ଲକ୍ଷ୍ନୌ: ସରିଲା ଦୀର୍ଘ ଦୁଇ ମାସର ନିର୍ବାଚନୀ ପ୍ରଚାର । ଆସନ୍ତାକାଲି ୟୁପିରେ ଶେଷ ପର୍ଯ୍ୟାୟ ନିର୍ବାଚନ । କାଲି ୯ଟି ଜିଲ୍ଲାର ୫୪ଟି ଆସନରେ ହେବ ମତଦାନ । ୬୧୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ଏଥିରେ ରହିଛି ବାରଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍ ଆସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ହୋଇଥିବାରୁ ଏହା ଉପରେ ରହିଛି ସଭିଙ୍କ ନଜର । ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେବ । ପର୍ଯ୍ୟଟନ ମନ୍ତ୍ରୀ ନିଳକଣ୍ଠ ତିଓ୍ୱାରୀଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ସେପଟେ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ସପାରେ ମିଶିଥିବା କ୍ୟାବିନେଟ୍ ମନ୍ତ୍ରୀ ଦାରା ସିଂ ଚୌହାନଙ୍କ ମଧ୍ୟ କାଲି ଭାଗ୍ୟ ପରୀକ୍ଷା କରିବେ । ସବୁ ଆସନରେ ସମାଜବାଦୀ ପାର୍ଟି ସହ ବିଜେପିର କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଗତ ନିର୍ବାଚନରେ ଏହି ଅଞ୍ଚଳରେ ଭଲ ପ୍ରଦର୍ଶନ କରିଥିଲା ବିଜେପି । ୨୦୧୭ରେ ଏଠାରେ ବିଜେପି ୨୯ଟି ସିଟ୍ ପାଇଥିବାବେଳେ ସମାଜବାଦୀ ପାର୍ଟିକୁ ମିଳିଥିଲା ୧୧ ଆସନ । ତେବେ ଏଥର ସ୍ଥିତି ବଦଳିବା ସହିତ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଛି ସମାଜବାଦୀ ପାର୍ଟି ।
ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଲେ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ
ଲକ୍ଷ୍ନୗେ: ଉତ୍ତରପ୍ରଦେଶ ରାଜନୀତିରେ ନାଟକୀୟ ମୋଡ । ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଲକ୍ଷ୍ମୌ କାଣ୍ଟନମେଣ୍ଟ ଆସନରେ ଲଢିବା ଲାଗି ପୁଅ ମୟଙ୍କଙ୍କୁ ଟିକେଟ ଦେବା ଲାଗି ବିଜେପି ନେତାଙ୍କ ନିକଟରେ ଦାବି କରିଆସୁଥିଲେ ରୀତା ।

ମାତ୍ର ମୟଙ୍କଙ୍କୁ ଟିକେଟ ଅଗ୍ରାହ୍ୟ ପରେ ସେ ପଦ୍ମ ଶିବିର ଛାଡି ଅଖିଳେଶ ଯାଦବଙ୍କ ଶିବିରରେ ଯୋଗ ଦେଇଛନ୍ତି । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ଦଳବଦଳ ବେଶ୍ ରୋଚକସ୍ଥିତି ସୃଷ୍ଟି କରିଥିବା ରାଜନୈତିକ ମାହୋଲରେ ଚର୍ଚ୍ଚା ହୋଇଛି। ଆଜମଗଡରେ ସମାଜବାଦୀ ପାର୍ଟିର ଏକ ସଭା ଚାଲିଥିବାବେଳେ ସେଠାରେ ମୟଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି । ତେବେ ୨୦୧୨ ଓ ୨୦୧୭ରେ ଲକ୍ଷ୍ମୌ କାଣ୍ଟନମେଣ୍ଟରୁ ରୀତା କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ ।
#WATCH | "Mayank Joshi, son of Bharatiya Janata Party MP Rita Bahuguna Joshi today joins Samajwadi party," says Akhilesh Yadav while addressing a rally in Azamgarh#UttarPradeshElections2022 pic.twitter.com/gmSogu616C
