ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ, ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି କହିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ । ଏଥର ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବା ବୋଲି ସଂସ୍ଥା ଅନୁମାନ କରିଛି । ମୌସୁମୀ ଅବଧି ଜୁନରୁ ସେପ୍ଟେମ୍ବର ମଧ୍ୟରେ ୮୮୦.୬ ମିଲିମିଟର ବର୍ଷା ହେବ । ଏହାପୂର୍ବରୁ ଫେବ୍ରୁଆରୀ ୨୧ରେ କରିଥିବା ଆକଳନ ଅନୁସାରେ ସେମିତି କିଛି ପରିବର୍ତ୍ତନ ଘଟିନି । ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ । ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ହେବ ବୋଲି ଫେବ୍ରୁଆରୀରେ ସଂସ୍ଥା ଆକଳନ କରି କହିଥିଲା । ଏବେ ସେହି ଆକଳନକୁ ସଂସ୍ଥା ଦୋହରାଇଛି । ତେବେ ପ୍ରଥମ ଦୁଇ ମାସରେ ଫସଲ ବୁଣାବୁଣି ବେଳେ ଭଲ ବର୍ଷା ହେବ । ଗୁଜରାଟ ଓ ଉତ୍ତରପୂର୍ବାଞ୍ଚଳରେ ସ୍ୱାଭାବିକଠାରୁ ସାମାନ୍ୟ କମ୍ ବର୍ଷା ହେବ । ପଞ୍ଜାବ, ୟୁପି, ମଧ୍ୟପ୍ରଦେଶ, ହରିଆଣା ଏବଂ ମହାରାଷ୍ଟ୍ରରେ ଅଧିକ ବୃଷ୍ଟିପାତ ହେବ । ଦେଶରେ ଏଥର ଏଲ ନିନୋର ପ୍ରଭାବ ରହିବନି । ସେଥିପାଇଁ ମୌସୁମୀ ବାୟୁ ଶକ୍ତିଶାଳୀ ହେବ ଏବଂ ସ୍ୱାଭାବିକ ବର୍ଷା କରାଇବ ବୋଲି ସଂସ୍ଥା ଅନୁମାନ କରିଛି ।