spot_img
Home Blog Page 4612

ପଞ୍ଚାୟତ ନିର୍ବାଚନ ପରେ ସଦସ୍ୟ ସଂଗ୍ରହ କରିବ କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ କଂଗ୍ରେସ ଆରମ୍ଭ କରିବ ସଦସ୍ୟ ସଂଗ୍ରହ ଅଭିଯାନ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ । ଏହାସହିତ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପ୍ରଦେଶର ନିର୍ବାଚନ ଅଧିକାରୀ ଭାବେ ଏଆଇସିସି ପକ୍ଷରୁ ରାଜସ୍ଥାନର ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି ।

ପ୍ରତ୍ୟକ ବୁଥ ସ୍ତରରେ ଅତି କମରେ 100 ଜଣ ସଦସ୍ୟ ସଂଗ୍ରହ କରାଯିବ । ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାଦେଶିକ ନିର୍ବାଚନ ଅଧିକାରୀ ପିସିସି ସଭାପତିଙ୍କ ସହ ଆଲୋଚନା କରି ସଦସ୍ୟ ସଂଗ୍ରହ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯିବ  । ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଭୋଟରଙ୍କ ପାଖରେ ପହଁଚିବ  । ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ  । ତେବେ ଏହି ପକ୍ରିୟାରେ ଶୁପ୍ତ ହୋଇପଡିଥିବା ରାଜ୍ୟ କଂଗ୍ରେସ ସତେଜ ହେଉଛି କି ନାହିଁ ତାହା ଦେଖିବା କଥା  ।

ବିଜେପି ନେତାଙ୍କ ପିଛା ଛାଡୁନି ଅଭିଯୋଗ, ଏବେ ମୋହନଙ୍କ ନାଁରେ ମକୋଦ୍ଦମା

କେନ୍ଦୁଝର: ପୁଣି ଜଣେ ବିଜେପି ଜନପ୍ରତିନିଧିଙ୍କ ନାଁରେ ଅଭିଯୋଗ । ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କୁ ଅଶାଳୀନ ଆଚରଣ ପରେ ଏବେ ଠକେଇ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ବିଜେପି ସାଂସଦ ଜୁଏଲ ଓରାମଙ୍କ ପରେ ଏଥର ଫସିଲେ କେନ୍ଦୁଝର ସଦର ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ ମାଝୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାଙ୍କ ଦଳର ପୂର୍ବତନ ଜିଲ୍ଲା ସମ୍ପାଦକ ସଞ୍ଜୀବ ନାୟକ । ୨୦୧୯ ମସିହାରେ ସଞ୍ଜୀବଙ୍କଠାରୁ ମୋହନ ମାଝୀ ୩ ଲକ୍ଷ ୫୬ ହଜାର ଟଙ୍କାର ଆସବାବପତ୍ର ଓ କିଛି ନଗଦ ଟଙ୍କା ନେଇଥିଲେ ।

ତେବେ ୨ ବର୍ଷରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଏବେବି ୧ ଲକ୍ଷ ୫୫ ହଜାର ଟଙ୍କା ମୋହନ ବକେୟା ରଖିଥିବା ଅଭିଯୋଗ ହୋଇଛି । ମୋହନ ମାଝୀଙ୍କୁ ବକେୟା ଟଙ୍କା ମାଗିଲେ କେସ୍‌ ଦିଆଯିବ ବୋଲି ଧମକ ଦେଉଥିବା ସଞ୍ଜୀବ ନାୟକ ଥାନାରେ ଏତଲା ଦେଇଛନ୍ତି । ତେବେ ସଞ୍ଜୀବଙ୍କଠାରୁ ଆସବାବପତ୍ର ନେଇଥିବା ସ୍ୱୀକାର କରିଛନ୍ତି ମୋହନ ମାଝୀ । ୪୦ ପ୍ରତିଶତ ଛାଡ଼ ହିସାବରେ ସେ ସଞ୍ଜୀବଙ୍କୁ ସମସ୍ତ ଟଙ୍କା ପୈଠ କରିଛନ୍ତି ।

