ଘାଟିରୁ ଖସିଲା ବରଯାତ୍ରୀ ବସ୍, ୭ ମୃତ, ୪୫ ଆହତ

ଚିତ୍ତୂର: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଆହତ ହୋଇଛି ।  ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ବାକ୍ରାପେଟା ଗୋଟାଏ ବସ୍‌ ଭାରସାମ୍ୟ ହରାଇ ପାହାଡ଼ ଧାରରୁ ଖସି ପଡ଼ିଥିଲା । ଫଳେ ବସରେ ଥିବା ସମସ୍ତ ଯାତ୍ରୀ ଜୀବନ ବଞ୍ଚାଇବାକୁ ପ୍ରାଣ ପଣେ ଚେଷ୍ଟା କରିଥିଲେ । ଏହାପରେ ଲୋକଙ୍କୁ ଦଉଡ଼ି ଯୋଗେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଛି। କୁହାଯାଉଛି ଯେ, ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ତିରୁପତି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି ଯେ, ଡ୍ରାଇଭର୍‌ଙ୍କ ଅବହେଳା କାରଣରୁ ତିରୁପତି ଠାରୁ ପ୍ରାୟ ୨୫ କିଲୋମିଟର୍‌ ଦୂରବର୍ତ୍ତୀ ବାକ୍ରାପେଟାର ଗୋଟାଏ ପାହାଡ଼ର ତୀଖ ଢାଲୁରୁ ବସ୍‌ଟି ଭାରସାମ୍ୟ ହରାଇ ତଳେ ଥିବା ଉପତ୍ୟକାରେ ଖସିପଡ଼ିଛି ।

ସୂଚନା ଅନୁସାରେ, ଉକ୍ତ ଘରୋଇ ବସ୍‌ଟି ୫୨ଜଣ ବରଯାତ୍ରୀଙ୍କୁ ନେଇ ଅନନ୍ତପୁର ଜିଲ୍ଲାର ଧର୍ମବରମ୍‌ରୁ ଚିତ୍ତୂରର ନଗରୀ ନିକଟରେ ଥିବା ଏକ ଗାଁ ଅଭିମୁଖେ ଯାତ୍ରା କରିଥିଲା ।  ଏହାପରେ ପାହଡ଼ ଅତିକ୍ରମ କରୁଥିବା ବେଳେ ଘାଟି ରାସ୍ତାରୁ ପ୍ରାୟ ୧୦୦ ଫୁଟ୍‌ ଗଭୀର ଉପତ୍ୟକା ମଧ୍ୟକୁ ଖସିପଡ଼ିଥିଲା ବସଟି । ତେବେ ବସରେ ଥିବା ସମସ୍ତ ଯାତ୍ରୀ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ବୋଲି କୁହାଯାଇଛି ।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ, ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ, ରାତିର ଅନ୍ଧକାରରେ ଉଦ୍ଧାର କାର୍ଯ୍ୟ ବାଧା ପାଇଥିଲା। ତେଣୁ, ସକାଳ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ମିଳଛି ।

ଅନ୍ୟପଟେ, ଆନ୍ଧ୍ରପ୍ରଦେଶ ସରକାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗନ୍ ମୋହନ ରେଡ୍ଡୀ, ତେଲୁଗୁ ଦେଶମ ପାର୍ଟିର ସଭାପତି ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି।