପାଇବେ ୨୨ ଜଣ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ପଦକ ଘୋଷଣା ହୋଇଛି । ଦେଶର ୯୩୯ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯିବ ପଦକ । ଓଡ଼ିଶାର ୨୨ଜଣ ପାଇବେ ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଓ କନଷ୍ଟେବଳ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ରାଜ୍ୟର ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଯବାନ ଜୟରାମ କବାସିଙ୍କୁ ମିଳିବ ମରୋଣତ୍ତର ସାହସିକତା ପୋଲିସ ପଦକ । ସେ ଓଡିଶା ଆର୍ମଡ ପୋଲିସ ଫୋର୍ସରେ ଥିଲେ । ସେହିପରି IPS ରିଷିକେଶ ଦ୍ୟାନଦେଓ, ଓଏପିଏଫର ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ , ଜୀବନ ସାହି ଓ ଔଷଧିନାଥ ବେହେରାଙ୍କୁ ମିଳିବ ପୋଲିସ ସାହସିକତା ପଦକ । ସେହିପରି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ୱକର୍ମାଙ୍କୁ ମିଳିବ ପୋଲିସ ପଦକ ।
ସେହିପରି ୧୧ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ମିଳିବ ପୋଲିସ ପଦକ । ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକ ଡିଏସପି କମଳଲୋଚନ ଭୂୟାଁ, କଟକ ଭିଜିଲାନ୍ସ ଡିଏସପି ସୁଜାତା ଖଣ୍ଡୁଆଳ, କଟକ ସ୍ୱତନ୍ତ୍ର ଶାଖାର ଡିଏସପି ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ୱର ୟୁପିଡି ଏସିପି ଅରୁଣ କୁମାର ସ୍ୱାଇଁ, କଟକ ଭିଜିଲାନ୍ସର ହାବିଲଦାର ଶେଖ୍ ଆତ୍ତାଉଲ୍ଲା, କଟକ ସହାୟକ ଉପ-ପୋଲିସ ନୀରିକ୍ଷକ କୃତିବାସ ପଣ୍ଡା, ସମ୍ବଲପୁର ଉପ ପୋଲିସ ନୀରିକ୍ଷକ ମଧୁସୂଦନ ବେହେରାଙ୍କୁ ମିଳିବ ପୋଲିସ ପଦକ । ସେହିପରି ଭୁବନେଶ୍ୱର ଏସଓଜି ଉପ-କମାଣ୍ଡାଣ୍ଟ ପବଲ ଦୟାଲ, ଗଞ୍ଜାମ ଛତ୍ରପୁର ଡିଏସପି ଅଜୟ କୁମାର ମିଶ୍ର ଓ ବ୍ରହ୍ମପୁର କନଷ୍ଟେବଳ ମାଇଲି ମୋହନଙ୍କୁ ପ୍ରଶଂସନୀୟ ସେବା ପାଇଁ ପାଇବେ ପୋଲିସ ପଦକ ।
ନିର୍ବାଚନରେ ‘ମାଗଣା’ ଘୋଷଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ବାଚନରେ ଜନତାଙ୍କୁ ମାଗଣା ସାମଗ୍ରୀ ଦେବା ନେଇ ପ୍ରତିଶ୍ରୁତି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବସାଧାରଣଙ୍କ ଅର୍ଥକୁ ବ୍ୟବହାର କରି ମାଗଣାରେ ସାମଗ୍ରୀ ଦେବାକୁ ପ୍ରତିଶ୍ରୁତି ଦେଉଥିବା ଦଳର ଚିହ୍ନକୁ ରଦ୍ଦ ଓ ଦଳକୁ ଅଣପଞ୍ଜିକୃତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି ।
ରିପୋର୍ଟ ଅନୁସାରେ, ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏହାକୁ ନେଇ ଆଇନ୍ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରୁଛନ୍ତି । ଆବେଦନର ଗମ୍ଭୀର ପ୍ରସଙ୍ଗ ସ୍ଥାନିତ କରାଯାଇଥିବା କହିଛନ୍ତି ଖଣ୍ଡପୀଠ ।

ସିଜେଆଇ କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ । ମାଗଣା ବାଣ୍ଟିବାର ବଜେଟ୍, ନିୟମିତ ବଜେଟ୍ ଠାରୁ ଭିନ୍ନ । ଯଦିଓ ଭ୍ରଷ୍ଟାଚାର ନୁହେଁ ତଥାପି ଏହା ଅସମାନତା ସୃଷ୍ଟି କରୁଛି । ହୋଇଥିବା ଆବେଦନରେ ପଞ୍ଜାବ ନିର୍ବାଚନ ଲାଗି ହୋଇଥିବା ନିର୍ବାଚନୀ ଇସ୍ତାହାର କଥା କୁହାଯାଇଛି । ଏଥିରେ ଆମ୍ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଓ କଂଗ୍ରେସର ନାମ ରହିଛି ।
