spot_img
Home Blog Page 4424

କୋଟି କୋଟି ସମ୍ପତ୍ତିର ମାଲିକ ଅଜୟ ଦେବଗନ୍‌, ଜାଣନ୍ତୁ ମାସିକ ରୋଜଗାର କେତେ…

ମୁମ୍ବାଇ: ବଲିଉଡର ଟ୍ୟାଲେଣ୍ଟେଡ୍‌ ଏବଂ ଇଣ୍ଟେନ୍ସ ଅଭିନେତାଙ୍କ ମଧ୍ୟରୁ ସିଙ୍ଘମ ବା ଅଜୟ ଦେବଗନ୍‌ ଜଣେ । ସେ ତାଙ୍କ କ୍ୟାରିଅରରେ ଏକାଧିକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଫିଲ୍ମରେ ଅଭିନୟ କରିବା ପରେ ଏବେ ସେ ନିଜେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବରେ କାମ କରୁଛନ୍ତି । ଏଥିପାଇଁ ସେ ବଲିଉଡର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ଆସନ୍ତି । ଆଜି ଅଜୟ ଦେବଗନଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ଜଣାଇବୁ  ତାଙ୍କ ନେଟ୍‌ ଓ୍ୱର୍ଥ ବିଷୟରେ । ତେବେ  ସେ କେତେ ରୋଜଗାର କରନ୍ତି ଏବଂ କେଉଁ ଗାଡ଼ି ବ୍ୟବହାର କରନ୍ତି ଆସନ୍ତୁ ଆଲୋଚନା କରିବା ।

ରିପୋର୍ଟ ଅନୁସାରେ ଅଜୟଙ୍କ ନେଟ୍‌ ଓ୍ୱର୍ଥ ୨୯୫ କୋଟି । ତାଙ୍କର ମାସିକ ଦରମା ୨ କୋଟିରୁ ଅଧିକ ଥିବାବେଳେ ରୋଜଗାର ୨୫ କୋଟିରୁ ଅଧିକ । ତେବେ ଅଭିନୟ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ବ୍ୟତୀତ ଅଜୟ ବିଜ୍ଞାପନ ମଧ୍ୟ କରନ୍ତି । ଯେଉଁଥିରୁ ସେ ଭଲ ରୋଜଗାର କରନ୍ତି । ଗତ କିଛି ବର୍ଷ ମଧ୍ୟରେ ଅଜୟଙ୍କ ନେଟ୍‌ ଓ୍ୱର୍ଥରେ ଖୁବ୍‌ ପରିବର୍ତ୍ତନ ଆସିଛି ।

ମୁମ୍ବାଇରେ ଅଜୟଙ୍କ ଦୁଇଟି ଘର ରହିଛି । ଗୋଟିଏ ଜୁହୁ ଆପାର୍ଟମେଣ୍ଟରେ ଏବେ ଅନ୍ୟଟି ତାଙ୍କ ଡିଜାଇନର ଲଗଜରୀ ଘର । ଉଭୟ ଘରର ମୂଲ୍ୟ ପ୍ରାୟ ୨୫ କୋଟି ।

ଦାମି ଗାଡ଼ି ଚଲାଇବାକୁ ଅଜୟ ବେଶ୍‌ ପସନ୍ଦ କରନ୍ତି  ।  ତାଙ୍କ ନିକଟରେ ଟୟୋଟା,ବିଏମଡବ୍ଲୁ,ମର୍ସିଡିଜ୍‌ ଏବଂ ଫରାରି ଭଳି ଗାଡ଼ି ରହିଛି ।  ଏହା ବ୍ୟତୀତ କାଜୋଲଙ୍କ ଜନ୍ମଦିନରେ ସେ ଦାମି ଗାଡ଼ି ସବୁ ଉପହାର ଦିଅନ୍ତି । 

 

ନିକଟରେ ଅଜୟଙ୍କୁ ଫିଲ୍ମ RRRରେ ଦେଖିବାକୁ ମିଳିଛି । ଯାହାର ନିର୍ଦ୍ଦେଶକ ହେଉଛନ୍ତି ଏସ୍‌.ରାଜାମୌଲି । ପୁନର୍ବାର ଅଜୟଙ୍କୁ  ଫିଲ୍ମ ରନଓ୍ୱେ ୩୪ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅଜୟଙ୍କ ସହିତ ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ରକୁଲ ପ୍ରୀତ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅଜୟ ନା କେବଳ ଅଭିନୟ କରିଛନ୍ତି ବରଂ ପ୍ରଯୋଜନା ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କିଛି ଦିନ ପୂର୍ବରୁ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଥିଲେ । ଏହାକୁ ଉତ୍ସାହର ସହିତ ଦର୍ଶକ ଅପେକ୍ଷା କରିଛନ୍ତି ।

ତେବେ କେବଳ ରନଓ୍ୱେ ୩୪ ନୁହେଁ ବରଂ ଅଜୟ ମୈଦାନ,ସର୍କସ,ଥ୍ୟାଙ୍କ୍‌ ଗଡ୍‌, ଭୋଲା ଏବଂ ଦୃଶ୍ୟମ ୨ରେ ମଧ୍ୟ ନଜର ଆସିବେ ।

 

 

ଲାଗୁ ହେଲା ନୂଆ ଅବକାରୀ ନୀତି, ଓଡ଼ିଶାରେ ଶସ୍ତା ହେବ ବିଦେଶୀ ମଦ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ବିଦେଶୀ ମଦ । ନୂତନ ଅବକାରୀ ନୀତି ଅନୁସାରେ ବିଦେଶ ତିଆରି ହେଉଥିବ ମଦ ଉପରୁ ସରକାର ଶୁଳ୍କ ହ୍ରାସ କରିଛନ୍ତି । କିନ୍ତୁ ଆମ ରାଜ୍ୟରେ ତିଆରି ହେଉଥିବର ବିଦେଶୀ ମଦ ଉପରେ ଶୁଳ୍କ ପୂର୍ବପରି ଅପରିବର୍ତ୍ତିତ ରହିଛି । ପଡୋଶୀ ରାଜ୍ୟ ସହ ଆମ ରାଜ୍ୟରେ ଥିବା ଦର ପ୍ରଭେଦକୁ ଦୂର କରିବା ଓ ତ୍ତମମାନର ମଦ ଯୋଗାଇବା ପାଇଁ ଏହି ଶୁଳ୍କ ହ୍ରାସ କରାଯାଇଛି ।

ନୂଆ ନୀତିରେ ଲାଇସେନ୍ସ ଫି, ଏମଜିକ୍ୟୁ, ପ୍ରସ୍ତୁତକାରୀ ସଂସ୍ଥା, ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବଢ଼ିଛି । ଭୁବନେଶ୍ୱର‌, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରିମିୟମ ଅଫ୍‌ ସପ୍‌ ଖୋଲାଯିବାକୁ ମଧ୍ୟ ବ୍ୟବସ୍ଥା ରହିଛି । ସେହିଭଳି ମାଇକ୍ରୋ ବ୍ରେଭେରି ପଲସି ମଧ୍ୟ ପରିବର୍ତ୍ତନ ହୋଇଛି । ରେସ୍ତୋରାଁ ବିନା ବର୍ଷକୁ ୫ ଲକ୍ଷ ହିସାବରେ ଠିପି ଖୋଲା ମଦ ଦୋକାନ (ଅନ୍‌ ସପ୍‌) ଖୋଲିବାର ସୁଯୋଗ ସୃଷ୍ଟି କରାଯାଇଛି। ପୂର୍ବରୁ ରେସ୍ତୋରାଁ ବିନା ଏହି ଅନ୍‌ ସପ୍‌ ଖୋଲା ଯାଇ ପାରୁନଥିଲା ।

ନୂଆ ନୀତି ଅନୁସାରେ ଅବକାରୀ ବିଭାଗକୁ ମଜବୁତ୍‌ କରିବାକୁ ଯୋଜନା ହୋଇଛି । ତା ସହିତ ଗୁଇନ୍ଦା ସଂଗ୍ରହ, ଉତ୍ତମ ଭିତ୍ତିଭୂମି, ଏନ୍‌ଫୋର୍ସମେଣ୍ଟ ପାଇଁ କର୍ମଚାରୀ ନିୟୋଜିତ ସହ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପାଇଁ ସ୍ଥିର କରାଯାଇଛି। ଓଡ଼ିଶା ବଜାରରେ ଯେଭଳି ଅନଭିଜ୍ଞ ଯୋଗାଣକାରୀ ସଂସ୍ଥା ପ୍ରବେଶ ନ କରିବେ ସେଥିପାଇଁ ବ୍ରାଣ୍ଡ ପଞ୍ଜୀକରଣ କରିବା ବ୍ୟବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ କରାଯାଇଛି ।

ଅନ୍ୟପକ୍ଷରେ ଠାକୁରଙ୍କ ନାଁ କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ କୌଣସି ମଦଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବନି । ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ କଲା ଭଳି କୌଣସି ନାଁ ରହିଲେ ତାହାକୁ ପଞ୍ଜୀକରଣ କରାଯିବନି । କୌଣସି ଦୋକାନୀ ସରକାରୀ ମଦ ଦୋକାନ ନୁହେଁ ବରଂ ସ୍ବୀକୃତିପ୍ରାପ୍ତ ଲେଖିବେ । ପୂର୍ବ ଭଳି ହୋମ୍‌ ଡେଲିଭରି ମଧ୍ୟ ଜାରି ରହିବ।

 

ମାର୍ଚ୍ଚରେ ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ୍, ୭୧ ପ୍ରତିଶତ କମ ବର୍ଷା

ନୂଆଦିଲ୍ଲୀ:  ଭାରତୀୟଙ୍କୁ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ତାତି ସମ୍ଭାଳିବାକୁ ପଡ଼ିଛି ।  ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ଆକଳନ ଅନୁସାରେ ଦେଶରେ ୧୯୦୧ ମସିହା ପରଠାରୁ  ସବୁଠାରୁ ଅଧିକ ଗରମ ମାସ ହେଉଛି ମାର୍ଚ୍ଚ । ଯେତେବେଳେ ଅଧିକତର ତାପମାତ୍ରା ରହିଛି ୧.୮୬ ଡିଗ୍ରୀ ସେଲସିୟସ୍‌ ।

 

ରିପୋର୍ଟ ଅନୁସାରେ ଦେଶରେ ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୩୩.୧୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ଼ ହୋଇଛି ।  ଯାହା ସାମାନ୍ୟଠାରୁ  ୧.୮୬ ଡିଗ୍ରୀ ସେଲସିୟସ୍‌ ଅଧିକ । ଏହି ସମୟରେ ହାରାହାରି ନିମ୍ନତମ ତାପମାତ୍ରା ୨୦.୨୪ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି ।  ଉତ୍ତର ପଶ୍ଚିମ ଅଞ୍ଚଳରେ ସବୁଠାରୁ ଅଧିକ ତାପାମତ୍ରା ରେକର୍ଡ଼ କରାଯାଇଛି ।  ଯାହା ସାମାନ୍ୟଠାରୁ ୩.୯୧ ଡିଗ୍ରୀ ସେଲସିୟସ ଅଧିକ ଥିଲା । ଅନ୍ୟପଟେ କେନ୍ଦ୍ରୀୟ ଅଞ୍ଚଳରେ ମାର୍ଚ୍ଚ ମାସରେ ୧.୬୨ ଡିଗ୍ରୀ  ସେଲସିୟସ୍‌ ଅଧିକ ତାତି ବଢ଼ିଛି  ।

 

ଭାରତରେ ମାର୍ଚ୍ଚରେ ହାରାହାରି ୮.୯ ଏମଏମ ବର୍ଷ ହୋଇଛି ।  ଯାହା ଲଙ୍ଗ୍‌ ପିରିୟଡ୍‌ ଆଭରେଜର ୩୦.୪ ଏମଏମରୁ ୭୧ ପ୍ରତିଶତ କମ୍‌ ।     ମାର୍ଚ୍ଚରେ ୧୯୦୯ରେ ୭.୨ ସେଣ୍ଟିମିଟର ଏବଂ ୧୯୦୮ରେ ୮.୭  ମିମି ବର୍ଷା ହୋଇଥିଲା । ଏଭଳି ସ୍ଥିତିରେ ଚଳିତ ବର୍ଷ ପୂର୍ବ ମାସରେ ୧୯୦୧ ମସିହା ପରେ ସବୁଠାରୁ କମ୍‌ ବୃଷ୍ଟିପାତ ରେକର୍ଡ଼ ହୋଇଛି ।

ଚଳିତ ମାର୍ଚ୍ଚ ମାସରେ ଦୁଇଟି ପର୍ଯ୍ୟାୟରେ ଗ୍ରୀଷ୍ମ ପ୍ରବାହ ଆସିଥିଲା। ପ୍ରଥମ ପ୍ରବାହଟି ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୧ ମଧ୍ୟରେ ଥିବା ବେଳେ ଦ୍ୱିତୀୟଟି ମାର୍ଚ୍ଚ ୨୬ରେ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲିଛି ବୋଲି ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗର ‘କ୍ଲାଇମେଟ୍‌ ମନିଟରିଙ୍ଗ୍‌ ଆଣ୍ଡ୍‌ ପ୍ରେଡିକ୍‌ସନ୍‌ ଗ୍ରୁପ୍‌’ର ମୁଖ୍ୟ ଓ.ପି. ଶ୍ରୀଜିତ୍‌ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ମତରେ, ବୃଷ୍ଟିପାତର ଅଭାବ ମଧ୍ୟ ଗ୍ରୀଷ୍ମ ପ୍ରବାହର ଅନ୍ୟତମ କାରଣ।

ଅନ୍ୟ ବିଶେଷଜ୍ଞମାନେ କହୁଛନ୍ତିଯେ, ଅନାବୃଷ୍ଟି, ଉତ୍ତରପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତକୁ ଲଗାଣ ଶୁଷ୍କ ଓ ଉତ୍ତପ୍ତ ପଶ୍ଚିମାବାୟୁ ପ୍ରବାହ ଗ୍ରୀଷ୍ମ ପ୍ରବାହ କରାଉଛି। ଆକାଶ ମେଘମୁକ୍ତ ରହୁଥିବାରୁ ପ୍ରଖର ସୂର୍ଯ୍ୟରଶ୍ମି ପଡ଼ିବା ଯୋଗୁଁ ମଧ୍ୟ ଉତ୍ତାପ ବୃଦ୍ଧି ପାଉଛି।

 

ରବିବାର ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍‌, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ: ଆସନ୍ତାକାଲି ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିରେ ହେବ ଅନାସ୍ଥା ଭୋଟ୍ । ଅନାସ୍ଥା ଭୋଟ ପୂର୍ବରୁ ପାକିସ୍ତାନର ସଂକଟଗ୍ରସ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଖେଳିପାରନ୍ତି ଆଉ ଏକ ଚାଲ୍ । ତାଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଦେଶୀ ଶକ୍ତିର ହାତ ରହିଛି ବୋଲି ସେ କରିଥିବା ଅଭିଯୋଗର ତଦନ୍ତ ପାଇଁ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ଇମ୍ରାନ । ଷଡଯନ୍ତ୍ର ପାଇଁ ପ୍ରଥମେ ସେ ଆମେରିକା ଆଡକୁ ପରୋକ୍ଷ ନିର୍ଦ୍ଦେଶ କରିଥିଲେ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଆମେରିକା ।

କିନ୍ତୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଇମ୍ରାନ ଖାନ ଆମେରିକା ପରିବର୍ତ୍ତେ କେବଳ ଏକ ବିଦେଶୀ ଶକ୍ତି ତାଙ୍କ ସରକାରଙ୍କୁ ହଟାଇବାକୁ ଚାହୁଁଛି ବୋଲି କହିଥିଲେ । ଏପରିକି ପାକିସ୍ତାନର ବିରୋଧୀ ଦଳ ସେହି ବିଦେଶୀ ଶକ୍ତି ସହ ଯୋଗାଯୋଗରେ ଅଛି ବୋଲି ଇମ୍ରାନ ସଂଗୀନ ଅଭିଯୋଗ କରିଥିଲେ । ପାକ୍ ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ଇସ୍ତଫା ଦେବାକୁ ମନା କରିଥିଲେ ଇମ୍ରାନ । ସେପଟେ ଇସ୍ତଫା ଦେବା ପାଇଁ ଇମ୍ରାନଙ୍କ ଉପରେ ସେନାର ଚାପ ଜାରି ରହିଥିବା କୁହାଯାଉଛି ।

