ବିହାରରେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି, ଜେଡିୟୁରୁ ୨ ଜଣ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

BJP Bihar Plan Nitish Kumar To Rajya Sabha

ପାଟଣା: ବଦଳିବେ ବିହାର ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ରାଜ୍ୟସଭା ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ଯିବା ପାଇଁ ନୀତିଶ ଇଚ୍ଛା ପ୍ରକାଶ କରିବା ପରେ ବିହାର ରାଜନୀତିରେ ଉଷ୍ମତା ପ୍ରକାଶ ପାଇଛି । ଅନ୍ୟପଟେ ବିହାର ସରକାରରେ ଜେଡିୟୁର ସହଯୋଗୀ ଥିବା ବିଜେପି ମଧ୍ୟ ନୀତିଶଙ୍କୁ ରାଜ୍ୟସଭା ପଠାଇବା ଲାଗି ଦେଇଛି ସମର୍ଥନ । ବିହାରର ବିଜେପି ନେତା ତଥା ବିଧାୟକ ଭୂଷଣ ଠାକୁର କହିଛନ୍ତି, ନୀତିଶ ରାଜ୍ୟସଭା ଯିବାକୁ ଚାହୁଁଛନ୍ତି । ବିଜେପି ତାଙ୍କ ଇଚ୍ଛା ପୂରଣ କରିବ । ଏମିତି ହେଲେ ବିହାରରେ ପୁଣି ବିଜେପିର ମୁଖ୍ୟମନ୍ତ୍ରୀ ହେବେ ।

ସୂତ୍ର ଅନୁସାରେ, ବିହାରରେ ଆଇନ୍ ବ୍ୟବସ୍ଥା ଓ ମଦବନ୍ଦକୁ ନେଇ ଦିନକୁ ଦିନ ନୀତିଶଙ୍କ ଲୋକପ୍ରିୟତା କମିବାରେ ଲାଗିଛି । ସେବେଠାରୁ ବିଜେପି ଏହାର ଫାଇଦା ନେବାକୁ ଚେଷ୍ଟା କରୁଛି । ନୀତିଶଙ୍କୁ ଜାତୀୟ ରାଜନୀତିକୁ ପଠାଇ ବିହାରରେ ବିଜେପି ଚେହେରାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଲାଗି ଦଳ ଜୋରଦାର ଉଦ୍ୟମ କରୁଛି ।

BJP Bihar Plan Nitish Kumar To Rajya Sabha

ସୂଚନା ଅନୁସାରେ, ନୀତିଶ ବିହାର ରାଜନୀତି ଛାଡ଼ି ଦିଲ୍ଲୀ ଗଲେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଦେବ । କାରଣ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୭୪ ବିଧାୟକ ପାଇଥିଲା । ବିଗତ ଦିନରେ ଭିଆଇପିର ୩ ବିଧାୟକ ବିଜେପିରେ ସାମିଲ୍ ହେବା ପରେ ଦଳର ବିଧାୟକଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଥିଲା ।

୨୦୨୦ ନିର୍ବାଚନ ପର ଠାରୁ ବିହାରରେ ବିଜେପି ମଜଭୁତ୍ ହେବାରେ ଲାଗିଛି । ଏପରିକି ନିୟମିତ ଭାବେ ବିଜେପି ନେତା ନିଜ ଦଳର କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ସେହିଭଳି ମନ୍ତବ୍ୟ ଦେଇ ଆସୁଛନ୍ତି । ସୂତ୍ର ଅନୁସାରେ, ନୀତିଶ କୁମାର ରାଜ୍ୟସଭା ଗଲେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଦେବ । ଜେଡିୟୁରୁ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ବିଜେପି କୌଣସି ଦଳିତ କିମ୍ବା ଓବିସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ।

ରେସରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନାଁ ଆଗରେ ରହିଛି । ଅନ୍ୟପଟେ ଜେଡିୟୁରୁ ଉପମୁଖ୍ୟମନ୍ତ୍ରୀ ରେସରେ ଦଳର ଅଧ୍ୟକ୍ଷ ମୁଙ୍ଗେର ସାଂସଦ ଲଲନ ସିଂହ, ବିହାର ସରକାରରେ ଶିକ୍ଷାମନ୍ତ୍ରୀ ଥିବା ବିଜୟ ଚୌଧୁରୀ ଓ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।