ଆବେଦନକାରୀ କହିଛନ୍ତି, ମାଗଣା ଘୋଷଣା ଚିନ୍ତାଜନକ ସ୍ତରରେ ପହଞ୍ଚିଛି । ଏପରିକି ନିର୍ବାଚନରେ ସର୍ବସାଧାରଣ ସମ୍ପତ୍ତିକୁ ମାଧ୍ୟମ କରି ମତଦାତାଙ୍କୁ ଲୋଭ ଦେଖାଇ ମାଗଣା ସାମଗ୍ରୀ ଦେବା ଘୋଷଣା ସମ୍ବିଧାନର ଅନୁଚ୍ଛେଦ ୧୪, ୧୬୨, ୨୬୬(୩) ଓ ୨୮୨ର ଉଲ୍ଲଂଘନ କରୁଛି । ଆବେଦନକାରୀଙ୍କ ଓକିଲ କହିଛନ୍ତି, ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁଠି ପ୍ରତି ବ୍ୟକ୍ତି ମୁଣ୍ଡପିଛା ଋଣଭାର ୩ ଲକ୍ଷ ଟଙ୍କା ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ।
କୋହଲିଙ୍କ ସମର୍ଥନରେ ଶାସ୍ତ୍ରୀ, କହିଲେ- ‘ଗାଙ୍ଗୁଲି ବି କେବେ ଜିତି ନାହାଁନ୍ତି ବିଶ୍ୱକପ୍’
ମୁମ୍ବାଇ: ବିରାଟ କୋହଲିଙ୍କ ସୁରକ୍ଷାରେ ଶାସ୍ତ୍ରୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ସମର୍ଥନ । କୋହଲିଙ୍କ ଅଧିନାୟକତ୍ୱ କାଳରେ ରବି ଶାସ୍ତ୍ରୀ ଦୀର୍ଘ ସମୟ ଧରି ଭାରତୀୟ ଟିମର ନିର୍ଦ୍ଦେଶକ ଓ କୋଚ୍ ରହିଥିଲେ । ଆଉ ଏବେ ପୂର୍ବ କୋଚ୍ ରବି ଶାସ୍ତ୍ରୀ, ବିରାଟଙ୍କୁ ସୁରକ୍ଷା ଦେଇ ବଡ଼ ମତ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି, ଭାରତୀୟ ଦଳର କେତେକ ଭଲ ଓ ବରିଷ୍ଠ ଖେଳାଳି ମଧ୍ୟ ବିଶ୍ୱକପ୍ ଜିତି ନାହାଁନ୍ତି ।
ଅଧିନାୟକ ଭାବେ ବିରାଟ ଆଇସିସି ଟ୍ରଫି ଜିତି ନଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଶାସ୍ତ୍ରୀ କହିଛନ୍ତି, ଭାରତୀୟ ଦଳର ଅନେକ ବଡ଼ ଖେଳାଳି ବିଶ୍ୱକପ୍ ଜିତି ନାହାଁନ୍ତି । ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ମଧ୍ୟ ବିଶ୍ୱକପ୍ ଜିତି ନାହାଁନ୍ତି । ଲକ୍ଷ୍ମଣ, କୁମ୍ବଲେ, ରୋହିତ ଶର୍ମା ମଧ୍ୟ ବିଶ୍ୱକପ୍ ବିଜୟରୁ ବାଦ୍ ପଡ଼ିଛନ୍ତି । ଏହାର ଅର୍ଥ ନୁହେଁ ଏମାନେ ସମସ୍ତେ ମଧ୍ୟ ଖରାପ ଖେଳାଳି । ସଚିନ ତେନ୍ଦୁଲକର ୬ ଥର ଖେଳିବା ପରେ ବିଶ୍ୱକପ୍ ଜିତିଥିଲେ ।
#WATCH | …It took Tendulkar 6 World Cups before winning one…Many prominent players like Ganguly, Dravid, Laxman haven't won World Cup, doesn't mean they are bad players…We've only 2 world cup winning captains: Ravi Shastri, Ex-Head Coach, Indian Cricket Team in Muscat, Oman pic.twitter.com/sk785cuycA
— ANI (@ANI) January 25, 2022
ଭାରତୀୟ ଦଳ ପାଖରେ ଏବେ ବିଶ୍ୱକପ୍ ଜିତିଥିବା ୨ ଅଧିନାୟକ ଅଛନ୍ତି । ବିଶ୍ୱକପ୍ ଜିତିବାକୁ ନେଇ ଖେଳାଳିଙ୍କୁ ତର୍ଜମା କରିବା ଅନୁଚିତ୍ ବୋଲି କହିଛନ୍ତି ଶାସ୍ତ୍ରୀ । ଜଣେ ଖେଳାଳି ଭାବେ ଆପଣଙ୍କ କ୍ରିକେଟ୍ କ୍ୟାରିଅର କେମିତି ରହିଲା ? କେତେ ଲମ୍ବା ସମୟ ଧରି ଆପଣ ଖେଳିଲେ ଓ ଆପଣଙ୍କ ଉତ୍ତମ ପ୍ରଦର୍ଶନକୁ ତର୍ଜମା କରିବା କଥା ।
ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍, ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ଓ ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଗ୍ରୁପ୍ ରାଉଣ୍ଡ ମ୍ୟାଚ୍ ଖେଳି ହାରିଥିଲା । ଏହି ତିନି ମ୍ୟାଚରେ ଦଳ ହାରିବାର କାରଣ ଶେଷ ମୂହୁର୍ତ୍ତରେ ମ୍ୟାନେଜମେଣ୍ଟ ଓ ଅଧିନାୟକ ନେଇଥିବା ନିଷ୍ପତ୍ତି ବୋଲି କୁହାଯାଇଥିଲା । ଭାରତୀୟ ଦଳ ୨୦୧୧ ଓ ୧୯୮୩ରେ ବିଶ୍ୱକପ୍ ଜିତିଥବା ବେଳେ ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା । ୨୦୧୩ରେ ଦଳ ଶେଷଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପଅନ୍ସ ଟ୍ରଫି ହାତେଇଥିଲା ।

