spot_img
Home Blog Page 4594

ଥରହର ଲାଲ୍ ବାହିନୀ, ମାଓ ଗଡ଼ରେ ପୋଲିସ ଡିଜିପି

କୋରାପୁଟ: ଥରହର ଲାଲ୍ ବାହିନୀ  । ମାଓ ଗଡରେ ପୋଲିସ ମୁଖିଆ  । କଡ଼ା ଜବାବ୍ ଦେବାକୁ ପୋଲିସ ଡିଜିପି ମାଓ ଅଞ୍ଚଳରେ ପଇଁତରା ମାରୁଛନ୍ତି  । ସ୍ୱତନ୍ତ୍ର ରଣନୀତିରେ କରାଯିବ ମାଓ ମୁକାବିଲା । କୋରାପୁଟ, କନ୍ଧମାଳ ଓ ମାଲକାନଗିରିର ମାଓ ଅଞ୍ଚଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଦକ୍ଷିଣାଞ୍ଚଳ ଓ ପଶ୍ଚିମଞ୍ଚଳ ଡ଼ିଆଇଜିଙ୍କ ସମେତ ଜିଲ୍ଲାର ଏସପି ମାନଙ୍କ ଉପସ୍ଥିତିରେ ମାଓ ମୁକାବିଲା ରଣନୀତି ପ୍ରସ୍ତୁତ କରିଛନ୍ତି ଡିଜିପି ।

ଲାଲ ବାହିନୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏ ସମୟରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି । ସରକାରଙ୍କ ଫୋକସରେ ରହିଛି ସ୍ବାଭିମାନ ଅଞ୍ଚଳ । ଏଠାରେ ନିର୍ବାଚନ ଯେପରି ସ୍ବଚ୍ଛ ଓ ଅବାଧ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ସେହିପରି ନିର୍ବାଚନ ସମୟରେ ଯେପରି ମାଓ ହିଂସା ଦେଖା ନଦେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଉକ୍ତ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛି  ।  ମାଓ ସଙ୍ଗଠନ ଛାଡି ସାଧାରଣ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଆତ୍ମସମର୍ପଣ ପ୍ୟାକେଜର ଫାଇଦା ଉଠାଇବାକୁ ଡିଜିପି ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।

କେମିତି ବିଳମ୍ବିତ ରାତିରେ ପୋଡିଗଲେ ମହିଳା ?

ଭୁବନେଶ୍ୱର: ରାଜଧାନୀରେ ରାତି ଅଧରେ ଜଳିଗଲେ ମହିଳା । ହଠାତ ଚିତ୍କାର କରି ଉଠିଲେ  । ଜୀବନ ବଞ୍ଚାଇବା ନେଇ ଆକୁଳ ନିବେଦନ କଲେ  । ଶରୀରର ୮୦ ପ୍ରତିଶତ ପୋଡି ଯିବା ପରେ ଜୀବନ ରକ୍ଷା ପାଇଁ ପଡୋଶୀଙ୍କୁ ଅଧ ରାତିରେ କଲେ ଆକୁଳ ନିବେଦନ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୩ ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ମହିଳା ଜଣଙ୍କ ହେଉଛନ୍ତି ପ୍ରଜ୍ଞା ପରମିତା । ବିଳମ୍ବିତ ରାତିରେ ତାଙ୍କ ଶରୀରରେ ନିଆଁ ଲାଗିଥିଲା  । ସେପଟେ ମହିଳା ଜଣଙ୍କ ରାତି ଅଧରେ ଚିତ୍କାର କରି ଉଠିଥିଲେ  । ପଡୋଶୀ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି  ।  ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । କିନ୍ତୁ ମହିଳା ଜଣଙ୍କ କେମିତି ପୋଡିହେଲେ ? କିଏ ସୁ-ପରିକଳ୍ପିତ ଘଟଣା ନା ଦୁର୍ଘଟଣା ? ଏହା ପୋଲିସ ପାଇଁ ବଡ଼ ପ୍ରଶ୍ନ  ।

ସେପଟେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଘରୁ କିରୋସିନି ବୋତଲ ଜବତ ହୋଇଛି । ମହିଳା ଜଣଙ୍କ ଗୁରୁତର ଆହତ ହୋଇ ଚିତ୍କିସତ ହୋଇଥିବାରୁ ପୋଲିସ ତାଙ୍କର ବୟାନ ରେକର୍ଡ କରି ପାରିନି । ସେପଟେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ବନ୍ଧୁଙ୍କ ବୟାନ ରେକର୍ଡ କରିଛି ପୋଲିସ ।

କୋଟିଆରେ ପଟାଙ୍ଗୀ ପୋଲିସ କଲା ସଚେତନ, ଭୋଟ ଦେବାକୁ ନିବେଦନ

କୋରାପୁଟ: କୋଟିଆରେ ପଟାଙ୍ଗୀ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ । ଆସନ୍ତା ୧୮ ତାରିଖରେ ଏହି ପଞ୍ଚାୟତରେ ଭୋଟ ହେବାକୁ ଥିବାବେଳେ ଆଜି ଜିଲ୍ଲା ପୋଲିସ ସହିତ IRB ବାଟାଲୟନ ଯବାନଙ୍କ ଫ୍ଲାଗ ମାର୍ଚ୍ଚ ହୋଇଛି । ପଞ୍ଚାୟତାର ନେରେଡିବାଲାସା, ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ, ଉପର ସେମ୍ବୀ, ତଳ ସେମ୍ବୀ, ଧୂଳି ପଦର ଗଞ୍ଜେଇ ପଦର ଭଳି 15 ଟି ଗାଁରେ ପୋଲିସ ପକ୍ଷରୁ ଭୋଟ ଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ଗୋଟେପଟେ ପଡୋଶୀ ଆନ୍ଧ୍ରର ଲୋଲୁପ ଆଖି କୋଟିଆ ଉପରେ ରହିଛି  । ତେଣୁ ଏଠାରେ ନିର୍ବାଚନକୁ ସଠିକ ମାର୍ଗରେ ପରିଚାଳନା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଛି  । ସେପଟେ ତିନି ଦଳର ସହମତେ କ୍ରମେ ଗୋଟିଏ ଗୋଟିଏ ପ୍ରାର୍ଥୀ ଦିଆଯାଇଛି  । ଭୋଟ ଦେଇ ଅଧିକାରକୁ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି  ।

ପ୍ରଲୋବିତ ନହୁଅନ୍ତୁ କୋଟିଆ ବାସୀ  ।  ଅନ୍ୟ କାହା କଥାରେ ବିଭ୍ରାନ୍ତି ନହେବାକୁ ନିବେଦନ କରିଛି ପଟାଙ୍ଗି ପୋଲିସ । ନିର୍ଭୟରେ ଓ ନିର୍ଦ୍ୱନ୍ଦ୍ୱରେ ନିଜ ମତଦାନ ପାଇଁ ଆହ୍ୱାନ କରାଯାଇଛି । ପୋଲିସ ଆଜି ପ୍ଲାଗ ମାର୍ଚ୍ଚ କରି କୋଟିଆ ବାସୀଙ୍କୁ ସଚେତନ କରାଇଛନ୍ତି  ।

ଜୀବନ ସାଥିଙ୍କ ଫଟୋ ପୋଷ୍ଟ କଲେ ଦୂତୀ, ଲେଖିଲେ ମନର କଥା..

0

ଭୁବନେଶ୍ୱର: ଆଜି ପ୍ରତିଶ୍ରୁତିର ଦିବସ  । ଦୁଇଟି ବାଆଁରା ପକ୍ଷୀଙ୍କ ହୃଦୟର ଦିନ  ।   ଆଖି ମିଶେ, ମନ ମିଶେ କିନ୍ତୁ ପ୍ରତିଶ୍ରୁତି ବିନା ପ୍ରେମ ଅଧୁରା ରହିଯାଏ ।  ସେହି ପ୍ରତିଶ୍ରୁତିର ଦିନ ଆଜି । ପ୍ରେମର ସପ୍ତାହ ଚାଲିଛି । ପ୍ରତିଟି ଦିନକୁ ପ୍ରେମୀ ଯୁଗଳ ପାଳନ କରୁଛନ୍ତି  । ଏଥିରୁ ବାଦ ପଡି ନାହାଁନ୍ତି ଆଥଲେଟ ଦୂତୀ ଚାନ୍ଦ  ।  ନିଜ ପ୍ରେମିକାଙ୍କ ସହ ଏକ ଫଟୋରେ ନଜର ଆସିଛନ୍ତି  । ସୋସିଆଲ ମିଡିଆରେ ଖୋଦ ଦୂତୀ ଚାନ୍ଦ ପ୍ରଥମଥର ପାଇଁ ନିଜ ଜୀବନ ସାଥିଙ୍କ ବିଷୟରେ ଖୁଲାସା କରିଛନ୍ତି  । ପ୍ରତିଶ୍ରୁତି ବା ପ୍ରୋମିଜ ଡେ ରେ ଦୂତୀ ନିଜ ମନର ମଣିଷ ବିଷୟରେ ଉଲ୍ଲେଖ କରିଛନ୍ତି  ।

ଦୂତୀ ଲେଖିଛନ୍ତି, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମୀ ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ ତୋଫାନ ଆସିଲେବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।

୧୪ରେ ୟୁପିରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୫୫ ସିଟ୍ ପାଇଁ ହେବ ଭୋଟ ଗ୍ରହଣ

ଲକ୍ଷ୍ନୌ: ଆସନ୍ତା ୧୪ ତାରିଖରେ ଉତ୍ତରପ୍ରଦେଶରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୯ ଜିଲ୍ଲାରେ ୫୫ ସିଟ ପାଇଁ ଭୋଟ ଗ୍ରହଣ କରାଯିବ । ସାହାରନପୁର, ବିଜନୌର, ଅମରୋହା, ମୁରାଦାବାଦ୍, ରାମପୁର, ସମ୍ଭଲ, ବରେଲି, ବଦାୟୁଁ ଓ ସାହାଜହାନପୁରରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ୫୫ ଆସନ ପାଇଁ ମଇଦାନରେ ଅଛନ୍ତି ୫୮୬ ପ୍ରାର୍ଥୀ । ମୋଟ ୫୮୬ ପ୍ରାର୍ଥୀଙ୍କ ମଧ୍ୟରେ ୬୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏଡିଆର୍ ରିପୋର୍ଟ ମୁତାବକ, ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୧୧୩ ଜଣଙ୍କ ନାଁ ଗମ୍ଭୀର ଅପରାଧିକ ମାମଲା ରହିଛି । ସମାଜବାଦୀ ପାର୍ଟିର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୩୫ ଜଣଙ୍କ ନାଁରେ ମାମଲା ରହିଛି । କଂଗ୍ରେସର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ ଓ ବିଜେପିର ୫୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣଙ୍କ ନାଁରେ ମାମଲା ରହିଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି ।  ଅନ୍ୟପଟେ ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୬୦ ଜଣ କୋଟିପତି ପ୍ରାର୍ଥୀ । ଗତକାଲି ୟୁପିର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ହେବ ଭୋଟ ଗଣତି ।

ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ NOTA

ଭୁବନେଶ୍ୱର: ରାଜ୍ୟରେ ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ଭୋଟ । ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପ୍ରଥମ ଥର ପାଇଁ ଚଳିତ ପୌର ଭୋଟରେ ରହିବ NOTA । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ପ୍ରାର୍ଥୀ ନା ପସନ୍ଦ ହେଲେ NOTAରେ ଭୋଟ ଦେଇପାରିବେ ଭୋଟର । ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରହୁଥିଲା NOTA । ତେବେ ପ୍ରଥମ ଥର ପାଇଁ ପୌର ଭୋଟରେ ରହିବ NOTA । ସମ୍ବିଧାନର ଧାରା 243-ZA ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ ।

ତେବେ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଥର ପୌର ନିର୍ବାଚନରେ ଇଭିଏମ୍‌ର ବ୍ୟବହାର କରାଯିବ ବୋଲି କୁହାଯାଇଥିଲା । ଏଥିସହି ଚଳିତ ପୌର ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀଙ୍କୁ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ। ଏହା ସହିତ ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତେ ଅର୍ଥ ଖର୍ଚ୍ଚ କରିପାରିବେ, ସେ ସଂପର୍କରେ ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ରାଜ୍ୟ ନିର୍ବାଚନ କମିଶନର।

ହିଜାବକୁ ବିରୋଧ: ଆଲିଗଡରୁ ମାଲେଗାଓଁ, ବୁର୍ଖା ପିନ୍ଧା ମହିଳାଙ୍କ ପ୍ରଦର୍ଶନ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡ୍ଡପୀରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଥିରେ ଧିରେ ଧିରେ ପୂରା ଦେଶରେ ବ୍ୟାପିବାରେ ଲାଗିଛି । ଉତ୍ତର ପ୍ରଦେଶର ଆଲିଗଡରୁ ମହାରାଷ୍ଟ୍ରର ମାଲେଗାଓଁ ପର୍ଯ୍ୟନ୍ତ ମହିଳା ହିଜାବ ସମର୍ଥନରେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁର୍ଖା ପିନ୍ଧି ପ୍ରଦର୍ଶନରେ ସାମିଲ ହେବା ସହ ବ୍ୟାନର ପୋଷ୍ଟରରେ ହିଜାବକୁ ସମର୍ଥନ ଜଣାଇଛନ୍ତି । ଶୁକ୍ରବାର ୟୁପିର ଆଲିଗଡ଼ ମୁସଲିମ ମହିଳା ହିଜାବ ସମର୍ଥନରେ ପ୍ରଦର୍ଶନ କରିବା ସହ ‘ହିଜାବ ଆମର ଅଧିକାର, ଏହାକୁ ଓହ୍ଲାଇବୁନି’ ବୋଲି ନାରା ଦେଇଛନ୍ତି ।

ଏହା ପୂର୍ବରୁ ଗୁରୁବାର ମହାରାଷ୍ଟ୍ରର ମାଲେଗାଓଁରେ ହଜାର ହଜାର ସଂଖ୍ୟାରେ ମୁସଲିମ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେମାନେ ‘ହିଜାବ ଆମର ଅଧିକାର, ହିଜାବ ଉପରୁ ପ୍ରତିବନ୍ଧ ହଟାଅ’ ନାରା ଦେଇଥିଲେ । ଏହାସହ ଶୁକ୍ରବାର ମାଲିଗାଓଁରେ ହିଜାବ ଡେ’ ପାଳନ କରିବେ ବୋଲି ଚେତାବନୀ ଦେଇଥିଲେ । ମାଲେଗାଓଁରେ ବିରୋଧ ପ୍ରଦର୍ଶନ ଜମିୟତ-ଉଲେମା-ଏ-ହିନ୍ଦ ନାମକ ସଙ୍ଗଠନ କରିଥିଲା । ପ୍ରଦର୍ଶନ ପରେ ପୋଲିସ ସଙ୍ଗଠନର ୪ ଜଣ ସଦସ୍ୟଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି । ଏହି ମାମଲାରେ ଏଆଇଏମଆଇଏମର ସ୍ଥାନୀୟ ବିଧାୟକଙ୍କୁ ବି ନୋଟିସ୍ କରାଯାଇଛି । ପ୍ରଦର୍ଶନରେ ବିଧାୟକ ସାମିଲ ହେବା ଭାଷଣ ଦେବା ଅଭିଯୋଗ ହୋଇଛି ।

ଜମ୍ମୁ-କାଶ୍ମୀରରେ ହିଜାବକୁ ବିରୋଧ

ଜମ୍ମୁ ଓ କାଶ୍ମୀରରେ ମଧ୍ୟ ହିଜାବ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜମ୍ମୁର ଆରଏଫଏ-ଡୋଗରା ଫ୍ରଣ୍ଟ କାର୍ଯ୍ୟାଳୟ କର୍ମଚାରୀ ହିଜାବ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶିକ୍ଷାନୁଷ୍ଠାନ ରାଜେନୖତିକ ଯୁଦ୍ଧକ୍ଷେତ୍ର ହେବା ଉଚିତ ନୁହେଁ ବୋଲି ଏମାନେ କହିଛନ୍ତି । ସ୍କୁଲରେ ହିଜାବ କି ଗେରୁଆ ପୋଷାକକୁ ଅନୁମତି ନଦେବାକୁ ଏମାନେ ଦାବି କରିଛନ୍ତି ।

ତ୍ବରିତ ବିଚାର ପାଇଁ ମନା କଲେ ସୁପ୍ରିମକୋର୍ଟ

୨୦୨୨ ଜାନୁଆରୀ ୧ ତାରିଖରେ କର୍ଣ୍ଣାଟକର ଉଡ୍ଡପୀ ଜିଲ୍ଲାର ମହିଳା ପ୍ରି-ୟୁନିଭର୍ସିଟି କଲେଜରୁ ଏହି ବିବାଦ ଆରମ୍ଭ ହୋଇଛି । ଏଠାରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି ଆସିବାକୁ ମନା କରାଯାଇଥିଲା । ଯାହାର ବିରୋଧ ମୁସଲିମ ଛାତ୍ରୀ କରିଥିଲେ । ଯାହା ଧିରେ ଧିରେ ରାଜ୍ୟର ଅନ୍ୟ ସ୍ଥାନକୁ ବ୍ୟାପିଥିଲା ଓ ଅନ୍ୟ କଲେଜରେ ବି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଆସିବା ଆରମ୍ଭ କରିଥିଲେ ।

ଏବେ କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ବିଚାର ଚାଲିଛି । ରାୟ ନଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ମଧ୍ୟ ଏହାକୁ ନେଇ କିଛି ସଂଗଠନ ମାମଲା ଆବେଦନ କରି ତ୍ବରିତ ବିଚାର କରିବାକୁ ନିବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ମାମଲାର ତ୍ବରିତ ବିଚାର କରିବାକୁ ମନା କରିଦେଇଛନ୍ତି ।

ଆମେରିକୀୟ ନାଗରିକଙ୍କୁ ଚେତାବନୀ ଦେଲେ ବାଇଡେନ, କହିଲେ ’ଶୀଘ୍ର ୟୁକ୍ରେନ ଛାଡ’

ନୂଆଦିଲ୍ଲୀ: ୟୁରୋପରେ ଯୁଦ୍ଧର କଳାବାଦଲ । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଆଲୋଚନା ବିଫଳ ହେବା ପରେ ଆସନ୍ନ ଯୁଦ୍ଧସ୍ଥିତିରେ ୟୁକ୍ରେନ ସଙ୍କଟ । ୟୁକ୍ରେନରୁ ତୁରନ୍ତ ଆମେରିକୀୟମାନେ ବ୍ୟାବସାୟିକ ବା ଘରୋଇ ବିମାନରେ ସ୍ବଦେଶ ଫେରି ଆସିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି । ୟୁକ୍ରେନରେ ଥିବା ଆମେରିକୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେଣେ ୟୁକ୍ରେନର ସମସ୍ତ ସାମୁଦ୍ରିକ ପଥକୁ ଅବରୋଧ କରିଛି ଋଷ । ଏହାସହ ଆସନ୍ତା ସପ୍ତାହରେ ନୌସେନାର ସମରାଭ୍ୟାସ ଲାଗି ଋଷର ଯୋଜନା ଯୁଦ୍ଧର ଆଶଙ୍କାକୁ ଅଧିକ ଘନୀଭୂତ କରିଛି ।

ୟୁକ୍ରେନର ଆଜୋଭ ସମୁଦ୍ରକୁ ଋଷ ସମ୍ପୂର୍ଣ୍ଣ କବଜା କରିଥିବାବେଳେ କୃଷ୍ଣସାଗରର ମୁଖ୍ୟ ସାମୁଦ୍ରିକ ପଥକୁ ଅବରୋଧ କରିଛି । ୟୁକ୍ରେନର ଅଧିକାଂଶ ବନ୍ଦର ଏବେ ଅଚଳ ହେବା ଆଶଙ୍କା ଦେଖାଦେଇଛି । ପିଭଦେନି, କୋର୍ନୋମସ୍କ, ଖେର୍ସନ, ମରିପଲ ଓ ବେର୍ଦିନସ୍କ ବନ୍ଦରରୁ ୟୁକ୍ରେନ ପର୍ଯ୍ୟାପ୍ତ ସୂର୍ଯ୍ୟମୁଖୀ ତେଲ, ଇସ୍ପାତ, ଶସ୍ୟ ଆଦି ରପ୍ତାନି କରୁଥିବା ବେଳେ ଯୁଦ୍ଧ ସଙ୍କଟରେ ଏହା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ବିବାଦୀୟ କ୍ରିମିଆ ଅଞ୍ଚଳରେ ଋଷ ମୁତୟନ କରିଛି ୬ଟି ଯୁଦ୍ଧଜାହାଜ । ୨୦୧୪ରେ ୟୁକ୍ରେନଠାରୁ କ୍ରିମିଆକୁ ଛଡାଇ ନେଇ ଋଷ ଏଠାରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଛି । ଏହା କୌଶଳଗତ ଭାବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ । କ୍ଷେପଣାସ୍ତ୍ର ପ୍ରୟୋଗ ସମରାଭ୍ୟାସ ଓ ଫାୟାରିଂ ଡ୍ରିଲ ହେବାକୁ ଯାଉଥିବାରୁ ସମସ୍ତ ଉପକୂଳ ଅଞ୍ଚଳରେ ଆଲର୍ଟ ଜାରି କରିଛି ଋଷ ।

ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଅଭିଯୋଗ କରିଛନ୍ତି ଯେ, ଋଷର ସମୁଦ୍ର ଅବରୋଧ ଯୋଗୁ ତାଙ୍କ ଦେଶ ଗଭୀର ସମସ୍ୟାରେ ଉପନୀତ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଜର୍ମାନୀ ଚାନସେଲର ଓ ଫ୍ରାନ୍ସ ରାଷ୍ଟ୍ରପତି ଯୁଦ୍ଧ ଟାଳିବା ଲାଗି ଶେଷ ପ୍ରୟାସ କରିଥିଲେ ବି ସମାଧାନର ବାଟ ବାହାରି ପାରିନାହିଁ । ସେପଟେ ବେଲାଋଷ ସହ ଋଷ ନିଜର ସମରାଭ୍ୟାସ ଅଧିକ ସକ୍ରିୟ କରିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ୟୁରୋପରେ ବର୍ତ୍ତମାନ ସବୁଠାରୁ ନିରାପତ୍ତା ସଙ୍କଟ ଦେଖାଦେଇଛି । ଜଳପଥର ଅନ୍ତର୍ଜାତୀୟ ସୀମାରେଖାକୁ ଋଷ କବଜା କରିଥିବା ବେଳେ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ଚିନ୍ତା ବ୍ୟକ୍ତ କରିଛନ୍ତି ।

‘ବାପା ନଜିତିବା ଯାଏଁ ବାହା ହେବିନି’

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ଏବେ ହାଇ ଭୋଲଟେଜ ପ୍ରଚାର । ଏହି ପ୍ରଚାର ମୈଦାନରେ ଏବେ ଏଣ୍ଟ୍ରି ହୋଇଛି ଜଣେ ଯୁବତୀଙ୍କର । ଯିଏ ନିଜ ବାପାଙ୍କ ପରି ଶବ୍ଦ ବାଣରେ ବିରୋଧୀଙ୍କୁ ଘାଇଲା କରିବା ସହ ବାପାଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏବେ ବୁଝି ପାରୁଥିବେ ଏମିତି କିଏ ଅଛି ଯିଏ ଶବ୍ଦ ବାଣରେ ବିରୋଧୀ ହୁଅନ୍ତୁ ଅବା ନିଜ ଦଳର ନେତା, ସମସ୍ତଙ୍କୁ ଘାଇଲା କରୁଥିବେ । ଠିକ ଭାବୁଛନ୍ତି, ଆମେ ପୂର୍ବ ଅମୃତସର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ସିଂ ସିଦ୍ଧୁଙ୍କ କଥା କହୁଛୁ । ଏବେ ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଝିଅ ରାବିଆ ସିଦ୍ଧୁ ।

ବାପାଙ୍କ ଭଳି ଫୁଲ୍ ଷ୍ଟାଇଲରେ ପ୍ରଚାର ମୈଦାନକୁ ଏଣ୍ଟ୍ରି କରିଛନ୍ତି ରାବିଆ । ଆଉ ଆରମ୍ଭରୁ ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିକ୍ରମ ମଜିଠିଆଙ୍କୁ ଉପରେ ଶବ୍ଦବାଣ ମାରିଛନ୍ତି ।

ରାବିଆ କହିଛନ୍ତି, ‘ମଜିଠାରେ ଗ୍ରସରୀ ଦୋକାନରେ ବି ନିଶାଦ୍ରବ୍ୟ ବିକ୍ରି ହେଉଛି । ଲୋକ ସବୁ ଜାଣିଛନ୍ତି ଭୋଟ କାହାକୁ ଦେବା ଦରକାର ।’

ଆଗକୁ ସେ କହିଛନ୍ତି, ‘ବାପା ନିର୍ବାଚନରେ ବିଜୟ ମୁକୁଟ ନପିନ୍ଧିବା ପର୍ଯ୍ୟନ୍ତ ମୁଁ ବାହା ହେବିନି । ବାପା ସତ୍ୟ ପଥରେ ଅଛନ୍ତି, ତେଣୁ ତାଙ୍କ ଆଗକୁ ସମସ୍ୟା ଆସୁଛି ।’

ଏହାସହ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି କାହାର କାହା ସଙ୍ଗରେ ମୁକାବିଲା ହେଉଛି । ଡ୍ରଗ୍ସ କବଳରୁ ନିଜ ପିଲାଙ୍କୁ ବଞ୍ଚାଇବ ନା ସେମାନଙ୍କୁ ନିଶାଡି ହେବାକୁ ଛାଡିଦେବ ବୋଲି ପଚାରିଛନ୍ତି ରାବିଆ ।

ପ୍ରଚାର ବେଳେ ସେ ଆହୁରି କହିଛନ୍ତି, ‘ଟଙ୍କା ନେଇ ଲୋକ ବିକ୍ରି ହୋଇଯାଉଥିଲେ । ହେଲେ ଆଗକୁ ଆଉ ସେମିତି ହେବନି । ବିକ୍ରମ ମଜିଠିଆ ବାପାଙ୍କ ପାଖରୁ ରାଜନୀତି ଶିଖିଛନ୍ତି । ଆଜି ତାଙ୍କ ସହ ବାପା ସତ୍ୟ ଓ ନ୍ୟାୟର ଲଢେଇ ଲଢୁଛନ୍ତି । ଅନ୍ୟ କୌଣସି ସ୍ଥାନରୁ କାହିଁକି ସେ ନିର୍ବାଚନ ଲଢୁନାହାନ୍ତି । କଂଗ୍ରେସ କର୍ମୀଙ୍କୁ ଧମକ ଦିଆଯାଉଛି । ସେମାନଙ୍କୁ ଭୟଭିତ କରାଯାଉଛି ।’

ପୋଲିସ ଆଗରେ ମାଜିଷ୍ଟ୍ରେଟଙ୍କ କଲର ଘୋଷାଡ଼ି ମାଡ଼, ଭିଡିଓ ଭାଇରାଲ

ପାଟଣା: ବିହାରର ପାଟଣାରେ ପୋଲିସ ଉପସ୍ଥିତିରେ ମାଜିଷ୍ଟ୍ରେଟଙ୍କୁ ମାଡ । ଉତ୍ତ୍ୟକ୍ତ ଲୋକ ସାର୍ଟ କଲର ଧରି ଘୋଷାଡିଲେ, ମାଡ ମାରିବା ସହ ଅସଭ୍ୟ ଭାଷାରେ କଲେ ଗାଳିଗୁଲଜ । ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟୁଥିଲେ ବି ନାଚାର ପୋଲିସ୍ କର୍ମଚାରୀ ଦେଖଣାହାରୀ ସାଜିଥିଲେ ।

ଘଟଣା ପାଟଣା ମ୍ୟୁନିସିପାଲ କର୍ପୋରେସନର ୬୦ ନମ୍ବର ଓ୍ବାର୍ଡ ଖାଜେକଲା ଥାନା ଅଞ୍ଚଳରେ ଘଟିଛି । ଏକ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ ନଗରନିଗମ ଟିମ୍ ସହ ଯାଇଥିବା ବେଳେ ଘଟଣା ଘଟିଛି । ସାଙ୍ଗରେ ଜେସିବି ମେସିନ ଓ ପୂରା ପୋଲିସ ଟିମ ଥିଲେ । ହେଲେ ଲୋକେ ତାଙ୍କୁ ମୁଥା ମାରିବା ସହ ଗାଳିଗୁଲଜ କରିଥିଲେ । ନଗରନିଗମର ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ବଦଳରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ ।

ଏହି ସମୟରେ ମାଜିଷ୍ଟ୍ରେଟ୍ ଉଦ୍ଧାର ପାଇଁ ବଞ୍ଚାଅ ବଞ୍ଚାଅ ଚିଲ୍ଲାଉ ଥିଲେ । ହେଲେ ନା ନଗର ନିଗମ କର୍ମଚାରୀ, ନା ଉପସ୍ଥିତ ପୋଲିସ କେହି ତାଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ମାଡ ମାରୁଥିବା ବେଳର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ ।

ଏବେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଲାଇଛି ।

ସୂଚନାଯୋଗ୍ୟ ମ୍ୟୁନିସିପାଲିଟିର ୬୦ ନମ୍ବର ଓ୍ବାର୍ଡରେ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ ଜବରଦଖଲ କାରଣରୁ ଏହି ପ୍ରକଳ୍ପ ପ୍ରାୟ ବର୍ଷେ ହେବ ବନ୍ଦ ରହିଛି । ଯାହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଏହାକୁ ନେଇ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ହଟାଇବାକୁ ମାଜିଷ୍ଟ୍ରେଟ୍ ସେଠାରେ ପହଞ୍ଚିଥିଲେ ।