ସଞ୍ଜୀବ GST ଠକିଥିବା ମୋହନ ମାଝୀ ଅଭିଯୋଗ କରିବା ସହ ସଞ୍ଜୀବଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି ମୋହନ ମାଝୀ କହିଛନ୍ତି । ଏହା ଉପରେ ସଞ୍ଜୀବ କହିଛନ୍ତି, ଏଷ୍ଟିମେଟେଡ୍‌ ବିଲ ସେ ସଙ୍ଗେ ସଙ୍ଗେ ଦେଇଛନ୍ତି । ମୋହନ ଯେତେଥର ଟଙ୍କା ଦେଇଛନ୍ତି, ତା’ର ରସିଦ ଦିଆଯାଇଛି । ମୋହନ ମାଝୀ ଫାଇନାଲ ପେମେଣ୍ଟ ନଦେଲା ଯାଏ କିପରି ଜିଏସଟି ପେମେଣ୍ଟ କରିବେ ବୋଲି ସଞ୍ଜୀବ ପାଲଟା ପ୍ରଶ୍ନ କରିଛନ୍ତି ।

ଘୋଷଯାତ୍ରା ପାଇଁ ରଥ କାଠ ପୂଜା, ବାଗଦେବୀଙ୍କ ପାଖରେ ବନ୍ଦାପନା

ପୁରୀ: ଶ୍ରୀପଞ୍ଚମୀ ଅବସରରେ ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯିବାର ବିଧି ରହିଛି । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା’ ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରନ୍ତି ।

ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତ ୨ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୬୩ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୁଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୩ ଲକ୍ଷ ଟଙ୍କା, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଓବାଦୀଙ୍କ ବିସ୍ପୋରଣରେ  ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା  । ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି  ।  ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡି ଏମ୍‌. ରାମପୁରର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଲବାହିନୀ ମାଟିତଳେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କ ବାଇକ୍ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଡମ୍ବକର୍ଲାଖୁଣ୍ଟା-ମାଣିକେରା ରାସ୍ତାର ଦୁଲେନ ଛକ ଠାରେ ଲ୍ୟାଣ୍ଡମାଇନ ବିଛାଇଥିଲେ ନକ୍ସଲ । ଯାହାର ଶିକାର ହୋଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ । ଆଗକୁ ପଞ୍ଚାୟତ ଭୋଟ ଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତି ଜାହିର କରିଛି ଲାଲବାହିନୀ । ଭୋଟ ବର୍ଜନ କରିବାକୁ ପୋଷ୍ଟର ଲଗାଇଛନ୍ତି  ।

 

ଶକ୍ତ ହେଉଛି କେନ୍ଦୁଝର ବିଜେଡି, ଯୋଗଦେଲେ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ ଓ ସମର୍ଥକ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି  । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦୁଝରର କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ ।  ଏଥିରେ ଘସିପୁରା ବିଧାୟକ ତଥା କେନ୍ଦୁଝର ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଯୋଗଦେଇଛଥିଲେ  ।

ରାଜ୍ୟ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ରାଜ୍ୟ ସମ୍ପାଦକ ତଥା ଟ୍ରକ ଆସୋସିଏସନର ସମ୍ପାଦ ସର୍ଯ୍ୟନାରାୟଣ କର ଯୋଗଦେଇଥିଲେ  । ଏବଂ ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ  । ଏହି ମିଶ୍ରଣ ପର୍ବ କେନ୍ଦୁଝର ଜିଲ୍ଲାରେ ପ୍ରଭାବ ପକାଇବ  । ପଞ୍ଚାୟତ ନିର୍ବାଚନରେ ଦଳକୁ ଶକ୍ତ କରିବାରେ ସାହାର୍ଯ୍ୟ କରିବ  । ସମସ୍ତ କର୍ମୀ ଓ ନେତାଙ୍କ ସହଯୋଗକରେ ଦଳ କିପରି ତୃଣ ମୂଳ ସ୍ତରରେ ଅଧିକାଂଶ ଆସନ ଦଖଲ କରିବ ସେନେଇ ସନ୍ଦେଶ ଦେଇଥିଲେ ବଦ୍ରି ନାରାୟଣ ପାତ୍ର  ।  ସେହିପରି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ରଖିଥିଲେ  ।

ଘନେଇଲା ଯୁଦ୍ଧ ଭୟ: ହାତ ମିଳାଇଲେ ଋଷ-ଚୀନ

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଋଷ ଓ ଚୀନ । ଋଷ ପ୍ରତି ସମର୍ଥନ ଘୋଷଣା କଲା ଚୀନ । ଆମେରିକା ନେତୃତ୍ବାଧୀନ ନାଟୋରେ କୌଣସି ନୂଆ ସଦସ୍ୟଙ୍କୁ ସାମିଲ ନ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦାବିକୁ ସମର୍ଥନ ଜଣାଇଛି ଚୀନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଶକ୍ତି ବିଧିବଦ୍ଧ ଭାବେ ନାଟୋ ବିରୋଧରେ ଏକ ହୋଇଛନ୍ତି । ଏପରିକି ବିଶ୍ବର ନିରାପତ୍ତା ଅସ୍ଥିର ଲାଗି ଆମେରିକାର ପଦକ୍ଷେପ ବିରୋଧରେ ଏହି ଦୁଇ ସୁପରପାଓ୍ବାର ଦୀର୍ଘସୂତ୍ରୀ ଯୋଜନା ବି ପ୍ରସ୍ତୁତ କରିଛନ୍ତି ।

ଶୀତଳ ଯୁଦ୍ଧ କାଳରେ ଯେପରି ଅବସ୍ଥା ହୋଇଥିଲା, ତାହା ପୁଣି ଥରେ ଦୋହରାଇବାକୁ ଦିଆଯିବ ନାହିଁ ବୋଲି ପୁଟିନ ଏବଂ ଜିନପିଙ୍ଗ ଘୋଷଣା କରିଛନ୍ତି । କୌଣସି ଦେଶ ନିଜ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବ ଏବଂ ଏଥିରେ ବାହ୍ୟଶକ୍ତି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଦୁଇ ନେତା କହିଛନ୍ତି । ଏସୀୟ-ପ୍ରଶାନ୍ତ ଅଞ୍ଚଳରେ ଆମେରିକା ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ସେମାନେ କହିବା ସହ ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରିଟେନ ମଧ୍ୟରେ ବୁଝମଣାକୁ ବିରୋଧ କରିଛନ୍ତି ।

ଋଷର ବିଭିନ୍ନ ସୀମାରେ ଆମେରିକା ଓ ନାଟୋ ମୁତୟନ କରିଥିବା କ୍ଷେପଣାସ୍ତ୍ର ହଟାଇ ନେବା ଲାଗି ମଧ୍ୟ ପୁଟିନ ଦାବି କରିଛନ୍ତି । ସେପଟେ ଜର୍ମାନ ଚାନସେଲର ଓଲାଫ ସ୍କଜ ୟୁକ୍ରେନକୁ ଆସନ୍ତା 14 ତାରିଖରେ ଏବଂ ଋଷକୁ 15 ତାରିଖରେ ଗସ୍ତ କରିବେ ବୋଲି କହିଛନ୍ତି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମସ୍କୋ ଓ କିଏଭ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଗତ 2014ରୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ଋଷର ସମ୍ପର୍କରେ ଭଟ୍ଟା ପଡିଛି । ତେଣେ ଋଷର ଆକ୍ରମଣକୁ ପ୍ରତିହତ କରିବାକୁ ପ୍ରସ୍ତୁତି ଚଲାଇଛି ୟୁକ୍ରେନ । ବିଭିନ୍ନ ସ୍ଥାନରେ ୟୁକ୍ରେନ ସାମରିକ ଡ୍ରିଲ ଚଲାଇଛି ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ । ମୃତ ସାମ୍ବାଦିକ ହେଲେ ରୋହିତ ବିଶ୍ବାଳ ।

ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଡମ୍ବକରଲାମଖୁଣ୍ଟାର ଦୁଲେନ ଛକରେ ଲ୍ୟାଣ୍ଡ ମାଇନ ବିଛାଇ ଥିଲେ । ଏହି ସମୟରେ ରୋହିତ ସେହି ବାଟ ଦେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇ ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ବିସ୍ଫୋରଣରେ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

କୋରାପୁଟରେ ବିଜେଡିର ମିଶ୍ରଣ ପର୍ବ

ଜୟପୁର: କୋରାପୁଟରେ ବଢୁଛି ବିଜେଡିର ବଳ । ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ ନେତା । ବୋରିଗୁମ୍ମାଠାରେ ଆୟୋଜିତ ମିଶ୍ରଣ ପର୍ବରେ ଗତଥର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହୋଇଥିବା ସନ୍ତୋଷ ଦାଶ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ସନ୍ତୋଷ ଦାଶଙ୍କ ସମେତ କିଛିଦିନ ତଳେ ବିଜେଡିରେ ମିଶିଥିବା ଗତଥରର କଂଗ୍ରେସ ବିଧାୟକ ପ୍ରାର୍ଥୀ କେ. ନାଗରାଜ ଦୋରାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି ।

ନାଗରାଜ ଏବଂ ସନ୍ତୋଷ ଦାଶଙ୍କ ବହୁ ସମର୍ଥକ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀଙ୍କ ନେତୃତ୍ବରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ରବି ନାରାୟଣ ନନ୍ଦ, କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ଏବଂ ଇନ୍ଦିରା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିର ଉଦ୍ୟମକୁ ସୁର ରାଉତରାୟଙ୍କ ସ୍ବାଗତ

ଭୁବନେଶ୍ବର: ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବା ପାଇଁ ବିଜେଡିର ଉଦ୍ୟମକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସ୍ବାଗତ । ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବା ପାଇଁ ରାଜ୍ୟସଭାରେ ବିଜେଡି ବେସରକାରୀ ବିଲ ଆଗତ କରିଛି । ବିଲକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସ୍ବାଗତ କରିଛନ୍ତି ।

ସେ କହିଛନ୍ତି, ‘ଗାନ୍ଧିଜୀଙ୍କୁ ସମ୍ମାନ ପାଇଁ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ସ୍ଥାନ ପାଇବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପଦକ୍ଷେପ ନେଇଛନ୍ତି । ବିଧାନସଭାରେ ବି ସଂକଳ୍ପ ପାରିତ ହୋଇଛି।’

ଲତା ମଙ୍ଗେସକର ପୁଣି ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ: ସ୍ବାର ସାମ୍ରାଜ୍ଞୀ ଲତା ମଙ୍ଗେସକର ପୁଣି ଗୁରୁତର । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । କରୋନା ସଂକ୍ରମଣ ହେବା ପରେ ତାଙ୍କୁ ଜାନୁଆରୀ ୮ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣା ଯାଇଥିଲା । ହେଲେ ସେ ପୁଣି ଗୁରୁତର ହୋଇପଡିଛନ୍ତି । ବର୍ତ୍ତାମାନ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟରରେ ଚିକିତ୍ସା ଚାଲିଛି ।

ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ‘ଲତାଜୀଙ୍କ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡିଛି । ତାଙ୍କୁ ତୁରନ୍ତ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଏକ ଡାକ୍ତରୀ ଟିମ୍ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।’

୫ଦିନ ପୂର୍ବରୁ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ, ‘ଲତାଜୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି । ମୁଁ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛି । କରୋନାରୁ ମୁକ୍ତ ହୋଇଥିବା ବେଳେ ନିମୋନିଆ ମଧ୍ୟ କମି ଯାଇଛି । ଏବେ ତାଙ୍କୁ କେବଳ ଅକ୍ସିଜେନ ଦିଆଯାଉଛି । ସେ ଆଖି ଖୋଲିବା ସହ ଡାକ୍ତରଙ୍କ ସହ କଥା ମଧ୍ୟ ହେଉଛନ୍ତି । କରୋନା ସଂକ୍ରମଣ ହେବା ପରେ ସେ କିଛି ମାତ୍ରାରେ ଦୁର୍ବଳ ହୋଇପଡିଛନ୍ତି ।’

ତେବେ ଲତାଜୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ମିଛ ଖବର ପ୍ରଚାରିତ ହୋଇଥିଲା । ଏହାପରେ ଲତାଜୀଙ୍କ ପରିବାର ପକ୍ଷରୁ ଟ୍ବିଟ୍ କରି ଏମିତି ଖବରକୁ ଗୁଜବ ବୋଲି କହିଥିଲେ । ଦୟାକରି ଏମିତି ମିଛ ଖବର ପ୍ରଚାର ବନ୍ଦ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା ।