ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଗୁରୁବାର ସରିଛି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ । ଆଜି ସସ୍ମିତଙ୍କୁ ମିଶାଇ ମୋଟ ୭୨ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ଏହି ଅବସରରେ ସଂସଦର ଉଚ୍ଚସଦନକୁ ସମ୍ବୋଧିତ କରିଛନ୍ତି ଅଧ୍ୟକ୍ଷ ଭେଙ୍କେୟାନାଇଡୁ । ବିଦାୟୀ ଭାଷଣରେ ସେ ସସ୍ମିତଙ୍କ କାର୍ଯ୍ୟକଳାପର ଭୂୟଂସୀ ପ୍ରଶଂସା କରିଛନ୍ତି ।

ପ୍ରଥମ ଥର ଲାଗି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଗୃହର ଆଦବକାଇଦାକୁ ଖୁବଶୀଘ୍ର ଆପଣାଇ ନେଇଥିଲେ । ପ୍ୟାନେଲର ଉପାଧ୍ୟକ୍ଷ ରହି ଅତ୍ୟନ୍ତ ପରିପକ୍ୱତାର ସହ ଗୃହ ପରିଚାଳନା କରିଥିଲେ । ଖୁବ ଦକ୍ଷତାର ସହ ସସ୍ମିତ ହାଉସ ପ୍ରୋସିଡିଙ୍ଗସ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶ୍ରୀ ନାଇଡ଼ୁ ସସ୍ମିତଙ୍କ ପ୍ରଶଂସାରେ କହିଥିଲେ । ଏହି ଅବସରରେ ସସ୍ମିତ ମଧ୍ୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସସ୍ମିତ ପାତ୍ର, ଏନ. ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାଳେ ସେମାନଙ୍କୁ ଫେୟାରୱେଲ ବାର୍ତ୍ତା ଦେଇଛନ୍ତି ଅଧ୍ୟକ୍ଷ ଭେଙ୍କେୟାନାଇଡୁ ।

Sasmit patra

ତେବେ ଖୁବ କମ୍ ସମୟ ମଧ୍ୟରେ ନିଜ ଆଚରଣ ଉଚ୍ଚାରଣ ଲାଗି ରାଜ୍ୟସଭାରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛନ୍ତି ଶ୍ରୀ ପାତ୍ର । ରାଜ୍ୟ ସ୍ୱାର୍ଥ ପ୍ରସଂଗକୁ ଅତି ଶାଣିତ ଓ ଶାଳୀନତାର ସହ ଗୃହରେ ଉତ୍ଥାନ କରିଛନ୍ତି ସସ୍ମିତ । ଏହା ସହ ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ଭାବେ ଗୃହ ପରିଚାଳନା କରି ପ୍ରତିଟି ଓଡ଼ିଆଙ୍କୁ ବେଶ୍ ଗୌରବାନ୍ୱିତ କରିଛନ୍ତି । ଏବଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର