ପୁଣି ଜୋର ଧରିଲା ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ଦାବି

ନୂଆଦିଲ୍ଲୀ: ଟାଟା ସାମ୍ରାଜ୍ୟକୁ ସାରା ବିଶ୍ବରେ ପ୍ରସାର କରାଇଥିବା ଓ ଭାରତୀୟ ଅର୍ଥନୀତିକୁ ବଳିଷ୍ଠ କରିବାରେ ମୁଖ୍ୟ ଭୁମିକା ନିଭାଇଥିବା ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ଭାରତ ରତ୍ନ ପ୍ରଦାନ ଦାବି ପୁଣି ଥରେ ଜୋର ଧରିଛି । ଗୁରୁବାର ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ଦାୟର ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହେବ । କୋର୍ଟ କି ରାୟ ଦେଉଛନ୍ତି, ତାହା ଉପରେ ପୂରା ଦେଶ ସହ ବିଶ୍ବର ଶିଳ୍ପପତିମାନଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଥିବା ରତନ ଟାଟାଙ୍କୁ ୨୦୦୮ରେ ପଦ୍ମ ବିଭୂଷଣ ଏବଂ ୨୦୦୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବାକୁ ଦାବି ସୋସିଆଲ ମିଡିଆରେ ଉଠିବାରେ ଲାଗିଲା । ତେବେ ଏହି ଦାବି ଏବେର ନୁହେଁ । ବିଭିନ୍ନ ସମୟରେ ଏମିତି ଦାବି ସୋସିଆଲ ମିଡିଆରେ ଉଠିଛି । ଟାଟା ସମର୍ଥକମାନେ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଦାବି କରି ଆସିଛନ୍ତି ।

ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ପ୍ରଥମ ଦାବି ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା ଉଠାଇ ଥିଲେ । ଏହା ପରେ ଟ୍ବିଟରରେ ଲୋକେ ଏହାକୁ ନେଇ ଦାବି ଉଠାଇବାରେ ଲାଗିଲେ । ହେଲେ ଏମିତି ଦାବି ବନ୍ଦ କରିବାକୁ ନିଜେ ରତନ ଟାଟା ଲୋକଙ୍କୁ ଅନୁରୋଧ କରିଥିଲେ । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରରେ ରତନ ଟାଟା ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, ‘ମୋତେ ଏକ ପୁରସ୍କାର ପ୍ରଦାନ କରିବାକୁ ସୋସିଆଲ ମିଡିଆରେ ଦିଆଯାଉଥିବା ମତକୁ ମୁଁ ପ୍ରଶଂସା କରୁଛି । ମୁଁ ବିନମ୍ରତାର ସହ ଅନୁରୋଧ କରୁଛି, ଏମିତି ଅଭିଯାନକୁ ବନ୍ଦ କରିଦିଅନ୍ତୁ । ମୁଁ ଜଣେ ଭାରତୀୟ ଓ ଦେଶର ଅଭିବୃଦ୍ଧିରେ କିଛି ଯୋଗଦାନ କରିବାକୁ ସକ୍ଷମ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଏହା ମୋ ଦେଶର ବିକାଶ ଓ ଅଭିବୃଦ୍ଧି ପାଇଁ ।’

ସୂଚନାଯୋଗ୍ୟ, ଏହି ସର୍ବୋଚ୍ଚ ସମ୍ମାନ ଦେଶର ଜଣେ ମାତ୍ର ଶିଳ୍ପପତିଙ୍କୁ ମିଳିଛି । ସେ ହେଉଛନ୍ତି ଜମଶେଦ ଜୀ ଟାଟା ଓରଫ ଜେଆରଡି ଟାଟା । ୧୯୯୨ରେ ୫୩ ବର୍ଷ ବୟସରେ ସେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଜେଆରଡି ଟାଟାଙ୍କ ଅବସର ପରେ ୧୯୯୧ରୁ ୨୦୧୨ ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରତନ ଟାଟା ଟାଟା ସମୂହ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ରହିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ସମୂହର ରାଜସ୍ବରେ ଦ୍ରୁତ ଅଭିବୃଦ୍ଧି ଘଟିଥିଲା ।