— ANI UP/Uttarakhand (@ANINewsUP) March 5, 2022
ଏପଟେ ଆସନ୍ତା ୭ରେ ୟୁପିର ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବାକୁ ଯାଉଛି । ୟୁପିରେ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ବାରାଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍ ଆସନ ରହିଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି। ତେବେ ଏଭଳି ସମୟରେ କର୍ମୀ ବିଜେପି ଛାଡି ଅନ୍ୟ ଦଳରେ ମିଶିବା ଦଳ ପାଇଁ ଭାରି ପଡିପାରେ ବୋଲି ଚର୍ଚ୍ଚା ହେଉଛି ।
ହୋଲିର ଗୋଟିଏ ଦିନ ପୂର୍ବରୁ କରନ୍ତୁ ଏହି କାମ, ଘରେ ଭରିଯିବ ସୁଖ ସମୃଦ୍ଧି
ନୂଆଦିଲ୍ଲୀ: ଭାରତରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି ।
ଚଳିତ ଥର ହୋଲି ପର୍ବ ମାର୍ଚ୍ଚ ୧୮ ତାରିଖରେ ପଡୁଛି । ଲୋକକଥାନୁଯାୟୀ, ହୋଲିକା ଦହନ୍ ଦିନ କିଛି ବିଶେଷ ଉପାୟ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ହୋଲି ସହିତ ଜଡିତ କିଛି ଖାସ୍ ଉପାୟ ବିଷୟରେ ଜାଣନ୍ତୁ…

ଗରିବ ଲୋକଙ୍କୁ ଦାନ କରନ୍ତୁ – ହୋଲି ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।
ଚାକିରିରେ ସଫଳତା ମିଳିବ- ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ଚାକିରି, ବ୍ୟବସାୟ କିମ୍ବା ବୃତ୍ତିରେ ସନ୍ତୁଷ୍ଟି ମିଳେ ନାହିଁ । ଏଭଳି ସମସ୍ୟା ଥିଲେ ହୋଲିକା ଦହନରେ ପୂଜା ବେଳେ ନଡ଼ିଆକୁ ଅଗ୍ନିରେ ଦାହ କରନ୍ତୁ । ଏହା ପରେ ହୋଲିକା ଚାରିପଟେ ସାତଥର ଘୁରନ୍ତୁ । ଶାସ୍ତ୍ର ଅନୁଯାୟୀ ଏଭଳି କଲେ ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ- ହୋଲିକା ଦହନ ଦିନ ଠାରୁ ହୋଲି ପର୍ବ ଆରମ୍ଭ ହୋଇଥାଏ। ଆର୍ଥିକ ସ୍ଥିତି ସୁଧାରିବା ସହ ଘରେ ସୁଖ ଏବଂ ଶାନ୍ତି ଆଣିବାକୁ ଚାହୁଁଛନ୍ତି ତେବେ ହୋଲିକା ଦହନ ଦିନ ପୂଜା ସମୟରେ ବାଦାମ ଏବଂ ମିଠାକୁ ପ୍ରସାଦ ଭାବେ ଅର୍ପଣ କରନ୍ତୁ ।
ମନୋକାମନା ପୂରଣ ହେବ- ହୋଲିକା ଦହନ ଦିନ ପୂଜା ସମୟରେ ଅଗ୍ନିରେ ପାନ ପତ୍ର ଏବଂ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ।କୁହାଯାଏ ହୋଲିକା ଦହନ ରେ ଅଗ୍ନିର ପାଉଁଶକୁ ଘରକୁ ଆଣି ସୋରିଷ ମଞ୍ଜି ଏବଂ ଲୁଣ ମିଶାଇ ସ୍ୱଚ୍ଛ ତଥା ଶୁଦ୍ଧ ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂରେଇ ଯିବ ।
Russia Ukraine War: ବରଫ ତରଳାଇ ପାଣି ପିଉଛନ୍ତି ଫସିଥିବା ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଭାରତ ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସମୟରେ ଉତ୍ତର-ପୂର୍ବ ସହର ସୁମିରେ ଫସି ରହିଥିବା କିଛି ଭାରତୀୟ ଛାତ୍ରଛାତ୍ରୀ ବରଫ ତରଳାଇ ପାଣି ପିଉଥିବା ଭଳି ଖବର ସାମ୍ନାକୁ ଆସିଛି ।
