ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଇ ୩୦ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ସମୀକ୍ଷା ବୈଠକରେ ରାଜସ୍ୱ ଡିଭଜନର ରାଜସ୍ୱ କମିଶନର ବୃନ୍ଦ, ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେଣ୍ଟ ନିର୍ଦ୍ଦେଶକ, ବିଭିନ୍ନ ଜିଲ୍ଲାର ଜମି ଅଧିଗ୍ରହଣ ଅଧିକାରୀ ଓ  ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦାନ କରିଥିଲେ |

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ଜମି ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ | ଏହି ବୈଠକରେ ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ୍ ଓ ହାଡୁଆ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଗତ ସମୀକ୍ଷା ବୈଠକ ପରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପରେ ୧୧ ଗ୍ରାମରେ, କାନପୁର ଜଳସେଚନ ପ୍ରକଳ୍ପରେ  ଗ୍ରାମରେ ୭ ଗ୍ରାମରେ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରେ ୮ଗ୍ରାମରେ, ଦେଓ ଜଳସେଚନ ପ୍ରକଳ୍ପରେ ୨ ଗାଁରେ, ରେଙ୍ଗାଲୀ ବାମ ଓ ଦକ୍ଷିଣ ଜଳସେଚନ ପ୍ରକଳ୍ପରେ ୧୯ଗାଁରେ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ୯ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ଜଳସେଚନ ବିଭାଗକୁ ଜମି ହସ୍ତାନ୍ତର କରାଯାଇଛି | ସେହିପରି ଗତ ସମୀକ୍ଷା ବୈଠକ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସଙ୍ଗେ ସଙ୍ଗେ ଜଳସେଚନ ବିଭାଗର  ବିଭିନ୍ନ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି  ହେଇଛି ।

ଜମି ଅଧିଗ୍ରହଣ ବିଳମ୍ବିତ ହେବାରୁ ପ୍ରକଳ୍ପ ସମ୍ପୂର୍ଣ ହେବାପାଇଁ ରାଜ୍ୟ ସରକାରଙ୍କର  ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ|ସେଥିପାଇଁ ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ କରିବାକୁ ତାଗିଦ କରାଯାଇଥିଲା | ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ଼କୁ ଭୂମି ଅଧିଗ୍ରହଣ ପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି |