ଶ୍ରୀଲଙ୍କାରେ ଘୋର ଅର୍ଥନୈତିକ ସଂକଟ, ହାତ ଟେକିଦେଲା ଅର୍ଥ ମନ୍ତ୍ରାଳୟ

1 min read

କଲମ୍ବୋ: ନିଜକୁ ଦେବାଳିଆ ଘୋଷିତ କଲା ଶ୍ରୀଲଙ୍କା । ଘୋର ଆର୍ଥିକ ସଂକଟ ମଧ୍ୟରେ କିଛି ଦିନ ଧରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ଶ୍ରୀଲଙ୍କା ସରକାର ହାତ ଟେକିଦେଇଛନ୍ତି । ଏନେଇ ଆଜି ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ କୌଣସି ଋଣ ଶୁଝି ନପାରିବା ନେଇ ଘୋଷଣା କରିଛି । ବର୍ତ୍ତମାନ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବାବେଳେ ଏହି ଶୁଝିବାର କୌଣସି ସମ୍ଭାବନା ଦିଶୁନାହିଁ । ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୮୫ ପ୍ରତିଶତ ଋଣ ଭାରରେ ବୁଡ଼ିଛି ଶ୍ରୀଲଙ୍କା ।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମଏଫର ସହାୟତା ପରେ ବିଦେଶୀ ଋଣ ପ୍ରସଙ୍ଗରେ ଚିନ୍ତା କରାଯାଇପାରେ ବୋଲି କହିଛି ଅର୍ଥ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ବର୍ତ୍ତମାନ ଆଇଏମଏଫ ଓ ଅନ୍ୟାନ୍ୟ ବିଦେଶୀ ସରକାର ଶ୍ରୀଲଙ୍କାକୁ ଯେଉ ଋଣ ପ୍ରଦାନ କରିଛନ୍ତି ତାହା ଶୁଝିବାର ସମ୍ଭାବନା ନାହିଁ । ଋଣ ପ୍ରଦାନକାରୀ ସଂସ୍ଥା ସେମାନେ ଯାହା ଉଚିତ ମନେ କରିବେ ସେହି ଅନୁସାରେ ସୁଧ ଲାଗୁ କରିପାରିବେ ବୋଲି ସ୍ପର୍ଶକାତର ଆହ୍ୱାନ ଦେଇଛି ଅର୍ଥ ମନ୍ତ୍ରାଳୟ ।

ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ କାରଣରୁ ସେଠାକାର ଅର୍ଥ ମନ୍ତ୍ରାଳୟ କୌଣସି ଋଣ ପରିଷୋଧ କରିପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଗତ ମାର୍ଚ୍ଚ ମାସରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ୧୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧.୯୩ ବିଲିୟନ୍ ଡଲାରରେ ପହଞ୍ଚିଛି । ଅନ୍ୟପଟେ ଚଳିତ ବର୍ଷ ଶ୍ରୀଲଙ୍କାକୁ କେବଳ ସୁଧ ବାବଦକୁ ୮.୬ ବିଲିୟନ୍ ଡଲାର ପରିଷୋଧ କରିବାକୁ ଅଛି । ତେଣୁ ଦିନକୁ ଦିନ ଦେଶର ବୈଦେଶିକ ମୁଦ୍ରା ହ୍ରାସ ପାଇବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ପାଇଁ ଟଙ୍କା ନଥିବାରୁ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ନିଜକୁ ଦେବାଳିଆ ଘୋଷଣା କରିଛି ।