ବସ୍ ଯାତ୍ରୀଙ୍କ ଉପରେ ବଢ଼ିଲା ବୋଝ: ଭଡ଼ା ବଢ଼ାଇଲେ ବସ୍ ମାଲିକ ସଂଘ

ଭୁବନେଶ୍ୱର: ବସ୍‌ ଯାତ୍ରୀଙ୍କ ଉପରେ ବଢ଼ିଲା ବୋଝ । ତେଲ ଦର ବୃଦ୍ଧି ପରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପ୍ରତି ୩ପଇସା ବଢ଼ିଲା । ସାଧାରଣ ଭଡ଼ା କିଲୋମିଟର ପିଛା  ୮୭ପଇସାରୁ ବଢ଼ି ୯୦ପଇସା ହୋଇଛି । ସେହିଭଳି ଏକ୍ସପ୍ରେସ ଭଡ଼ା  ୯୧ପଇସାରୁ ବଢ଼ି ୯୪ପଇସାରେ ପହଞ୍ଚିଛି । ଡିଲକ୍ସ, ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧ଟଙ୍କା ୩୧ ପଇସା ଓ ୧ଟଙ୍କା ୫୯ପଇସା ହୋଇଛି । ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୩୮ପଇସାରୁ ବଢ଼ି ୨ଟଙ୍କା ୪୭ପଇସାରେ ପହଞ୍ଚିଛି । ଏ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ୧୦ ଦିନରେ ଲଗାତର ୯ ମ ଥର ଲାଗି ବଢ଼ିଲା ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।

ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୬.୭୨ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି । ଚେନ୍ନାଇରେ ୭୬ ପଇସା ଲେଖାଏ ବୃଦ୍ଧି ପାଇଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୪୫ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୭ ଟଙ୍କା ୫୨ ପଇସା ହୋଇଛି ।

ସେହିପରି କୋଲକାତାରେ ୮୦ ପଇସା ଲେଖାଏଁ ବଢି ପେଟ୍ରୋଲ ଦର ୧୧୧ ଟଙ୍କା ୩୫ ପଇସା ଓ ଡିଜେଲର ଦର ୯୬.୨୨ ପଇସାରେ ପହଞ୍ଚିଛି । ଏପଟେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପାଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ୧୦ ଦିନରେ ଲଗାତର ୯ଥର ବଢିଲା ତୈଳ ଦର