ୟୁକ୍ରେନରେ ନିଜ ଲେଫଟନାଣ୍ଟ ଜେନେରାଲକୁ ହତ୍ୟା କଲା ଋଷ

1 min read

କିଭ୍: ଭୟଙ୍କର ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧ । ୩୨ ଦିନ ପରେ ବି ଥମିବା ବଦଳରେ ଅଧିକ ଜଟିଳ ହେଉଛି ଯୁଦ୍ଧସ୍ଥିତି । ୟୁକ୍ରେନର ଲିଭିବ ସହର ଉପରେ ଋଷ କରିଛି ରକେଟ୍ ହମଲା । ଏଥିରେ ୫ ଜଣ ଆହତ ହୋଇଛନ୍ତି । ରକେଟ୍ ଆକ୍ରମଣ ହୋଇଥିବା ସ୍ଥାନରେ ଅନେକ ଲୋକ ଆଶ୍ରୟ ନେଇଥିବା ବେଳେ ସେଠାରେ ଆକ୍ରମଣ କରାଯାଇଛି ବୋଲି କହିଛନ୍ତି ଆଞ୍ଚଳିକ ଗଭର୍ଣ୍ଣର ମାକସିମ କେଜିସ୍କି ।

ସେପଟେ ୟୁକ୍ରେନ ମିଶନରେ ପ୍ରଥମ ପର୍ଯ୍ୟାୟ ସାମରିକ ଅଭିଯାନ ଶେଷ ହୋଇଛି ଏବଂ ଏଣିକି ପୂର୍ବାଞ୍ଚଳ ଦୋନବାସକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ଯୋଜନା କରାଯିବ ବୋଲି କହିଛି ଋଷ ସେନା । ରାଜଧାନୀ କିବରେ କର୍ଫ୍ୟୁ ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଏହାକୁ ପ୍ରତ୍ୟାହାର କରାଯାଇଛି । ଧ୍ୱସ୍ତବିଧ୍ୱସ୍ତ ମାରିଉପୋଲରେ ସ୍ଥିତି ଜଟିଳ ହେବାରେ ଲାଗିଛି ଏବଂ ଗଳିକନ୍ଦିରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଲଢେଇ ଚାଲିଥିବା କହିଛନ୍ତି ମେୟର । ସହରରେ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ।

Ukraine Russia War Melitpol Town

 

ୟୁକ୍ରେନରୁ ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ପଠାଇଦେବା ଲାଗି ୧୦ଟି ହ୍ୟୁମାନଟାରିଆନ କରିଡର ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେସଚୁକ । ଅନ୍ୟପଟେ ଋଷର ଜଣେ ତୁଙ୍ଗ କମାଣ୍ଡର ଲେଫଟନାଣ୍ଟ ଜେନେରାଲ ୟାକୋଭ ରେଜନସ୍ତେଭଙ୍କୁ ଖୋଦ୍ ନିଜ ସୈନ୍ୟ ବାହିନୀର ଜଣେ ଉତ୍ତେଜିତ ସୈନ୍ୟ ହତ୍ୟା କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ଏଯାଏ ପ୍ରାଣ ହରାଇଲେଣି ୭ ଜଣ ଜେନେରାଲ । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ଶିଶୁ ପ୍ରାଣ ହରାଇଲେଣି ବୋଲି ଦାବି କରିଛି ୟୁକ୍ରେନ ।