ପିନାକୀଙ୍କ ଚ୍ୟାଲେଞ୍ଜ, ପୁରୀରେ ହେଉନି ବେଆଇନ କାମ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ରୋକଠୋକ୍ ଖଣ୍ଡନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ ପିନାକୀ କହିଛନ୍ତି, ଯଦି ସେ ସଂସଦରେ ମିଛ କହିଛନ୍ତି, ତେବେ ତାଙ୍କ ବିରୋଧରେ ସଂସଦରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ । ଓଡ଼ିଶା ସରକାର ପୁରୀରେ କୌଣସି ବେଆଇନ କାର୍ଯ୍ୟ କରୁନାହାନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ଏଏସଆଇ ସମ୍ପୂର୍ଣ୍ଣ ଅବଗତ ଅଛି । ସେହିପରି ଯେଉଁ ସଙ୍ଗଠନ ଓ ଆଇନଜୀବୀମାନେ ମୁଁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି, ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରନ୍ତୁ । ଏଭଳି ଆହ୍ୱାନ ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ।

ସୂଚନା ଅନୁସାରେ ଲୋକସଭାରେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇଥିବା କହିଥିଲେ ଅପରାଜିତା ଷଡ଼ଙ୍ଗୀ । ତେବେ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ କି ଶ୍ରୀମନ୍ଦିର ପ୍ରକଳ୍ପରେ ଆଇନ ଉଲ୍ଲଂଘନ ହୋଇନାହିଁ । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ସଂସଦରେ କହିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର ।

ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକରଙ୍କ ଶୁକ୍ରବାର ପରଲୋକ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ  ଚେମ୍ବୁରର ମାହୋଲ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତାଙ୍କର ହୃଦରୋଗରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ପ୍ରଭାବର ସେଲ୍‌  ସମୀର ଓ୍ୱାଂଖଡ଼େଙ୍କ ଉପରେ କୋଟି କୋଟି  ଲାଞ୍ଚ  ନେବାର ଅଭିଯୋଗ ଆଣିଥିଲେ । ଯାହାପରେ ସମୀର ଓ୍ୱାଂଖଡ଼େଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ମାମଲାରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ୍‌ ପ୍ରଭାକରଙ୍କୁ ପଚରାଉଚରା ପାଇଁ ମଧ୍ୟ ଡକାଇଥିଲା ।

ପ୍ରଭାକର ଖୁଲାସା କରିଥିଲେଯେ, କେପି ଗୋସାଓ୍ୱି ନାମକ ଜଣେ ବ୍ୟକ୍ତିକୁ ସେ ଫୋନରେ ୨୫ କୋଟି ଡିଲ୍‌ କରୁଥିବାର ଶୁଣିବାକୁ ପାଇଥିଲେ ଏବଂ ଉକ୍ତ ବ୍ୟକ୍ତି ୧୮ କୋଟିରେ ଡିଲ ଫିକ୍ସ କରିବା କଥା କହୁଥିବା ମଧ୍ୟ ପ୍ରଭାକର ଶୁଣିଥିଲେ  ।

ଏହି ହାଇପ୍ରୋଫାଇଲ ମାମଲାରେ ବଲିଉଡର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିଲେ । ସମୀର ଓ୍ୱାଂଖଡ଼େ ୨ ଅକ୍ଟୋବର ୨୦୨୧ରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚଢ଼ାଉ କରିଥିଲେ ।  ସେଠାରେ ଆର୍ଯ୍ୟନ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା  ।  ଅବଶ୍ୟ ଆର୍ଯ୍ୟନଙ୍କ ନିକଟରୁ ଡ୍ରଗ୍ସ ମିଳିନଥିଲା । ତେବେ ତଦନ୍ତର କିଛି ଦିନ ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା ଏବଂ ସମୀର ଓ୍ୱାଂଖଡ଼େଙ୍କ ଉପରେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ଶେଷରେ ତାଙ୍କୁ ଏହି ମାମଲାରୁ ବାହାର କରି ଦିଆଯାଇଥିଲା  ଏବଂ ଅନ୍ୟ ଅଫୀସରଙ୍କୁ ଦାୟିତ୍ୱ ହସ୍ତାନ୍ତର ହୋଇଥିଲା ।

ସୂଚନାଯୋଗ୍ୟ, ଆର୍‌ୟନ୍‌ ଖାନ୍‌ କ୍ରୁଜ୍‌ ଡ୍ରଗ୍‌ ମାମଲାର ଚାର୍ଜସିଟ୍‌ ଫାଇଲ୍‌ କରିବା ପାଇଁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ‘ଏନ୍‌ସିବି’କୁ ଆହୁରି ୬୦ ଦିନ ସମୟ ଦେଇଛନ୍ତି। କିନ୍ତୁ, ଚାର୍ଜସିଟ୍‌ ଦାଖଲ କରିବା ଲାଗି ୯୦ ଦିନ ସମୟ ଦେବା ପାଇଁ ଗତ ସୋମବାର ଦିନ ‘ଏନ୍‌ସିବି’ ଅଦାଲତଙ୍କୁ ନିବେଦନ କରିଛି।

ପକେଟକୁ ବାଧିଲାଣି ଲେମ୍ବୁ ଦର, କିଲୋ ପିଛା ୨୦୦ ଟଙ୍କା

ରାଜକୋଟ: ଖରାଦିନ ଆସିବା ମାତ୍ରେ ଖଟାଫଳର ଚାହିଦା ଯଥେଷ୍ଟ ବଢ଼ିଯାଏ । ଏଇ ଯେମିତି ଲେମ୍ବୁ । ଗରମ ଭାତ ହେଉ କିମ୍ବା ପଖାଳ କଂସା  । ସାଥୀରେ ଲେମ୍ବୁ ନଥିଲେ ଖାଇବା ଯେମିତି ଫିକା ଫିକା ଲାଗେ । ଏହାକୁ ବାଦ୍‌ ଦେଲେ ଖରାଦିନ ଆସିବା ମାତ୍ରେ ଲୋକ ଘୋଳ ଦହି ଠାରୁ ଆରମ୍ଭ କରି ଆଖୁ ରସ, ଲେମ୍ବୁ ରସ ଭଳି ପାନୀୟ ପିଇବାକୁ ବେଶ୍‌ ପସନ୍ଦ କରନ୍ତି । ଏ ସବୁ ମଧ୍ୟରେ ସବୁଠାରୁ ଶସ୍ତା ହେଉଛି ଲେମ୍ବୁ ଯାହା ପ୍ରତ୍ୟକଟି ସ୍ଥାନରେ ଅତି ସହଜରେ ଉପଲବ୍ଧ ହୁଏ । କିନ୍ତୁ ଚଳିତ ବର୍ଷ ଲେମ୍ବୁ ଦର ଆକାଶ ଛୁଆଁ । ପରିବା ଦୋକାନକୁ ଗଲେ ଇଛା ଥିଲେ ମଧ୍ୟ ଗ୍ରାହକ ଲେମ୍ବୁ କିଣିବାକୁ ମନ ବଳାଉ ନାହାଁନ୍ତି । କାରଣ ଲେମ୍ବୁ କିଲୋପିଛା ଦର ୨୦୦ ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ରାଜକୋଟରେ ଲେମ୍ବୁ କିଲୋ ପିଛା ୨୦୦ରେ ବିକ୍ରି ହେଉଛି ।   ଏଭଳି ସ୍ଥିତିରେ ଗରୀବଟିଏ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡରେ ହାତ ଦେଲେଣି ।

ସୂଚନାଯୋଗ୍ୟ ପୂର୍ବରୁ ଲେମ୍ବୁ କିଲୋପିଛା ମୂଲ୍ୟ ୫୦ରୁ ୬୦ ଟଙ୍କା ବିକ୍ରି ହେଉଥିଲା । ଯାହା ବର୍ତ୍ତମାନ ବଢ଼ି ୨୦୦ ଟଙ୍କାରେ ପହଞ୍ଚିଛି । ଏହି ଦର ଲୋକଙ୍କ ପକେଟକୁ ଭାରି ପଡ଼ୁଛି । ଖାଉଟି ହନ୍ତସନ୍ତ ।

ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ଲେମ୍ବୁର ବଜାର ମୂଲ୍ୟ ଦୁଇଗୁଣାରୁ ମଧ୍ୟ ଅଧିକ । କେବଳ ଖାଉଟି ନୁହଁନ୍ତି ବରଂ ବେପାରୀଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । କାରଣ ଲୋକ ଯେତିକି ଲେମ୍ବୁ କିଣିବା କଥା ସେତିକି ପରିମାଣର କିଣୁ ନାହାଁନ୍ତି । ଯଥେଷ୍ଟ କମ୍‌ ପରିମାଣର କିଣୁଥିବାରୁ ବେପାରୀଙ୍କ ବେପାର ମାନ୍ଦା ।

ତେବେ କେବଳ ଲେମ୍ବୁ କାହିଁକି ଚଳିତବ ବର୍ଷ ଖାଇବା ତେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌, ପନିପରିବା ଏବଂ ତା ସାଙ୍ଗକୁ ଏବେ ଦୈନିକ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବଜାର ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଗରୀବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହେଉଛନ୍ତି ।

FIH ପ୍ରୋ ଲିଗ୍ ହକି: ଇଂଲଣ୍ଡକୁ ହରାଇ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ସରିବ ଏଫଆଇଏଚ୍ ପ୍ରୋ ଲିଗର ଚଳିତ ସିଜିନ । ଆଜି ଓ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ପ୍ରୋ ଲିଗର ଶେଷ ଦୁଇଟି ମ୍ୟାଚ୍ । ଆଜି କଳିଙ୍ଗର ବ୍ଲୁ ଟର୍ଫରେ ମୁହାଁମୁହିଁ ହେବେ ଇଣ୍ଡିଆ- ଇଂଲଣ୍ଡ । ଏଫଆଇଏଚ୍ ପ୍ରୋ ଲିଗରେ ୮ଟି ମ୍ୟାଚ୍ ଖେଳି ୧୬ ପଏଣ୍ଟ୍ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଏଫଆଇଏଚ୍ ପ୍ରୋ ଲିଗର ପଏଣ୍ଟ ଟେବୁଲରେ ୧୭ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଜର୍ମାନୀ । ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ  । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୭ଟା ୩୦ରେ ଟର୍ଫକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପୂର୍ବ ଦୋଷ ଦୂର୍ବଳତାକୁ ସୁଧାରି ଇଂଲଣ୍ଡ ଦଳକୁ ଟକ୍କର ଦେବ ବୋଲି କହିଛନ୍ତି ଅଧିନାୟକ ଅମିତ ରୋହିଦାସ ।

ଭାରତ ଶେଷ ଥର ପାଇଁ ଇଂଲଣ୍ଡକୁ ଗତବର୍ଷ ଟୋକିଓ ଅଲମ୍ପିକ୍ସ କ୍ୱାଟର ଫାଇନାଲରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