ସୁମିରେ ଟ୍ରେନ୍ ଏବଂ ବସ୍ ଅଟକି ରହିଛି । ରାସ୍ତା ଓ ବ୍ରିଜ୍ ନଷ୍ଟ ହୋଇଯାଇଥିବା ବେଳେ ରାସ୍ତାରେ ଯୁଦ୍ଧ ଚାଲିଛି | ଏପରିକି ଏକ ବଡ଼ ବିସ୍ଫୋରଣ ପରେ ସହରରେ ବିଦ୍ୟୁତ ଓ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଯୁଦ୍ଧ ସ୍ଥିତି ଭିତରେ ୭୦୦ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୟୁକ୍ରେନର ସୁମି ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏଭଳି ସମୟରେ ସେଠାରେ ଥିବା ଜଣେ ଭାରତୀୟ ଯୁଦ୍ଧ ବିଭୀଷିକା ବଖାଣିଛନ୍ତି । ମାଲଭିକା ନାମକ ଜଣେ ଛାତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଶୋଷ ମେଣ୍ଟାଇବା ପାଇଁ କିଭଳି ଛାତ୍ରଛାତ୍ରୀ ମାନେ ବରଫ ତରଳାଉଛନ୍ତି । ଯୁଦ୍ଧକୁ ନଜରରେ ରଖି ପିଲାମାନେ ପାଣି ସଂଗ୍ରହ କରିଥିଲୁ, କିନ୍ତୁ ତାହା ଶେଷ ହୋଇଗଲା। ଫଳରେ ବାଧ୍ୟ ହୋଇ ବାହାରେ ଥିବା ବରଫକୁ ତରଳାଇ ପିଇଥିଲୁ ବୋଲି କହିଛନ୍ତି ।

ଖବର ଅନୁଯାୟୀ, ଋଷର ସୀମା ନିକଟରେ ଥିବା ସୁମି ଷ୍ଟେଟ ୟୁନିଭରସିଟିରୁ କୗେଣସି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇନାହିଁ । ମାତ୍ର ୬୫ କିଲୋମିଟର ଦୂରରେ ଥିବା ଋଷ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । କିନ୍ତୁ ଏହି ୬୫ କିଲୋମିଟର ଯାତ୍ରା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ସରକାରଙ୍କ ଅନୁମତି ପଡିଥାଏ ବୋଲି ସେ କହିଛନ୍ତି ।
ନବରଙ୍ଗପୁରରେ ଭୁଷୁଡୁଛି ହାତ, ବିଜେଡିରେ ଭୀମ
ନବରଙ୍ଗପୁର: କଂଗ୍ରେସକୁ ଲାଗିଲା ବଡ଼ ଝଟକା । ପୌରାନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଭୀମ ହରିଜନ । ଭୀମ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନ ପୂର୍ବରୁ କାଉନସିଲର ଥିଲେ । ଏଥିସହ କଂଗ୍ରେସ ଦଳ ତରଫରୁ ନବରଙ୍ଗପୁର ପୌରାଞ୍ଚଳ ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାର ଶୀର୍ଷରେ ଥିବା ନେଇ ଚର୍ଚ୍ଚା ହେଉଥିଲା।
ତେବେ ସବୁ ଆକଳନକୁ ପଛକୁ ଠେଲି ଦେଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭୀମ ହରିଜନଙ୍କ ସହ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତାଜ ଇମ୍ରାନ୍ ସରିଫ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡ଼ି ରେ ସାମିଲ ହେବା ପରେ ବିଜେଡିର ଶୃଙ୍ଖଳା ଓ ମୁଖ୍ୟମନ୍ତ୍ରୀ ନିର୍ମଳ ଭାବ ମୂର୍ତ୍ତୀ ସହ ଜିଲ୍ଲାର ନେତା ମାନଙ୍କ କାର୍ଯ୍ୟ କଳାପ ଅନୁପ୍ରାଣିତ ହୋଇ ଜିଲାର ଉନ୍ନତୀ ରେ ସାମିଲ ହେବା ପାଇଁ ବିଜେଡ଼ି ରେ ସାମିଲ ହୋଇଥିବା କହିଛନ୍ତି ଭୀମ ହରିଜନ । ମିଶ୍ରଣ ପର୍ବରେ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ, ଓ ପ୍ରମୁଖ ନେତା ଉପସ୍ଥିତ ଥିଲେ ।