କୋଭିଡର ନୂଆ ଭାରିଆଣ୍ଟ XEକୁ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ XEକୁ ନେଇ ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । BA.୨ ଭାରିଆଣ୍ଟ ଅପେକ୍ଷା XE ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଷ୍ଟ୍ରେନ ଭାବେ ପରିଚିତ XE । ବିଶ୍ୱର ବିଭିନ୍ନ ଦେଶରେ ଏବେ BA.୨ର ଉତ୍ପାତ ଜାରି ରହିଥିବାବେଳେ XE ଭାରିଆଣ୍ଟ BA.୧ ଓ BA.୨ର ଏକ ମ୍ୟୁଟାଣ୍ଟ ହାଇବ୍ରିଡ ବୋଲି ଚିହ୍ନଟ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ସବଭାରିଆଣ୍ଟ ବିଏ-୨ ସବୁଠାରୁ ଅଧିକ ସଂକ୍ରାମକ ବୋଲି ବିବେଚିତ ହୋଇଆସୁଛି । ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ସଂସ୍ଥା ବା UKHSA ଅନୁସାରେ ବର୍ତ୍ତମାନ XE, XD ଓ XF ଭାରିଆଣ୍ଟ ବ୍ୟାପୁଛି । XD ଓ XFକୁ ଡେଲଟା ଓ ବିଏ-୧ର ହାଇବ୍ରିଡ ବୋଲି କୁହାଯାଉଛି । ଏହା ବିଶେଷ କରି ଫ୍ରାନସ୍, ଡେନମାର୍କ ଓ ବେଲଜିୟମରେ ବ୍ୟାପୁଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି, ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଜାରି ହେଲା ଜରୁରୀ ପରିସ୍ଥିତି । ଦେଶର ଦୟନୀୟ ସ୍ଥିତି ସମେତ ବିଭିନ୍ନ ସ୍ଥାନରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସମ୍ବିଧାନର ଧାରା ୧୫୫ ଅନୁସାରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି । ଏହି ଆଦେଶ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ୧୪ ଦିନ ଭିତରେ ଏହି ନିର୍ଦ୍ଦେଶନାମାକୁ ସଂସଦ ମଞ୍ଜୁରୀ ଦେବାର ଆବଶ୍ୟକତା ରହିଛି । ଯଦି ସଂସଦୀୟ ମଞ୍ଜୁରୀ ନ ମିଳିବ ତେବେ ଏହି ନିର୍ଦ୍ଦେଶନାମା ଆପେ ରଦ୍ଦ ହୋଇଯିବ ।

ଗତକାଲି ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଜନତା ନାରାବାଜି କରିବା ପରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ନିରାପତ୍ତା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ନିରାପତ୍ତା ଆଇନ ଅନୁସାରେ ରାଷ୍ଟ୍ରପତି ସର୍ବୋଚ୍ଚ କ୍ଷମତା ପ୍ରୟୋଗ କରିଛନ୍ତି । ଏହି ନିର୍ଦ୍ଦେଶ ବଳରେ ସାମରିକ ବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବ ଏବଂ ଦୀର୍ଘଦିନ ଧରି ବିନା ବିଚାରରେ ଅଟକ ରଖିପାରିବ । ଅସ୍ଥିର ଜର୍ଜରିତ ରାଷ୍ଟ୍ରରେ ରାଷ୍ଟ୍ରପତି ଇସ୍ତଫା ଦେବା ଲାଗି ଦାବି ଜୋର ଧରିବା ପରେ ରାଜପକ୍ଷେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀ ସାମଗ୍ରୀର ଯୋଗାଣକୁ ନିର୍ଦ୍ଦେଶନାମାରେ ଗୁରୁତ୍ୱ ଦିଆଯାଇଛି । ଇନ୍ଧନ, ଖାଦ୍ୟ ପଦାର୍ଥ, ବିଦ୍ୟୁତ ଅଭାବ ଯୋଗୁ ଦେଶ ଅଭୁତପୂର୍ବ ସଙ୍କଟ ବଳୟକୁ ଠେଲି ହୋଇଯାଇଛି । ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ କଡା କଟକଣା ଲାଗିଛି ।

ସେପଟେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ଜୋର ଧରିଛି ଏବଂ ଲୋକେ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ଲାଗି ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପତ୍ନୀ ଶିରାନ୍ଥୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ଆନ୍ଦୋଳନକାରୀ ଭଣ୍ଡୁର କରି ଦେଇଛନ୍ତି । ଗାଲ୍ଲେ, ମତାରା, ମୋରାତୁଓ୍ୱା ଆଦି ସହରରେ ଲୋକମାନେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ପୋଲିସ ୫୩ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫଟୋ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି । ସେପଟେ ପରିବହନ ମନ୍ତ୍ରୀ ଦିଲୁନ ଅମୁନୁଗାମା କହିଛନ୍ତି, ଏହି ଅସ୍ଥିରତା ପଛରେ ଆତଙ୍କବାଦୀଙ୍କ ହାତ ରହିଛି । କୋଭିଡ ପରଠାରୁ ଦେଶରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଦେଶରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହୋଇଛି । ଖାଦ୍ୟ ପଦାର୍ଥର ଦର ୩୦ ପ୍ରତିଶତ ବଢ଼ିଥିବା ବେଳେ ମୁଦ୍ରାସ୍ଫୀତି ୧୮.୭ ପ୍ରତିଶତ ହୋଇଛି ।